ଆରପାରିରେ ଅଭିନେତା ମିହିର ଦାସ

ଓଡ଼ିଆ ସିନେଜଗତର ଅନ୍ୟତମ ସଫଳ ନାୟକ ମିହିର ଦାସ ଆଜି ଆଉ ଆମ ଗହଣରେ ନାହାନ୍ତି ।


ଓଡ଼ିଆ ରୂପେଲି ପରଦାରେ ଆମେ ତାଙ୍କୁ ନାୟକ, ଖଳନାୟକ, ହାସ୍ୟାଭିନେତା ରୂପେ ଦେଖିଛେ । ଓଡ଼ିଆ ସିନେଜଗତର ଜଣେ ଚର୍ଚ୍ଚିତ ଅଭିନେତା ହେଉଛନ୍ତି ମିହିର ଦାସ । ସେ ସବୁ ଚରିତ୍ରରେ ନିଜକୁ ଫିଟ କରିପାରନ୍ତି । ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ମିହିରଙ୍କ ଅଭିନୟ ବେଶ୍ ନିଆରା । ମଥୁରା ବିଜୟ ସିନେମାରୁ ସିନେମା ଜଗତରେ ପାଦ ଦେଇ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟିଦେଇଛନ୍ତି ୨୦୦ରୁ ଉର୍ଦ୍ଧ୍ବ ଫିଲ୍ମ । ଓଡ଼ିଆ ସିନେଜଗତର ଅନ୍ୟତମ ସଫଳ ନାୟକ ମିହିର ଦାସ ଆଜି ଆଉ ଆମ ଗହଣରେ ନାହାନ୍ତି । ପୁଅ ମୋର ଭୋଳା ଶଙ୍କରର ଶଙ୍କରଠାରୁ ଅଭିମନ୍ୟୁର କାକା ଚରିତ୍ର ଯାଏଁ ସବୁ ଚରିତ୍ରରେ ସେ ନିଜର ଅଲିଭା ସ୍ଵାକ୍ଷର ଛାଡ଼ିଯାଇଛନ୍ତି । ପ୍ରଥମରୁ ଚରିତ୍ର ଅଭିନେତା ଭାବେ ନଜର ଆସିଥିବା ମିହିର ‘ପୁଅ ମୋର ଭୋଳାଶଙ୍କର’ ସିନେମାରେ ରାତାରାତି ନାୟକ ସାଜନ୍ତି । ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେ ଜଗତରେ ସେ ସୃଷ୍ଟି କରିଛନ୍ତି ନିଜର ଏକ ନିଆରା ପରିଚୟ । କେବଳ ନାୟକ ଭାବରେ ନୁହେଁ ସେ ରୂପେଲି ପରଦାରେ ସାଜିଛନ୍ତି ଜଣେ ସ୍ନେହ କାଙ୍ଗାଳ ଭାଇ ପୁଣି କେତେବେଳେ ଡେୟାରିଂ ଡାଡି, ପୁଣି କେତେବେଳେ ରସିକିଆ ମାଷ୍ଟର, ପୁଣି କେତେବେଳେ ଅଣ୍ଡରୱାର୍ଲଡର ଡନ । ସେ ସବୁ ଚରିତ୍ରରେ ହିଟ୍ ଆଉ ଫିଟ୍ ।

ତାଙ୍କ ଅଭିନୀତ ‘ଲକ୍ଷ୍ମୀ ପ୍ରତିମା’ (୧୯୯୮) ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଠିକ୍‌ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ (୨୦୦୨) ଓ ପ୍ରେମ ଅଢ଼େଇ ଅକ୍ଷର (୨୦୧୦) ପାଇଁ ସେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କରିଥିଲେ ।

ଓଲିଉଡ୍‌ର ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା । ତେବେ ‘ପୁଅ ମୋର ଭୋଳା ଶଙ୍କର’ରେ ତାଙ୍କ ଅଭିନୟ ତାଙ୍କୁ ରାତିରାତି ଷ୍ଟାର ସଜାଇ ଦେଇଥିଲା । ନିଜର ନିଆରା ଅଭିନୟ ଜରିଆରେ ସେ ତିନି ଦଶନ୍ଧି ଧରି ଓଲିଉଡ୍‌ରେ ରାଜ୍‌ କରିଛନ୍ତି ।

୬୩ ବର୍ଷ ବୟସରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆଜି ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Report an Error