ଓଡ଼ିଆ ପରମ୍ପରାରେ ପ୍ରଥମାଷ୍ଟମୀ

ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି - ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟା ନମଃ । ସେହି କ୍ରମରେ ଓଡ଼ିଆ ଘରେ ପ୍ରଥମ ସନ୍ତାନକୁ ପୂଜା କରାଯାଏ । ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ ରୂପେ ପାଳନ କରାଯାଏ ।


ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ ହେଉଛି ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ । ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି - ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ସେହି କ୍ରମରେ ଓଡ଼ିଆ ଘରେ ପ୍ରଥମ ସନ୍ତାନକୁ ବିଶେଷ ପ୍ରାଧାନ୍ୟ ଦିଆଯିବା ସହ ତାଙ୍କର ପୂଜା ମଧ୍ୟ କରାଯାଏ । ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ ରୂପେ ପାଳନ କରାଯାଏ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟା ନବବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପୋଢୁଆଁ ହେବା’ କହିଥାନ୍ତି I

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପାେଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଏହିପର୍ବରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ରହିଥାଏ । ଜ୍ୟେଷ୍ଠ ସନ୍ତାନ ଉପରେ ଘରର ସମସ୍ତ ଦାୟିତ୍ୱ ରହିଥାଏ । ଜ୍ୟେଷ୍ଠ ପୁତ୍ର ପରିବାରରେ ପିତା ସମାନ । ଜ୍ୟେଷ୍ଠଙ୍କ କର୍ତ୍ତବ୍ୟକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଦିନ ଘରର ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ରହିଛି ।

ଏହି ପର୍ବର ଆଉ ଏକ ଆକର୍ଷଣ ହେଉଛି ଏଣ୍ଡୁରି ପିଠା । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ହଳଦୀପତ୍ର ପିଠା କରାଯାଏ । ସାଧାରତଃ ହଳଦୀ ଆମ ଶରୀର ପାଇଁ ବେଶ୍ ଉପଯୋଗୀ । ଏହି ପତ୍ରରେ ପ୍ରସ୍ତୁତ ପିଠା ସୁଆଦିଆ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏହି ଦିନ ଘରେ ଘରେ ଏଣ୍ଡୁରି ପିଠା, ଘାଣ୍ଟ ତରକାରୀ, ଖିରି ଓ ବହୁ ପ୍ରକାରର ପିଠା ମିଠା ହୋଇଥାଏ ।

ଆମ ଓଡ଼ିଆ ପରମ୍ପରାର ସବୁ ପୂଜା, ପର୍ବଗୁଡିକ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ । ଏହି ପ୍ରଥମାଷ୍ଟମୀ ଦିନ ପ୍ରଭୁ ବଳଭଦ୍ର ମଧ୍ୟ ପୋଢୁଆଁ ହୋଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଏହି ଅବସରରେ ଅର୍ଥାତ ପ୍ରଥମାଷ୍ଟମୀ ପୂର୍ବ ଦିନ ପୋଢ଼ୁଆଁ ଭାର ଆସିଥାଏ । କିମ୍ବଦନ୍ତୀ ଅନୁସାରେ ନିଆଳିର ମାଧବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁଁ ଘର । ନିଆଳି ମନ୍ଦିର ପକ୍ଷରୁ ବଳଭଦ୍ରଙ୍କ ପାଇଁ ୭ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା, ଫଳମୂଳ ଭାର ଶଗଡ଼ରେ ଆସିଥାଏ । ଠିକ୍ ସେହିପରି ମହାପ୍ରଭୁ ଲିଙ୍ଗରାଜ ମଧ୍ୟ ପୋଢୁଆଁ ହୋଇଥାନ୍ତି । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁ ଘର ରୂପେ ପରିଚିତ କପାଳିମଠକୁ ପୋଢୁଆଁ ହେବା ପାଇଁ ଯାଆନ୍ତି । ଏହାକୁ ଲିଙ୍ଗରାଜ ମହାପ୍ରଭୁଙ୍କ ମାମୁଁ ଘର ଯାତ୍ରା ବୋଲି କୁହାଯାଏ ।

ପ୍ରଥମାଷ୍ଟମୀ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ - ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ବହୁପୂର୍ବରୁ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା ବୋଲି କିମ୍ୱଦନ୍ତୀ ରହିଛି । ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ପୂର୍ବରୁ ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜା ହେଉଥିଲା, କିନ୍ତୁ ଏବେ ଏହି ପୂଜା ଲୁପ୍ତ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି । କୁହାଯାଏ ଏହି ଦିନ କପାଳିମଠ ପରିସରରେ ଥିବା ପାପନାଶିନୀ ପୁଷ୍କରଣୀର ଜଳ ପାନ କଲେ ପାପକ୍ଷୟ ହେବା ସହ ବନ୍ଧ୍ୟାନାରୀ ସନ୍ତାନବତୀ ହୋଇଥାନ୍ତି ।