ଓଡ଼ିଆ ସଂସ୍କୃତିରେ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ସବୁ ଜିଲ୍ଲାରେ କିଛି ଲୋକପ୍ରିୟ ଖାଦ୍ୟ ମିଳିଥାଏ । ସେଇ ଅଞ୍ଚଳଗୁଡିକ ସେଇ ଖାଦ୍ୟ ପାଇଁ ବେଶ ପ୍ରସିଦ୍ଧ ହୋଇଥାନ୍ତି । ଯେମିତିକି ଦହିବରା ଆଳୁଦମ କହିଲେ ସଂଗେସଂଗେ ଆମ ମନକୁ କଟକ କଥା ଆସେ । ସେହିପରି ଓଡ଼ିଶାର ପଶ୍ଚିମାଞ୍ଚଳ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପାଇଁ ବେଶ ପ୍ରସିଦ୍ଧ । ସମ୍ବଲପୁରର ସରସତିଆ ହେଉ କି ବଲାଙ୍ଗୀରର ଚାଉଳ ବରା କିମ୍ବା ବୌଦ୍ଧର ଲେଥା ସବୁଥିରେ ରହିଥାଏ ଭିନ୍ନ ଏକ ସ୍ୱାଦ ଆଉ ବାସ୍ନା । କଳା, ସଂସ୍କୃତିକୁ ନେଇ ପଶ୍ଚିମ ଓଡିଶା ଯେତିକି ଚର୍ଚ୍ଚିତ, ସେମିତି ମଧ୍ୟ ଖାଦ୍ୟକୁ ନେଇ । ଆସନ୍ତୁ ପଶ୍ଚିମ ଓଡ଼ିଶାର କିଛି ଲୋକପ୍ରିୟ ଖାଦ୍ୟ ସମ୍ପର୍କରେ ଜାଣିବା ।

ଚାଉଳ ବରା: ବଲାଙ୍ଗୀରର ଚାଉଳ ବରା କେବଳ ରାଜ୍ୟରେ ନୁହେଁ ଦେଶରେ ମଧ୍ୟ ବେଶ ଜଣାଶୁଣା । ବତୁରା ଉଷୁନା କିମ୍ବା ଅରୁଆ ଚାଉଳ ସହ ଅଳ୍ପ ଟିକେ ବିରିକୁ ବାଟି ସେଥିରେ ଜୁଆଣି, ଖାଇବା ସୋଡା, କଟା ଲଙ୍କା, ଅଦା, କଟା ଭୃସଙ୍ଗ ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଛୋଟ ଛୋଟ ଗୋଲ ଗୋଲ କରି ତେଲରେ ଛଣାଯାଏ । ତେନ୍ତୁଳି ଚଟଣୀ ସହିତ ଏହି ବରା ପରସା ଯାଏ । ଏହି ସୁସ୍ୱାଦୁ ବ୍ୟଞ୍ଜନଟି ବରଗଡ଼ର ବରପାଲି ଅଂଚଳରୁ ଆସିଥିବାବେଳେ ଏବେ ରାଜଧାନୀର ରାସ୍ତା କଡ଼ରେ ସହଜରେ ଉପଲବ୍ଧ ହେଉଛି ।

ସରସତିଆ: ସମ୍ବଲପୁରର ସରସତିଆ ଏକ ନିଆରା ମିଷ୍ଟାନ୍ନ । ଏହା ଦେଖିବାକୁ ରୋଜ କୁକିଜ ପରି । ଏହା ଏକ କ୍ରିସ୍ପି ମିଠାଜାତୀୟ ଖାଦ୍ୟ । ଏହା ଦେଖିବାକୁ ଯେତିକି ସୁନ୍ଦର, ତାଠାରୁ ଅଧିକ ସୁଆଦିଆ ହେଉଛି ଏହାର ସ୍ୱାଦ । ସମ୍ବଲପୁରର ଏହି ସୁସ୍ୱାଦୁ ବ୍ୟଞ୍ଜନଟି ଏକପ୍ରକାର ଗଛର ଅଠାରେ ପ୍ରସ୍ତୁତ ହୁଏ । ଗଞ୍ଜେର ଗଛର କାଠିକୁ ରାତିସାରା ପାଣିରେ ବତୁରାଇ ସେଥିରୁ ଅଠା ସଂଗ୍ରହ କରି ଏଥିରେ ଚାଉଳ ଚୂନା ଓ ଅଳ୍ପ ଚିନି ଦେଇ ପ୍ରସ୍ତୁତ କରାଯାଏ । ତେବେ ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ହୋଇଥିବା କୁହଯାଏ । ଏହାକୁ ତିଆରି କରିବା ସହଜ ଲାଗୁଥିଲେ ମଧ୍ୟ ତିଆରି କରିବାର ରହିଛି ସ୍ବତନ୍ତ୍ର କଳା । ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ । ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ଏହାର ଭାଷା, ସଂସ୍କୃତି ଏହାକୁ ଦେଇଛି ଭିନ୍ନ ଏକ ପରିଚୟ । ତେବେ ଏସମସ୍ତ ଜିନିଷ ସହ ସମ୍ବଲପୁରକୁ ସ୍ବତନ୍ତ୍ର ପରିଚୟ ଦେଇଛି ମିଠା ସରସତିଆ ।

କରଡ଼ି: ବାଉଁଶର ଗଜାକୁ କରଡ଼ି କୁହାଯାଏ । ପଶ୍ଚିମ ଓଡିଶାରେ କରଡ଼ିରେ ବହୁତ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ସାଧାରଣତଃ ବର୍ଷା ଋତୁରେ ବାଉଁଶ ଗଛର ଛୋଟ ଛୋଟ ଗଜା ବାହାରିଥାଏ । ଏହାକୁ ପୂରା କଅଁଳ ଅବସ୍ଥାରେ କାଟିବାକୁ ପଡେ। ଏହାକୁ ନେଇ ସାଧାରଣରେ ଭଜା କିମ୍ବା ଆମ୍ବିଳ ପରି ଖଟା ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ । କରଡ଼ି ଆଚାର ମଧ୍ୟ ବେଶ ସ୍ୱାଦିଷ୍ଟ । କଖାରୁ ପତ୍ର ସହିତ କରଡ଼ିକୁ ମିଶାଇ ଏହାକୁ ଭାଜିପାରିବେ । ଏହା ସୁସ୍ୱାଦୁ ହେବା ସହିତ ପୌଷ୍ଟିକ ମଧ୍ୟ । ଏହାକୁ କରଡ଼ି ଶାଗ ବୋଲି କୁହାଯାଏ । ବର୍ଷା ଋତୁରେ କରଡ଼ିକୁ ସଂଗ୍ରହ କରାଯାଇ ଅନ୍ୟଦିନଗୁଡ଼ିକ ପାଇଁ ସଂଗ୍ରହ କରି ରଖାଯାଏ । କରଡ଼ି ଖାଇବା ଥାଳିର ଶୋଭାବର୍ଦ୍ଧନ କରେ ।

ହେଂଡୁଆ: ହେଂଡୁଆ ମଧ୍ୟ ଏକ ପ୍ରକାରର ବାଉଁଶ କରଡ଼ି । ହେଂଡୁଆ ହେଉଛି କରଡ଼ିର ଶୁଖିଲା ସଂସ୍କରଣ । ବାଉଁଶ କରଡ଼ିକୁ ଛୋଟ ଛୋଟ କରି କାଟି କିମ୍ବା ତାକୁ ଗୁଣ୍ଡ କରି ପାଣିରେ କିଛିଦିନ ବତୁରାଈ ତାକୁ ଶୁଖାଇ ହେଂଡୁଆ ପ୍ରସ୍ତୁତ କରାଯାଏ । ଏହା ପାତାଲଘାଣ୍ଟ ଚଟଣୀରେ ମୁଖ୍ୟ ସାମଗ୍ରୀ ଭାବେ ବ୍ୟବହୃତ ହୁଏ । ଏହାର ସ୍ୱାଦ ଟିକେ ଖଟାଳିଆ । ସେଥିପାଇଁ ଆମ୍ବିଳ ପ୍ରସ୍ତୁତିରେ ମଧ୍ୟ ଏହା ଉପଯୋଗ ବେଶୀ ହୋଇଥାଏ । ସମସ୍ତେ ଏହାକୁ ଖାଇ ପାରିବେ ନାହିଁ କାରଣ ହେଣ୍ଡୁଆର ଏକ ତୀବ୍ର ଗନ୍ଧ ରହିଥାଏ, ଏବଂ ଏହା ଟିକେ କଡ଼ା । ଏହା ମୁଖ୍ୟତ ବ୍ୟଞ୍ଜନର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ । ସାଧାରଣତଃ ଏହା ଗରିବ ଲୋକର ଖାଦ୍ୟ ଭାବରେ ଜଣାଶୁଣା । ପୋଡ଼ା ଟମାଟୋ କିମ୍ବା ଛୋଟ ମାଛ (ଜୁରି) ସହିତ ଏହାକୁ ମିଶାଇଲେ ଏହା ଏକ ସୁସ୍ୱାଦୁ ବ୍ୟଞ୍ଜନ ହୋଇଯାଏ । ହେଂଡୁଆର ଔଷଧୀୟ ଗୁଣ ମଧ୍ୟ ରହିଛି ।

ରସବରା: ପଶ୍ଚିମ ଓଡିଶାର ଅନ୍ୟତମ ମିଠାଜାତୀୟ ଖାଦ୍ୟ ମଧ୍ୟରେ ଏହା ହେଉଛି ଅନ୍ୟତମ । ଏଥିପାଇଁ ଚୋପାଛଡ଼ା କଞ୍ଚାମୁଗ, ବିରିଡ଼ାଲି, ୫ଟି ଅଳେଇଚର ଗୁଣ୍ଡ, ଚିନି ଏବଂ ଛାଣିବା ପାଇଁ ତେଲ ଆବଶ୍ୟକ । ପ୍ରଥମେ ବିରି ଓ ମୁଗକୁ ବତୁରାଇ ଦିଅନ୍ତୁ । ଏହାପରେ ଏହାକୁ ଚିକ୍କଣ କରି ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏହାକୁ ଛାଣି ଦିଅନ୍ତୁ । ବରାଗୁଡିକ ସାମାନ୍ୟ ବାଦାମୀ ରଙ୍ଗର ହୋଇଗଲେ ଏହାକୁ କାଢିଆଣନ୍ତୁ । ଅନ୍ୟ ଏକ ପାତ୍ରରେ ଚିନି ଶିରା ପ୍ରସ୍ତୁତ କରି ରଖନ୍ତୁ । ଏଥିରେ ଅଳେଇଚ ଗୁଣ୍ଡ ପକାନ୍ତୁ । ଏହା ପରେ ଛଣା ହୋଇଥିବା ବରାକୁ ସେଇଥିରେ ପକାଇଦିଅନ୍ତୁ । ବରା ଶିରାରେ ଭିଜିଗଲେ ଏବେ ଏହାକୁ କାଢି ଆଣନ୍ତୁ ।

ଟୋଲ ଭଜା: ଏହା ହେଉଛି ମହୁଲ ଗଛର ଫଳ । ଏଥିରୁ ତେଲ ମଧ୍ୟ ପ୍ରସ୍ତୁତ ହୁଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏହା ଉଭୟ ତ୍ୱଚା ଓ କେଶ ପାଇଁ ବେଶ୍ ଉତ୍ତମ । ତେବେ ଏହି ଫଳରେ ଆପଣ ବେସର, ଭଜା, ତରକାରୀ ଆଦି କରିପାରିବେ । ତେବେ ଟୋଲ ଭଜାଟି ବେଶୀ ସୁଆଦିଆ । ଏଥିପାଇଁ ଆପଣ ଟୋଲକୁ ଧୋଇକରି ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଅରୁଆ ଚାଉଳ, ଲଙ୍କା ଓ ରସୁଣ ଦେଇ ଏକ ବହଳିଆ ଘୋଳ ତିଆରି କର । ଟୋଲକୁ ଦରଦର ଖଣ୍ଡ କରି ଟିକେ ବାଟି ନିଅନ୍ତୁ । ଆପଣ ଚାହିଁଲେ ଏହାକୁ ଛେଚି ମଧ୍ୟ ପାରିବେ । ଏଇ ଟୋଲ ଉପରେ ପ୍ରସ୍ତୁତ କରିଥିବା ଚାଉଳ ଘୋଳ, ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ଦେଇ ମିଶାଇ ଦିଅନ୍ତୁ । ଏହାପରେ ଏକ ତାୱାରେ ତେଲ ଗରମ କରି ଏଇ ଟୋଲ ମିଶ୍ରଣକୁ ହାତରେ ଚାପି ଭାଜନ୍ତୁ ।

ଝୁରି ପୁର୍ଗା: ପଶ୍ଚିମ ଓଡିଶାର ଏହା ଏକ ଲୋକପ୍ରିୟ ନିରାମିଷ ଖାଦ୍ୟ । ଝୁରି ପୁର୍ଗା କହିଲେ ଛୋଟ ମାଛ ପତ୍ରପୋଡାକୁ ବୁଝାଯାଇଥାଏ । ଏଥିପାଇଁ ଛୋଟ ଛୋଟ ମାଛକୁ ଭଲରେ ସଫା କରି ନିଅନ୍ତୁ । ଶୁଖିଲା ଲଙ୍କା, ସୋରିଷ ଓ ରସୁଣ ଦେଇ ପ୍ରସ୍ତୁତ କରିଥିବା ବାଟଣକୁ ଏଥିରେ ଦିଅନ୍ତୁ ଏହା ପରେ ଏଥିରେ ଟମାଟୋ, କଞ୍ଚାଲଙ୍କା, ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଆଉ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଏକ କଦଳୀ ପତ୍ର ବା ଶାଳପତ୍ରରେ ଟିକେ ତେଲ ଦେଇ ଘଷି ଦିଅନ୍ତୁ । ଏହା ଉପରେ ମସଲାଗୋଳା ମାଛକୁ ରଖନ୍ତୁ । ପତ୍ରକୁ ସୁତା ସାହାଯ୍ୟରେ ଭଲ ରୂପେ ବାନ୍ଧି ଦିଅନ୍ତୁ । ଏହାପରେ ଗ୍ୟାସରେ ଏକ କଡେଇରେ ସୋରିଷ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହେଲା ପରେ ଏହି ମାଛ ପୋଟଳୀକୁ ସେଥିରେ ରଖି ନିମ୍ନରୁ ମଧ୍ୟମ ଆଞ୍ଚ ମଧ୍ୟରେ ଏହାକୁ ସିଝାନ୍ତୁ । ଗୋଟିଏ ପଟ ହୋଇଗଲେ ଆଉ ଗୋଟ ପଟକୁ ଓଲଟାଇ ଦିଅନ୍ତୁ । ପତ୍ରଟି ପୂରାପୂରି ପୋଡି ହାେଇଗଲେ ଏହାକୁ ଥଣ୍ଡା କରନ୍ତୁ । ତା ପରେ ପତ୍ରକୁ କାଟି ଝୁରି ପୁର୍ଗାକୁ କାଢନ୍ତୁ ।

ପାତାଲଘଣ୍ଟା ଚଟଣୀ: ପାତାଲଘଣ୍ଟା କହିଲେ ଟମାଟୋକୁ ବୁଝାଇଥାଏ । କେବଳ ପଶ୍ଚିମ ଓଡିଶା ନୁହେଁ ଓଡ଼ିଶାର ସବୁ କୋଣରେ ଏହି ଖାଦ୍ୟର ପ୍ରଚଳନ ଦେଖାଯାଏ । ଏହାକୁ ପ୍ରସ୍ତୁତ କରିବା ବି ବହୁତ ସହଜ । ପ୍ରଥମେ ଟାମୋଟାକୁ ପୋଡି ଦିଅନ୍ତୁ ଏହା ଉପରେ ରସୁଣ, ସୋରିଷ ତେଲ, କଞ୍ଚା ଲଙ୍କା, ଲୁଣ ଦେଇ ଚକଟି ଦିଅନ୍ତୁ । ରୁଟି ହେଉ କି ଭାତ ସବୁଥିରେ ଏହି ଖାଦ୍ୟଟି ବେଶ୍ ନିଆରା ।