ଫଟୋ: ୟୁଟ୍ୟୁବ୍

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ତଥା ବିଭିନ୍ନ କର୍ମକାଣ୍ଡରେ ପଞ୍ଚାମୃତ ଅତ୍ୟନ୍ତ ଜରୁରୀ । ଭଗବାନଙ୍କୁ ଚଢ଼ାଯାଉଥିବା ନୈବେଦ୍ୟ ହେଉ ଅଥବା ପୂଜାରେ, ପଞ୍ଚାମୃତ ମୁଖ୍ୟ । ପାଞ୍ଚଟି ଅମୃତରୁ ଯାହା ପ୍ରସ୍ତୁତ ତାହା ପଞ୍ଚାମୃତ । ପାଞ୍ଚଟି ଜିନିଷର ସମାହାରରେ ପ୍ରସ୍ତୁତ ଅମୃତ ସମ ଦ୍ରବ୍ୟଟିଏ ହେଉଛି ପଞ୍ଚାମୃତ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଶାସ୍ତ୍ର ମାନ୍ୟତା ଅନୁଯାୟୀ, ପଞ୍ଚାମୃତକୁ ଶ୍ରଦ୍ଧାପୂର୍ବକ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖଶାନ୍ତି ପ୍ରାପ୍ତି ହୋଇଥାଏ । ଏହା ବାଦ ପଞ୍ଚାମୃତ ଉତ୍ତମ ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ ।

ପଞ୍ଚାମୃତରେ ଉପଯୋଗ ହେଉଥିବା ପାଞ୍ଚଟି ଉପାଦାନର ପ୍ରତୀକାତ୍ମକ ଅର୍ଥ ରହିଛି, ଆସନ୍ତୁ ଜାଣିବା ସେଗୁଡିକ କଣ - ଏଥିରେ ବ୍ୟବହୃତ ହେଉଥିବା ଗୋଦୁଗ୍ଧ ବା ଦେଶୀ କ୍ଷୀର ହେଉଛି ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ, ଦଧି ବା ଦହି ସମୃଦ୍ଧିର ପ୍ରତୀକ । ସେହିପରି ମହୁମାଛିଙ୍କ ଦ୍ୱାରା ପୂର୍ଣ୍ଣ ସମର୍ପଣ ଓ ସହଯୋଗରେ ପ୍ରସ୍ତୁତ ମଧୁ ବା ମହୁ ମିଷ୍ଟ ବଚନ ଓ ଏକତାର ପ୍ରତୀକ । ଏଥିରେ ବ୍ୟବହୃତ ହେଉଥିବା ଘୃତ ବା ଘିଅ ହେଉଛି ବିଜୟ ଓ ଶକ୍ତିର ପ୍ରତୀକ । ସେହିପରି ଗୁଡ଼ ହେଉଛି ଆନନ୍ଦର ପ୍ରତୀକ । କେବଳ ପ୍ରତୀକାତ୍ମକ ରୂପେ ପଞ୍ଚାମୃତ ଆମ ଜୀବନରେ ଧାର୍ମିକ ମହତ୍ତ୍ୱ ରଖେ ନାହିଁ, ଏହା ଆମ ଶରୀର ପାଇଁ ମଧ୍ୟ ବେଶ ଲାଭଦାୟକ ।

ପଞ୍ଚାମୃତରେ ମିଶ୍ରିତ ପାଞ୍ଚଟି ଉପାଦାନଗୁଡ଼ିକରୁ ରୋଗ ନିବାରଣ ଗୁଣ ମିଳିଥାଏ ଯାହା ଆମ ଶରୀରକୁ ପୁଷ୍ଟ ଓ ସୁସ୍ଥ ରଖେ ।

ପଞ୍ଚାମୃତରେ ରହିଥିବା ପ୍ରଥମ ଉପାଦାନ ହେଉଛି କ୍ଷୀର । ଏହା ଶରୀର ଓ ମନକୁ ଥଣ୍ଡା ରଖିବା ସହିତ ଶରୀରର ଚମକ ବଢ଼ାଇଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମାନସିକ ଓ ଭାନାତ୍ମକ କଲ୍ୟାଣ ପାଇଁ ଏହା ଉତ୍ତମ ଅଟେ । ସେହିପରି ଏଥିରେ ରହିଥିବା ଦହି ଆମର ପାଚନ ଶକ୍ତିକୁ ସୁସ୍ଥ ରଖିବା ସହ ବାତଦୋଷକୁ ମଧ୍ୟ ସନ୍ତୁଳିତ ରଖିଥାଏ । ମହୁ ରଙ୍ଗ ସଫା ରଖିବା ସହ ଚର୍ମକୁ ଚିକ୍କଣ କରିବାରେ ସାହାର୍ଯ୍ୟ କରିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ ଇ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ ।

ପଞ୍ଚାମୃତରେ କ୍ୟାଲସିୟମ ଭରପୂର ଥାଏ । ଏହା ଆମ ଅସ୍ଥିକୁ ମଜବୁତ ରଖେ । ସେହିପରି ଏହା ଶୀତଳ, ପୌଷ୍ଟିକ, ଉତ୍ତମ ପାଚକ ସହ ପିତ୍ତନାଶକ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ କ୍ରୋଧକୁ ନିୟନ୍ତ୍ରଣକୁ ଆଣିଥାଏ । ପଞ୍ଚାମୃତର ସେବନ କରିବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିଥାଏ ।

ପ୍ରସ୍ତୁତି ବିଧି

ପଞ୍ଚାମୃତକୁ ପ୍ରସ୍ତୁତି କରିବା ବେଶ୍ ସହଜ । ଏଥିପାଇଁ ଦରକାରୀ ଜିନିଷ ଦହି, ଦୁଧ, ଘିଅ, ମହୁ ଓ ଗୁଡ଼କୁ ଉଚିତ ପରିମାଣରେ ବ୍ୟବହାର କରିବା ଉଚିତ । ଯଦି ଆପଣ ୧୦ ଜଣଙ୍କ ପାଇଁ ପଞ୍ଚାମୃତ କରୁଛନ୍ତି ତେବେ ଏଥିପାଇଁ ଅଧ କପ ଗାଈ କ୍ଷୀର, ଅଧ କପ ଦହି, ଅଧ ଚାମଚ ଗାଈ ଘିଅ, ଅଧ ଚାମଚ ବିଶୁଦ୍ଧ ମହୁ ଏବଂ ଆଖୁରୁ ତିଆରି ଅଧ ଚାମଚ ଗୁଡ଼ ଆବଶ୍ୟକ ।

ପ୍ରଥମେ ଏକ ସଫା ଗିନା ନିଅନ୍ତୁ । ରୂପାର ପାତ୍ର ନେଲେ ଆହୁରି ଭଲ । ସେଥିରେ କ୍ଷୀର ଓ ଦହିକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ । କ୍ଷୀର ଓ ଦହି ଭଲ ଭାବେ ଫେଣ୍ଟିହୋଇ ମିଶିଯିବା ପରେ ସେଥିରେ ଘିଅ ଓ ମହୁ ମିଶାଇ ଘାଣ୍ଟନ୍ତୁ । ଏହାପରେ ଗୁଡ଼ ପକାନ୍ତୁ ଏବଂ ଗୁଡ଼ ସମ୍ପୂର୍ଣ୍ଣ ମିଳେଇଯିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହା ଉପରେ ଆପଣ ତୁଳସୀ ଦେଇ ଏହାକୁ ଠାକୁରଙ୍କୁ ଅର୍ପଣ କରି ନିଜେ ଗ୍ରହଣ କରନ୍ତୁ । ଏହାକୁ ଅଧିକ ସେବନ କରିବା ଅନୁଚିତ । ସେହିପରି ପଞ୍ଚାମୃତକୁ ଅଧିକ ପରିମାଣରେ ତିଆରି କରି ଫ୍ରିଜ଼ରେ ରଖନ୍ତୁ ନାହିଁ । କେହି କେହି ପଞ୍ଚାମୃତର ସ୍ୱାଦ ବଢ଼ାଇବା ପାଇଁ ଏଥିରେ କୋରା ଯାଇଥିବା ଶୁଖିଲା ନଡ଼ିଆ, ଅଙ୍ଗୁର ଆଦି ଫଳ ପକାନ୍ତି, କିନ୍ତୁ ଏହାର ନିଆରା ପଣ ଓ ବିଶୁଦ୍ଧତା ବଜାୟ ରଖିବା ପାଇଁ ଶାସ୍ତ୍ର ସମ୍ମତ ପାଞ୍ଚଟି ଉପାଦାନ ବ୍ୟତୀତ ଅନ୍ୟ ଦ୍ରବ୍ୟ ଏଥିରେ କିଛି ନମିଶାଇବା ଭଲ ।