ପାଟିକୁ ସ୍ୱଚ୍ଛ ରଖିବାର ମୂଳ ଲକ୍ଷ୍ୟ ହେଉଛି ସଂପୂର୍ଣ୍ଣ ମୁଖମଣ୍ଡଳକୁ ବିଭିନ୍ନ ପ୍ରକାରର ରୋଗ କବଳରୁ ମୁକ୍ତ ରଖିବା । ଯେପରିକି - ପାଟିରୁ ଦୁର୍ଗନ୍ଧ ବାହାରିବା ବା ଦନ୍ତକ୍ଷୟ ଆଦି ସମସ୍ୟାରୁ ମୁକ୍ତ ରଖିବା । ନିୟମିତ ରୂପେ ଦାନ୍ତ ଘଷିବା ଓ ଦାନ୍ତର ମଝିଅଂଶକୁ ସଫା କରିବା ମଧ୍ୟ ଜରୁରୀ, ଏହା ଦ୍ୱାରା ଆମେ ଦନ୍ତ ରୋଗରୁ ମୁକ୍ତି ପାଇପାରିବା । ମୁଖ ଗହ୍ୱର ହେଉଛି ଆମ ଶରୀରର ଦ୍ୱାର । ମୁଖ ଗହ୍ୱରର ସଠିକ୍ ଯତ୍ନ ନ ନେଲେ ଏହା ଅନେକ ଦନ୍ତରୋଗ ଏବଂ ମାଢ଼ି ରୋଗର କାରଣ ହୋଇଥାଏ । ଏହା ସହ ଅସ୍ଥିକ୍ଷୟ, ବିଭିନ୍ନ ପ୍ରକାରର ସଂକ୍ରମଣ ଏବଂ ହୃଦରୋଗ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ଖାଦ୍ୟ ଗ୍ରହଣ କରିବା ସମୟରେ ଖାଦ୍ୟରେ ଯେଉଁ ଅମ୍ଳୀୟ ଏବଂ ଶର୍କରା ଉପାଦାନ ଅନ୍ତର୍ଭୁକ୍ତ ରହିଥାଏ, ତାହା ଜୀବାଣୁ ବୃଦ୍ଧିରେ ସାହାଯ୍ୟ କରେ । ଏହା ଏସିଡ୍ ଗଠନ କରେ ଏବଂ ଆଭ୍ୟନ୍ତରୀଣ ଗଠନକୁ କ୍ଷତି ପହଞ୍ଚାଏ । ଏହି ଏସିଡ୍ ଆକ୍ରମଣ ଯୋଗୁଁ କ୍ୟାଭିଟି (ଦାନ୍ତରେ ପୋକ ଲାଗିବା), ମାଢିରୁ ରକ୍ତସ୍ରାବ ହେବା ଏବଂ ଶେଷରେ ପିରିୟଡୋଣ୍ଟାଲ୍ ରୋଗ ଆଦି ହୋଇଥାଏ । ଏହି ଦନ୍ତ ସମସ୍ୟା ପ୍ରଥମେ ପାଟିରେ ସଂକ୍ରମଣ ସୃଷ୍ଟି କରିଥାଏ, ମାତ୍ର ପରେ ଏହା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ତେଣୁ, ମୁଖର ଯତ୍ନ ନେବା ଏକାନ୍ତ ଆବଶ୍ୟକ । ମୁଖ ଗହ୍ୱରର ଉପଯୁକ୍ତ ସ୍ୱଚ୍ଛତା ତଥା ନିୟମିତ ପରୀକ୍ଷା ଦ୍ୱାରା ଏସବୁ ରୋଗର ଆଶଙ୍କାକୁ ପ୍ରତିହତ କରାଯାଇପାରେ ଏବଂ ମୁଖ ଗହ୍ୱରର ସୁସ୍ଥତା ବଜାୟ ରଖିହୁଏ । ତେଣୁ ନିଜ ଦାନ୍ତ, ମାଢ଼ି ଓ ପାଟିର ସଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ; ଯାହାଫଳରେ ପାଟି ଦୁର୍ଗନ୍ଧ, ଦାନ୍ତରେ ପୋକ ଲାଗିବା, ଦାନ୍ତ ସଢ଼ିବା, ବିଭିନ୍ନ ପ୍ରକାର ମାଢ଼ି ରୋଗ ଦୂର ହୋଇଥାଏ ।

କାହିଁକି ତୁମେ ତୁମର ମୁଖର ଯତ୍ନ ନେବା ଉଚିତ୍ ?

  1. ଏହା ସମଗ୍ର ଶରୀର ଉପରେ ପ୍ରଭାବ ପକାଏ: ଯଦି ପାଟିର ଉତ୍ତମ ଯତ୍ନ ନିଆଯିବ ନାହିଁ, ତେବେ ଏହା ସମଗ୍ର ଶରୀର ଉପରେ ପ୍ରଭାବ ପକେଇବ । ମୁଖରେ ଅନେକ ଜୀବାଣୁ ରହିଥାନ୍ତି, ଯାହା ଦ୍ୱାରା ମାଢିରେ ଦରଜ ହେବା ସହ ପିରିୟଡୋଣ୍ଟାଇଟିସ୍ ହୋଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ ପିରିୟଡୋଣ୍ଟାଲ୍ ରୋଗ ସୃଷ୍ଟି କରୁଥିବା ଜୀବାଣୁ କେବଳ ପାଟିରେ ସୀମିତ ନ ରହି ରକ୍ତ ପ୍ରବାହ ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗ ପ୍ରଣାଳୀକୁ ବ୍ୟାପିଥାଏ । ପିରିୟଡୋଣ୍ଟାଇଟିସ୍ ହୃଦ୍‌ରୋଗ, ଶ୍ୱାସକ୍ରିୟା ଆଦି ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ । ଯେପରିକି ଷ୍ଟ୍ରୋକ ଓ ନିମୋନିଆ ଆଦି ରୋଗ ହେବାର ସୂଚନା ରହିଛି । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ ଏପରିକି ଏହା ଯୋଗୁଁ କମ ଓଜନର ଶିଶୁ ଜନ୍ମ ହେଉଥିବାର ଦେଖାଯାଏ ।

  2. ମାଢି ଓ ଏହାର ଆଖପାଖ ହାଡର କ୍ଷତି: ଦାନ୍ତରୁ ରକ୍ତସ୍ରାବ ହେବା, ଦାନ୍ତ ହଲିବା ଓ ମୁଖରୁ ଦୁର୍ଗନ୍ଧ ବାହାରିବା ମୁଖ ସମସ୍ୟାର ସଂକେତ ହୋଇଥାଏ । ଏହି ସମସ୍ତ ସମସ୍ୟା ଶେଷରେ ଦନ୍ତକ୍ଷୟ କରିବା ସହ ଦାନ୍ତର ମୁଳୋତ୍ପାଟନ କରିଥାଏ । ମାଢି ଚିକିତ୍ସାରେ ଅବହେଳା କଲେ ଏହା ପିରିୟଡୋଣ୍ଟାଲ୍ ଭଳି ଗୁରୁତର ରୋଗ ସୃଷ୍ଟି କରେ ତଥା ଦାନ୍ତ ଭାଙ୍ଗିଯାଏ । ତେଣୁ ପାଟିର ସ୍ୱଚ୍ଛତାକୁ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ।

  3. ବିଳମ୍ବିତ ଚିକିତ୍ସା ଆର୍ଥିକ ସମସ୍ୟା ସୃଷ୍ଟି କରେ: ନିୟମିତ ରୂପେ ଦାନ୍ତର ଯାଞ୍ଚ କରିବା ଏବଂ ଦନ୍ତ ଚିକିତ୍ସକଙ୍କୁ ଦେଖା କରିବା ଜରୁରୀ ଅଟେ । ଗୋଟିଏ ପୋକ ଖାଇଥିବା ଦାନ୍ତର ଭରଣା କରିବା ପାଇଁ ଏତେ ଆର୍ଥିକ ବୋଝ ପଡ଼ିନଥାଏ । ଯଦି ଆପଣ ପ୍ରଥମରୁ ଦାନ୍ତ ସମସ୍ୟାକୁ ନେଇ ଅବହେଳା କରନ୍ତି ତେବେ ଏହା ଆପଣଙ୍କ ଆର୍ଥିକ ସମସ୍ୟାକୁ ଆହୁରି ବଢ଼ାଇଥାଏ । ଆପଣଂକର ଛୋଟ ଅବହେଳା ଆପଣଂକର ଦାନ୍ତର ରୁଟ କେନାଲ ଚିକିତ୍ସାରେ ପହଞ୍ଚାଇପାରେ, ଯାହା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ଯଦି ଆପଣ ପଇସା ଖର୍ଚ୍ଚରୁ ବଂଚିବା ପାଇଁ ଦାନ୍ତ ଯୋଗୁ ସୃଷ୍ଟି ହେଉଥିବା ଛୋଟ ଛୋଟ ସମସ୍ୟାକୁ ହେୟଜ୍ଞାନ କରନ୍ତି ତେବେ ଏହା ଆପଣଙ୍କ ଦାନ୍ତ ସମସ୍ୟାକୁ ବୃଦ୍ଧି କରିବା ସହ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ କରିପାରେ । ତେଣୁ, ଦାନ୍ତକୁ ନିୟମିତ ସଫା କରିବା ସହ ଦାନ୍ତ ରୋଗକୁ ଠିକ୍ ସମୟରେ ଚିକିତ୍ସା କରାଯିବା ଉଚିତ୍ ।

  4. ଦାନ୍ତ ନଷ୍ଟ ହେବାର କାରଣ: ବିଭିନ୍ନ କାରଣରୁ ଦାନ୍ତ ନଷ୍ଟ ହୋଇଥାଏ, ତେବେ ଯଦି ପିରିୟଡୋଣ୍ଟାଲ୍ ରୋଗର ଉପଚାର କରା ନ ଯାଏ ତେବେ ଏହା ହାଡକୁ ବ୍ୟାପିଥାଏ ଏବଂ ଆଖପାଖର ସଂରଚନାକୁ ଦୁର୍ବଳ କରିଥାଏ ଯାହା ଦାନ୍ତ ମୂଳକୁ ଦୃଢ ରଖିଥାଏ । ଏହି ଦୁର୍ବଳ ପିରିୟଡୋଣ୍ଟାଲ୍ ଗଠନ ଦ୍ୱାରା ଦାନ୍ତ ନଷ୍ଟ ହୋଇଯାଏ ଏବଂ ଏହା ଆପଣଙ୍କ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

  5. ଖାଦ୍ୟ ଅଭ୍ୟାସକୁ ପ୍ରଭାବିତ କରେ: ଖାଦ୍ୟକୁ ଉତ୍ତମ ରୂପେ ଚୋବାଇବାରେ ସାହାଯ୍ୟ କରେ ଦାନ୍ତ । ଆମେ ଦାନ୍ତ ସାହାଯ୍ୟରେ ନରମ ଏବଂ କଠିନ ଖାଦ୍ୟକୁ ଚୋବାଇ ଖାଇଥାଉ, ଯାହାଦ୍ୱାରା ଆମ ଶରୀରର ପୁଷ୍ଟିକର ଆବଶ୍ୟକତା ପୂରଣ ହୁଏ । ତଥାପି, ମୁଖଯତ୍ନର ଅବହେଳା ଆମ ଖାଇବା ପଦ୍ଧତି ଏବଂ ଖାଦ୍ୟର ପ୍ରକାରକୁ ବଦଳାଇଥାଏ । ଦନ୍ତକ୍ଷୟ ଏବଂ ଭଙ୍ଗା ଦାନ୍ତ ଯୋଗୁଁ ସୁସ୍ଥ ପୁଷ୍ଟିକର ଖାଦ୍ୟ ଖାଇବାରେ ସମସ୍ୟା ହେବା ସହିତ ଆମ ଶରୀରକୁ ମଧ୍ୟ ପର୍ଯ୍ୟାପ୍ତ ପୁଷ୍ଟିକର ଆବଶ୍ୟକତା ମିଳିବାରେ କଷ୍ଟ ହୋଇଥାଏ । ଖରାପ ଦାନ୍ତ ଯୋଗୁଁ ଆମ ଶରୀରରେ ଅନେକ ଜରୁରୀ ଖାଦ୍ୟ ଉପାଦାନର ଅଭାବ ପରିଲକ୍ଷିତ ହୋଇଥାଏ । କାରଣ ଦାନ୍ତ ବିନା ଆମର ପାଚନ ଠିକ ରୂପେ ହୋଇପାରେ ନାହିଁ ।

ଜାଣି ରଖନ୍ତୁ:

  1. ଦନ୍ତ ଚିକିତ୍ସକଙ୍କ ପାଖରେ ନିୟମିତ ମୁଖଗହ୍ୱର ପରୀକ୍ଷା କରାନ୍ତୁ । ଏହାଦ୍ୱାରା ପ୍ରାରମ୍ଭିକ ଅବସ୍ଥାରେ ଦାନ୍ତ ରୋଗର ଚିହ୍ନଟ ହେବା ସହ ପର୍ଯ୍ୟାପ୍ତ ଚିକିତ୍ସା ମିଳିବା ସହିତ ଏହା ରୋଗୀର ଆବଶ୍ୟକତା ଏବଂ ସମସ୍ୟା ସମାଧାନ ହେବାରେ ସାହାଯ୍ୟ କରିବ ।

  2. ଦାନ୍ତ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନ କରି ଦାନ୍ତ ସଫା କରିବାର ଉପଯୁକ୍ତ ବିଧି ଆପଣାନ୍ତୁ । ତେଣୁ ବ୍ରସ୍ କଲାବେଳେ ସଠିକ୍ ଭାବରେ ତଥା ଯତ୍ନବାନ ହୋଇ ଦାନ୍ତ ସଫା କରିବା ଆବଶ୍ୟକ ।

  3. ଖାଦ୍ୟ ଖାଇସାରିବା ପରେ ଭଲ ରୂପେ କୁଳି କରନ୍ତୁ, ଯେମିତିକି କୌଣସି ଖାଦ୍ୟର କଣିକା ଦାନ୍ତ ସନ୍ଧି କିମ୍ବା ପାଟିର କଳରେ ଲାଖି ନ ରୁହେ । ସେହିପରି ଶର୍କରା ଜାତୀୟ ଖାଦ୍ୟ ଖାଇବା ପରେ ଦାନ୍ତ ଓ ମୁଖକୁ ଭଲରୂପେ ସଫା କରି କୁଳି କରିବା ଆବଶ୍ୟକ ।