ଖାଦ୍ୟ ଖାଇବାକୁ ନେଇ ଏକ ପୁରୁଣା କଥା ରହିଛି । କଥାଟି ହେଉଛି - ରାଜାଙ୍କ ପରି ସକାଳ ଜଳଖିଆ, ରାଜକୁମାରଙ୍କ ପରି ମଧ୍ୟାହ୍ନ ଭୋଜନ ଏବଂ ଗରିବ ପରି ରାତ୍ରି ଭୋଜନ ଗ୍ରହଣ କରିବା ଉଚିତ । ଅର୍ଥାତ ସକାଳ ଜଳଖିଆକୁ ଅଧିକ ପରିମାଣର ଖାଦ୍ୟ, ମଧ୍ୟାହ୍ନରେ ଅପେକ୍ଷାକୃତ ଟିକେ କମ ଖାଦ୍ୟ ଓ ରାତି ସମୟରେ ଯଥାସମ୍ଭବ କମ ଖାଦ୍ୟ ଗ୍ରହଣ କରିବା ଉଚିତ ।

ଆଜିକାଲିର ସକାଳ ଜଳଖିଆରେ ମ୍ୟାଗି, ଚାଉମିନ, ବ୍ରେଡ ଜାମ୍, ବ୍ରେଡ ଟୋଷ୍ଟ, ଦୋସା, ବରା ତରକାରୀ ପରି ବହୁ ଖାଦ୍ୟ ସାମିଲ ରହିଛି । କିନ୍ତୁ ଓଡ଼ିଆଙ୍କର ଦେଶୀ ଜଳଖିଆ ଟିକେ ଭିନ୍ନ । ପ୍ରତ୍ୟେକ ଓଡ଼ିଆଙ୍କର ସକାଳ ତ ଚା’ରୁ ଆରମ୍ଭ ହୁଏ । ମାତ୍ର ଚା ସହିତ ଥାଏ ମୁଢି, ଚୁଡା ଭଜା ପରି ଦେଶୀ ଖାଦ୍ୟ । ଓଡ଼ିଆଙ୍କ ସକାଳ ଜଳଖିଆରେ ଥାଏ ଏକ ନିଆରାପଣ । ସକାଳ ଜଳଖିଆରେ ସହଜରେ ହଜମ ହୋଇପାରୁଥିବା ଖାଦ୍ୟକୁ ଗ୍ରହଣ କରନ୍ତି ଓଡିଆମାନେ । ଅବଶ୍ୟ କେହି କେହି ସକାଳେ ପଖାଳକୁ ଜଳଖିଆ ରୂପେ ଖାଇଥାନ୍ତି, କିନ୍ତୁ ସକାଳ ଜଳଖିଆରେ ଚୁଡା, ମୁଢି, ଛତୁଆ ପରି ଶୁଖିଲା ଖାଦ୍ୟକୁ ବେଶୀ ଖିଆଯାଇଥାଏ । ଓଡିଶାରେ ସକାଳ ଜଳଖିଆ ବା ଜଳପାନଟି ସୁସ୍ଥ ହେବା ସହିତ ଅନ୍ୟ ରାଜ୍ୟ ତୁଳନାରେ କମ୍ ତେଲ କିମ୍ବା ଘିଅର ବ୍ୟବହାର ହୋଇଥାଏ । ଓଡିଶାରେ ଅନେକଗୁଡ଼ିଏ ସୁସ୍ଥ, ସ୍ୱାଦିଷ୍ଟ ଜଳଖିଆ ରହିଛି, ଯାହା ପ୍ରତ୍ୟେହ ସକାଳୁ ସବୁ ଓଡ଼ିଆଙ୍କ ଘରେ ମିଳିଥାଏ । ଚଟାପଟ ଏଇ ଜଳଖିଆଗୁଡିକ ପ୍ରସ୍ତୁତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ହିତକର, ଆସନ୍ତୁ ଜାଣିବା ପ୍ରତି ସକାଳେ ଓଡ଼ିଆ ଘରେ କଣ କଣ ଜଳଖିଆ ସବୁ ମିଳେ ।

ମୁଢି: ସବୁ ଓଡ଼ିଆଙ୍କ ଅତି ପ୍ରିୟ ଜଳଖିଆ ହେଉଛି ମୁଢି । ସକାଳ ହେଉ କି ସନ୍ଧ୍ୟା ମୁଢିକୁ ଜଳଖିଆ ଭାବରେ ପ୍ରାୟ ପସନ୍ଦ କରାଯାଏ । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ମୁଢି - ମାଂସ ପାଇଁ ବେଶ ପ୍ରସିଦ୍ଧ । ସକାଳେ ମୁଢି ଖୀର ହେଉ କି ମୁଢି ନଡ଼ିଆ କିମ୍ବା ସନ୍ଧ୍ୟାରେ ମୁଢି ମିକ୍ସଚର, ସମସ୍ତଙ୍କୁ ପ୍ରାୟେ ଭଲ ଲାଗିଥାଏ । ହାଲକା ଖାଇବା ଭିତରେ ମୁଢି ବେଶ ଲୋକପ୍ରିୟ ।

ଚୁଡ଼ା: ଓଡ଼ିଆ ଘରେ ଶସ୍ୟଜାତୀୟ ଖାଦ୍ୟ ମଧ୍ୟରେ ଚୁଡ଼ା ବହୁଳ ଲୋକପ୍ରିୟ । ଭାରତ, ନେପାଳ ଓ ବାଙ୍ଗଲାଦେଶ ଆଦି ଦେଶମାନଙ୍କରେ ଲୋକଙ୍କର ଏହା ଅତି ପ୍ରିୟ । ହାଲୁକା ସ‌ହଜ ଫାଷ୍ଟ ଫୁଡ୍ ହିସାବରେ ଭାରତୀୟ ଖାଦ୍ୟ ଭାବେ ଚୁଡ଼ା ସପ୍ତାହେ ବା ଆହୁରି ଅଧିକ ଦିନ ଯାଏଁ ରଖି ହୁଏ । ଚୁଡ଼ାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଯଥା - ଚୁଡ଼ା ଘଷା, ଚୁଡ଼ା ସନ୍ତୁଳା ବା ଚୁଡ଼ା ଉପମା ଓ ଚୁଡ଼ା କଦଳୀ ପରି ବହୁ ଖାଦ୍ୟ ପ୍ରସ୍ତୁତ ହୁଏ ।

ଚୁଡ଼ା କଦଳୀ: ସକାଳର ସ୍ୱାଦିଷ୍ଟ ଆଉ ସ୍ୱାସ୍ଥ୍ୟବର୍ଦ୍ଧକ ଜଳଖିଆ ହେଉଛି ଚୁଡା କଦଳୀ । କହିବାକୁ ଗଲେ ସକାଳ ଜଳଖିଆର ବିକଳ୍ପରେ ଚୁଡା କଦଳୀ ଅଧିକ ସନ୍ତୋଷ ଦେଇଥାଏ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ । ଏହି ଚୁଡା କଦଳୀକୁ ଆହୁରି ସ୍ୱାଦଯୁକ୍ତ କରିବା ପାଇଁ ଏଥିରେ ନଡ଼ିଆ କୋରା, ଅଦା ଛେଚା, ଗୁଡ଼ ଏପରିକି କ୍ଷୀର ଭଳି ଅନ୍ୟାନ୍ୟ ଉପାଦାନକୁ ମିଶାଇ ଚକଟା ଯାଏ । ଆମ ଓଡ଼ିଆ ପରମ୍ପରାରେ ଶବ ସଂସ୍କାର ବିଧି ପରେ ମାଲ ଭାଇଙ୍କୁ ଚୁଡା କଦଳୀ ଖାଇବାକୁ ଦିଆଯାଏ । ପୁଣି କିଛି କିଛି ପୂଜାରେ ମଧ୍ୟ ଚୁଡା କଦଳୀକୁ ନୈବେଦ୍ୟ ରୂପେ ଅର୍ପଣ କରାଯାଏ ।

ଚୁଡା ଘସା: ଚୁଡ଼ା ଗୁଣ୍ଡ, ନଡ଼ିଆ ଓ ଚିନି ଅଥବା ଗୁଡ଼ରେ ତିଆରି ଏକ ସୁମିଷ୍ଟ ବ୍ୟଞ୍ଜନ । ଏହା ପ୍ରାୟତଃ ପୂଜାମାନଙ୍କରେ ପ୍ରସ୍ତୁତ ହୁଏ । ଏଥିରେ କାକୁଡି ଓ ଅନ୍ୟାନ୍ୟ ଫଳ ସବୁ କାଟିକି ମିଶାଯାଏ ।

ଚୁଡ଼ା ସନ୍ତୁଳା ବା ଚୁଡ଼ା ଉପମା: ଏହାକୁ ପ୍ରସ୍ତୁତ କରିବା ବେଶ ସହଜ । ଆପଣ ପସନ୍ଦ ମୁତାବକ ଆଳୁ, କୋବି, ଗାଜର ଆଦିକୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଏବେ କଡେଇରେ ତେଲ ଗରମ କରି ସେଥିରେ ସୋରିଷ ଆଉ ଭରୁସୁଙ୍ଗ ପତ୍ର ଦିଅନ୍ତୁ ଏହା ଫୁଟିଗଲେ ଏଥିରେ କଟା ପିଆଜ ଦିଅନ୍ତୁ । ଏହାପରେ ପରିବାକୁ ପକାଇ ଭାଜନ୍ତୁ । ସେଥିରେ ଏବେ ଲୁଣ ହଳଦୀ ଦିଅନ୍ତୁ । ଛୋଟ ଟମାଟୋ ମଧ୍ୟ ପକାଇପାରିବେ । ପରିବା ସିଝି ଆସିଲେ ସେଥିରେ ଚୁଡାକୁ ସଂଗେ ସଂଗେ ଧୋଇକି ପକାଇ ଭାଜନ୍ତୁ । ଏହା ହୋଇଗଲେ ଏହା ଉପରେ ଟିକେ ନଡ଼ିଆ କୋରା ଦିଅନ୍ତୁ । ସକାଳର ଜଳଖିଆରେ ଏହା ଏକ ଉତ୍ତମ ଖାଦ୍ୟ । କେହି କେହି ସକାଳେ କ୍ଷୀର ଚୁଡା ଭଜା କିମ୍ବା ଚା ଚୁଡ଼ା ଭଜା ଖାଆନ୍ତି ।

ଛତୁଆ: ଏହା ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ । ଆପଣ ନିଜ ପସନ୍ଦ ମୁତାବକ, ଚୁଡ଼ା, ଗହମ, ବୁଟ ଡାଲି, କାଜୁ, ବାଦାମ, ଅରୁଆ ଚାଉଳ ଆଦି ନେଇ ପାରିବେ । ଛତୁଆରେ ଚୁଡାର ପରିମାଣ ଟିକେ ଅଧିକ ରହିଥାଏ । ସେଇ ଅନୁସାରେ ଆପଣ ପସନ୍ଦ ଅନୁସାରେ ଏଇ ସବୁ ସାମଗ୍ରୀକୁ ସେଇ ପରିମାଣରେ ନେବେ । ଏବେ ଏ ସବୁକୁ ଟିକେ ହାଲକା ଉଷୁମ କରିଦେବେ । ଏହା ଶୀତଳ ହୋଇଗଲେ ଏହାକୁ ଚୂରି ଦେବେ । ଆପଣ ଚାହିଁଲେ ଏଥିରେ ଚିନି ମଧ୍ୟ ଦେଇ ଚୂରି ପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଛତୁଆ ଚୁନା । ଏହାକୁ ବହୁତ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବେ । ଯେତେବେଳେ ଆପଣ ଛତୁଆ ଖାଇବାକୁ ଚାହିଁବେ ସେତେବେଳେ ଆପଣ ଛତୁଆରେ କିଛି ପାଣି ଦେଇ ତାକୁ ଗୋଳି ଖାଇପାରିବେ । ଏହା ସବୁଠୁ ସହଜ ଜଳଖିଆ । ବିଶେଷତଃ ଏହା ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଉପାଦେୟ । ଆପଣ ଚାହିଁଲେ ଛତୁଆରେ ଓ଼ଟ୍ସ,, କନ୍ଫଲେକ୍ସ ଆଦି ମିଶାଇ ପାରିବେ ।

ଅଟା ଚକୁଳି: ଅଟା ଚକୁଳି ଏକ ସ୍ୱାଦିଷ୍ଟ ଜଳଖିଆ । ଏହାର ପ୍ରସ୍ତୁତି ପ୍ରଣାଳୀ ବହୁତ ସହଜ । ଅଟାରେ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ, ଏଥିରେ ଆବଶ୍ୟକ ପରିମାଣର ଲୁଣ ଓ ଚିନି ଦିଅନ୍ତୁ । ଏଥିରେ ଗୋଲମରିଚ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ଟିକେ ଦେଇ ଭଲରେ ଘାଣ୍ଟନ୍ତୁ । ଆପଣ ଚାହିଁଲେ ଏଥିରେ ନଡ଼ିଆ କୋରା ଦେଇପାରିବେ । ଏବେ ତାୱାରେ ତେଲ ଦେଇ ଏହାକୁ ଗୋଲ ଗୋଲ ଚକୁଳି ପରି କରନ୍ତୁ । ନିମ୍ନ ମାଧ୍ୟମ ଆଞ୍ଚରେ ଏହାକୁ ସିଝିବାକୁ ଦିଅନ୍ତୁ । ଏହା ପରେ ଏହାକୁ ଓଲଟାଇ ଏହାର ଦୁଇ ପଟକୁ ଭଲ ଭାବରେ ଶେକନ୍ତୁ । ଆପଣ ଚାହିଁଲେ ଏହାକୁ ପିଆଜ ଆଉ ଟାମୋଟା ଦେଇ ମଧ୍ୟ ଚକୁଳି କରିପାରିବେ ।

ମାଣ୍ଡିଆ ଜାଉ: ଏହା ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ଜାଉ କରିକି ଖାଇଥାନ୍ତି । ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ । ମାଣ୍ଡିଆକୁ ଭଲ ଭାବରେ ଧୋଇ, ଛାଣି ଦିଅନ୍ତୁ । ଏହାକୁ ଗ୍ରାଇଣ୍ଡରରେ ଟିକେ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଦିଅନ୍ତୁ । ଗୋଟେ କଢ଼େଇରେ ମାଣ୍ଡିଆ ରସକୁ ଢାଳି ଚୂଲା ଜଳାନ୍ତୁ । ଏଥିରେ ଚିନି ମିଶାନ୍ତୁ ଏହାକୁ ନିୟମିତ ଭାବରେ ଘାଣ୍ଟନ୍ତୁ । ଧୀରେଧୀରେ ଏହା ବହଳିଆ ହେଇଯିବ । ବହଳ ହେଇଗଲାପରେ, ଚୂଲା ବନ୍ଦ କରି ଦିଅନ୍ତୁ । ଏହାକୁ ପ୍ଲେଟରେ ବାଢ଼ି, ଫ୍ରିଜରେ ଥଣ୍ଡା ହେବାପାଇଁ ରଖିଦିଅନ୍ତୁ । ନହେଲେ ଏମିତି ବାହାରେ ରଖି ଥଣ୍ଡା ହେଲାପରେ ଖାଇ ପାରିବେ ।