ନବବର୍ଷ: କେଉଁଠି, କେମିତି

ଭାରତ ସମେତ ବିଭନ୍ନ ଦେଶରେ ଜାନୁଆରୀ ୧ ତାରିଖ ନୁହେଁ ବରଂ ବର୍ଷର ବିଭିନ୍ନ ସମୟରେ ନବବର୍ଷ ପାଳନ କରାଯାଏ । ଏ ବାବଦରେ କିଛି ତଥ୍ୟ ।


ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ ।

ଜାନୁଆରୀ ୧ ତାରିଖରେ ସମଗ୍ର ବିଶ୍ଵରେ ପାଳିତ ହୁଏ ଗ୍ରୀଗୋରିଆନ୍ ନୂଆବର୍ଷ । ତେବେ ଭାରତ ସମେତ ବିଭନ୍ନ ଦେଶରେ ଜାନୁଆରୀ ୧ ତାରିଖ ନୁହେଁ ବରଂ ବର୍ଷର ବିଭିନ୍ନ ସମୟରେ ନବବର୍ଷ ପାଳନ କରାଯାଏ । ଏ ବାବଦରେ କିଛି ତଥ୍ୟ ।

ନବବର୍ଷ ଉତ୍ସବ ପ୍ରାୟ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା । କିନ୍ତୁ ସେତେବେଳେ ନବବର୍ଷର ଏହି ଉତ୍ସବ ବସନ୍ତର ଆଗମନ ତିଥି ସମୟରେ ମାର୍ଚ୍ଚ ୨୧ରେ ପାଳିତ ହେଉଥିଲା । ଜୁଲିୟସ କ୍ୟାଲେଣ୍ଡରର ସ୍ଥାପନା ପରେ ବିଶ୍ୱରେ ପ୍ରଥମଥର ପାଇଁ ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ଭାବେ ପାଳନ କରାଗଲା ।

ସାଂସ୍କୃତିକ ପରମ୍ପରା ଅନୁଯାୟୀ ଚାଇନା, ଭାରତ ଓ ଇସ୍ରାଏଲ ଭଳି ରାଷ୍ଟ୍ରଗୁଡ଼ିକ ଭିନ୍ନ ଭିନ୍ନ ପଞ୍ଜିକା ଅନୁସରଣ କରିଆସୁଛନ୍ତି । ତେଣୁ ନବବର୍ଷ ଦେଶ, ଜାତି, ଧର୍ମ ଅନୁଯାୟୀ ଭିନ୍ନ ଭିନ୍ନ । ଅଷ୍ଟ୍ରେଲିଆରେ ଡିସେମ୍ବର ୩୧ରୁ ନବବର୍ଷ ପାଳନ ଉତ୍ସବ ଆରମ୍ଭ ହୋଇ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲେ । ଫ୍ରାନସରେ ମଧ୍ୟ ପୂର୍ବରୁ ମାର୍ଚ୍ଚର ଶେଷ ଓ ଏପ୍ରିଲ ପ୍ରଥମ ଭାଗ ମଧ୍ୟରେ ନବବର୍ଷ ପାଳନ କରାଯାଉଥିଲା । ୧୫୮୨ ରେ ଗ୍ରୀଗୋରିଆନ୍ କ୍ୟାଲେଣ୍ଡରର ପ୍ରଚଳନ ପରେ ଅନ୍ୟ ଇଉରୋପୀୟ ଦେଶଙ୍କ ଭଳି ଫ୍ରାନସ ମଧ୍ୟ ଜାନୁଆରୀ ପହିଲାକୁ ନବବର୍ଷ ଭାବେ ଗ୍ରହଣ କରିଥିଲେ । ଚାଇନା ଓ ସିଙ୍ଗାପୁରରେ ଚାଇନିଜ୍ ଚନ୍ଦ୍ର ପଂଜିକା ଅନୁଯାୟୀ ବସନ୍ତ ଋତୁରେ ନବବର୍ଷ ପାଳିତ ହୁଏ । ଚୀନରେ ଏକ ମାସ ଧରି ନବବର୍ଷ ପାଳିତ ହୁଏ । ଚୀନରେ ବସନ୍ତ ଋତୁ ଆରମ୍ଭରେ ନବବର୍ଷ ପାଳନ କରାଯାଏ । ଏହି ଉତ୍ସବରେ ମୁଖ୍ୟତଃ ଲାଲ ରଙ୍ଗକୁ ଵିଶେଷ ପ୍ରାଧାନ୍ୟ ଦିଆଯାଏ । ବର୍ଷରେ ଶେଷ ଦିନରେ ପରିବାରର ସମସ୍ତ ଲୋକେ ଏକାଠି ବସି ତାସ ପରି କିଛି ଖେଳ ଖେଳି ନବବର୍ଷକୁ ଅପେକ୍ଷା କରନ୍ତି । ନବବର୍ଷ ଦିନ ଶିଶୁ ଏବଂ ଅବିବାହିତଙ୍କୁ ଲାଲ ଲଫାଫା ଦିଆଯାଇଥାଏ । ଆତସବାଜି କରାଯାଇଥାଏ । ଏଠାରେ ଡ୍ରାଗନକୁ ସୁଖ ସମୃଦ୍ଧିର ପ୍ରତୀକ ରୂପେ ବିବେଚନା କରାଯାଏ । ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ଚାଇନା ନବବର୍ଷ ପାଳିତ ହୋଇଥାଏ ।

୨୦ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ଜାପାନୀ ନବବର୍ଷ ପାଳନ କରାଯାଏ । କିନ୍ତୁ ଏବେ ୨୯ ଡ଼ିସେମ୍ବର ରାତିରୁ ଜାନୁଆରୀ ୩ ତାରିଖ ଯାଏଁ ପାଳିତ ହେଉଛି । ଏଠାରେ ଏହି ପର୍ବକୁ ୟାବୁରି ନାମରେ ପାଳିତ କରାଯାଏ । ନୂଆବର୍ଷ ଅବସରରେ ଜାପାନୀମାନେ ବିଶେଷ କରି ସଫାସୁତୁରାକୁ ଧ୍ୟାନ ଦେଇଥାନ୍ତି । ଏଠାରେ ବର୍ଷର ଶେଷଦିନରେ ରାତ୍ରି ୧୨ଟା ସମୟରେ ମନ୍ଦିରର ଘଣ୍ଟିକୁ ୧୦୮ ଥର ବଜାଯାଇଥାଏ । ଏହି ଘଣ୍ଟି ଶବ୍ଦ ଶୁଣିବାପରେ ସମସ୍ତେ ସମବେତ ପ୍ରାର୍ଥନା କରିଥାନ୍ତି । ମନ୍ଦିରରେ ବୁଦ୍ଧଙ୍କର ପୂଜା କରାଯାଇଥାଏ । ଏହି ଅବସରରେ ଓଯୋନି ନାମରେ ଏକ ସୁପ୍ ପ୍ରସ୍ତୁତ ହୋଇଥାଏ । ଜାପାନୀମାନେ ନୂଆବର୍ଷରେ ସମସ୍ତଙ୍କୁ କାର୍ଡ ବଣ୍ଟନ କରିଥାନ୍ତି ।

ଭାରତର ପଡୋଶୀ ଦେଶ ମିଆଁମାରରେ ମଧ୍ୟ ବିଶେଷ ପ୍ରକାରରେ ନବବର୍ଷ ପାଳନ କରାଯାଏ । ଏଠାରେ ନବବର୍ଷ ଉତ୍ସବକୁ ତିଜାନ କୁହାଯାଏ । ତିନିଦିନ ଧରି ଏହି ପର୍ବ ପାଳିତ ହୁଏ । ଏହା ଏପ୍ରିଲରେ ପାଳନ କରାଯାଏ । ଆମର ଯେମିତି ଏଠି ହୋଲିରେ ସମସ୍ତଂକୁ ରଙ୍ଗ ଲଗାଯାଏ, ମିଆଁମାରରେ ମଧ୍ୟ ସେମିତି ନୂଆବର୍ଷ ଅବସରରେ ସମସ୍ତେ ସମସ୍ତଙ୍କ ଉପରକୁ ପାଣି ପକାଇଥାନ୍ତି, ଏହି ପାଣିରେ ସୁବାସିତ ଅତର ପଡିଥାଏ । ବନ୍ଧୁ ପରିଜନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଏ । ବିଭିନ୍ନ ପ୍ରକାରର ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ । ଏହି ପର୍ବରେ ବିଶେଷ କରି ବୁଦ୍ଧଙ୍କର ପୂଜାର୍ଚ୍ଚନା କରାଯାଏ ।

ଇରାନରେ ନବବର୍ଷ ଉତ୍ସବକୁ ନୌରାଜ କୁହାଯାଏ । ଏହା ଏକମାତ୍ର ମୁସଲିମ ପର୍ବ ଯେଉଁଥିରେ ମହମ୍ମଦଙ୍କ କୌଣସି ସମ୍ବନ୍ଧ ନାହିଁ । ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ପରେ ଏହି ପର୍ବ ପାଳନ କରାଯାଏ । ଏହି ଅବସରରେ ପରସ୍ପରଙ୍କୁ ମିଷ୍ଟାନ୍ନ ଓ ଉପହାର ପ୍ରଦାନ କରାଯାଏ । ଏଠାରେ ଏହି ଉତ୍ସବ ୧୨ ଦିନ ଧରି ଚାଲିଥାଏ । ଏହି ଉତ୍ସବରେ ବିଶେଷ କରି ମେଜ ବା ଟେବୁଲକୁ ସୁନ୍ଦର ଭାବେ ସଜ୍ଜା ଯାଇଥାଏ, ଏହାକୁ ହାଂଫତିସିନ୍ କୁହାଯାଏ । ସିନ୍ ଅର୍ଥାତ ସ ଅକ୍ଷରରେ ଆରମ୍ଭ ହେଉଥିବା ସାତ ପ୍ରକାରର ବ୍ୟଞ୍ଜନ ପରସା ଯାଏ । ଏହି ପର୍ବର ପନ୍ଦର ଦିନ ଯାଏ ଗହମ ଦାନ କରାଯିବା ସହ ବୁଣା ଯାଏ ।

ଥାଇଲାଣ୍ଡରେ ନବବର୍ଷ ଉତ୍ସବକୁ ‘ସଂଗକ୍ରାନ’ କୁହାଯାଏ । ଏହା ଏପ୍ରିଲ ୧୩ରୁ ଏପ୍ରିଲ ୧୫ ଯାଏ ପାଳନ ହୁଏ । ଏହି ପର୍ବରେ ଗୁରୁଜନଙ୍କର ପାଦ ଛୁଇଁ ଲଘୁଜନମାନେ କ୍ଷମା ମାଗିବା ସହ ତାଙ୍କ ହାତରେ ପାଣି ଢାଳନ୍ତି । ଏପରି କରିବା ଦ୍ୱାରା ନୂତନ ବର୍ଷରେ ଭଲ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ଭଗବାନ ବୁଦ୍ଧଙ୍କୁ ସ୍ନାନ ମଧ୍ୟ କରାଯାଇଥାଏ ।

ରୁଷରେ ନବବର୍ଷ ପାଳନର ପରମ୍ପରା ତିନିଶହ ବର୍ଷ ପୁରୁଣା । ଜାନୁଆରୀ ୧ ତାରିଖରେ ଏଠାରେ ନବବର୍ଷ ପାଳନ କରାଯାଉଥିବାବେଳେ ଜାନୁଆରୀ ୧୩ - ୧୪ରାତିରେ ମଧ୍ୟ ପୁନର୍ବାର ନବବର୍ଷ ପାଳନ କରାଯାଏ । ଏହାକୁ ‘ପୁରୁଣା ନୂଆ ବର୍ଷ’ ବୋଲି କୁହାଯାଏ । ସ୍ପେନ୍ ରେ ଡିସେମ୍ବର ୩୧ ତାରିଖ ରାତିରେ ନବବର୍ଷ ପାଳନ କରାଯାଏ । ଏହି ଦିନ ରାତ୍ରି ୧୨ଟା ସମୟରେ ସତେଜ ଅଙ୍ଗୁର ଖିଆଯିବାର ପରମ୍ପରା ରହିଛି । ଦକ୍ଷିଣ ଆଫିକ୍ରାରେ ନବବର୍ଷକୁ ରାଷ୍ଟ୍ରୀୟ ପର୍ବ ରୂପେ ପାଳନ କରାଯାଏ । ଏହି ଦିନ ସାମୁହିକ ବିବାହ କରାଯାଇଥାଏ । ମିଶରରେ ପୁରୁଣା ପରମ୍ପରା ଅନୁଯାୟୀ ନୂତନ ବର୍ଷର ସ୍ୱାଗତ ଚାଉଳ ଓ ସିନ୍ଦୁରରେ କରାଯାଏ ।

ଭାରତୀୟ ନବବର୍ଷ‎‎ :

ଭାରତର ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ । ଭାରତର ବିଭିନ୍ନ ଅଂଶରେ ନବବର୍ଷ ଅଲଗା ଅଲଗା ତିଥିରେ ପାଳନ କରାଯାଏ । ପ୍ରାୟତଃ ଏହି ତିଥି ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ପଡିଥାଏ । ତେଲୁଗୁ ଓ କନ୍ନଡ଼ ନବବର୍ଷକୁ ଯୁଗାଦି କୁହାଯାଏ । ଯୁଗାଦି ଏକ ସଂସ୍କୃତ ଶବ୍ଦ ଏହାର ଅର୍ଥ ବର୍ଷର ଆରମ୍ଭ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମାର୍ଚ୍ଚ ବା ଏପ୍ରିଲରେ ଏହା ପାଳିତ ହୁଏ । ତାମିଲ ନବବର୍ଷ ୧୩ କିମ୍ବା ୧୪ ଏପ୍ରିଲରେ ତାମିଲନାଡୁ ଏବଂ କେରଳରେ ପାଳିତ ହୁଏ । ସେହିପରି ତେଲୁଗୁ ସଂପ୍ରଦାୟର ଲୋକେ ପୋଙ୍ଗଲକୁ ନବବର୍ଷ ରୂପେ ଜାନୁଆରୀ ୧୫ରେ ପାଳନ କରନ୍ତି । ପଞ୍ଜାବରେ ବୈଶାଖୀକୁ ନୂଆବର୍ଷ ରୂପେ ଏପ୍ରିଲ ୧୩ରେ ପାଳନ କରାଯାଏ । ମରାଠୀମାନେ ମଧ୍ୟ ଚୈତ୍ର ଶୁକ୍ଳ ପ୍ରତିପଦାରେ ନବବର୍ଷ ପାଳନ କରନ୍ତି । ଏହା ଗୁଡୀ ପଡ଼ୱା ଭାବେ ପ୍ରସିଦ୍ଧ । ଗୁଡୀର ଅର୍ଥ ବିଜୟ ପତାକା ଏବଂ ପଡ଼ୱାର ଅର୍ଥ ପ୍ରଥମ ଦିନ ବା ପ୍ରତିପଦା । ଭାରତ ଓ ପାକିସ୍ତାନରେ ବାସ କରୁଥିବା ସିନ୍ଧୀମାନେ ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିନ ନବବର୍ଷ ପାଳନ କରନ୍ତି । ସିନ୍ଧୀ ନବବର୍ଷ ଚେଟୀ ଚଣ୍ଡ ଭାବେ ପ୍ରସିଦ୍ଧ । ଏହା ସିନ୍ଧୀମାନଙ୍କର ଇଷ୍ଟ ଦେବତା ଝୁଲେଲାଲଙ୍କ ଜନ୍ମଦିବସ ରୂପେ ମଧ୍ୟ ପରିଚିତ । ତାମିଲ ନବବର୍ଷ ଭାବେ ପୁଥାଣ୍ଡୁ ଏପ୍ରିଲର ମଧ୍ୟ ଭାଗରେ ପାଳିତ ହୁଏ । ଏହି ଦିନ ମଦୁରାଇର ମୀନାକ୍ଷୀ ମନ୍ଦିରରେ ବିଶେଷ ଉତ୍ସବ ଅନୁଷ୍ଠିତ ହୁଏ । କେରଳ ନବବର୍ଷକୁ ୱିଷୁ କୁହାଯାଏ । ତାମିଲ ଓ କେରଳୀ ନବବର୍ଷ ଏପ୍ରିଲ ୧୩ରୁ ୧୫ ମଧ୍ୟରେ ପଡ଼େ । ମଣିପୁରୀ ନବବର୍ଷ ଚୈରୁବା ଏପ୍ରିଲ ୧୪ରେ ପାଳିତ ହୁଏ । କାଶ୍ମୀରୀ କ୍ୟାଲେଣ୍ଡର ନବରେହ ମାର୍ଚ୍ଚ ୧୯ରେ ହୋଇଥାଏ ।

ପଣା ସଂକ୍ରାନ୍ତି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଏ । ଏହା ଏପ୍ରିଲ ୧୪ରେ ପାଳିତ ହୁଏ । ଏପ୍ରିଲ ୧୪ - ୧୫ ମଧ୍ୟରେ ପଶ୍ଚିମବଙ୍ଗ ଓ ଆସାମରେ ନବବର୍ଷ ପାଳିତ ହୁଏ । ବଙ୍ଗଳା ନବବର୍ଷର ନାମ ପଏଲା ବୈଶାଖ ଓ ଆସାମର ନବବର୍ଷ ହେଉଛି ରୋଙ୍ଗଲୀ ବିହୁ । ମାରୁଆଡ଼ିମାନଙ୍କର ନବବର୍ଷ ଦୀପାବଳୀ ଦିନ ହୋଇଥାଏ । ଗୁଜୁରାଟି ନବବର୍ଷ ଦୀପାବଳୀର ଦ୍ୱିତୀୟ ଦିନ ହୋଇଥାଏ ଯାହା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ ।

ଭାରତ ଭଳି ବିରାଟ, ବିଶାଳ ଜନସଂଖ୍ୟା ଏବଂ ବିବିଧତା ପୂର୍ଣ୍ଣ ଦେଶରେ ଏପରି ଉତ୍ସବ କେବଳ ଲୋକଙ୍କୁ ନିଜ ସଂସ୍କୃତି ସମ୍ପର୍କରେ ପରିଚୟ କରାଏ ତାହା ନୁହଁ, ବରଂ ବିଭିନ୍ନତା ଭିତରେ ଏକତା କେମିତି ବଜାୟ ରଖାଯାଇପାରେ ତାହାର ସନ୍ଦେଶ ମଧ୍ୟ ବିଶ୍ୱକୁ ଦେଇଥାଏ ।