ମା ଆସୁଛନ୍ତି । ଚାରିଆଡ଼େ କାଶତଣ୍ଡୀ ଫୁଲର ସମ୍ଭାର । ଜଗତଜନନୀ ମା ଦୁର୍ଗା ପୁଣିଥରେ ଧରାପୃଷ୍ଠକୁ ଆସୁଛନ୍ତି । ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟା ପୂଜା ପାଇବେ । ଏହି ୯ ଦିନକୁ ମହାନବରାତ୍ରୀ ଭାବେ ପାଳନ କରାଯାଏ । ଦେବୀଙ୍କ ନବରାତ୍ର ପୂଜା ମୁଖ୍ୟତଃ ଶାକ୍ତ ଉପାସନା ଅଟେ । ଶାକ୍ତ ପରମ୍ପରାରୁ ଦେବୀଙ୍କ ପୂଜା ପଦ୍ଧତିର ଉଦ୍ଭବ ହୋଇଛି । ନବରାତ୍ର ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ହେଲେ ଆଶ୍ୱିନମାସର ଶୁକ୍ଳପକ୍ଷରେ ପଡ଼ୁଥିବା ନବରାତ୍ରୀ ବା ଦୁର୍ଗାପୂଜାକୁ ବେଶ୍‌ ଧୂମଧାମ୍‌ରେ ପାଳନ କରାଯାଏ । ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୌଷ ନବରାତ୍ର ପାଳନ କରାଯାଏ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ । ସେହିପରି ମାଘ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ ମାଘ ନବରାତ୍ର, ଚୈତ୍ର ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ ଚୈତ୍ର ବା ବସନ୍ତ ନବରାତ୍ର ଓ ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ ଗୁପ୍ତ ନବରାତ୍ର ପାଳନ କରାଯାଏ ।

ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ଦ୍ୱାରା ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରାଯାଏ । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ ।

ଏହି ନବରାତ୍ରରେ ମାତାଙ୍କର ନବସ୍ୱରୂପକୁ ଆରାଧନା କରାଯାଏ । ନବରାତ୍ରର ପ୍ରଥମଦିନରେ ଆଦିଶକ୍ତିଙ୍କ ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି । ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ୍ । ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ । ନାବରାତ୍ରର ଦ୍ଵିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତାଙ୍କର ପୂଜା କରାଯାଏ । ମାଆ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପ୍ରାପ୍ତ କରିବା ପାଇଁ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କରିଥିବାରୁ ମାଆ ତପଶ୍ଚାରିଣୀ ଅର୍ଥାତ ବ୍ରହ୍ମଚାରିଣୀ ନାଁରେ ପରିଚିତ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ମାଆଙ୍କ ଉପସାନା ଅନନ୍ତ ଫଳ ପ୍ରଦାନ କରିଥାଏ । ମାଆଙ୍କୁ ସ୍ମରଣ କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାରରେ ବୃଦ୍ଧି ହେବ । ମାଆଙ୍କ କୃପା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ମାଆ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି କୁହାଯାଏ । ତୃତୀୟ ଦିବସରେ ଚିତ୍ରଘଣ୍ଟାଙ୍କ ସ୍ୱରୂପରେ ମା’ ପୂଜା ପାଆନ୍ତି । ଏହି ରୂପରେ ମା’ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ ହେବା ସହ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଯୁଦ୍ଧାଭିମୁଖୀ ମୁଦ୍ରାରେ ରହିଥାନ୍ତି ।

ଚତୁର୍ଥ ଦିବସରେ କୁଷ୍ମାଣ୍ଡା ରୂପେ ମା ପୂଜା ପାଆନ୍ତି । ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।

ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ସ୍କନ୍ଦମାତାଙ୍କ ସ୍ୱରୂପରେ ଉପାସନା କରାଯାଏ । କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ ଏହି ରୂପରେ, ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।

ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀଙ୍କ ସ୍ୱରୂପରେ ଉପାସନା କରାଯାଏ । ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ । ମା’ଙ୍କ ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟ ହାତରେ ପଦ୍ମଫୁଲ ରହିଥାଏ । ଅନ୍ୟ ଦୁଇ ହାତ ବରମୁଦ୍ରା ଏବଂ ଅଭୟମୁଦ୍ରାରେ ସୁଶୋଭିତ ହୋଇଥାଏ । ଏହି ରୂପରେ ଦେବୀଙ୍କ ବାହନ ସିଂହ ଥିବାବେଳେ ମା’ଙ୍କୁ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କୁହାଯାଏ । ମାନ୍ୟତା ରହିଛି ଯେ, ଗୋପୀମାନେ କୃଷ୍ଣଙ୍କ ପ୍ରାପ୍ତି ପାଇଁ ମା’ଙ୍କୁ ଏହି ରୂପରେ ପୂଜା କରିଥିଲେ । ଯେଉଁମାନଙ୍କର ବିବାହ ଜନିତ ସମସ୍ୟା ରହିଥାଏ, ସେମାନେ ମା’ଙ୍କର କାତ୍ୟାୟନୀ ରୂପକୁ ପୂଜା କରିବା ଉଚିତ୍‌ । ଏହା ସହ ଯେଉଁମାନଙ୍କର ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଲାଗି ରହିଥାଏ ସେମାନଙ୍କୁ ମଧ୍ୟ ମା’ଙ୍କ ଏହି ରୂପକୁ ପୂଜା କରିବାଦ୍ବାରା ଶୁଭ ଫଳ ମିଳିଥାଏ । ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରୁଥିଲେ । ନବରାତ୍ରର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରୀ ସ୍ୱରୂପରେ ଉପାସନା କରାଯାଏ । ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା, ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି । ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ । ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।