ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ, ପ୍ରେତତ୍ୱରୁ ମୁକ୍ତି ପାଇଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ଏହି ସମୟରେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଅଭିଶାପ ପ୍ରଦାନ କରନ୍ତି । ଭାଦ୍ରବ ମାସ ପୂର୍ଣିମାଠାରୁ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଯାଏଁ ପିତୃପକ୍ଷ ପାଳନ ହୁଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡ ଦାନ କରାଯାଏ । ଏହି ୧୫ ଦିନ ମଧ୍ୟରେ ଯେକୌଣସି ଦିନ ଶ୍ରାଦ୍ଧ ଦିଆଯାଇପାରେ । ଆଶ୍ୱିନ ମାସର ପ୍ରଥମ ପକ୍ଷ ବା ପିତୃ ପକ୍ଷରେ ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ ।

ଶ୍ରାଦ୍ଧ କହିଲେ ଆମେ ପୂର୍ବପୁରୁଷଙ୍କୁ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ବୁଝୁ । ଶ୍ରାଦ୍ଧ ଦିବସରେ ଶୁଦ୍ଧପୂତ ଅନ୍ତରରେ ଭକ୍ତି ସହକାରେ ସ୍ନାନପୂର୍ବକ ଦେବଗଣ, ଋଷିଗଣ, ପିତୃ ତଥା ମାତୃଗଣଙ୍କୁ ତିଳ-ତଣ୍ଡୁଳ ମିଶ୍ରିତ ଜଳ ଦାନ କରାଯାଏ । ଏହାକୁ ତର୍ପଣ ବା ତର୍ପଣ ଶ୍ରାଦ୍ଧ କହନ୍ତି । ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧ କର୍ମ କରାଯାଏ । ସେସବୁ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ପିତରଙ୍କ ଆଶୀର୍ଵାଦ ଯୋଗୁଁ ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ । ମୁଖ୍ୟତଃ ଶ୍ରାଦ୍ଧ ଦୁଇପ୍ରକାରର: ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ଦେବାର ବିଧି ରହିଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ପୟାଶ୍ରାଦ୍ଧ ।

ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ କଳ୍ପିତ କରାଯାଏ । ଏହି ଶ୍ରାଦ୍ଧକୁ ଘରେ କିମ୍ବା ମନ୍ଦିରରେ କରାଯାଇପାରେ । ଏହି ଦିନ ପରଠାରୁ ଦଶହରା ଉପଲକ୍ଷେ ନବରାତ୍ର ଆରମ୍ଭ ହୁଏ । ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ । ସେହିପରି ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ "ଧବଳମୁଖୀ ବେଶ" ହୋଇଥାଏ ।

ପିତୃପକ୍ଷ ସମୟରେ ଆମକୁ କିଛି କଥାକୁ ଧ୍ୟାନ ଦେବାକୁ ପଡେ । କୁହାଯାଏ ଯେ ଏହି ସମୟରେ ଆମର ପିତର କୌଣସି ନା କୌଣସି ରୂପରେ ଆମ ପାଖକୁ ଆସିଥାନ୍ତି । ସେଥିପାଇଁ ଏଇ ସମୟରେ ଆଖପାଖରେ ଦେଖୁଥିବା କୌଣସି ପଶୁପକ୍ଷୀ, କୀଟ ପତଂଗଙ୍କୁ ଅନାଦର କରିବା ଅନୁଚିତ । ସେଇପରି ପଶୁ ପକ୍ଷୀ କୀଟ ପତଙ୍ଗଙ୍କୁ କୌଣସି କ୍ଷତି ମଧ୍ୟ ପହଂଚାଇବା ଅନୁଚିତ । ପିତୃପକ୍ଷ ସମୟରେ କୌଣସି ନୂତନ ଦ୍ରବ୍ୟ କ୍ରୟ ବା ନୂତନ କାର୍ଯ୍ୟ ନ କରିବା ଭଲ । ଏହି ସମୟରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟକୁ ବାରଣ କରିବା ଉଚିତ ।

ପିତୃପକ୍ଷ ଚାଲୁଥିବା ସମୟରେ ଘର ଆଖପାଖରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖିବା ଅତ୍ୟନ୍ତ ଶୁଭ । କାରଣ ଏହାଦ୍ୱାରା କୀଟ ପତଂଗ, ପଶୁ ପକ୍ଷୀ ଆଦି ସହଜରେ ଜଳ ପିଇପାରିବେ । ଯଥା ସମ୍ଭବ ଏଇ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା ପୁଣ୍ୟଫଳ ମିଳିଥାଏ ।

ଯେଉଁ ବ୍ୟକ୍ତି ଶ୍ରାଦ୍ଧ ଦିଅନ୍ତି ବା ତର୍ପଣ କରନ୍ତି ବା ଘରର ମୁଖ୍ୟ ବ୍ୟକ୍ତି ଏହିସମୟରେ ମସୁର, ଜିରା, କଳାଲୁଣ, ଲାଉ, ସୋରିଷ ଓ ଆମିଷ ଭକ୍ଷଣ କରିବା ଅନୁଚିତ । ଏମିତିକି ଏଇ ସମୟରେ କେଶ ଓ ନଖ ମଧ୍ୟ କାଟିବା ଅନୁଚିତ । ତର୍ପଣ ସମୟରେ କଳା ରାଶିର ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ । ଆମେ ଆମ ପୂର୍ବଜଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ରୁଚି ଅନୁଯାୟୀ ଭୋଜନ ପ୍ରସ୍ତୁତ କରି ବ୍ରାହ୍ମଣ, କାଉ, ଗାଈ, କୁକୁରଙ୍କୁ ଖାଇବାକୁ ଦେବା ଉଚିତ ।