ଏଠିକାର ଟ୍ରାଫିକ ଓ ଅନିଶ୍ଚିତତା ଭିତରେ ଛାଇ ଆଲୁଅ, ମେଘୁଆ ଖରା ଖେଳୁଥିବା ପାଣିପାଗ ବିଷୟରେ ଅବା କିଏ ନ ଜାଣେ । ଆମ ଦେଶର ବଗିଚା ସହର ଅଥବା 'ଗାର୍ଡେନ୍ ସିଟି' ଭାବେ ଜଣା ଏହି ସହର ସେତେବେଳେ ଖୁବ୍ ସୁନ୍ଦର ଓ ଶାନ୍ତ ଥିଲା । ଏବେ ଜନସଂଖ୍ୟାକୁ ନେଇ ଜଙ୍ଗଲ ସବୁ କଟା ଯାଇ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଲାଣି । ସମୟ ସହିତ ବଦଳିଛି ଏହାର ଜଳବାୟୁ, ପୁଣି ବଦଳିଛି ଜୀବନଶୈଳୀ ଓ ଜୀବିକା ।

ଏଠିକାର ଆଞ୍ଚଳିକ ଲୋକେ ସାଧାରଣତଃ ଶାନ୍ତିପ୍ରିୟ ଏମାନଙ୍କ ଚଳଣି ଓ ସଂସ୍କୃତିରେ ବିବିଧତା ରହିଥିବା ସତ୍ତ୍ୱେ ଏହା ବେଶ ସଂସ୍କାରପୂର୍ଣ୍ଣ । ଏ ସହର ସବୁ ବର୍ଗ ତଥା ସବୁଶ୍ରେଣୀର ଲୋକଙ୍କୁ ନିଜ ଲୋକଙ୍କ ପରି ଆଦର ଦିଏ, ଆପଣାଏ, କର୍ମସଂସ୍ଥାନ ଯୋଗାଏ, ମୁଣ୍ଡ ଗୁଞ୍ଜିବାକୁ ଛାତ ଆଉ ପେଟ ପୂରିବାକୁ ଭାତ ଦିଏ । ଯଦିଓ ଏଠାରେ ଜୀବନଯାପନ ଶୈଳୀ ଅନ୍ୟ ସହରଠାରୁ ଟିକେ ମହଙ୍ଗା କିନ୍ତୁ ଅନେକ ଦୃଷ୍ଟିରୁ ବେଶ ସୁରକ୍ଷିତ ଏହି ସହର ।

ଦକ୍ଷିଣ କର୍ଣ୍ଣାଟକରେ ଅବସ୍ଥିତ ସୁବର୍ଣ୍ଣ ମାଇନ ବା ଖଣି ଅଞ୍ଚଳ ହେଉଛି କୋଲାର । ବାଙ୍ଗାଲୋରଠୁ ମାତ୍ର ୯୬ କିଲୋମିଟର ରାସ୍ତା, ଏଇ ଆମ ପୁରୀ କଟକ ରାସ୍ତାଠୁ ଆଉ ଟିକେ ବେଶୀ । ମାତ୍ର ଦୁଇଘଣ୍ଟା ଆଉ ପନ୍ଦର କୋଡିଏ ମିନିଟ୍ ଲାଗେ । ଥରେ ସହରର ଚାପା ଟ୍ରାଫିକ ଡେଇଁଗଲେ ତେଣିକି ଖୋଲା ରାସ୍ତାରେ ଗଡିଯାଏ ଚକ । ସେଇଟିକକ ବାଟ ଯାହା ଧୈର୍ଯ୍ଯ ଧରି ବସିବାକୁ ହୁଏ ।

କର୍ଣ୍ଣାଟକ ସରକାରଙ୍କ ତରଫରୁ ଏଠାରେ ବସ୍/ ରେଳ ବ୍ଯବସ୍ଥା ଖୁବ୍ ଭଲ । କେ.ଏସ୍.ଆର୍.ଟି.ସି ବସ୍ ସବୁ ଉଚିତ୍ ମୂଲ୍ୟରେ କୋଣ ଅନୁକୋଣରେ ପହଞ୍ଚାଇଥାନ୍ତି । ବିଭିନ୍ନ ଜାଗାର ବସ ବିଭିନ୍ନ ସଂଖ୍ୟା ଅନୁସାରେ ଚିହ୍ନିବାକୁ ହୁଏ । ସେଦିନ ସକାଳୁ ଚଞ୍ଚଳ ଉଠି ଆମେ ବାହାରିଲୁ । ବାଙ୍ଗାଲୋରକୁ ଆସିବା ପରେ ଆମେ ପ୍ରଥମଥର ଏକ ଦର୍ଶନୀୟ ସ୍ଥାନ ଦେଖିବାକୁ ଯାଉଥିଲୁ । ମୁଁ ବହୁତ ଖୁସି ଥିଲି ।

ଚଞ୍ଚଳ ଚଞ୍ଚଳ ଆମ ଘର ପାଖ ବସ୍ ଷ୍ଟପ୍ ରୁ ଆମେ ୩୩୫ ଏ ବସ୍ ଧରି ପହଞ୍ଚିଲୁ ଏଠିକାର ସବୁଠାରୁ ବଡ ବସ୍ ଜଙ୍କସନ ମାଜିଷ୍ଟିକ୍/ କେମ୍ପାଗୌଡା ବସ ଷ୍ଟାଣ୍ଡରେ । ସେଠି ବାଙ୍ଗାଲୋର ଓ ତାର ଆଖପାଖ ଅଞ୍ଚଳରେ ପ୍ରାୟ ସମସ୍ତ ଜାଗା ପାଇଁ ବସ୍ ସବୁ ଧାଡି ବାନ୍ଧନ୍ତି । ଅପେକ୍ଷା କରନ୍ତି । ଏଠାରେ ବସ ସମୟ ଅନୁସାରେ ଛାଡେ, ତେଣିକି ସେଥିରେ ଗୋଟିଏ ଲୋକ ବସିଥାଉନା କାହିଁକି । ଏଠାରେ ବସ ଗୁଡିକ ସମୟାନୁବର୍ତ୍ତୀ । ସମୟର କଟକଣାକୁ ଅଚିରେ ପାଳନ କରନ୍ତି । ଆମେ ବି କୋଲାର୍ କୁ ବାହାରୁଥିବା ବସ ପାଇଁ ଟିକଟ ଧରି ଚଢିଗଲୁ । ଯେତିକି ସିଟ୍ ସେତିକି ଲୋକ ଉଠାନ୍ତି ଏଠିକା ବସ । ଆମ ସେପଟ ପରି ଲଦିବୋହି ନୟାନ୍ତ ହୁଅନ୍ତିନି । ମହିଳାମାନଙ୍କ ପ୍ରାଧାନ୍ୟ ହେତୁ ଅଧା ବସ ଯାଏ ତାଙ୍କ ସିଟ୍ ରେ ସେମାନେ ବସନ୍ତି ଓ ପଛ ସିଟ୍ ତକ ପୁରୁଷଙ୍କର । ବସରେ ମହିଳା ସିଟ୍ ଖାଲି ପଡିଥିଲେ ସୁଦ୍ଧା ଠିଆ ହୋଇଥିବା ପୁରୁଷଟେ ସେଠି ବସିପଡେନି । ମାତୃକେନ୍ଦ୍ରିକ ଦକ୍ଷିଣ ଭାରତର ପରମ୍ପରା ତ ଏମିତି |

ବସ ରାସ୍ତାରେ ଚାଲୁଥିଲା ଆଉ ମନ ପବନରେ ଉଡୁଥିଲା । ବ୍ୟସ୍ତ ସହର ବାହାରେ ଫାଙ୍କା ବିଲ, ଜନଜୀବନ, ଭିନ୍ନ ଶୈଳୀର ଘର, ଫୁଲ ଖୋସା, ମୁନିଆଁ ମୁନିଆଁ ଶିଙ୍ଘ ବାଲା ଗାଈ ଯାହାଙ୍କର ଶିଙ୍ଘ ଅଗରେ ଲାଲ ରଙ୍ଗ ଦିଆଯାଇଥାଏ। ଏଇ ଗାଈମାନଙ୍କର ଟିକେ ଅଲଗା ପ୍ରକାର ଲମ୍ବାଳିଆ ମୁହଁ ଓ ମୁନ ପରି ଶିଙ୍ଘ, ବିରାଟ ବିରାଟ ଦେବତା ମୂର୍ତ୍ତି (ଯାହାକି ଏଠାରେ ସାଧାରଣତଃ ଦେଖାଯାଏ । ଗଣପତି, ମହାବୀର ଆଦି ଆଦି ଦେବତାଙ୍କ ମନ୍ଦିର ପ୍ରାଙ୍ଗଣରେ ତାଙ୍କରି ବିଶାଳକାୟ ସିମେଣ୍ଟର ରଙ୍ଗୀନ ମୂର୍ତ୍ତି ସବୁ) ସବୁ ଦୂରରୁ ଦୃଶ୍ୟମାନ ହେଉଥାନ୍ତି । ରାସ୍ତା ସହ ପବନର ଗପସପ ଶୁଣିବାକୁ ବଢିଆ ଲାଗୁଥାଏ । ବସ ଭିତରେ ଏପଟ ଲୋକମାନଙ୍କ କଥା ବୁଝାନପଡିଲେ ବି ଦେଖିବାକୁ ମଜା ଲାଗୁଥିଲା । ସମସ୍ତେ ଫୁଲ ନାଇଥିଲେ । ଫୁଲ ଲଗାଇବା ତାଙ୍କ ସଂସ୍କୃତି । ମୋର ବି ମନ ହେଲା । ସେମିତିରେ ମୁଁ ଖୁବ୍ ଫୁଲ ପ୍ରିୟ, ପ୍ରଜାପତି ପରି । ଅଧା ରାସ୍ତା ବୋଧେ ରାଜୀବଗାନ୍ଧୀ ସଡକ ଯୋଜନାରେ ତିଆରି ଚାଲିଥାଏ, ଆବଡ଼ାଖାବଡ଼ା ରାସ୍ତା । ବାଟ ଯାକ ଉଠପଡ଼ । ଦୋଳି ଖେଳ । କିନ୍ତୁ ବୁଲା ବାଉଳିରେ ଆଉ ଏସବୁକୁ କିଏ ଖାତିରି କରେ । କିଛି ବାଟ ଗଲା ପରେ ପୁଣି ସଜିଲ ବାଟ ଆରମ୍ଭ ହେଲା ।

ପାଖାପାଖି ଦଶଟା ହବ କି କଣ ଏସବୁ କୁହୁକବୋଳା ସମୀର ଛୁଆଁରୁ ଝିଙ୍କି ଆଣି କଣ୍ଡକ୍ଟର ଭାଇ ଆମର ହିନ୍ଦୀ, କନ୍ନଡ ଓ ଠାର ମିଶା ଭାଷାରେ କହିଲେ ହେଇଗଲା ଆମ ଗନ୍ତବ୍ଯ । ବସ୍ ଆହୁରି ଆଗକୁ ଯିବ, ବୋଧହୁଏ ସୁନାଖଣି ଓ ଅନ୍ଯାନ୍ୟ ଗ୍ରାମ ।

ସୁନାଦର ଖସିବା ଦିନୁ ୨୮ ଫେବ୍ରୁଆରି ୨୦୦୧ ମସିହାରୁ ଏହି ମାଇନିଂ ଖୋଳା ବନ୍ଦ ରହିଥିଲା ଓ ସେବେଠୁ କାମ କମ ସେପଟେ । ଭାରତର ପ୍ରଥମ ଶକ୍ତି ଉତ୍ପାଦନ ୟୁନିଟ୍ ଏଠାରେ ୧୮୮୯ ରେ ମାଇନିଂ କାମରେ ସହଯୋଗ ପାଇଁ ବସାଯାଇଥିଲା ।

ଆମେ ଦିହେଁ ଓହ୍ଲାଇଥିଲୁ ସେଇଠି । ନାସନାଲ୍ ହାଇୱେ, ଭାରତ ସରକାର । ଖରା ଯେ ଖରା, ଦିହିପହର ପରି । କୁଟିଫୁଟି ଯାଉଥାଏ, ଆଖି ମେଲି ଚାହିଁ ହେଉନଥାଏ । ସୂର୍ଯ୍ୟ ତୀର୍ଯ୍ୟକ ତୀର ଧାରଣ ପୂର୍ବକ ଘୂରୁଥାନ୍ତି ସତେ । ଦକ୍ଷିଣରେ ଖରା ଟିକେ ଏମିତି । ଆମ ଆଡେ କୋଉ କମ୍ କି ! ଅଂଶୁଘାତ ପରା ଫି’ ସାଲ ବଢୁଛି ।

ଅଦୂରରେ ଛୋଟିଆ କେବିନ ପରି ତେଜରାତି ପ୍ଲସ୍ ପାନପୁନା ଦୋକାନଟିଏ ଦିଶିଲା । କଳା ମଚମଚ ଲୋକଟି ଧଳା ଫର୍ ଫର୍ ଧୋତି ଆଉ ହାପସାର୍ଟରେ ମୋତି ପରି ଦନ୍ତପକ୍ତିରେ ହସିଦେଇ ସ୍ବାଗତ ଭଙ୍ଗୀରେ ଆମକୁ ଚାହିଁଲେ । ଆମେ ପଚାରିଲୁ "କୋଟିଲିଙ୍ଗେଶ୍ବରମ୍ କୁ ରାସ୍ତା ଆଜ୍ଞା ?" ସିଏ ପାଣି ବୋତଲଟିଏ ବଢେଇଦେଇ ହାତ ଠାରିଦେଲେ ଆଉ ଏକ ଚଲା ମାଟିପଥକୁ । ଆମେ ପାଣି ପଇସା ଦେଇ ଖରାକୁ ପଛ କରି ସେଇ ପଥ ଧରିଲୁ । ଅଳ୍ପ ବାଟ ପରେ ଲାଲ୍ ପଥରର ବିରାଟ ବାହାର ବେଢା ଦିଶିଲେ । ଚପଲ ରଖି ତଳେ ପାଦ ଥୋଇଲାରୁ ଚେଁ ଚେଁ ଫୋଟକା ଛୁଆଁ । ଟିପ ଟେକି ଛାଇକୁ ଦୌଡିଲୁ ଏକରକମ । ଦୁଇ ଚାରୋଟି ପୂଜାସାମଗ୍ରୀ ଦୋକାନ ସହ ମନୋହରୀ, ଖେଳନା ଓ ଯାତ୍ରୀମାନଙ୍କ ଆବଶ୍ୟକୀୟ ଚିଜ କିଛି ବିକୁଥିବା ଦିଶିଲେ । ନଡିଆ ଓ ଲମ୍ବା ଲମ୍ବା ଫୁଲ ମାଳ ରଜନୀଗନ୍ଧା, ଗୋଲାପ, ଗେଣ୍ଡୁ, ତୁଳସୀ, ବେଲପତ୍ର, ଓ ଏଠିକାର ବିଭିନ୍ନ କମଳା,ବାଇଗଣି ରଙ୍ଗର ଗଦା ଗଦା ଫୁଲର ମହକ ପାଦ ଗରମକୁ ଭୁଲେଇଦବାକୁ ଯଥେଷ୍ଟ ଥିଲେ । ଏପଟର ବେଲ ଓ ତୁଳସୀ ପତ୍ର ମଧ୍ୟ ଭିନ୍ନ ଦିଶିବା ସହ ସ୍ବାଦରେ କଡାପଣ ଟିକେ ବେଶୀ ଥାଏ । ହଠାତ୍ ଚିହ୍ନିହୁଏନି ।

ପାଦ ଧୋଇବା ଯାଗାରେ ପୂରା ଧୋଇ ହେଇପଡିଲୁ ଆମେ ଗଜଗଜ ବହୁଥିବା କଳପାଣିରେ । ଜୀବନ ପଶିଲା । ପୁଣି ମୁଁ କୁନିପିଲା ପରି ଏଇଟା ସେଇଟା ଦେଖିବି, ନେବି ଆଦିର ତାଲିକା ଗୋଟେଇଲି । ଇୟେ "ଦର୍ଶନ ସାରି ଆସ, ନେବା ।" କହି ଆଗେଇଲେ ମୋ ହାତ ଧରି । ସୁନା ଝିଅ କଥାମାନିଲା ପରି ଚାଲିଲି ।

ମନ୍ଦିରର ମୁଖ୍ୟ ଦ୍ବାର ଅଳ୍ପ ଉଚ୍ଚ ଥିଲା । ପିତଳ କବାଟ, ଦୁଇଫାଳିଆ । କାମ ସୁନ୍ଦର । କାରୁକାର୍ଯ୍ୟରେ ମଣ୍ଡିତ । ଦକ୍ଷିଣ କାରୁକଳାର ନିଦର୍ଶନ । ଚାରିଆଡେ ଫୁଲର ସାଜସଜ୍ଜା । ଲମ୍ବା ସବୁଜ କାର୍ପେଟ ପଡିଛି ଭିତର ବେଢା ଯାଏ । ଛୋଟ ନନ୍ଦୀଙ୍କ ପିଠିରେ ମୁଣ୍ଡ ଲଗେଇ ଟିକିଏ ଆଗକୁ ଯାଇ ଯାହା ଦେଖିଲୁ ଆଶ୍ଚର୍ଯ୍ୟର ସୀମା ନଥିଲା । ଯୁଆଡେ ବେକ ବୁଲାଅ ଶିବଲିଙ୍ଗ । ଛାତ, ବନ୍ଧ, ପ୍ରାଚୀର, ଖମ୍ବ, କାନ୍ଥ ସବୁଆଡେ । ସାନ ବଡ ଅନେକ ଆକୃତି, ମୁଗୁନି, ସ୍ପଟିକ, ବିଭିନ୍ନ ଧାତୁ ଓ ପ୍ରସ୍ତରର ଶିବଶମ୍ଭୁ ସବୁଆଡେ । ଫୁଲ ବେଲପତ୍ରରେ ଅଜାଡିହେଇ ହସୁଥାନ୍ତି । ଏକା ସାଙ୍ଗେ ସହସ୍ର ଶିବଲିଙ୍ଗ ଚତୁର୍ଦିଗେ । ସବୁଠି ତୁମେ ନିଜେ ପୂଜା କରି ପାରିବ ନିଜ ଅନୁସାରେ ଅଭିଷେକ ଓ ଫୁଲପତ୍ର ଭୋଗ ନୈବେଦ୍ଯ ବାଢିପାରିବ । ଆମ ସେପଟ ପରି କଟକଣା ନଥାଏ । ଆମେ ତ ଶିବଶମ୍ଭୁଙ୍କୁ ଭକ୍ତି ସହ ଅବଚେତନ ମନରେ ଏକ ସୂକ୍ଷ୍ମ ଭୟ ବି କରୁ ଯାହା ମୋର ଧାରଣା ।

ଯୋଡ ହସ୍ତରେ ପ୍ରାର୍ଥନା କରି ଓମ୍ ନମଃ ଶିବାୟ, ନମଃ ଶିବାୟ ଜପୁଥାଉ ଆମେ ବେଢା ସାରା ବୁଲୁବୁଲୁ । ଚାରିପଟେ ସବୁଜ ପାରଦର୍ଶୀ ଆଜବେଷ୍ଟ ପକାଯାଇଥାଏ ଖରାରୁ ରକ୍ଷା ପାଇଁ । ଖରାକୁ ଗଲେ ଖରା କାଟୁଥାଏ ସିନା ମାତ୍ର ପବନ ବି ଖୁବ୍ ଜୋର୍ ଦେଉଥାଏ । ଆମେ ସଂପୂର୍ଣ୍ଣ ବେଢା ବୁଲିଲୁ । ମତେ ଲାଗୁଥାଏ କୈଳାସମଣ୍ଡଳେ ସତେ ଅଛୁ ଆମେ । କାଳେ କୋଉଠି ପ୍ରଭୁଙ୍କଠି ବାଜିଯିବ ସାବଧାନ ହେଇ ଚାଲୁଥାଉ । ଗୋଟିଏ ଅଁଳା ଗଛ ପାଖରେ ସ୍ବର୍ଣ୍ଣାଭରଣ କାନ୍ଥ ବେଢା ମୁଖ୍ୟ ଶିବମନ୍ଦିରରେ ପ୍ରବେଶ କଲୁ । ଦକ୍ଷିଣରେ ଶିବଲିଙ୍ଗ ଉପରେ ବିଭିନ୍ନ ଧାତୁ (ପିତଳ,ସୁନା,ଚାନ୍ଦି,ତମ୍ବା ଆଦି)ର ମୁଖା ଯେଉଁ ଥିରେ ମନୁଷ୍ୟ ସମ ମୁଖଚିତ୍ର ଅଙ୍କିତ ହୋଇଥାନ୍ତି ଏବଂ ଶିବଶମ୍ଭୁଙ୍କର ବହଳ ମୋଟ ସୁନ୍ଦର ସଯତ୍ନେ ଦି କର ମୋଡା ନିଶ ଏବଂ ସ୍ଥାନ ବିଶେଷରେ ଶୁଶ୍ରୁ ମଧ୍ୟ ଖୋଦିତ ଅଥବା ଅଙ୍କିତ ହୁଅନ୍ତି । ଚକ୍ଷୁ ଦ୍ବୟ ଅତିଉଜ୍ବଳ ହୀରାର ଭ୍ରମ ସୃଷ୍ଟି କରୁଥିବା ଚକ୍ ଚକ୍ ଧଳା ପଥର ବସା କାମରେ ତିଆରି ହୋଇ ମୁଖକୁ ଜୀବନ୍ତ ଦୃଶ୍ଯମାନ କରାନ୍ତି । ଏଠାରେ ମନ୍ଦିର ସବୁରେ ପୁଷ୍ପ ସାଜସଜ୍ଜାର ମହତ୍ତ୍ଵ ଅଧିକ ଏବଂ ଏହା ମନଲୋଭା । ବହୁତ ସୁନ୍ଦର କରି ସଜେଇ ପାରନ୍ତି । ଅଭିଷେକ ପାଇଁ ଜଳ, ମହୁ, ଅକ୍ଷତ, ପଇଡ, ଦଧି, ଦୁଗ୍ଧ, ଭସ୍ମ, କର୍ପୂର,ଘୃତ ଆଦି ଆଦି ମଧ୍ୟ ବ୍ଯବହୃତ ହୁଅନ୍ତି ।

ଈଶ୍ବରଙ୍କର ଦର୍ଶନ ପରେ ଦେଖିଲୁ ମନ୍ଦିର ସଂଲଗ୍ନ ଗଛଟିର ଡାଳରେ ସହସ୍ର ସହସ୍ର ଦୋଳାୟମାନ କୁନି କୁନି କାଠର ଝୁଲଣା ଯେଉଁଥିରେ ଶିଶୁ କଣ୍ଢେଇରୁ ଗୋଟିଏ, ଦିଇଟି, ତିନୋଟି ରଖାଯାଇ ପୂଜା କରାଯାଇଛନ୍ତି । ଆମ ଦେଖିବାରେ ମଧ୍ୟ ଦୁଇଜଣ ଦମ୍ପତି ନୂତନ ଦୋଳା ଦିଟି ଆଣି ବିଧିମତେ ପୂଜା ସଂପାଦନ କରି ଗଛ ଡାହିରେ ବାନ୍ଧିଲେ । ମୋର ଆଗ୍ରହୀ ଓ କୌତୁହଳୀ ଦୃଷ୍ଟିକୁ ଅନୁମାନ କରି ପୂଜାରୀ ଆମକୁ ମଧ୍ୟ ଠାରିଲେ ଓ କନ୍ନଡରେ ବୁଝାଇବାରେ ଲାଗିଲେ ଯେ, ଏହି ବୃକ୍ଷ ସନ୍ତାନ ପ୍ରଦାୟିନି । ମାନସିକ କରି ଏଠାରେ ତୁମେ ଝୁଲଣାରେ ଯେତୁଟି କଣ୍ଢେଇ ବସେଇଯିବ ସେତିକିଟି ସନ୍ତାନ ତୁମର ଗୃହ ମଣ୍ଡନ କରିବେ ଏବଂ ପରେ ତୁମେ ଉକ୍ତ ସନ୍ତାନ ସହ ଆସି ପୁନଶ୍ଚ ପୂଜାର ପୂର୍ଣ୍ଣାହୁତି ଦେବ । ମାନସିକ ପୂରା ହେଲେ ତୁମ ଝୁଲଣାଟି ତୁମେ ଚିହ୍ନି ଖୋଲି ଈଶ୍ବରଙ୍କୁ ସମର୍ପିବ ।

ତାଙ୍କ ଠାର ଠାର ମିଶାମିଶି ଭାଷା ଓ ବୁଝେଇବାର ଅଙ୍ଗଭଙ୍ଗୀରୁ ମୁଁ ଏତକ ଠଉରେଇଲି ଓ ତୁରନ୍ତ ମନଖୁସିରେ ଏକ ଝୁଲଣ ବାନ୍ଧିଲି, କେବଳ ଖୁସି ପାଇଁ । ମାନସିକ କରି ନୁହେଁ । ପ୍ରାରବ୍ଧ ଓ କର୍ମ ଅନୁସାରେ ଫଳ ଭୋଗ ତ ନିଶ୍ଚିତ ତେବେ ବି ଆମ ସଂସ୍କୃତି କହେ, "ମହେଶ୍ବର ଅକର୍ମ କର୍ମଦାୟକ" । ଭାଗ୍ଯ ଉପରେ ଯଦି ବିଶ୍ବାସ ଥାଏ ତେବେ ସେହି ତାକୁ ବଦଳେଇଦେବାର କ୍ଷମତା ରଖନ୍ତି । ଅନ୍ଯ କେହି ନୁହେଁ ।

୧୫ ଏକର ପରିମିତ ଜମିରେ ଲକ୍ଷ ଲକ୍ଷ ଶିବଲିଙ୍ଗ ଙ୍କ ମଝିରେ ପ୍ରତିଷ୍ଠିତ ହୋଇଥାନ୍ତି ବିଶ୍ବର ସର୍ବବୃହତ୍, ଏସିଆ ପ୍ରସିଦ୍ଧ ଶିବଲିଙ୍ଗ ଯାହାଙ୍କର ଉଚ୍ଚତା ୩୩ ମିଟର ବା ୧୦୮ ଫୁଟ । ତାଙ୍କ ସମ୍ମୁଖରେ ଆଣ୍ଠୁ ମାଡି ଉପବେଶିତ ନନ୍ଦୀଶିରୋମଣି, ଯାହାଙ୍କର ଉଚ୍ଚତା ୩୫ ଫୁଟ ବା ୧୧ମିଟର । ନନ୍ଦୀ ବସିଥିବା ବଇଠି ପିଢାଟିର ଲମ୍ବ, ଚଉଡା ଏବଂ ଉଚ୍ଚତା ଯଥା କ୍ରମେ ୬୦ଫୁଟ (୧୮ମି),୪୦ଫୁଟ(୧୨ମି),୮ଫୁଟ(୧. ୨ମି) ଅଟନ୍ତି । ମନ୍ଦିରର ଚତୁଃପାର୍ଶ୍ବେ ଏଗାର ଗୋଟି ପାର୍ଶ୍ବ ଦେବଦେବୀ ରହିଛନ୍ତି ଯାହାଙ୍କର ଉଚ୍ଚତା ଏକ ଫୁଟରୁ ତିନି ଫୁଟ ମଧ୍ୟରେ ବୋଲି ଜଣାଯାଏ । ଏତେ ସଂଖ୍ୟକ ଶିବଲିଙ୍ଗ ଙ୍କର ନୀତିକାନ୍ତି ଓ ଅନ୍ଯାନ୍ୟ ନିତ୍ଯ ବ୍ଯବହାର୍ଯ୍ଯ ଆବଶ୍ୟକୀୟ ଜଳବ୍ଯବସ୍ଥା ପାଇଁ ଏକ ବିରାଟକାୟ ପାଣି ଟାଙ୍କି ରହିଅଛି । ଏତଦ୍ ବ୍ୟତୀତ ଏକ ଅତିଥିଶାଳା, ବିବାହମଣ୍ଡପ, ଧ୍ଯାନକକ୍ଷ, ପ୍ରଦର୍ଶନୀ କକ୍ଷ, ଯାତ୍ରୀ ଏବଂ ଶ୍ରଦ୍ଧାଳୁ ଅଭ୍ଯାଗତଙ୍କ ପାଇଁ ପ୍ରସାଦ ବଣ୍ଟନ କକ୍ଷ ଆଦି ମଧ୍ୟ ରହିଛି । ବିଶ୍ବାସ ଅନୁଯାୟୀ ଏଠାରେ ଏକ କୋଟି ଲିଙ୍ଗ ରହିଥିବାର କୁହାଗଲେ ମଧ୍ୟ ଗଣନା କହେ ଏଠାର ଶିବଲିଙ୍ଗ ସଂଖ୍ୟା ନବେ ଲକ୍ଷ । ଏହି ସ୍ଥାନକୁ ଧର୍ମସ୍ଥଳୀ ନାମରେ ମଧ୍ୟ ଅଭିହିତ କରାଯାଏ । ବହୁ ମାନ୍ଯ ଏହି ସ୍ଥାନର ।

ଭାରତ ମାଟିର ରେଣୁ ରେଣୁରେ କିମ୍ବଦନ୍ତୀ, ଗଳ୍ପ । ଏହି ପ୍ରସିଦ୍ଧ ଶୈବପୀଠ ମଧ୍ୟ ବହନ କରେ ତାର ପ୍ରତିଷ୍ଠା ଓ ନାମକରଣକୁ ନେଇ ଏକ ରୋଚକ ଓ ରୋମାଞ୍ଚକର ଗଳ୍ପ । ଗଳ୍ପଟି ଏହିପରି ....