କଅଁଳିଆ ସୂର୍ଯ୍ୟ କିରଣରେ ସମୟ ଅତିବାହିତ କରିବାକୁ କିଏ ବା ନ ଚାହେଁ । ଆପଣଙ୍କ ପରିବାର ବନ୍ଧନର ଦୃଢତା, ମନୋବଳ ବୃଦ୍ଧି ଏବଂ ବହୁ ଆବଶ୍ୟକୀୟ ଭିଟାମିନ୍ ଡି ପାଇବା ପାଇଁ ସୂର୍ଯ୍ୟକିରଣରେ ସମୟ ଅତିବାହିତ କରିବା ଅତ୍ୟନ୍ତ ଉତ୍ତମ ଅଟେ । କିନ୍ତୁ ଖରା ବା ସୂର୍ଯ୍ୟ କିରଣରେ ବସିବା ଏତେ ସହଜସାଧ୍ୟ ନୁହେଁ, କାରଣ ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ଅଲଟ୍ରା ଭାଓଲେଟ ରଶ୍ମି (ୟୁଭି କିରଣ) ଆମ ଚର୍ମ ପାଇଁ ବିପଦ ସୃଷ୍ଟି କରେ । ତରଙ୍ଗ ଦୈର୍ଘ୍ଯ ଆଧାରରେ ୟୁଭି ରଶ୍ମିକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି । କ୍ଷୁଦ୍ର ୟୁଭି ରଶ୍ମିଗୁଡ଼ିକ ଓଜୋନ୍ ସ୍ତର ଦ୍ୱାରା ଶୋଷିତ ହୁଏ, ତେଣୁ ଏହା ୟୁଭି ବିକିରଣ ୟୁଭିଏ ଏବଂ ଆଂଶିକ ୟୁଭିବି ଆକାରରେ ଆପଣଙ୍କ ଶରୀର ନିକଟରେ ପହଞ୍ଚିଥାଏ । ୟୁଭିବି ରଶ୍ମି କେବଳ ଆପଣଙ୍କ ଚର୍ମର ବାହ୍ୟ ସ୍ତରରେ ପ୍ରବେଶ କରେ, କିନ୍ତୁ ୟୁଭିଏ ରଶ୍ମି ସେମାନଙ୍କର ଲମ୍ବା ତରଙ୍ଗ ଦୈର୍ଘ୍ଯ ହେତୁ ଶରୀରର ଗଭୀର ସ୍ତରରେ ପ୍ରବେଶ କରନ୍ତି । ୟୁଭିବି ରଶ୍ମି ଅତିରିକ୍ତ ପ୍ରଦାହ ଏବଂ କ୍ଷତି ଘଟାଇପାରେ (ଯେମିତିକି କି ସନବର୍ଣ୍ଣ ) ଏବଂ ୟୁଭିବି ରଶ୍ମି ଅଧିକ ଗୁରୁତର ଆଘାତ ଏବଂ ସେଲ୍ୟୁଲାର୍ ପରିବର୍ତ୍ତନ ହେବାର ଆଶଙ୍କା ସୃଷ୍ଟି କରିପାରେ । ମାତ୍ର ସନସ୍କ୍ରିନରେ ଥିବା ସକ୍ରିୟ ଉପାଦାନ ବା ଏସପିଏଫ କ୍ଷତିକାରକ ୟୁଭି କିରଣରୁ ରକ୍ଷା କରିଥାଏ ।

ସନସ୍କ୍ରିନ ବ୍ଯବହାରର ଫାଇଦା:

ସନସ୍କ୍ରିନର ଫାଇଦା ବହୁ ଅଧିକ ରହିଛି । ଏହା ଚର୍ମ କର୍କଟ ଆଶଙ୍କାକୁ ହ୍ରାସ କରେ । ଏସପିଏଫ ୧୫ ସନସ୍କ୍ରିନର ନିୟମିତ ବା ଦୈନିକ ବ୍ୟବହାର ଦ୍ୱାରା ସ୍କ୍ୱାମସ୍ ସେଲ୍ କାରସିନୋମା (SCC) ହେବାର ଆଶଙ୍କା ପ୍ରାୟ ୪୦% ହ୍ରାସ ହୋଇଥାଏ ଏବଂ ମେଲାନୋମା ବିପଦକୁ ୫୦% ହ୍ରାସ କରାଯାଇପାରେ ।

ସେହିପରି ସନସ୍କ୍ରିନର ବ୍ୟବହାର ଦ୍ୱାରା ସୂର୍ଯ୍ୟକିରଣ କାରଣରୁ ସମୟ ପୂର୍ବରୁ ତ୍ବଚାରେ ପଡି ଆସୁଥିବା ଭାଙ୍ଗ, କୁଣ୍ଡେଇ ହେବା ଆଦିରୁ ରକ୍ଷା ମିଳିବା ସହ ତ୍ୱଚା ସତେଜ ରହିଥାଏ ।

ସନସ୍କ୍ରିନର ପ୍ରକାର:

  1. ରାସାୟନିକ ସନସ୍କ୍ରିନ: ଏହି ସନସ୍କ୍ରିନଗୁଡିକ ଅବଶୋଷିତ ହୋଇ ଆପଣଙ୍କ ଚର୍ମର ଗଭୀର ସ୍ତରରେ ଅବସ୍ଥାନ କରେ । ଯାହା ୟୁଭି ରଶ୍ମିକୁ ଅବଶୋଷଣ କରି କିରଣକୁ ଉତ୍ତାପରେ ପରିଣତ କରେ ଏବଂ ପରବର୍ତ୍ତୀ ସମୟରେ ସେଗୁଡିକ ଶରୀରରୁ ମୁକ୍ତ କରେ । ଏହି ସନସ୍କ୍ରିନଗୁଡିକରେ ଆଭୋବେଞ୍ଜୋନ୍, ଅଷ୍ଟିନୋକ୍ସେଟ୍ ଏବଂ ଅକ୍ସିବେଞ୍ଜୋନ୍ ମୁଖ୍ୟ ଉପାଦାନ ଭାବେ ରହିଥାଏ ।

  2. ମିନେରାଲ୍ ସନସ୍କ୍ରିନ: ଏହା ଚର୍ମର ଉପରି ଭାଗରେ ପ୍ରୟୋଗ ହେଲେ ମଧ୍ୟ ଏହା ଭିତରୁ ସୂର୍ଯ୍ୟ-ବ୍ଲକ ଭାବରେ କାର୍ଯ୍ୟ କରିଥାଏ ଏବଂ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିଥାଏ । ଏହି ବର୍ଗର ସନସ୍କ୍ରିନରେ ଟାଇଟାନିୟମ୍ ଡାଇଅକ୍ସାଇଡ୍ ଏବଂ ଜିଙ୍କ ଅକ୍ସାଇଡ୍ ମୁଖ୍ୟ ସକ୍ରିୟ ଉପାଦାନ ଭାବେ ରହିଥାଏ । ଏହି ସନସ୍କ୍ରିନ ପ୍ରୟୋଗ କରିବା ଦ୍ୱାରା ସୂର୍ଯ୍ୟଙ୍କ ହାନିକାରକ କିରଣରୁ ରକ୍ଷା ମିଳିଥାଏ । ଏହି ସନସ୍କ୍ରିନ ୟୁଭିଏ ଏବଂ ୟୁଭିବି କିରଣରୁ ମଧ୍ୟ ସୁରକ୍ଷା ଦେଇଥାଏ ।

  3. ଜଳପ୍ରତିରୋଧକ ସନସ୍କ୍ରିନ: ଏହି ସନସ୍କ୍ରିନଗୁଡିକ ଜଳ ଦ୍ୱାରା ପ୍ରଭାବିତ ହୋଇନଥାନ୍ତି । ଯଦି ଆପଣ ସନ୍ତରଣ କରୁଛନ୍ତି, ସେଇ ସମୟରେ ଏହି ସନସ୍କ୍ରିନର ଉପଯୋଗ କରିପାରିବେ । ତେବେ କୌଣସି ବି ଉତ୍ପାଦ ଶହେ ପ୍ରତିଶତ ଜଳପ୍ରତିରୋଧକ ନୁହେଁ, ତେବେ ଏହା ଅଧିକାଂଶରେ ୱାଟରପ୍ରୁଫ ଭାବେ କାର୍ଯ୍ୟ କରେ ।

ସନସ୍କ୍ରିନର ସଠିକ ଚୟନ କିପରି କରିବେ ଜାଣନ୍ତୁ

ସନସ୍କ୍ରିନର ପ୍ରଭାବ ବିଭିନ୍ନ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ । ଆପଣଙ୍କୁ ସୁସ୍ଥ ଏବଂ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ମୁକ୍ତ ରଖିବା ପାଇଁ କିଛି ମୌଳିକ ନିର୍ଦ୍ଦେଶାବଳୀ ନିମ୍ନରେ ଦିଆଯାଇଛି -

  • ଉପାଦାନର ଯାଞ୍ଚ କରନ୍ତୁ

ସନସ୍କ୍ରିନର ବ୍ୟବହାର ପୂର୍ବରୁ ଏହାର ଉପାଦାନର ଯାଞ୍ଚ କରିବା ଆବ୍ୟଶକ । କ୍ଲିନିକାଲ୍ ନିରାପତ୍ତା ଏବଂ ପ୍ରଭାବଶାଳୀ ପାଇଁ ସର୍ବାଧିକ ଅଧ୍ୟୟନ କରାଯାଇଥିବା ମିନେରାଲ ସନସ୍କ୍ରିନ ମଧ୍ୟରେ ଜିଙ୍କ ଅକ୍ସାଇଡ୍ ଏବଂ ଟାଇଟାନିୟମ୍ ଡାଇଅକ୍ସାଇଡ୍ ରହିଛି । ଆପଣ ଯେକୌଣସି ଦୋକାନ କିମ୍ବା ମେଡ଼ିକାଲ ଷ୍ଟୋରରେ ଏହାର ସର୍ବାଧିକ ବିକଳ୍ପ ପାଇ ପାରିବେ ।

  • ଲୋସନ ବ୍ୟବହାର କରନ୍ତୁ

ଯଦିଓ ସନସ୍କ୍ରିନର ସ୍ପ୍ରେ ବ୍ୟବହାର ପାଇଁ ଅଧିକ ସହଜ, ତେବେ ନିଶ୍ୱାସ ଏବଂ ଫୁସଫୁସ ଜନିତ ସମସ୍ୟାକୁ କମ୍ କରିବା ପାଇଁ ଲୋସନ ଯୁକ୍ତ ସନସ୍କ୍ରିନକୁ ଚୟନ କରିବା ବୁଦ୍ଧିମାନର କାମ ।

  • ଏସପିଏଫ (SPF) ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ

ଏସପିଏଫ ହେଉଛି ଏକ ସଂଖ୍ୟା, ଯାହା ଉତ୍ପାଦଟି ଆମକୁ ୟୁଭିବି ରଶ୍ମିରୁ କେତେ ପରିମାଣରେ ରକ୍ଷା କରିପାରିବ ସେନେଇ ସୂଚନା ରହିଥାଏ । ମାତ୍ର ଏସପିଏଫ ରେଟିଂ ବା ମୂଲ୍ୟାଙ୍କନ ପ୍ରାୟ ସମୟରେ ଆମକୁ ଭ୍ରମରେ ପକାଇଦେଇପାରେ । ତେବେ କମ ରେଟିଂ ଥିବା ଏସପିଏଫ୍ ଉତ୍ପାଦ ହୋଇଥିଲେ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷା ପାଇବା ପାଇଁ ସନସ୍କ୍ରିନର ବ୍ୟବହାରିକ ପ୍ରୟୋଗ ଦ୍ୱାରା ଏହାର ଗୁଣବତ୍ତାର ପରୀକ୍ଷା କରାଯାଇପାରେ ।

  • ଉତ୍ତମ ରୂପେ ଏହାର ପ୍ରୟୋଗ କରନ୍ତୁ

ଏହାର ସର୍ବୋତ୍କୃଷ୍ଟ ଫାଇଦା ପାଇବା ପାଇଁ ମିନେରାଲ ସନସ୍କ୍ରିନର ଏକ ଆସ୍ତରଣ ତୁରନ୍ତ ପ୍ରୟୋଗ କରନ୍ତୁ । ସେହିପରି ବାହାରକୁ ଯିବା ବା ସୂର୍ଯ୍ୟ ରଶ୍ମିର ସଂସ୍ପର୍ଶରେ ଆସିବାର କୋଡିଏ ମିନିଟ ପୂର୍ବରୁ ରାସାୟନିକ ସନସ୍କ୍ରିନର ବ୍ୟବହାର କରନ୍ତୁ ।

  • ପୁନର୍ବାର ପ୍ରୟୋଗ କରନ୍ତୁ

ପ୍ରତ୍ୟେକ ସନସ୍କ୍ରିନ କିଛି ସମୟ ପରେ ପୋଛି ହୋଇଯାଇଥାଏ । ତେଣୁ ଅତି କମରେ ପ୍ରତି ଦୁଇ ଘଣ୍ଟାରେ ଥରେ ସନସ୍କ୍ରିନର ବ୍ୟବହାର କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣ ସନ୍ତରଣ କରୁଛନ୍ତି କି ଝାଳରେ ଓଦା ହୋଇଯାଇଛନ୍ତି, ତେବେ ଆଉଥରେ ସନସ୍କ୍ରିନକୁ ବ୍ୟବହାର କରନ୍ତୁ ।

ତେବେ ସ୍ପଷ୍ଟ ଭାବରେ ବୁଝିବାକୁ ହେବ ଯେ, ସନସ୍କ୍ରିନର ଉପଯୁକ୍ତ ବ୍ୟବହାର ଏବଂ ପ୍ରୟୋଗ ଦ୍ୱାରା ୟୁଭି ରଶ୍ମିର କ୍ଷତିକାରକ ପ୍ରଭାବକୁ ରୋକାଯାଇପାରିବ । ତେବେ ସୂର୍ଯ୍ୟଙ୍କ ବିକିରଣକୁ ଏଡାଇବା ପାଇଁ ଆପଣ କେବଳ ସନସ୍କ୍ରିନ ଉପରେ ନିର୍ଭର କରିବା ଉଚିତ୍ ନୁହେଁ । ଏଥିପାଇଁ ଆପଣ ସୂର୍ଯ୍ୟରଶ୍ମି ପ୍ରତିରୋଧକ ପୋଷାକ ଏବଂ ଛାଇ ଦ୍ୱାରା ସୂର୍ଯ୍ୟଙ୍କ ୟୁଭି ରଶ୍ମିଠାରୁ ରକ୍ଷା ପାଇପାରିବେ ।

Translated from Know Your Sunscreens