ଧର୍ମର ମାସ କାର୍ତ୍ତିକ । ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି । ଏହି ମାସରେ ଦୀପ ଦାନ ମହାପୁଣ୍ୟ ବୋଲି ବିଚାର କରାଯାଏ । ଏହି ମାସ ସାରା ଦୀପ ଦାନ କରିବାର ନିୟମ ରହିଛି । ମାସ ସାରା ଦୀପ ଦାନ କରିବା ଦ୍ୱାରା ଧର୍ମ ବୃଦ୍ଧି ହୋଇଥାଏ । ତେବେ ପାଞ୍ଚ ପ୍ରକାରର ଦୀପ ଦାନ କରିବାର ନିୟମ ରହିଛି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ସେଗୁଡ଼ିକ ହେଲା - କୂଳଦୀପ, ଅଖଣ୍ଡଦୀପ, ଶିଖରଦୀପ, ମହାଦୀପ ଓ ଆକାଶଦୀପ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆକାଶଦୀପ ଜଳାଯାଇଥାଏ । ଆକାଶଦୀପ ଆମ ଓଡ଼ିଆ ସଂସ୍କୃତିର ଏକ ଧାର୍ମିକ ସଙ୍କେତ ।

ତେବେ ଆସନ୍ତୁ ଜାଣିବା ଏହି ଆକାଶଦୀପ କ’ଣ ? ପରମ୍ପରା ଅନୁସାରେ, ଏକ ଛିଦ୍ରୁଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ୱଳିତ ଦୀପ ରଖି, ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁଉଚ୍ଚ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ, ଯାହାକୁ ଆକାଶଦୀପ କୁହାଯାଏ । ଏହାକୁ ମାସ ସାରା ଜଳାଇ ରଖିବାକୁ ହୋଇଥାଏ । ଆକାଶଦୀପ ପାଇଁ ଏକ ଅଠର ହାତ ଲମ୍ବର ବାଉଁଶର ଆବଶ୍ୟକତା ହୋଇଥାଏ । ବରକୋଳି ଡାଳ, ଗୁଆ, ହରିଡ଼ା, କଳା ମାଟିହାଣ୍ଡି, ଦଉଡ଼ି, ଦୀପ, ବାଲି, ସଳିତା, ଘିଅ ଆବଶ୍ୟକ ହୋଇଥାଏ । ମାଟି ହାଣ୍ଡିରେ ବିଧିଅନୁସାରେ ଏକୋଇଶଟି ରନ୍ଧ୍ର କରାଯାଇଥାଏ । ପ୍ରଥମେ ଦୀପକୁ ପୂଜାର୍ଚ୍ଚନା କରାଯିବା ପରେ ସେହି ରନ୍ଧ୍ରଯୁକ୍ତ ମାଟିହାଣ୍ଡି ଭିତରେ ଦୀପ ସ୍ଥାପନ କରାଯାଇଥାଏ । ଦଉଡ଼ିରେ ବନ୍ଧା ଯାଇଥିବା ଶିକାରେ ଏହି ମାଟିହାଣ୍ଡିକୁ ରଖାଯାଇଥାଏ । ଅଗ୍ରଭାଗରେ ନାଲି ଛିଟକନା ଉପରେ କଉଡ଼ି, ଗୁଆ, ହରିଡ଼ା ଗୁଡ଼ାହୋଇ ବନ୍ଧା ହୋଇଥାଏ । ପୁରୋହିତ ଦଉଡ଼ି ସାହାଯ୍ୟରେ ଆକାଶଦୀପକୁ ବାଉଁଶର ଅଗ୍ରଭାଗକୁ ଉଠାଇଥାନ୍ତି । ଅନ୍ଧାର ରାତିରେ ମାଟିହାଣ୍ଡି ଭିତରେ ଜଳୁଥିବା ଆକାଶଦୀପଟିର ଆଲୋକ ଶିଖା ବହୁ ଦୂରକୁ ମାଟିହାଣ୍ଡିର ରନ୍ଧ୍ର ଯୋଗୁ ଦିଶୁଥାଏ । ପ୍ରଜ୍ୱଳିତ ଦୀପଟି ଦୀର୍ଘ ସମୟ ଜଳିରହେ । ଆକାଶଦୀପ ପ୍ରଜ୍ୱଳନରେ ଦେବତାମାନେ ବି ସନ୍ତୁଷ୍ଟ ହୋଇଥାନ୍ତି । କାଳେ କେହି ପକ୍ଷୀ ବସି ସେଇ ଦୀପରେ ମଳତ୍ୟାଗ ନ କରିବ ସେଥିପାଇଁ ଏହି ଆକାଶଦୀପ ଉପରେ ଏକ ବରକୋଳି ଡାଳ ବନ୍ଧାଯାଇଥାଏ ।

ଆକାଶଦୀପ ଦାନକୁ ନେଇ ଏକ ରୋଚକ କାହାଣୀ ରହିଛି - ଏକଦା ଜଣେ ଦୁଷ୍ଟ, ଦୁରାଚାରିଣୀ ବ୍ରାହ୍ମଣୀ ଥିଲା । ତାର ଏପରି କର୍ମ ପାଇଁ ତା ସ୍ୱାମୀ ମୃତ୍ୟବରଣ କଲେ । ସ୍ୱାମୀର ମୃତ୍ୟ ପରେ ବି ସେ ସେପରି କର୍ମରୁ କ୍ଷ୍ରାନ୍ତ ନ ହୋଇ ପୂର୍ଵଵତ ସେପରି କର୍ମରେ ବୁଡି ରହିଲେ, ପାପାଚାର ଅଧିକ ହେବାରୁ ସେ ଅନ୍ତ ସମୟରେ ବହୁ ଦୁଃଖ ଭୋଗ କଲେ । ସେଇ ସମୟରେ ଜଣେ ତୀର୍ଥାଚାରୀ ବ୍ରାହ୍ମଣ ତାଙ୍କର ଆଶ୍ରିତ ହେଲେ, ତାଙ୍କର ସମସ୍ତ କାହାଣୀ ଶୁଣି ତାଙ୍କ ଉପରେ ଦୟା କରି ତାଙ୍କୁ ଆକାଶଦୀପ ଦାନର ମାହାତ୍ମ୍ୟ କହିଲେ । ଭଗବାନ ବିଷ୍ଣୁଙ୍କ କୃପା ପାଇଁ ଏକମାସ ବ୍ୟାପୀ ଦୀପଦାନ କରିବା ପାଇଁ ଉପଦେଶ ଦେଲେ । ବ୍ରାହ୍ମଣୀ ବ୍ରାହ୍ମଣଙ୍କ କଥା ମାନି ଯଥାବିଧି କାର୍ଯ୍ୟ କଲେ, ଫଳରେ ସେ ମୋକ୍ଷ ପାଇପାରିଲେ ।

ଦୀପ ଦାନ କରିବା କାର୍ତ୍ତିକ ବ୍ରତର ଏକ ଅଵିଚ୍ଛେଦ୍ୟ ଅଙ୍ଗ । ଏହି ଆକାଶଦୀପ ଆତ୍ମା ପରମାତ୍ମା ମଧ୍ୟରେ ଏକ ସମ୍ପର୍କ ସ୍ଥାପନର ପ୍ରତୀକ ବୋଲି କୁହାଯାଏ । ଏହି ଆକାଶଦୀପ ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା କୃପା ପାଇଁ ପ୍ରଜ୍ୱଳନ କରାଯାଇଥାଏ । ଅପରପକ୍ଷରେ ପୂର୍ବକାଳରେ ଆମର ସାଧବମାନେ ସମୁଦ୍ରରେ ଥିବାବେଳେ ଏଇ ଆକାଶଦୀପର ଆଲୋକ ଦେଖି ସେମାନଙ୍କର ଗତିପଥ ସ୍ଥିର କରୁଥିଲେ । ଏହି ଆକାଶଦୀପକୁ କେହି କେହି ମାସ ସାରା ତ କେହି ଦୀପାବଳିଠାରୁ ୧୫ଦିନ ପର୍ଯ୍ୟନ୍ତ, ପୁଣି ଆଉ କେତେକ ଅଁଳା ନବମୀଠାରୁ ନବଦିନ ଓ ଆଉ କେହି କେହି ପଞ୍ଚୁକ ପାଞ୍ଚଦିନ ଜାଳିଥାଆନ୍ତି ।