ସକାଳୁ ସକାଳୁ ଗରମା ଗରମ କଫି ପିଇବାକୁ ଅନେକ ପସନ୍ଦ କରନ୍ତି । ସକାଳର ଚା ପରି ଅନେକଙ୍କର କଫି ବେଶ୍ ପସନ୍ଦ । ସକାଳୁ ସକାଳୁ କଫି ପିଇ ସେମାନେ ନିଜର ଦିନ ଆରମ୍ଭ କରନ୍ତି । କେହି କେହି କର୍ମବ୍ୟସ୍ତତା ଭିତରେ ଟିକେ ସତେଜତା ଆଣିବା ପାଇଁ କଫି ପିଇଥାନ୍ତି । ପ୍ରାୟତଃ ଅଫିସଗୁଡିକରେ କଫି ଟିକେ ବେଶୀ ପ୍ରଚଳନ । ଚା’କୁ ନେଇ ଭାରତୀୟମାନେ ଯଦିଓ ବେଶ୍ ସମ୍ବେଦନଶୀଳ, ତଥାପି ଆଧୁନିକ ଜୀବନଶୈଳୀରେ କଫି ଏବେ ବେଶ୍ ଲୋକପ୍ରିୟ ହୋଇପଡିଛି । ଭାରତୀୟଙ୍କ ଲୋକପ୍ରିୟ ପାନୀୟ ଭିତରେ ଯଦିଓ ଚା ପ୍ରଥମ ସ୍ଥାନ ମାଡି ବସିଛି, ତଥାପି କଫି ମଧ୍ୟ ପଛରେ ନାହିଁ । ଚା ଖଟିରେ ଯେମିତି ଚା ଶୋଭା ପାଏ, ସେମିତି କଫି କାଫେରେ କଫି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛି । ଆଜିକାଲିର ଡେଟିଂଯୁଗରେ କଫିର ଭୂମିକା ବହୁ ଗୁରତ୍ବପୁର୍ଣ୍ଣ ରହୁଛି । ତେବେ ଆଜି ଆନ୍ତର୍ଜାତୀୟ କଫି ଦିବସ ଅବସରରେ ଆସନ୍ତୁ ଜାଣିବା କଫି ସମ୍ପର୍କରେ କିଛି କଥା ।

କଫି ଏକ ଲୋକପ୍ରିୟ ପାନୀୟ, ଯାହା କଫି ଗଛର ବୀଜରୁ ପ୍ରସ୍ତୁତ । କଫି ଫଳର ମଞ୍ଜିକୁ ବାହାର କରି ତାହାକୁ ଭାଜି ଗୁଣ୍ଡକରି ବ୍ୟବହାର କରାଯାଏ । ଇଥୋପିଆର କଫା ଶବ୍ଦରୁ କଫି ଶବ୍ଦଟି ଆସିଛି । କ୍ଳାନ୍ତିହାରି ଆମୋଦଦାୟକ ପାନୀୟମାନଙ୍କ ମଧ୍ୟରେ କଫି ବିଶେଷ ଭାବରେ ଆଦୃତ । କଫିର ସ୍ୱାଦରେ ଯେତିକି କଡ଼ା ଥାଏ ତା ରଙ୍ଗରେ ମଧ୍ୟ ସେତିକି କଡ଼ା ଥାଏ । କଫି ଉତ୍ପାଦନ ସମୟରେ ସବୁଜ ରଙ୍ଗର ଥାଏ । ଏହାକୁ ଭାଜି ବା ପ୍ରକ୍ରିୟାକରଣ କରିବା ପରେ ଏହା ଗାଢ ରଙ୍ଗ (କଫି ରଙ୍ଗ)ରେ ପରିବର୍ତ୍ତନ ହୋଇଥାଏ । ପଞ୍ଚଦଶ ଶତାଦ୍ଦୀରୁ କଫିର ପ୍ରଚଳନ ଆରମ୍ଭ ହୋଇଥିବାର ଐତିହାସିକ ଅନୁସନ୍ଧାନରୁ ଜଣାପଡେ । ଭାରତ ଓ ସିଂହଳରେ କଫିଚାଷ ସପ୍ତଦଶ ଶତାଦ୍ଦୀରୁ କରାଯାଉଅଛି । ବର୍ତ୍ତମାନ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡିଶାରେ କଫି ଚାଷ କରାଯାଉଅଛି । ଓଡିଶାର କୋରାପୁଟ କଫିର ଚାହିଦା ବେଶ ବଢିଛି ।

ସାଧାରଣତଃ ତିନି ପ୍ରକାରର କଫି ପୃଥିବୀରେ ଚାଷ କରାଯାଏ । ସେଗୁଡିକ ହେଲା ଆରାବିକା କଫି, ରୋବାଷ୍ଟା କଫି ଓ ଲିବେରିକା କଫି | ଏମାନଙ୍କ ମଧ୍ୟରୁ ପ୍ରଥମ ଦୁଇଟି କଫି ଆମ ଦେଶରେ ଚାଷ କରାଯାଉଅଛି । ରୋବାଷ୍ଟା କଫିର ପ୍ରଧାନ କିସମଗୁଡିକ ହେଲା - ବ୍ଲୁ ମାଉଣ୍ଟେନ, ଫ୍ରେଞ୍ଚ ମିଶନ, ଗୁଣ୍ଡପେଉ, ସିନୋରାମାନ ଏବଂ କାବେରୀ । ଓଡିଶାରେ ସିନୋରାମାନ ଏବଂ କାବେରୀ କିସମଗୁଡିକ ବହୁଳ ଭାବରେ ଚାଷ କରାଯାଉଛି । ଏହା ବ୍ୟତୀତ ଅନେକ ଶଙ୍କରଜାତିର କଫି ମଧ୍ୟ ଚାଷ କରାଯାଉଛି ।

୨୦୦୯, ଅକ୍ଟୋବର ୩ ତାରିଖରେ, ଦକ୍ଷିଣ ଆନ୍ତର୍ଜାତୀୟ ଖାଦ୍ୟ ଏବଂ ପାନୀୟ ସଂଗ୍ରହାଳୟ ଦ୍ୱାରା 'ଆନ୍ତର୍ଜାତୀୟ କଫି ଦିବସ' ଶବ୍ଦଟିକୁ ସାର୍ବଜନୀନ କରାଯାଇ କଫି ଫେଷ୍ଟିଭାଲ୍ ପାଳନ ପାଇଁ ଘୋଷଣା କରାଯାଇଥିଲା । ୨୦୧୪ ମସିହାରେ, ଆନ୍ତର୍ଜାତୀୟ କଫି ସଂଗଠନ ଦ୍ୱାରା ଏକ ବୈଠକରେ ଏହାର ପ୍ରଥମ ସରକାରୀ ଆନ୍ତର୍ଜାତୀୟ କଫି ଦିବସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ୨୦୧୫ ମସିହା ଅକ୍ଟୋବର ୧ରେ ଆନୁଷ୍ଠାନିକ ଭାବେ ପ୍ରଥମ ଆନ୍ତର୍ଜାତୀୟ କଫି ଦିବସ ପାଳନ କରାଯାଇଥିଲା । ଆନ୍ତର୍ଜାତୀୟ କଫି ଦିବସ ହେଉଛି ଏପରି ଏକ ଉତ୍ସବ ଯେଉଁଥିରେ କଫିକୁ ଏକ ପାନୀୟ ଭାବରେ ପ୍ରୋତ୍ସାହିତ କରିବା ସହ ଏହାର ଉତ୍ସବ ପାଳନ କରାଯାଏ ।

ତେବେ କଫିର ଲୋକପ୍ରିୟତା ଏବଂ ଅନନ୍ୟ ଇତିହାସକୁ ଚିହ୍ନିତ କରିବା ପାଇଁ ସେପ୍ଟେମ୍ବର ୨୯ ରେ ଜାତୀୟ କଫି ଦିବସ ପାଳିତ ହୁଏ । ୧୯୮୩ ମସିହାରେ ଏହି ଦିବସଟି ପ୍ରଥମଥର ପାଇଁ ଜାପାନରେ ପାଳିତ ହୋଇଥିଲା । କଫି ଚାଷକୁ ପ୍ରୋତ୍ସାହିତ ତଥା କଫି ଚାଷୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଇ ଦିବସ ପାଳନ କରାଯାଏ ।

ଆନ୍ତର୍ଜାତୀୟ କଫି ଦିବସ ଅବସରରେ ଆସନ୍ତୁ ଜାଣିବା କଫି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ:

  • କଫି ପିଇବା ଦ୍ବାରା ଶରୀର ସକ୍ରିୟ ରହିଥାଏ । ଅଧିକ କାମ କରିବା ପାଇଁ ଶକ୍ତି ମିଳିଥାଏ । ଆପଣ ଏକ କାର୍ଯ୍ୟ କରିବା ପାଇଁ ଯେତିକି କ୍ଷମ ହୋଇଥିବେ କଫି ପିଇବା ଦ୍ବାରା ତାହା ପ୍ରାୟ ୧୧ରୁ ୧୨ ପ୍ରତିଶତ ବୃଦ୍ଧି ପାଇଥାଏ ।

  • ମଧୁମେହ ରୋଗୀମାନଙ୍କ ପାଇଁ ବି କଫି ଖୁବ୍ ଭଲ ହୋଇଥାଏ । ମଧୁମେହ ରୋଗୀମାନେ ଦୈନିକ ବିନା ଚିନିରେ କଫି ପିଇଲେ ଭଲ ।

  • ମସ୍ତିଷ୍କ ପାଇଁ ମଧ୍ୟ କଫି ଖୁବ୍ ଉପକାରୀ । କଫି ପିଇବା ଦ୍ୱାରା ମାନସିକ ରୋଗର ସମ୍ଭାବନା କମ୍‌ ରହିଥାଏ । ଯଦି ସକାଳେ ସାଧାରଣ ଚା କିମ୍ବା କଫି ବଦଳରେ ଗ୍ରୀନ କଫି ସେବନ କରିବେ ତାହେଲେ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

  • ଗ୍ରୀନ କଫି ବିନ୍ସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିଥାଏ ଏବଂ ଚର୍ମ ଏବଂ କେଶକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ ।

  • ଯଦି ଆପଣ ନିୟମିତ ଚା କିମ୍ବା କଫି ବଦଳରେ ଗ୍ରୀନ କଫି ସେବନ କରିବେ ତାହେଲେ ଆପଣ ରକ୍ତରେ ଚିନି ପରିମାଣକୁ ହ୍ରାସ କରିପାରିବେ । ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହାର କ୍ରମାଗତ ବ୍ୟବହାର ଟାଇପ୍-୨ ଡାଏବେଟିସ ସମସ୍ୟା ଦୂର କରିଥାଏ ।

  • ଗ୍ରୀନ କଫି ବିନ୍ସରେ କ୍ରୋନୋଲୋଜିକାଲ୍ ଏସିଡ୍ ରହିଛି ଯାହା ମେଟାବୋଲିଜିମ୍ କୁ ଠିକ୍ ରଖେ । ମେଟାବୋଲିଜିମ୍ ସଠିକ୍ ରଖିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ।

କଫିରେ ଥିବା କ୍ୟାଫେନ୍ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ, ମାତ୍ର ଏହା ଅନେକାଂଶରେ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ବିଶେଷକରି ଯେଉଁମାନଙ୍କର ରକ୍ତହୀନତା ସମସ୍ୟା ରହିଛି, କଫି ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ ।