ଭାରତୀୟ ମସଲାର କାହାଣୀ: ଧନିଆକୁ ନେଇ କିଛି କଥା

ପୂର୍ବ ଅଧ୍ୟାୟରେ ଆମେ ଭାରତୀୟ ମସଲା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କ୍ରମରେ ଆଜି ରହିଛି ଭାରତୀୟ ମସଲାର ଅନ୍ୟ ଏକ ପ୍ରମୁଖ ଉପାଦାନ ଧନିଆ । ଆସନ୍ତୁ ଆମେ ସେଇ ମସଲା ସମ୍ପର୍କରେ ଆଲୋଚନା କରିବା ।


ଧନିଆକୁ କିଏ ବା ନ ଜାଣେ । ଡାଲି ହେଉ କି ତରକାରୀ ଯଦି ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ । ସେଥିପାଇଁ ସମସ୍ତଙ୍କ ରୋଷେଇ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ । ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ । ଭାରତୀୟ ମସଲାରେ ଧନିଆ ମଧ୍ୟ ଏକ ପ୍ରମୁଖ ଉପାଦାନ । ଧନିଆ ଏକ ସବୁଦିନିଆ ଫସଲ । ଧନିଆପତ୍ରର ଚାହିଦା ବଜାରରେ ବର୍ଷତମାମ ରହିଛି । ଭାରତବର୍ଷରେ ଏହା ପ୍ରାୟ ସବୁ ରାଜ୍ୟରେ ଚାଷ କରାଯାଉଥିବାବେଳେ ଏହାର ଜନ୍ମଭୂମି କିନ୍ତୁ ଭୂମଧ୍ୟ ସାଗରୀୟ ଅଂଚଳ । ଉଦ୍ଭିଦ ବିଜ୍ଞାନରେ ଏହାକୁ କୋରିଆଣ୍ଡ୍ରମ ସାଟାଇଭମ କୁହାଯାଏ । ଏହା ୩୦ରୁ ୧୦୦ ସେଣ୍ଟିମିଟର ଯାଏଁ ବଢେ । ଧନିଆ ଫୁଲର ରଙ୍ଗ ଧଳା ବା ଈଷତ ନାଲିମିଶା ଧଳା । ପ୍ରାରମ୍ଭିକ ଅବସ୍ଥାରେ ଧନିଆର ପତ୍ର ସରୁ ଓ ସୁତା ଭଳି ରହିଥାଏ, ପରେ ଏହା ଟିକେ ଚେପଟା ଚେପଟା ହୋଇଥାଏ । ଧନିଆ ଫଳ ବା ଧନିଆ ଦେଖିବାକୁ ଗୋଲ ଓ ଏହାର ଉପରି ଭାଗରେ ସରୁ ସରୁ ଗାର ରହିଥାଏ । ଧନିଆକୁ ଚିପି ଦେଲେ ଦୁଇଫାଳ ହୋଇଯାଏ । ପ୍ରତି ଫାଳରେ ଗୋଟିଏ ଲେଖାଏଁ ମଞ୍ଜି ଥାଏ ।

ଧନିଆ ଚାଷ ପାଇଁ ବିଶେଷ କରି ଦାକ୍ଷିଣାତ୍ୟରେ କୃଷ୍ଣ କାର୍ପାସ ମୃତ୍ତିକା ଓ ଉତ୍ତର ଭାରତର ପଟୁ ମାଟି ବେଶ୍ ଉପଯୋଗୀ ହୋଇଥାଏ । ଧନିଆ ସାଧାରଣତଃ ବର୍ଷା ଉପରେ ନିର୍ଭର କରେ । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଏହା ଶୀତଦିନେ ଚାଷ ହୁଏ, ମହାରାଷ୍ଟ୍ରରେ ବର୍ଷା ଋତୁରେ ଓ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଏହା ବର୍ଷକରେ ଦୁଇଥର ଚାଷ କରାଯାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ଧନିଆ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ପତ୍ର ପାଇଁ ଏହାକୁ ଅଦିନିଆ ଚାଷ କରାଯାଇ ଅନେକ ଲାଭ କରାଯାଇପାରେ । ଦୋରସା, ମଟାଳ ମାଟିରେ ଏହି ଚାଷ ଭଲ ହୋଇଥାଏ । ଧନିଆ ଭିତରେ ଥିବା ସୁଗନ୍ଧ ତୈଳ ଯୋଗୁଁ ଧନିଆର ସୁଗନ୍ଧ ଆସିଥାଏ । ବିଦେଶ ବଜାରରେ ଭାରତୀୟ ଧନିଆର ପ୍ରଧାନ ପ୍ରତିଦ୍ୱନ୍ଦୀ ହେଉଛି ମରକୋ ଓ ଋଷିଆର ଧନିଆ ।

ଏହି ଚାଷ କେବଳ ବ୍ୟବସାୟ ଦୃଷ୍ଟିରୁ ଲାଭଦାୟକ ନୁହେଁ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଏହାର ଖାଦ୍ୟରେ ବ୍ୟବହାର ଆମ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଧନିଆପତ୍ରରେ ତନ୍ତୁ, ମାଙ୍ଗାନିଜ, ଲୌହ ଓ ମ୍ୟାଗନେସିୟମ ଆଦି ଭରପୂର ପରିମାଣର ରହିଥାଏ । ତା'ଛଡା ଏହାର ପତ୍ରରେ ଭିଟାମିନ ସି’, କେ ଓ ପ୍ରୋଟିନ ମଧ୍ୟ ଯଥେଷ୍ଟ ରହିଛି । ଏହାବ୍ୟତୀତ ଏଥିରୁ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଥାୟାମିନ, ନିଆସିନ ଏବଂ କ୍ୟାରୋଟିନ ମଧ୍ୟ ମିଳିଥାଏ । ଖାଦ୍ୟରେ ଏହି ପତ୍ରର ବ୍ୟବହାର ସମସ୍ତ ପ୍ରକାର ଚର୍ମଜନିତ ରୋଗ ଦୂର କରେ । ଗବେଷଣାରୁ ଜଣାପଡିଛି ଯେ ଧନିଆ ପତ୍ରରେ କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ । ଏହି ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ । ଧନିଆ ପତ୍ର କୋଷ୍ଠକାଠିନ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ । ଧନିଆ ପତ୍ର ବ୍ୟବହାର କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ରହିଥାଏ । ଏଥିରେ ଲିନାଲୁଲ ନାମକ କମ୍ପାଉଣ୍ଡ ମିଳିଥାଏ ଯାହା ପେଟର ଅନେକ ସମସ୍ୟାକୁ ଦୂର କରିଥାଏ l ଏହା ବ୍ୟତୀତ ଡାଇରିଆ, ପାଟିଘା’, ରକ୍ତହୀନତା, ବଦହଜମୀ, ରକ୍ତ ଶର୍କରାଜନିତ ରୋଗ, ଆଖି ରୋଗ ପାଇଁ ମଧ୍ୟ ଧନିଆ ପତ୍ର ଲାଭଦାୟକ ।