ଫଟୋ: ୱିକି କମନ୍ସ

ଆଧୁନିକତାର ଦୌଡ଼ ଏବଂ ସମୟର ସ୍ପଳ୍ପତା ଭିତରେ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଆଜିକାଲି ଆମେ ପୁରୁଣା ଘରକରଣା ଜିନିଷକୁ ଛାଡ଼ି ଆଧୁନିକ ଯନ୍ତ୍ରଗୁଡିକ ଉପରେ ବେଶୀ ନିର୍ଭରଶୀଳ ହେଉଛେ । ଆମର ନିତିଦିନିଆ ଜୀବନରେ ଏମାନଙ୍କର ଗୁରୁତ୍ୱ ବେଶୀ ବଢିଯାଇଛି । ଆମେ ଫ୍ରିଜ, ମାଇକ୍ରୋ ଓଭେନ, ୱାସିଂମେସିନ, ମିକ୍ସର ଆଦିର ବ୍ୟବହାର କରୁଛୁ । ସମୟ ସ୍ରୋତରେ ଆମର ପାରମ୍ପରିକ ଘରକରଣା ଜିନିଷ ସବୁ ହଜିଯାଉଛି, ଆଉ ଏସବୁ ସ୍ଥାନରେ ସାମିଲ ହେଉଛି ଏବେକାଳର ଆଧୁନିକ ଯନ୍ତ୍ର ।

ପୂର୍ବକାଳର ଘୋରଣା, ଶିଳ, ଶିଳପୁଆ, ଚକି, ପନିକି, ଢିଙ୍କି ଓ ହେମଦସ୍ତା ଭଳି ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ । ଏସବୁ ସ୍ଥାନରେ ରହିଛି ଏବେକାଳର ଆଧୁନିକ ଯନ୍ତ୍ର । ତେବେ କିଛି ପୂଜାପର୍ବାଣିରେ ଏସବୁକୁ ପ୍ରତୀକାତ୍ମକ ଭାବେ ପୂଜା କରାଯାଉଛି । ଆଜିକାଲି ଆଉ କେହି ଶିଳରେ ମସଲା ବାଟୁ ନାହାଁନ୍ତି କି ଚକିରେ ଶସ୍ୟ ଚୁରୁ ନାହାଁନ୍ତି । ଶିଳ ଓ ଚକିର ସ୍ଥାନ ନେଇଛି ମିକ୍ସର । ସେହିପରି ଏବେ ଆଉ କେହି ଢ଼ିଙ୍କିରେ ଧାନ କୁଟୁ ନାହାନ୍ତି କି ପନିକିରେ ପରିବା କାଟୁନାହାନ୍ତି । ଆଗରୁ ଝିଅ ବାହାହେଲାବେଳେ ତାକୁ ପନିକି, ଚକି, ଶିଳ ଓ ଶିଳପୁଆ, ହେମଦସ୍ତା ଆଦି ଦିଆଯାଉଥିଲା । କିନ୍ତୁ ଏବେ ଏସବୁ ଆଉ ନାହିଁ । ଏବେ ତାକୁ ମିକ୍ସର, ଚପର ପରି ଆଧୁନିକ ଯନ୍ତ୍ର ଦିଆଯାଉଛି ।

ପ୍ରାଚୀନ କାଳରେ ଶିଳ ହେଉ କି ଚକି, ଏହାର ଗୁରୁତ୍ୱ ବେଶ ଅଧିକ ରହିଥିଲା । ଶିଳ କହିଲେ ଏକ ପଥରଖଣ୍ଡ । ସାଧାରଣତଃ ଏହା ମୁଗୁନି ପଥରରେ ନିର୍ମିତ ହୋଇଥାଏ । ଏହା ସମତଳ ହୋଇଥିବାବେଳେ ଏଥିରେ ବାଟିବା ପାଇଁ ଆଉ ଏକ ପଥର ଥାଏ | ଏହା ଅପେକ୍ଷାକୃତ ଶିଳଠାରୁ ଆକାରରେ କ୍ଷୁଦ୍ର ହେବା ସହ ଲମ୍ବାଳିଆ ହୋଇଥାଏ । ଶିଳ ଉପରେ ମସଲା ରଖି ଶିଳପୁଆ ଦ୍ୱାରା ବଟିବାକୁ ପଡେ । ଶିଳବଟା ମସଲାରେ ତରକାରୀ ଭାରି ସୁଆଦିଆ । ମସଲା ହେଉ କି ଚାଉଳ ବିରି ବାଟିବା ପାଇଁ ଶିଳ ବ୍ୟବହୃତ ହୁଏ । ସେହିପରି ଶସ୍ୟକୁ ଚୂର୍ଣ୍ଣ କରିବା ପାଇଁ ଚକି ବ୍ୟବହାର ହୁଏ । ଚକି କହିଲେ ଚକ ଭଳି ଦୁଇ ପଥର ଯାହା ଘୂରିଥାଏ । ଦୁଇଟି ଗୋଲାକାର ପଥରକୁ ଉପର ତଳ କରି ଥୁଆ ହୋଇଥାଏ । ତଳ ଚକଟି ସ୍ଥିର ଥାଏ ତହିଁ ଉପରେ ଉପର ଚକକୁ ଘୂରାଇ ଦୁଇ ଚକ ମଧ୍ୟରେ ଶସ୍ୟାଦି ରଗଡ଼ାଯାଏ ବା ଚୂନା କରାଯାଏ । ଉପର ଚକି ପଟର ଗୋଟିଏ ପାଖରେ ଗୋଟିଏ କଣା ହୋଇଥାଏ ସେହିକଣାରେ ଗୋଟିଏ କାଠି (ଚକିକାଠି) ପୂରାଇ ସେ କାଠିକୁ ଘୂରାଇଲେ ଚକି ଚଳେ । ତଳପଟ କେନ୍ଦ୍ରରେ ଗୋଟିଏ କଣା ହୋଇ ଖୁଣ୍ଟିଟିଏ (ମାଣିଖୁଣ୍ଟ) ପୋତା ହୋଇଥାଏ । ଉପର ପଟର କେନ୍ଦ୍ରସ୍ଥ ଛିଦ୍ର ସେହି ମାଣିଖୁଣ୍ଟରେ ଗଳାଯିବାରୁ ଘୂରାଇଲାବେଳେ ଚକି ଖସି ଯାଏ ନାହିଁ । କେତେକସ୍ଥଳରେ ଉପର ଚକିରେ ଥିବା ବଡ଼ କଣାର ଖଣ୍ଡିଏ ରନ୍ଧ୍ରଯୁକ୍ତ କାଠ ଚକ୍ତି ବା ପିହାଣିଆ ଥାଏ । ମଝି କଣାରେ ଶସ୍ୟକୁ ଭର୍ତ୍ତି କରାଯାଏ । ଗୋଟା ମୁଗ ଆଦିକୁ ଫାଳ ଫାଳ କରିବା ବା ରଗଡ଼ିବା କିମ୍ବା ଚାଉଳ ଆଦିକୁ ଚୁନା କରାଯାଏ ।

ଦୁଇଟି ପଥର ଦ୍ୱାରା ଗୁଣ୍ଡ ବା ବାଟିବା ଦ୍ୱାରା ସେଇ ସମୟରେ ସୃଷ୍ଟି ହୋଇଥିବା ଉତ୍ତାପ ମଧ୍ୟ କେତେକ ଖାଦ୍ୟକୁ ରନ୍ଧନ ପ୍ରକ୍ରିୟାରେ ସାହାଯ୍ୟ କରେ । ଯେପରି କେତେକ ନିର୍ଦ୍ଦିଷ୍ଟ ଚାଉଳ ଏବଂ ଶସ୍ୟ ଯେତେବେଳେ ଏହି ପଥରଗୁଡିକରେ ଏକତ୍ର ଭୂମିରେ ଗୁଣ୍ଡ ହେବା ସମୟରେ ପଥର ମଧ୍ୟରେ ଉତ୍ପନ୍ନ ଉତ୍ତାପ ହେତୁ ଭଲ ଭାବରେ ଫେଣ୍ଟି ହୋଇଯାଏ । ଶିଳ ଓ ଚକିର ବ୍ୟବହାର ଦ୍ୱାରା ମନୁଷ୍ୟର ଶାରୀରିକ ବ୍ୟାୟମ ମଧ୍ୟ ହୋଇ ପାରୁଥିଲା । ଏନେଇ ପୁରୁଣାକାଳିଆ ଗ୍ରାମାଂଚଳର ମହିଳାମାନେ ଅଧିକାଂଶ ସମୟରେ ସୁସ୍ଥ ରହୁଥିଲେ ଏବଂ କଠିନ ପରିଶ୍ରମ କରିବାରେ ସକ୍ଷମ ହୋଇ ପାରୁଥିଲେ । ସେହିପରି ବାହାଘର ସମୟରେ ଶିଳ ଆଉ ଶିଳପୁଆର ଲୋଡ଼ା ପଡେ । ବୁଧେଇ ଓଷାରେ ଶିଳ ଆଉ ଶିଳପୁଆଙ୍କୁ ପୂଜା କରାଯାଏ । ଆଗକାଳରେ କୌଣସି ଯାନିଯାତ୍ରା ହେଲେ ଶିଳ ଶିଳପୁଆ ବିକ୍ରି ହେଉଥିଲା । ଏବେ ଆଉ ସେସବୁ ନାହିଁ । ସେହିପରି ବିବାହ ବେଦୀରେ ଚକି ରଖାଯାଏ ।

ସେହିପରି ଘରେ ଘରେ ପରିବା କାଟିବା ପାଇଁ ବ୍ୟବହୃତ ହେଉଥିବା ପନିକିର ପ୍ରଚଳନ ବି ଏବେ ଆଉ ଦେଖିବାକୁ ମିଳୁନାହିଁ । ପ୍ରାଚୀନ କାଳରେ ପନିକିରେ ଆମର ସାଂସ୍କୃତିକ ଏବଂ ଧାର୍ମିକ ଚରିତ୍ରଗୁଡ଼ିକ ଖୋଦିତ ହେଉଥିଲା । ପନିକି କହିଲେ ଏକ କାଠପଟାରେ ଲୁହାର ଛୁରୀ ଲଗାଯାଇଥାଏ । ଏବେ ବି ମାଛ କାଟିବା ପାଇଁ ମାଛ ଦୋକାନ ଗୁଡିକରେ ପନିକି ଦେଖିବାକୁ ମିଳୁଛି । ମାଛ କାଟିବା ପାଇଁ ବଡ଼ ପନିକି ଓ ଘରେ ପରିବା ପତ୍ର କାଟିବା ପାଇଁ ଛୋଟ ପନିକିର ବ୍ୟବହାର ହୁଏ । ଏବେବି ଦଶହରା ହେଉ କି ବସୁମତୀ ସ୍ନାନରେ ପନିକି ପୂଜା ହୁଏ । କିନ୍ତୁ ଆଜିକାଲି ପନିକିର ସ୍ଥାନ ଛୁରୀ ଆଉ ଆଧୁନିକ ପରିବା କଟା ଯନ୍ତ୍ର ନେଇଛି ।

ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିବାରେ ଲାଗିଛି । ଘୋରଣା, ଶିଳ, ଶିଳପୁଆ, ପେଷଣା, ଢିଙ୍କି ଓ ହେମଦସ୍ତା ବଦଳରେ ଲୋକେ ଆଧୁନିକ ଯନ୍ତ୍ରର ସାହାଯ୍ୟ ନେବାରେ ଲାଗିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଶାରୀରିକ ପରିଶ୍ରମ ବିନା ସହାୟତାରେ ଅତି ସହଜ ସୁବିଧାରେ ଲୋକେ କାମ ହାସଲ କରୁଛନ୍ତି । ଯଦ୍ୱାରା ଲୋକେ ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଭଳି ନାନା ରୋଗରେ ପିଡ଼ିତ ହେଉଥିବାର ଦେଖିବାକୁ ମିଳୁଛି । ଧୀରେ ଧୀରେ ଆମର ରୋଷେଇଘରର ଏହି ରତ୍ନମାନ ବିସ୍ମୃତ ଗର୍ଭରେ ଲୀନ ହୋଇଯାଉଛି । ଆଗାମୀ ଦିନରେ ଏଇ ସବୁ ପୁରୁଣା ଘରକରଣା ଜିନିଷଗୁଡ଼ିକ ଇତିହାସ ହୋଇ ରହିଯିବ । ପରବର୍ତ୍ତୀ ପିଢ଼ିମାନେ ଆଉ ଏସବୁ ପୁରୁଣା ଘରକରଣାକୁ ଦେଖିପାରିବେ ନାହିଁ, କେବଳ ଭର୍ଚୁଆଲ୍ ଜେଜେମା କାହାଣୀରୁ ଏହିସବୁ ସମ୍ପର୍କରେ ଶୁଣିପାରିବେ ।