ମଟର ଛୁଇଁର ଚୋପାକୁ ଛଡାଇ ମଟର ବାହାର କରିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ମଟର ଛୁଇଁରୁ ମଟର ସଂଗ୍ରହ କଲାବେଳେ ଅଧା ନିଜ ପାଟିକୁ ଚାଲିଯାଇଥାଏ । ହାଲ୍କା ମିଠା ଲାଗୁଥିବା ମଟର କଞ୍ଚାରେ ବେଶୀ ଭଲ ଲାଗିଥାଏ । ଏଇ ମଟରକୁ ସବୁ ତରକାରୀରେ ଆରାମରେ ବ୍ୟବହାର କରିହୁଏ । ଶୀତଦିନ ଆସିଗଲେ ମଟର ଛୁଇଁର ପସରା ସାରା ବଜାରରେ ମେଲି ହୋଇଥାଏ ।

ସାଧାରଣତଃ ମଟର ଛୁଇଁ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି । ଖାସ୍‌ କରି ଶୀତଦିନେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ । ଛୋଟ ଛୋଟ ମଟର ଛୁଇଁ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । କଞ୍ଚା ମଟର ଖାଇଲେ ଶରୀରର ବହୁ ସମସ୍ୟା ଦୂର ହେବା ସହ ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଅନ୍ୟ ଖଣିଜ ଲବଣ ରହିଥାଏ ।

ଏହି ସବୁଜ ମଟର ଛୁଇଁ ଓଜନ ହ୍ରାସ କରାଇବାରେ ମଧ୍ୟ ବେଶ୍ ସହାୟକ ହୁଏ । ଏଥିରେ ପ୍ରୋଟିନ୍ ଏବଂ ଫାଇବର ଭରପୂର ଥାଏ । କେବଳ ପ୍ରୋଟିନ୍ ନୁହେଁ, ମଟରରେ ଆଇରନ୍, ଫସଫରସ୍, ଫୋଲେଟ୍ ଏବଂ ଭିଟାମିନ୍ ଏ, କେ ଏବଂ ସି ମଧ୍ୟ ଥାଏ । ଏଥିରେ ଥିବା କ୍ୟାଲୋରୀର ପରିମାଣ ବହୁତ କମ୍ ଅଟେ । ଏଥିପାଇଁ ଖାଇବାରେ ମଟର ଛୁଇଁକୁ ସାମିଲ କଲେ ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିପାରିବେ । ପ୍ରାୟ ଅଧା କପ୍ ମଟରରେ ୪ ଗ୍ରାମ ପ୍ରୋଟିନ୍ ଥାଏ । ପ୍ରୋଟିନ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ମାଂସପେଶୀର ଶକ୍ତି ବଢ଼ାଇଥାଏ । ଏଥିରେ ମିଳୁଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରେ । ତେଣୁ, ଏହା ମଧୁମେହ ରୋଗ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସବୁଜ ମଟରରେ ଫାଇଟିକ୍ ଏସିଡ୍ ଏବଂ ଲେକ୍ଟିନ୍ ପରି ଆଣ୍ଟିନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହାର ଲୌହ, ଜିଙ୍କ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଶୋଷିବାର କ୍ଷମତା ଥାଏ । ଲେକ୍ଟିନ୍ ଗ୍ୟାସ୍ ସୃଷ୍ଟି କରେ ଏବଂ ମଟର ଏହାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ମିଳୁଥିବା ଫାଇବର କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିଥାଏ ଏବଂ ଅନ୍ତନଳୀରେ ଉନ୍ନତି ଆଣେ । ସେହିପରି ମଟରରୁ ମିଳୁଥିବା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ପରି ମିନେରାଲ୍ସ ହୃଦୟ ପାଇଁ ଲାଭଦାୟକ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ମିଳୁଥିବା ଫାଇବର ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ହୃଦୟକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ଗର୍ଭବତୀ ମହିଳା ନିୟମିତ ଏହାକୁ ଖାଇଲେ ଗ୍ୟାସ୍‌ ସମସ୍ୟା ଦୂର ହେବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ମଟର ଛୁଇଁରେ ପ୍ରସ୍ତୁତ ହେଉଥିବା କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ । ପନିର ମଟର ହେଉ ବା ମଟର - କୋବି ଆଳୁ ତରକାରୀ କିମ୍ବା ମଟର - ବନ୍ଧାକୋବି ଭଜା, ଏହି ବ୍ୟଂଜନଗୁଡିକ ପ୍ରାୟ ସମସ୍ତଙ୍କର ବେଶ୍ ପ୍ରିୟ ହୋଇଥାଏ । ତେବେ ଶୀତଦିନିଆ ମଟର ପରଟା ଖାଇବାକୁ ବେଶୀ ଭଲ ଲାଗିଥାଏ ।