ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଆମେ ସମସ୍ତେ ହାତଧୁଆର ଗୁରୁତ୍ୱକୁ ବେଶ୍ ଭଲ ରୂପେ ବୁଝିପାରିଛେ । ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ୱ ହାତଧୁଆ ଦିବସ ରୂପେ ପାଳନ କରାଯାଏ । ତେବେ ଏହା ହେଉଛି ଏକ ଅଭିଯାନ, ଯାହା ଜୀବାଣୁମୁକ୍ତ ରହିବା ପାଇଁ ହାତଧୁଆ ଅଭ୍ୟାସକୁ ପ୍ରୋତ୍ସାହିତ କରେ । ଚଳିତ ବର୍ଷ ଏହି ଦିବସର ବିଷୟ ବା ଥିମ ରହିଛି - ଯତ୍ନର ସହିତ ହାତର ସ୍ୱଚ୍ଛତା ରକ୍ଷା କରିବା । ସେହିପରି ଏହି ଦିବସ ପାଇଁ ଚଳିତ ବର୍ଷର ସ୍ଲୋଗାନ ହେଉଛି,"ଗୋଟିଏ ସେକେଣ୍ଡ ଜୀବନ ରକ୍ଷା କରେ - ହାତ ସଫା ରଖ ! " ଖାଦ୍ୟକୁ ନିରାପଦ, ରୋଗମୁକ୍ତ ଏବଂ ପିଲାଙ୍କୁ ନିରୋଗୀ ରଖିବା ଦିଗରେ ହାତଧୁଆ ଗୁରୁତ୍ୱପୂର୍ଣ୍ଣ ଭୂମକା ନିର୍ବାହ କରେ । ପ୍ରଥମଥର ପାଇଁ ୨୦୦୮ରେ ଷ୍ଟକ୍‌ହୋମ୍‌ଠାରେ ଅଗଷ୍ଟ ୧୭-୨୩ ମଧ୍ୟରେ ଅନୁଷ୍ଠିତ ବାର୍ଷିକ ବିଶ୍ୱ ଜଳ ସପ୍ତାହ ଅବସରରେ ବିଶ୍ୱ ହାତଧୁଆ ଦିବସର ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାରେ ଏନେଇ ତାରିଖ ନିର୍ଦ୍ଧାରଣ ହେବା ପରେ ସବୁ ବର୍ଷ ଅକ୍ଟୋବର ଆଜିର ଦିନ ଏହି ଦିବସ ପାଳନ କରାଯିବା ସହ ହାତଧୁଆ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଉଛି ।

ଶ୍ୱାସ, ଡାଇରିଆ ଭଳି ରୋଗରୁ ଶିଶୁ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ସଫାସୁତରା ରହିବା, ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ପାଣିର ସ୍ୱଚ୍ଛତା ଆଦି ଉପରେ ଏହି ଦିବସ ବିଶେଷ ଧ୍ୟାନ ଦେଇଥାଏ । ଗତ ଦୁଇ ବର୍ଷ ହେବ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହି ଦିବସର ଗୁରୁତ୍ୱ ଆହୁରି ବଢ଼ିଯାଇଛି । କରୋନା ଭାଇରସ୍‌ଠୁ ଦୂରରେ ରହିବା ପାଇଁ ସାବୁନରେ ଦୁଇ ସେକେଣ୍ଡ ପାଇଁ ହାତ ଧୋଇବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ପ୍ରତ୍ୟେକ ବୟସ୍କର ଲୋକଙ୍କୁ ଜୀବାଣୁମୁକ୍ତ ରହିବା ପାଇଁ ହାତଧୁଆ ଅଭ୍ୟାସକୁ ପ୍ରୋତ୍ସାହିତ କରାଯିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରକ୍ରିୟାକୁ ନିଜର ଜୀବନଶୈଳୀରେ ସାମିଲ୍ କରିପାରିବେ ଏନେଇ ଅଧିକ ଧ୍ୟାନ ଦେବା ଏହାର ମୂଳ ଉଦ୍ଦେଶ୍ୟ ରହିଛି । ରିପୋର୍ଟ ଅନୁଯାୟୀ ହାତକୁ ସଠିକ୍ ସଫା କରିବା ଏବଂ ଧୋଇବା ଦ୍ୱାରା ଶ୍ୱାସ ଓ ଅନ୍ତନଳୀ ସମ୍ୱନ୍ଧୀୟ ବିପଦକୁ ୨୦% - ୨୫% ହ୍ରାସ କରାଯାଇପାରେ । ଗାନ୍ଧିଜୀ କହିଥଲେ ଯେ - ପରିଷ୍କାର ପରିଚ୍ଛନ୍ନତା ହେଉଛି ଈଶ୍ବରଙ୍କ ପ୍ରିୟ । ଏକ ସୁସ୍ଥ ଏବଂ ନିର୍ମଳ ଶରୀର ଆମ ଭିତରେ ଧାର୍ମିକତା ହାସଲ କରିବାର ସଠିକ ଉପାୟ ଏବଂ ଏହି ସ୍ୱଚ୍ଛ ରଖିବାର ପ୍ରୟାସ ସ୍ୱଚ୍ଛ ହାତରୁ ଆରମ୍ଭ ହୋଇଥାଏ । ତେଣୁ ହାତକୁ ଭଲ ରୂପେ ଧୋଇବା ସହ ଅନ୍ୟମାନଙ୍କୁ ଏ ନେଇ ସଚେତନ କରିବାର ଆବଶ୍ୟକତା ରହିଛି ।

ହାତକୁ ଭଲ ରୂପେ ନ ଧୋଇବା ଦ୍ୱାରା ଆମେ ବହୁପ୍ରକାରର ରୋଗର ଶିକାର ହୋଇଥାଉ । ଭାରତରେ ନିମୋନିଆରେ ଆକ୍ରାନ୍ତ ହେବାର ମୁଖ୍ୟ କାରଣ ହେଉଛି ହାତକୁ ଭଲ ରୂପେ ନ ଧୋଇବା । ସେହିପରି ହାତ ନ ଧୋଇବା ଦ୍ଵାରା ଏହା ଆମର ଆଖି ଓ ତ୍ବଚାକୁ ସଂକ୍ରମଣ କରିଥାଏ । ଅପରିଷ୍କାର ହାତ ଆଖି ଓ ଚର୍ମ ସଂସ୍ପର୍ଶରେ ଆସି ବହୁତ କ୍ଷତି କରିଥାଏ । ଏହା ଯୋଗୁ ଫୁଡ ପଇସୋନିଙ୍ଗ ଓ ଡାଇରିଆ ଭଳି ରୋଗ ହୋଇଥାଏ ।

ହାତ ଧୋଇବା ଆମ ଉପରେ ନିର୍ଭର କରେ । ଶରୀରକୁ ସୁସ୍ଥ ରଖିବା ପାଇଁ ହାତଧୋଇବା ନିହାତି ଦରକାର । ତେବେ ଖାଦ୍ୟ ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା ଦରକାର । ସେହିପରି ରୋଷେଇ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର । ଘରେ ଅଳିଆ ସଫା କରିବା ପରେ ହାତ ଧୋଇବା ଦରକାର । ଶୌଚାଳୟରୁ ଆସିବା ପରେ ହାତକୁ ଭଲ ରୂପେ ଧୋଇବା ନିହାତି ଦରକାର । ଏପରିକି କାଶ, ଛିଙ୍କ ପରେ ହାତ ଧୋଇବା ଦରକାର । ନାକ, କାନ ସଫା କରିବା ପରେ ମଧ୍ୟ ହାତ ଧୋଇବା ଦରକାର । ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବା ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର । ଯଦି ଘରେ ଛୋଟ ଛୁଆ ଅଛନ୍ତି, ତେବେ ସେମାନଙ୍କୁ ଧରିବା ପୂର୍ବରୁ ହାତ ଧୋଇବା ନିହାତି ଆବଶ୍ୟକ ।

ଘରେ ଖାଲି ବସିଥିବାବେଳେ ମଧ୍ୟ ଦିନକୁ ଅନେକ ଥର କିମ୍ବା ଅତି କମରେ ଦୁଇ ଥର ହାତ ଧୋଇବା ଦରକାର । କେବଳ ହାତଧୁଆକୁ ନେଇ ସ୍ଲୋଗାନ ଦେଇଦେଲେ କିମ୍ବା ଦିବସ ପାଳନ କରିଦେଲେ ହେବ ନାହିଁ । ଆଜିର ସମୟରେ ହାତଧୁଆର ଆବଶ୍ୟକତାକୁ ସମସ୍ତେ ଅନୁଭବୀ ଏ ଦିଗରେ ସଚେତନ ରହିବା ନିତାନ୍ତ ଆବଶ୍ୟକ ।