ଫଟୋ - ପେଟଲିଙ୍କସ

ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ହେଉଛି ‘ଗପ ହେଲେ ବି ସତ’ । ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏହି ସିନେମାଟିର ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ନେଇଥିଲେ ନଗେନ ରାୟ । ସ୍ୱାତୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା ଭାର ରହିଥିଲା ସୁବିମଳ ମଲ୍ଲିକଙ୍କ କାନ୍ଧରେ । ବସନ୍ତ ମହାପାତ୍ରଙ୍କ କାହାଣୀ ଓ ସଂଳାପର ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ହରିଶ ମହାପାତ୍ର, ବନଜା ମହାନ୍ତି, ନିହାରିକା ସାହୁ, ଦୁର୍ଲଭ, ସୁରେଶ ମହାପାତ୍ର, ନେତ୍ରାନନ୍ଦ, ସୁଧାରାଣୀ, ସୌଦାମିନୀ ପ୍ରମୁଖ । ସିନେମାରେ ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାସିଆ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ କଣ୍ଠଦାନ କରିଥିଲେ ବାଣୀ ଜୟରାମ, ସୁମନ କଲ୍ୟାଣପୁର, ଅମିତ କୁମାର ପ୍ରମୁଖ । ଏହାର ଗୀତଗୁଡିକୁ ରଚନା କରିଥିଲେ ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀ । ସିନେମାର ଗୀତଗୁଡିକ ଆଜି ବି ବେଶ୍ ଲୋକପ୍ରିୟ । ସିନେମାରେ ୫ଟି ଗୀତ ରହିଥିଲା । ଗୀତ ଗୁଡିକ ହେଉଛି - ‘ଏ ବନର ଛାଇ, ଯହିଁ ପ୍ରଥମ ପ୍ରେମ…’, ‘ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ….’, ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ…’, ‘ଗପ ହେଲେ ବି ସତ…’, ଓ ‘ଏ ମୋର ଦୋସ୍ତ…’ ।

ସିନେମାରେ ଜଣେ ସହରୀ ଯୁବକ ଆଉ ଜଣେ ଗାଉଁଲି ଯୁବତୀର ପ୍ରେମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସହରୀ ଯୁବକ ଜଣକ କିଛି ସାଙ୍ଗସାଥିଙ୍କ ସହ ଏକ ଗ୍ରାମକୁ ବୁଲି ଯାଇଥିବାବେଳେ ଗାଉଁଲି ଯୁବତୀର ରୂପରେ ଆକର୍ଷିତ ହୋଇଛି । ମିଛରେ ଠାକୁରଙ୍କୁ ସାକ୍ଷୀ ରଖି ସେଇ ଯୁବତୀକୁ ସିନ୍ଦୂର ପିନ୍ଧାଇ ନିଜର ଲାଳସା ପୂର୍ଣ୍ଣ କରିଛି । ତାପରେ ସେ ସେଇ ଯୁବତୀକୁ ଗ୍ରାମରେ ଛାଡି ଦେଇ ସହରକୁ ପଳେଇଛି । ଯୁବତୀଟି ଲୋକଲଜ୍ୟା ଭୟରେ ଗାଁ ଛାଡି ସହରୀ ଯୁବକଙ୍କ ସନ୍ଧାନରେ ସହର ଯାଇଛି । ସେଠାରେ ସେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଥିବାବେଳେ ଜଣେ ଭଦ୍ର ମହିଳା ତାଙ୍କୁ ଉଦ୍ଧାର କରି ତାଙ୍କ ଘରେ ଆଶ୍ରୟ ଦେଇଛନ୍ତି । ସେଇ ଯୁବତୀ ଜଣକ ଆଶ୍ରୟ ନେଇଥିବା ଘର ଉକ୍ତ ଯୁବକଙ୍କର ଜାଣିବା ପରେ ଯୁବତୀ ଜଣକ ଯୁବକର ସମ୍ମାନ ରକ୍ଷା ପାଇଁ ନିଜର ପରିଚୟ ଗୁପ୍ତ ରଖିଛି । ପରବର୍ତ୍ତୀ ସମୟରେ ଯୁବକଜଣକ ନିଜ ଭୁଲ ବୁଝିପାରି ଯୁବତୀଙ୍କୁ ଗ୍ରହଣ କରିଛନ୍ତି । ପ୍ରେମଭିତ୍ତିକ କାହାଣୀର ଏଇ ସିନେମାରେ ପାରିବାରିକ କାହାଣୀକୁ ମଧ୍ୟ ସମ ପରିମାଣରେ ଗୁରୁତ୍ୱ ଦିଆଯାଇଛି । ସିନେମାରେ ହରିଶ ମହାପାତ୍ର ରାଜେଶ ଭୂମିକାରେ ଅଭିନୟ କରୁଥିବାବେଳେ ବନଜା ମହାନ୍ତି ଉମା ଚରିତ୍ରରେ ନଜର ଆସିଥିଲେ ।

୧୯୩୬ ମସିହାରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ କରିବାର ପ୍ରାୟ ଚାଳିଶ ବର୍ଷ ପରେ ସମ୍ପୂର୍ଣ୍ଣ ରଙ୍ଗୀନ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଯୁଗ ସୃଷ୍ଟି କରିଥିଲା । ଏହି ସିନେମାର ନିର୍ମାଣରେ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହି ସିନେମାରେ ଚିତ୍ରଗ୍ରହଣ କରିଥିଲେ ତତ୍କାଳୀନ ବମ୍ବେର ମି. ସେନେଗ୍ୟ । ଏହା ତାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା । ତାଙ୍କୁ ଏଥିରେ ସହଯୋଗ କରିଥିଲେ ସୁରେନ୍ଦ୍ର ସାହୁ । ସିନେମାଟି ପ୍ରାୟ ଆଉଟଡୋରରେ ଶୁଟିଂ ହୋଇଥିଲା । ସିନେମାଟି ମୁକ୍ତିଲାଭ କରି କଟକର ଦୁଇ ପ୍ରେକ୍ଷାଳୟ ଜ୍ୟୋତି ଓ ପ୍ରଭାତରେ ୨୩ ସପ୍ତାହ ଧରି ପ୍ରଦର୍ଶିତ ହୋଇ ରେକର୍ଡ କରିଥିଲା । ସିନେମାଟି ଆଦୌ ଡବିଂ ହୋଇନଥିଲା । ଏହି ସିନେମାର ନାୟିକା ବନଜା ମହାନ୍ତି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇଥିଲେ । ସେହିପରି ସିନେମାଟି ମୁକ୍ତିଲାଭ କରି ଓଡ଼ିଆ ସିନେମାରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଥିଲା ।