ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ସମଗ୍ର ଭାରତବର୍ଷରେ ଖୁବ ଧୁମଧାମରେ ପାଳନ କରାଯାଏ । ଦୀପାବଳିକୁ ନେଇ ବହୁ ମତ ରହିଛି । କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଉତ୍ସବ ରୂପେ ପାଳନ କରାଯାଏ । ଏହି ଦିନ ଘରେ ଘରେ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ବି ହୁଏ । ଘରେ ଘରେ ଏହି ପର୍ବ ଆନନ୍ଦ ଓ ଉଲ୍ଲାସ ନେଇ ଆସେ । ଦୀପାବଳି ଶବ୍ଦର ଉତ୍ପତ୍ତି ସଂସ୍କୃତର ଦୁଇଟି ଶବ୍ଦ ଦୀପ ଅର୍ଥାତ ଦୀପ ଓ ଆବଳି ଅର୍ଥାତ ପଂକ୍ତି ବା ଶୃଙ୍ଖଳ । ଏହି ଦିନ ଧାଡି ଧାଡି ହୋଇ ଦୀପ ଜଳାଯାଇଥାଏ । ତେବେ ଭିନ୍ନ ଭିନ୍ନ ଭାଷାରେ ଦୀପାବଳିକୁ ଭିନ୍ନ ଭିନ୍ନ ରୂପେ ଉଚ୍ଚାରଣ କରାଯାଇଥାଏ । କେବଳ ଭାରତରେ ନୁହେଁ ନେପାଳରେ ମଧ୍ୟ ଏହି ପର୍ବଟି ବେଶ୍ ଧୁମଧାମରେ ପାଳିତ ହୋଇଥାଏ । ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରେ ଏହି ଉତ୍ସବକୁ ପାଳନ କରାଯାଏ । କେଉଁଠି ଏହି ପର୍ବରେ ପୂର୍ବ ପୁରୁଷଙ୍କୁ ମନେ ପକାଯାଇ ଶ୍ରାଦ୍ଧ ଦିଆଯାଏ ତ କେଉଁଠି ମହାଶକ୍ତି ଦେବୀ କାଳୀଙ୍କୁ ପୂଜା କରାଯାଏ ପୁଣି କେଉଁଠି ସୁଖ ସମୃଦ୍ଧିର ଦେବୀ ମାତା ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । ତେବେ ଆସନ୍ତୁ ଜାଣିବା ଭାରତରେ ଦୀପାବଳି କିପରି ଓ କାହିଁକି ପାଳନ କରାଯାଏ ।

ଭାରତରେ ପ୍ରାଚୀନ କାଳରୁ ଫସଲ ପରର ଏକ ଖୁସିର ଦିନ ଭାବେ ଏହି ଉତ୍ସବଟି ପାଳିତ ହୋଇଆସୁଛି । ଦୀପାବଳି ସମ୍ପର୍କରେ ପଦ୍ମ ପୁରାଣ ଓ ସ୍କନ୍ଦ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି । କୁହାଯାଏ ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଠିକ୍ ଏହିଦିନ ଅଯୋଧ୍ୟାକୁ ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଆଗମନରେ ଆନନ୍ଦରେ ଦୀପ ଜଳାଇ ସ୍ୱାଗତ କରିଥିଲେ । ସେହିଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ଏହିଦିନଟିକୁ ବହୁ ଜାକଜମକରେ ପାଳନ କରାଯାଏ । ସେହିପରି ମହାଭାରତକୁ ଦେଖିଲେ ଜଣାଯାଏ ଯେ, ଏହି ଦିନ ପାଣ୍ଡବମାନେ ସେମାନଙ୍କର ୧୨ବର୍ଷର ବନବାସ ଓ ୧ ବର୍ଷର ଅଜ୍ଞାତ ବାସ ପୂର୍ଣ୍ଣ କରି ଫେରିଥିଲେ । ପୁଣି ଏହି ଦିନ ବଳିର ଅହଂକାରକୁ ଭାଙ୍ଗିବା ପାଇଁ ଭଗବାନ ବିଷ୍ଣୁ ବାମନ ଅବତାରରେ ତିନିପାଦ ଭୂମି ମାଗି ବଳି ରାଜାଙ୍କୁ ପାଦରେ ଚାପି ପାତାଳପୁରକୁ ପଠାଇଥିଲେ ।

ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବଟି ଏକ କୃଷିଭିତ୍ତିକ ବିଧି, ଯାହା ପ୍ରାଚୀନ କଳିଙ୍ଗରେ କୃଷିକ୍ଷେତ୍ର ଓ ତତସହିତ ପୂର ପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ସାଧାରଣତଃ ଓଡ଼ିଶାରେ ଏହି ସମୟ ଅମଳ ଋତୁର ନିକଟତର ଥିବାରୁ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟାବେଳକୁ ଏମାନଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଥାଏ । ଆମବାସ୍ୟାର ଦୀପ ଜାଳିବା ସହିତ ବାଣ ଫୁଟାଯିବା ଯୋଗୁଁ କୀଟ ପତଂଗଗୁଡିକ ନଷ୍ଟ ହୋଇଥାନ୍ତି ।

ଏହି ଦିନ ଓଡ଼ିଶାର ପୂର ପଲ୍ଲୀରେ ମହାକାଳୀଙ୍କର ଆରାଧନା କରାଯାଏ । ଭଦ୍ରକ ଜିଲ୍ଲା ସାର୍ବଜନୀନ କାଳୀ ପୂଜା ପାଇଁ ବେଶ୍ ପ୍ରସିଦ୍ଧ । ସେହିପରି ଦୀପାବଳି ଅମାବାସ୍ୟା ଦିନ ଓଡିଆମାନେ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଅନ୍ତି, ଯାହାକୁ ପୟା ଶ୍ରାଦ୍ଧ କୁହାଯାଏ । ଏହି ଦିନ ସନ୍ଧ୍ୟାବେଳେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜଳାଯାଏ । କାଉଁରିଆ କାଠି ଜାଳିବାବେଳେ ପ୍ରତି ଓଡ଼ିଆ କୁହନ୍ତି:

‘ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା',
ମହାପ୍ରସାଦ ଖାଇ
ବାଇଶି ପାହାଚେ ଗଡ଼ଗଡାଉ ଥା' ।

ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ଜାଳି ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।