ଶରତର କାଶତଣ୍ଡୀ ଫୁଲେ ଫୁଲେ ମା ଜଗଜ୍ଜନନୀ ଧରାବତରଣ କରିଛନ୍ତି । ଚାରିଆଡ଼େ ପାର୍ବଣର ମାହୋଲ । ଦୁଷ୍ଟର ବିନାଶ କରିବା ପାଇଁ ମା ଆବିର୍ଭାବ ହୋଇଥିଲେ । ସେ ହେଉଛନ୍ତି ଶକ୍ତିର ପ୍ରତୀକ । ସେ ପୁଣି ମହାଶକ୍ତି ବିମଳା । ଯୁଗଯୁଗରୁ ଏହି ପବିତ୍ର ଭାରତଭୂମିରେ ନାରୀକୁ ଦେବୀ ରୂପରେ ଅଭିହିତ କରାଯାଇ ନାରୀଶକ୍ତିକୁ ପୂଜା କରାଯାଉଛି । ଦୈତ୍ୟମାନଙ୍କ ବିନାଶ ପାଇଁ ଜଗତଜନନୀ ମା ଦୁର୍ଗା ଆର୍ବିଭୁତା । ଦୈତ୍ୟ ମହିଷାସୁରର ପ୍ରକୋପରେ ଥରହର ତ୍ରିଲୋକକୁ ବଂଚାଇବା ପାଇଁ ମାତା ପାର୍ବତୀ ନେଇଥିଲେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗା ରୂପ । ଦୁର୍ଗାପୂଜା ବା ଦଶହରା ହେଉଛି ଓଡ଼ିଶାର ଏକ ଅନନ୍ୟ ଓ ପ୍ରମୁଖ ପର୍ବ । ୧୦ ଦିନ ବ୍ୟାପୀ ପାଳନ କରାଯାଉଥିବା ଏହି ଶାରଦୀୟ ଦୁର୍ଗା ପୂଜାଟି ଚାରିଦିନ ମହାଆଡ଼ମ୍ବରରେ ପାଳିତ ହୁଏ । ଆଶ୍ଵିନ ମାସ ଶୁକ୍ଲପକ୍ଷ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀଦିନକୁ ବିଶେଷ ଭାବରେ ପାଳନ କରାଯାଏ । ଦଶମୀକୁ ବିଜୟାଦଶମୀ ବୋଲି କୁହାଯାଏ ।

ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ, ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରି ତାର ବିନାଶ କରିଥିଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେଠାରୁ ଦଶହରା ଉଭୟ ଚୈତ୍ର ବା ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦୀୟ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।