ଜଟିଳ କାର୍ବସ୍ ବନାମ ସରଳ କାର୍ବସ୍ - ଏକ ଅନୁଶୀଳନ

ଜଟିଳ କାର୍ବସ୍ ହେଉଛି ଖାଦ୍ୟ ତତ୍ୱ (ଷ୍ଟାର୍ଚ୍) ଏବଂ ଆହାରର ଫାଇବର ଯାହା ହଜମ ଏବଂ ସ୍ଥାୟୀ ଶକ୍ତି ଯୋଗାଇବା ପାଇଁ ଅଧିକ ସମୟ ନେଇଥାଏ ।


ଆମେ ସମସ୍ତେ ଜାଣୁ, କାର୍ବୋହାଇଡ୍ରେଟ୍ (କାର୍ବସ୍) ହେଉଛି ଏକ ମୁଖ୍ୟ ମାକ୍ରୋନ୍ୟୁଟ୍ରିଏଣ୍ଟ୍, ଯାହା ମସ୍ତିଷ୍କ ଏବଂ ମାଂସପେଶୀ ପାଇଁ ଇନ୍ଧନ ଭାବରେ କାର୍ଯ୍ୟ କରେ । ଆଜିକାଲି, କିଛି ଡାଏଟ୍ ଏବଂ ଓଜନ ହ୍ରାସ ପ୍ରୋଗ୍ରାମଗୁଡିକ ଆପଣଙ୍କୁ କାର୍ବ ହ୍ରାସ କରିବାକୁ କିମ୍ବା ଓଜନ ହ୍ରାସ କରିବା ପାଇଁ ଏହାକୁ ସଂପୂର୍ଣ୍ଣ ଭାବରେ ଏଡ଼ାଇବାକୁ ପ୍ରୋତ୍ସାହିତ କରୁଛି । ଆପଣଂକର ଫିଟନେସ୍ ଲକ୍ଷ୍ୟ ଯାହା ବି ହେଇଥାଉନା କାହଁକି, ଆପଣ ଆପଣଙ୍କ ପ୍ଲେଟରୁ ସମସ୍ତ କାର୍ବସ୍ ନ କାଢି ମଧ୍ୟ ଏହାକୁ ହାସଲ କରିପାରିବେ । ଯେହେତୁ କାର୍ବୋହାଇଡ୍ରେଟସ୍ ସନ୍ତୁଳିତ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ, ତେଣୁ ଏହାକୁ ନିଜ ଖାଦ୍ୟ ଯୋଜନାରୁ ହଟାଇବା ପରିବର୍ତ୍ତେ ସଠିକ୍ କାର୍ବସ୍ ଖାଇବା ଆବଶ୍ୟକ ।

କାର୍ବସ୍ ର ସଠିକ୍ ଉତ୍ସକୁ ଖୋଜିବା ସହ ସରଳ ଏବଂ ଜଟିଳ କାର୍ବସ୍ ମଧ୍ୟରେ କିଛି ଜାଣିବା ଆବଶ୍ୟକ । ଏତଦବ୍ୟତୀତ ଉଭୟ କାର୍ବସ୍ ମଧ୍ୟରେ ପାର୍ଥକ୍ୟ ଓ ଉପକାରିତା ଓ ଅପକାରିତା ସମ୍ପର୍କରେ ମଧ୍ୟ କିଛି ଜ୍ଞାନ ରହିବା ଉଚିତ ।

ସରଳ ଏବଂ ଜଟିଳ କାର୍ବସ୍ ମଧ୍ୟରେ ପାର୍ଥକ୍ୟ

ସରଳ କାର୍ବସ୍ ହେଉଛି ମୂଳତଃ ଚିନି, କ୍ଷୀର, ଫଳ ରସ ଏବଂ ମକା ସିରପ୍ ରୁ ମିଳୁଥିବା ଶର୍କରା । ଏହି ସରଳ କାର୍ବସ୍ ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟ ଯଥା ସୋଡା, କିଛି ବେକଡ଼୍ ଖାଦ୍ୟ, ପ୍ୟାକେଜଡ଼୍ କୁକିଜ୍, ଆଇସ୍କ୍ରିମ୍, ଜଳଖିଆ ବା ଶସ୍ୟ ଜାତୀୟ ଖାଦ୍ୟରେ ମିଶି ରହିଥାଏ । ତେବେ ସମସ୍ତ ସରଳ କାର୍ବସ୍ ଏତେ ଖରାପ ନୁହେଁ । ଉଦାହରଣ ସ୍ୱରୂପ, ଫଳ, କ୍ଷୀର ଏବଂ ପନିପରିବା ଯାହାକି ସରଳ କାର୍ବସ୍, ସେଥିରେ ଭିଟାମିନ୍ ଏବଂ ମିନେରାଲ୍ସର ଉତ୍କୃଷ୍ଟ ଉତ୍ସରେ ଥାଏ । ଅନ୍ୟପଟେ, ପ୍ୟାକେଜଡ଼୍ ଖାଦ୍ୟଗୁଡିକ ବିଶୋଧିତ ଶସ୍ୟରୁ ପ୍ରସ୍ତୁତ ହୋଇଥିବାରୁ ଏହାର ପୁଷ୍ଟିକର ମୂଲ୍ୟ କମ୍ ରହିଥାଏ ଏବଂ ଏହାକୁ ମୁକ୍ତ କ୍ୟାଲୋରୀ ଭାବରେ ବିବେଚନା କରାଯାଏ ।

ଜଟିଳ କାର୍ବସ୍ ହେଉଛି ଖାଦ୍ୟ ତତ୍ୱ (ଷ୍ଟାର୍ଚ୍) ଏବଂ ଖାଦ୍ୟରେ ଥିବା ଫାଇବର ଯାହା ହଜମ ଏବଂ ସ୍ଥାୟୀ ଶକ୍ତି ଯୋଗାଇବା ପାଇଁ ଅଧିକ ସମୟ ନେଇଥାଏ । ଏହି ଜଟିଳ କାର୍ବସ୍ ଫାଇବର, ଭିଟାମିନ୍ ବି ଏବଂ ଇ, ଫାଇଟୋକେମିକାଲ୍ସ ଏବଂ ସୁସ୍ଥ ଚର୍ବି ଯୋଗାଇଥାଏ ଯାହା ଆପଣଙ୍କୁ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିବାରେ ଏବଂ ଏକ ସୁସ୍ଥ ଓଜନ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଜଟିଳ କାର୍ବସର କେତେକ ପ୍ରାଥମିକ ଉତ୍ସ ହେଉଛି ବାଦାମୀ ଚାଉଳ ଓ ଅକାଣ୍ଡିଆ ଚାଉଳ, ବାର୍ଲି, କ୍ୱିନୋଆ, ଆଳୁ, ମକା, ବାଦାମ, ଡାଲି, ଛେନା, ମସୁର ଡାଲି ଇତ୍ୟାଦି ।

ଜଟିଳ କାର୍ବସ୍ ର ଉପକାରିତା

ଲୋକମାନେ ଭଲ ଏବଂ ଖରାପ କାର୍ବସ୍ ବିଷୟରେ ଆଲୋଚନା କରୁଥିବାର ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣତଃ, ସରଳ କିମ୍ବା ବିଶୋଧିତ କାର୍ବସ୍ କୁ ଖରାପ କାର୍ବସ୍ ଏବଂ ଜଟିଳ କାର୍ବସ୍ କିମ୍ବା ପୂରା ଶସ୍ୟକୁ ଭଲ କାର୍ବସ୍ ଭାବରେ ବିବେଚନା କରାଯାଏ । ଏହାର କାରଣ ହେଉଛି ଜଟିଳ କାର୍ବସ୍ କିମ୍ବା ଷ୍ଟାର୍ଚ୍ ଗୁଡିକ ହେଉଛି ଶର୍କରା ଅଣୁଗୁଡ଼ିକର ଏକ ଜଟିଳ ଦୀର୍ଘ ଶୃଙ୍ଖଳ । ତେଣୁ, ସରଳ କାର୍ବସ୍ ତୁଳନାରେ ଜଟିଳ ଗଠନକୁ ଭାଙ୍ଗିବା ଏବଂ ହଜମ କରିବାକୁ ଶରୀରକୁ ଅଧିକ ସମୟ ଲାଗେ ।

ଜଟିଳ କାର୍ବସ୍ ର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଉପକାରଗୁଡ଼ିକ ହେଉଛି -

  • ଏହା ମାଂସପେଶୀର ବୃଦ୍ଧି ଏବଂ ପୁନରୁଦ୍ଧାରକୁ ପ୍ରୋତ୍ସାହିତ ଓ ଅପ୍ଟିମାଇଜ୍ କରେ ।
  • ରକ୍ତରେ ଶର୍କରାର ସ୍ତରକୁ ସ୍ଥିର ରଖେ ।
  • ଶରୀରକୁ ପୂର୍ଣ୍ଣ ରଖି ଖାଦ୍ୟ ଲୋଭକୁ ନିୟନ୍ତ୍ରଣ କରେ ।
  • ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ।
  • ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତି ବଜାୟ ରଖେ ।
  • ଶରୀରକୁ ଆରାମ ଦେବାରେ ସାହାଯ୍ୟ କରେ ।
  • ମସ୍ତିଷ୍କର ସର୍ବୋତ୍କୃଷ୍ଟ କାର୍ଯ୍ୟକୁ ସୁନିଶ୍ଚିତ କରେ ।
  • ହୃଦରୋଗର ଆଶଙ୍କାକୁ ହ୍ରାସ କରେ ।

ଦୀର୍ଘକାଳୀନ ସୁସ୍ଥ ସ୍ୱାସ୍ଥ୍ୟର ଚାବି ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଉତ୍ସଗୁଡ଼ିକୁ ଚତୁରତାର ସହ ଚୟନ କରିବା । ଫିଟ୍ ରହିବାର ସର୍ବୋତ୍ତମ ଉପାୟ ହେଉଛି ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ପ୍ରାକୃତିକ ଖାଦ୍ୟ ଖାଇବା । ତେଣୁ ଏନେଇ ଅନୁସନ୍ଧାନ କରନ୍ତୁ, ଏବଂ ସୁସ୍ଥ ରହିବା ପାଇଁ ଏବଂ ଆପଣଙ୍କ ଶରୀରକୁ ଦୀର୍ଘକାଳୀନ ଜଟିଳତାରୁ ରକ୍ଷା କରିବା ପାଇଁ ପୁଷ୍ଟିକର ଲେବଲ୍ ଉପରେ ଧ୍ୟାନ ରଖନ୍ତୁ ।