ଭାରତୀୟମାନେ ମସଲା ପ୍ରିୟ । ତାଙ୍କ ଖାଦ୍ୟରେ ରାଗ, ଲୁଣି, ଖଟା, ମିଠାର ସ୍ୱାଦ ରହିଥାଏ । ଭାରତୀୟ ମସଲାରେ ଲଙ୍କା ଏକ ପ୍ରମୁଖ ଉପାଦାନ । ପ୍ରାୟ ସବୁ ଖାଦ୍ୟରେ ଲଙ୍କାର ପ୍ରଚଳନ ଥାଏ । କେହି କେହି ବିନା ଲଙ୍କାରେ କିଛି ଖାଇପାରନ୍ତି ନାହିଁ । ରାଗ - ଲୁଣି ସ୍ୱାଦଟି ଭାରତୀୟଙ୍କର ବେଶୀ ପ୍ରିୟ । ତରକାରୀ ହେଉ କି ଡାଲି ଛୁଙ୍କ କି ପକୋଡା ସବୁଥିରେ ଲଙ୍କା ତ ନିହାତି ଦରକାର । ଲଙ୍କା ବିନା ଖାଇବାଟା ଖାଇବା ପରି ଲାଗେ ନାହିଁ । ଭାରତୀୟ ଥାଳିରେ କଂଚାଲଙ୍କାଟିଏ ତ ନିଶ୍ଚୟ ଥାଏ । ଏମିତିରେ ଭାରତୀୟଙ୍କ ପ୍ରାୟ ସବୁ ଖାଦ୍ୟରେ ଛୁଙ୍କ ହେଉ କି ଭଜା ସବୁଥିରେ ଶୁଖିଲାଲଙ୍କାଟିଏ ତ ନିହାତି ଦରକାର । ଏହା ଖାଦ୍ୟରେ ବାସ୍ନା ସହିତ ସ୍ୱାଦକୁ ବଦଳାଇ ଦେଇଥାଏ । ଗାଁ ଗହଳରେ କିଛି ନଥିଲେ ଲଙ୍କା ଓ ଟମାଟୋଟିଏ ପୋଡି ଦେଲେ ଖାଇବାଟା ଉଠିଯାଏ । ସେମିତି କଞ୍ଚାଲଙ୍କା, ରସୁଣ ଓ ଶୁଖୁଆ ପୋଡାର ସ୍ୱାଦ ଭାରି ନିଆରା । ପଖାଳ କଂସା ହେଉ କି ଭାତ ଥାଳି ଯଦି କଞ୍ଚାଲଙ୍କାଟିଏ ନଥାଏ ଆମ ଖାଇବା ପୂର୍ଣ୍ଣ ହୋଇନଥାଏ ।

ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଲଙ୍କା ଖାଉଥିବା ଲୋକେ, ଲଙ୍କା ଖାଉନଥିବା ଲୋକଙ୍କଠାରୁ ଅଧିକ ଦିନ ଜୀବିତ ରୁହନ୍ତି । ଯେଉଁମାନେ ସପ୍ତାହରେ ଅତି କମରେ ଚାରିଥର ଲଙ୍କା ବା ରାଗ ଖାଇଥାନ୍ତି, ସେମାନଙ୍କ ହୃଦୟ ଓ ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ ରୂପେ ହୋଇଥାଏ । ସେହିପରି ଇଟାଲୀରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ - ଯେଉଁମାନେ ଲଙ୍କା ବା ରାଗ ଟିକେ ଅଧିକ ଖାଇଥାନ୍ତି, ସେମାନଙ୍କଠାରେ ହୃଦଘାତ ସମସ୍ୟା ୪୦ ପ୍ରତିଶତ କମ ଦେଖାଯାଏ । ସେହିପରି ଲଙ୍କାରେ ରହିଥିବା କ୍ୟାପିସିସନ ନାମକ ପଦାର୍ଥ ଶରୀର ପାଇଁ ଲାଭଦାୟକ । ଏହା ମେଟାବଲିଜିମକୁ ବଢାଇବା ସହ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରେ । ତେବେ ଅତ୍ୟଧିକ ଲଙ୍କା ଶରୀର ପାଇଁ କ୍ଷତିକାରକ । ତେଣୁ ଆବଶ୍ୟକ ଅନୁସାରେ ଏହାକୁ ଖାଇବା ଉଚିତ ।

ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ଉଚିତ ନୁହେଁ । ସେହିପରି ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ବା ପାଇଲସ୍ ସମସ୍ୟା ଅଛି, ସେମାନଙ୍କ ପାଇଁ ଲଙ୍କାର ବ୍ୟବହାର ସେମାନଙ୍କ ସମସ୍ୟା ବଢ଼ାଇପାରେ । ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ ଲଙ୍କାଠାରୁ ଟିକେ ଦୂରେଇ ରହିବା ଉଚିତ । ସେହିପରି ଯେଉଁମାନଙ୍କ ଅଲସର୍‌ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ ନୁହେଁ । ଲଙ୍କା ଖାଇବା ଦ୍ୱାରା କ୍ଷତ ଆହୁରି ଗଭୀର ହୋଇଥାଏ, ଏଥିସହ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଥାଏ । ଏସିଡିଟି ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଲଙ୍କା ଖାଇବାଠାରୁ ଦୂରେଇ ରହିବା ଉଚିତ । ବିଶେଷକରି ନାଲି ଲଙ୍କା ଭୁଲ୍‌ରେ ବି ଖାଇବା ଉଚିତ ନୁହେଁ । ଏହାଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଏସିଡିଟି ସମସ୍ୟା ବଢ଼ିଥାଏ । ଏହାବ୍ୟତୀତ ଯେଉଁବ୍ୟକ୍ତି ଅଧିକ ପରିମାଣରେ ଲଙ୍କା ଖାଆନ୍ତି, ସେମାନଙ୍କୁ ଡାଇରିଆ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆବଶ୍ୟକତା ଅନୁସାରେ ଆପଣ ଲଙ୍କାକୁ ନିଜ ଖାଦ୍ୟରେ ସାମିଲ କରିପାରିବେ । ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକ ରାଗଲଙ୍କା ମିଳିଥାଏ । ଏହି ରାଗଲଙ୍କାଟିର ନାଁ ହେଉଛି ଭୂତ ଜୋଲକିଆ । ଏହି ଭୂତ ଜୋଲକିଆ ଲଙ୍କାର ଗୋଟିଏ ମାତ୍ର ମଞ୍ଜିର ରାଗ ତୀବ୍ରତା ଅଧା ଘଣ୍ଟା ପର୍ଯ୍ୟନ୍ତ ରହେ । ଏହାର ଟିକେ ମାତ୍ରା ଖାଦ୍ୟକୁ ଅତ୍ୟନ୍ତ ରାଗୁଆ କରିଦିଏ । ଏହି ଲଙ୍କାର ଟିକେ ଅଂଶ ପାଟିରେ ଲଗାଇଲେ ପାଞ୍ଚଘଣ୍ଟା ଧରି ଏହାର ପ୍ରଭାବ ବି ରହେ ଏବଂ ଆଖିରୁ ଲୁହ ଏବଂ ନାକରୁ ପାଣି ବାହାରେ ।

ଭାରତୀୟମାନେ ଲଙ୍କାକୁ ନେଇ ଆଚାର ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ କରିଥାନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ ।