ବକୁଳ ଅମାବାସ୍ୟା

ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ । ତନ୍ମଧ୍ୟରେ ବକୁଳ ଅମାବାସ୍ୟା ପର୍ବ ଅନ୍ୟତମ । ପୌଷ ମାସ ଅମାବାସ୍ୟାକୁ ‘ବକୁଳ ଅମାବାସ୍ୟା’ ବୋଲି କୁହାଯାଏ ।


ବୃକ୍ଷ ପୂଜା ବେଶ୍ ପ୍ରାଚୀନ । ହିନ୍ଦୁ ଧର୍ମରେ ଆବହମାନ କାଳରୁ ବୃକ୍ଷ ପୂଜା ଅନୁଷ୍ଠିତ ହେଉଛି । ଅପରପକ୍ଷରେ ଭାରତୀୟ ସଂସ୍କୃତି ଏକ ପ୍ରକୃତିଭିତ୍ତିକ ସଂସ୍କୃତି । ପ୍ରାକୃତିକ ପରିବର୍ତ୍ତନରେ ଧରଣୀରାଣୀ ଅପୂର୍ବ ଶୋଭା ସମ୍ଭାରରେ ମଣ୍ଡିତ ହେଉଥିବା ସମୟରେ ତାହାକୁ ଉପଭୋଗ କରିବା ପାଇଁ ବିଭିନ୍ନ ପର୍ବପର୍ବାଣିର ବ୍ୟବସ୍ଥା ବହୁ ପୁରାତନ କାଳରୁ ଆମ ସମାଜରେ ପ୍ରଚଳିତ ହୋଇଆସୁଛି । ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ । ତନ୍ମଧ୍ୟରେ ବକୁଳ ଅମାବାସ୍ୟା ପର୍ବ ଅନ୍ୟତମ । ପୌଷ ମାସ ଅମାବାସ୍ୟାକୁ ‘ବକୁଳ ଅମାବାସ୍ୟା’ ବା ବଉଳ ଅମାବାସ୍ୟା ବୋଲି କୁହାଯାଏ । ଓଡ଼ିଶାର ଘରେ ଘରେ ଏହା ପାରମ୍ପରିକ ରୀତିରେ ପାଳିତ ହୋଇଆସୁଛି । କହିବାକୁ ଗଲେ ଏହି ପର୍ବ ହେଉଛି ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ । ଏହିଦିନ ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ ବଉଳି ଥିବା ଆମ୍ବଗଛରେ ବାନ୍ଧି ପୂଜା କରାଯାଏ, ଯାହାକୁ କୁହାଯାଏ ଗଇଁଠା । ଗର୍ଭବତୀ ମହିଳାଙ୍କୁ ପୂଜିବା ଭଳି ଫଳବତୀ ବୃକ୍ଷକୁ ପୂଜିବାର ଅନନ୍ୟ ପରମ୍ପରା ଏହି ଉତ୍ସବରେ ଦେଖିବାକୁ ମିଳେ । ଆମ୍ବ ଗଛରେ ବଉଳ ଆସିବା ପରେ ଆମ୍ବ ହେବା ପାଇଁ ବେଶ୍ କିଛି ଦିନ ସମୟ ଲାଗେ । ଆମ୍ବ ଗଛରେ ବଉଳ ହେବା ପରେ ଆମ୍ବ ବଉଳର ସୁରକ୍ଷା ପାଇଁ ଗୃହସ୍ଥମାନେ ଦେବଦେବୀଙ୍କ ନିକଟରେ ବଉଳର ସୁରକ୍ଷା ପାଇଁ ପୂଜାର୍ଚ୍ଚନା କରନ୍ତି । ଏହି ଦିନ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଆମ୍ବଗଛରୁ ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟଦେବୀଙ୍କଠାରେ ଭୋଗ ଲଗାଯାଇଥାଏ । ସାଧାରଣତଃ ଯେମିତି ଜଣେ ଗର୍ଭବତୀ ହେଲେ ତାର ମଙ୍ଗଳ କାମନା କରାଯାଏ, ଠିକ୍ ସେମିତି ଆମ୍ବ ବୃକ୍ଷଟି ଫଳବତୀ ହେଲେ ଭଲ ଫଳ ପାଇଁ ପୂଜା କରାଯାଏ । ଏହି ଦିନ ଆମ୍ବଗଛ ମୂଳକୁ ଗୋବର ପାଣିରେ ଲିପାଯାଏ । ଆମ୍ବଗଛକୁ ନୂଆ ବସ୍ତ୍ର ପିନ୍ଧାଯାଏ । ଗଇଁଠା ସହ ଚକୁଳି, ଚିତଉ, ମଣ୍ଡା ଆଦି ପିଠା କରାଯାଏ । ଏହିଦିନ ଖିରି ମଧ୍ୟ କରାଯାଏ । ଏହାକୁ ବଉଳ ଖିରି ବୋଲି କୁହାଯାଏ । ପିଠା ଓ ଖିରିକୁ ଠାକୁର ଓ ଆମ୍ବ ଗଛ ମୂଳେ ଭୋଗ କରାଯାଏ ।

ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ ଏହି ଦିନ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ବକୁଳ ଅମାବାସ୍ୟାରେ ନଡ଼ିଆଖଣ୍ଡ ପଡ଼ିଥିବା ସୁଆଦିଆ ପିଠାମାନ ଠାକୁରଙ୍କୁ ସମର୍ପଣ କରାଯାଏ । ଏହି ଦିନ ଶ୍ରୀଜୀଉମାନଙ୍କ ନିକଟରେ ଏକ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ଏହିଦିନ ମହାପ୍ରଭୁଙ୍କ ନିକଟରେ ବଉଳ ଗଇଁଠା ଭୋଗ କରାଯିବା ପରେ ଶ୍ରୀଜୀଉଙ୍କର ସାଗର ବିଜେ ନୀତି ଅନୁଷ୍ଠିତ ହୁଏ । ଏହିଦିନ ଶ୍ରୀମନ୍ଦିରରେ ସକାଳଧୂପ ବଢିବା ପରେ ଅମାବାସ୍ୟା ଦିଅଁ (ଶ୍ରୀ ନାରାୟଣ) ରତ୍ନସିଂହାସନକୁ ବିଜେ କରନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶ୍ରୀ ନାରାୟଣ ପାଲିଙ୍କିରେ ସ୍ଵର୍ଗଦ୍ଵାର ତଟ ମହୋଦଧିକୁ ବିଜେ କରନ୍ତି । ଏଠାରେ ଆଳତି ବନ୍ଦାପନା ଓ ସମୁଦ୍ର ଜଳଲାଗି ସମ୍ପନ୍ନ ହୋଇଥାଏ । ଏହାକୁ ସାଗର ବିଜେ ନୀତି କୁହାଯାଏ । ଅମାବାସ୍ୟା ପ୍ରତିପଦ ପୂର୍ଶ ହେଲେ ସକାଳ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୁଏ ।

ଅନ୍ୟ ଲୋକମତ ହିସାବରେ ଏହି ଦିନ ମାଛି ଅଧିକ ନ ବଉଳିବା ପାଇଁ ଘରର ଦୁଆର ବନ୍ଧ ବା ଏରୁଣ୍ଡି ବନ୍ଧ ନିକଟରେ ପିଠା ରଖାଯାଏ । ମାଛିମାନେ ଏହି ପିଠା ଖାଇ ଆଉ ଅଧିକ ବଢିବେ ନାହିଁ ବୋଲି ବିଶ୍ୱାସ କରାଯାଏ । ଯେମିତି ଚିତଉ ଆମବାସ୍ୟା ଦିନ ଗେଣ୍ଡା ତଥା ଜଳଚର ପ୍ରାଣୀମାନେ ମଣିଷକୁ ଆଘାତ ନ କରିବେ ସେଥିପାଇଁ ଚିତଉ ପିଠା କରାଯାଇ ଖେତ, ବିଲ, ପୋଖରୀ ଆଦିରେ ପିଠା ପକାଯାଏ, ଠିକ୍ ସେମିତି ଏହି ଦିନ ମାଛିମାନଙ୍କ ପାଇଁ ମଧ୍ୟ ପିଠା ରଖାଯାଏ ।

ଏହି ଦିନ ଓଡ଼ିଶାର ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ ହୁଏ । ତେବେ ଗଇଁଠା ହେଉଛି ଚାଉଳରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପିଠା ।

କିପରି ପ୍ରସ୍ତୁତ କରିବେ ଗଇଁଠା:

ପ୍ରଥମେ ପାଣି ଗରମ କରି ସେଥିରେ ଲୁଣ, ନଡ଼ିଆ କୋରା ଓ ଅରୁଆ ଚାଉଳ ଚୁନାକୁ ପକାଇ ଖଳି ତିଆରି କରାଯାଏ । ପରେ ଏହାକୁ ମୁଠା କରି ଲମ୍ବା ଗୁଳା ଗୁଳାର ଆକାର ଦିଆଯାଏ । ଏହାପରେ ହାଣ୍ଡିରେ ପାଣି ଦେଇ ଏହା ଉପରେ କନା ରଖି ଏହି ଗୁଳାକୁ ସିଝାଯାଏ । ଏହା ସିଝିଗଲେ ପ୍ରସ୍ତୁତ ହୁଏ ଗଇଁଠା । ଏହାକୁ ବଉଳ ଗଇଁଠା ବୋଲି କୁହାଯାଏ ।

Report an Error