ଭାରତୀୟ ମସଲାର କାହାଣୀ: ଗୋଲମରିଚକୁ ନେଇ କିଛି କଥା

ଭାରତୀୟ ମସଲାଗୁଡିକର ନିଆରା ସ୍ୱାଦ, ସୁଗନ୍ଧ ଓ ଔଷଧୀୟ ଗୁଣ ଯୋଗୁଁ ବିଶ୍ୱପ୍ରସିଦ୍ଧ । ଆଜିର ମସଲାରେ ରହିଛି ଗୋଲମରିଚ । ଯାହାକୁ କଳା ସୁନା ବୋଲି କୁହାଯାଏ ।


ଭାରତୀୟ ବ୍ୟଞ୍ଜନ ସମଗ୍ର ଦୁନିଆରେ ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ ଅଟେ । ସାଧାରଣତଃ ଏଥିରେ ବ୍ୟବହୃତ ହେଉଥିବା ମସଲା ପାଇଁ ଭାରତୀୟ ବ୍ୟଞ୍ଜନ ବେଶି ଲୋକପ୍ରିୟ । ଭାରତୀୟ ବ୍ୟଞ୍ଜନ ସମଗ୍ର କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଯାହା ସ୍ଥାନୀୟ ଉପଜ, ସାଂସ୍କୃତିକ ବିବିଧତାକୁ ଦର୍ଶେଇଥାଏ । ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ମସଲା କେବଳ ଖାଦ୍ୟ ପାଇଁ ନୁହେଁ ଔଷଧ ପାଇଁ ମଧ୍ୟ ବ୍ୟବହାର କରାଯାଏ । ସେଥିପାଇଁ ଭାରତକୁ ମସଲାର ଦେଶ କୁହାଯାଏ । ଭାରତୀୟ ମସଲାଗୁଡିକର ନିଆରା ସ୍ୱାଦ, ସୁଗନ୍ଧ ଓ ଔଷଧୀୟ ଗୁଣ ଯୋଗୁଁ ଏହା ବିଶ୍ୱପ୍ରସିଦ୍ଧ । ହଳଦୀ, ଲୁଣ, ଜିରା, ମେଥି, ଅଳେଇଚ, ଗୁଜୁରାତି, ଜୁଆଣି, ସୋରିଷ, ଅଦା, ହେଙ୍ଗୁ, ଗୋଲମରିଚ, କଳାଜିରା, ଲବଙ୍ଗ, ଧନିଆ, ତେଜପତ୍ର, ପୋସ୍ତ, ଜାଇଫଳ, ପାନମଧୁରୀ, ଡାଲଚିନି, କେଶର ପରି ବହୁ ମସଲାକୁ ଭାରତୀୟମାନେ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି । ବୃକ୍ଷର ଚେର, ଛାଲ, ପତ୍ର, କଢ଼, ପତ୍ର, ମଞ୍ଜି, ଫୁଲ ଓ ଫଳକୁ ଭାରତୀୟମାନେ ମସଲା ରୂପେ ଉପଯୋଗ କରନ୍ତି । ଯେମିତି ତେଜପତ୍ର, ଡାଲଚିନି, ଗୋଲମରିଚ । ଖାଦ୍ୟକୁ ସ୍ୱାଦିଷ୍ଟ ଆଉ ସୁଗନ୍ଧିତ କରିବା ପାଇଁ ଏହି ମସଲା ସବୁର ଉପଯୋଗ ହୁଏ ।

ଗୋଲମରିଚ, ଡାଲଚିନି, ହଳଦୀ ଓ ଅଳେଇଚ ପରି ମସଲା ଓ ଜଡ଼ିବୁଟିର ଉପଯୋଗ ଭାରତୀୟମାନେ ହଜାର ବର୍ଷ ଧରି ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରି ଆସୁଛନ୍ତି । ଭାରତର ସ୍ବଦେଶୀ ମସଲା (ଯେମିତିକି ହଳଦୀ ଓ ଗୁଜୁରାତି) ବାବିଲୋନର ଉଦ୍ୟାନରେ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ ଚାଷ କରାଯାଉଥିଲା ।

ସୁଶ୍ରତ, ଯିଏ କି ଜଣେ ପ୍ରାଚୀନ ଶଲ୍ୟ ଚିକିତ୍ସକ ଥିଲେ । ସେ ଘାତକ ଆତ୍ମାକୁ ଦୂର କରିବା ପାଇଁ ଚାଦରରେ ଧଳା ସୋରିଷ ଓ ଅନ୍ୟ ସୁଗନ୍ଧିତ ଚାରାର ବ୍ୟବହାର କରୁଥିଲେ । ଚରକ ଓ ସୁଶ୍ରତ ଚିକିତ୍ସା ପାଇଁ ମସଲା ଓ ଜଡ଼ିବୁଟିର ପ୍ରୟୋଗ କରୁଥିବାର ତାଙ୍କ ଲିଖିତ ଗ୍ରଂଥମାନଙ୍କରୁ ଜଣାପଡେ । ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପକାର ପାଇଁ ପ୍ରାଚୀନ ଆୟୁର୍ବେଦିକ ଔଷଧରେ ଅଦା, ଗୋଲମରିଚ, ଜିରା, ସୋରିଷ ମଞ୍ଜି ଭଳି ମସଲା ଅନ୍ତର୍ଭୁକ୍ତ କରାଯାଇଥିଲା । ସେହିପରି ଲବଙ୍ଗ ଏବଂ ଗୁଜୁରାତି ପରି ମସଲାକୁ ପାନ ପତ୍ରରେ ଗୁଡ଼ାଇ ଲାଳ ପ୍ରବାହକୁ ବଢ଼ାଇବା ପାଇଁ ଏବଂ ଖାଦ୍ୟ ହଜମ କରିବା ପାଇଁ ବ୍ୟବହାର କରାଯାଉଥିଲା ।

ଆସନ୍ତୁ ଆମେ ସେଇ ମସଲା ସମ୍ପର୍କରେ ଆଲୋଚନା କରିବା । ଆଜିର ମସଲାରେ ରହିଛି ଗୋଲମରିଚ । ଯାହାକୁ କଳା ସୁନା ବୋଲି କୁହାଯାଏ ।

ପ୍ରାକ - ଐତିହାସିକ ଯୁଗରୁ ଭାରତରେ ଗୋଲମରିଚକୁ ମସଲା ରୂପେ ବ୍ୟବହାର କରାଯାଉଛି । ଗୋଲମରିଚର ଜନ୍ମସ୍ଥାନ ଭାରତ । ପ୍ରଥମେ ଏହି ମସଲାର ଚାଷ ମାଲବାର ତଟରେ ହେଉଥିଲା, ଯାହାକୁ ଏବେ କେରଳ ବୋଲି କୁହାଯାଉଛି । ସେତେବେଳେ ଏହା ଏକ ସବୁଠୁ ଲାଭଜନକ ବ୍ୟବସାୟ ରହିଥିଲା, ଯେଉଁଥିପାଇଁ ଏହାକୁ କଳାସୁନା ବୋଲି କୁହାଯାଉଥିଲା ଏବଂ ଏହାକୁ କମୋଡିଟି ମନି ରୂପେ ବ୍ୟବହାର କରାଯାଉଥିଲା । ଆଜି ବି ପେପରକର୍ଣ୍ଣ ରେଂଟ ଉପଲବ୍ଧ ଅଛି ।

ମଧ୍ୟଯୁଗ ପରେ ୟୁରୋପ, ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାରେ ଉପଲବ୍ଧ ହେଉଥିବା ଗୋଲମରିଚ ମଧ୍ୟ ଭାରତର ମାଲବାର କ୍ଷେତ୍ରରୁ ଯାଉଥିଲା । ଷୋଡଶ ଶତାବ୍ଦୀ ସୁଦ୍ଧା ଜାଭା, ସୁଣ୍ଡା, ସୁମାତ୍ରା, ମାଡାଗାସ୍କର, ମାଲେସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗୋଲମରିଚ ଚାଷ କରାଯାଉଥିଲା, କିନ୍ତୁ ଏହି ଅଞ୍ଚଳଗୁଡ଼ିକ ମୁଖ୍ୟତ ଚୀନ୍ ସହିତ ବାଣିଜ୍ୟ କରୁଥିଲେ କିମ୍ବା ସ୍ଥାନୀୟ ଭାବରେ ବ୍ୟବହାର କରୁଥିଲେ । କିନ୍ତୁ ମାଲାବାର ଅଞ୍ଚଳର ବନ୍ଦରଗୁଡ଼ିକରେ ଭାରତ ମହାସାଗରର ଦୂରରୁ ଅନ୍ୟ ମସଲାରେ ବାଣିଜ୍ୟର ଏକ ଷ୍ଟପ୍ ଅଫ୍ ପଏଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ଗୋଲମରିଚ ଭାରତର ଅନ୍ୟ ମସଲା ସହିତ ବିଶ୍ୱ ଇତିହାସର ଗତିକୁ ବି ବଦଳାଇଦେଇଥିଲା ।

ଗୋଲମରିଚ ଗଛକୁ ଉଦ୍ଭିଦ ବିଜ୍ଞାନରେ ପାଇପର ନାଇଗ୍ରମ ବୋଲି କୁହାଯାଏ । ଏହା ପିପ୍ପଳୀ, କବାବଚିନି, ପାନ ପ୍ରଜାତି ବିଶେଷ । ନିଗିଡ଼ା, ବାଲିଆ ଦୋରସା, ନାଲି ଦୋରସା, ନଈକୂଳିଆ ବାଲି ମାଟି, ଲାଲ କାଙ୍କର ମାଟିରେ ଗୋଲମରିଚ ଭଲ ଉତ୍ପାଦନ ହୁଏ । ଗୋଲମରିଚ କିସମ ମଧ୍ୟରେ ରହିଛି ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ଶକ୍ତି ଆଦି । ଗୋଲମରିଚ ଗଛ ମାଡ଼ିବା ପାଇଁ ଆଉ ଏକ ଆଶ୍ରୟ ଗଛର ଆବଶ୍ୟକତା ଥାଏ । ସେଥିପାଇଁ ଅନ୍ୟ ଯେକୌଣସି ଚାଷ ବା କଫି, ନଡ଼ିଆ, ଗୁଆ, କମଳା, ତେନ୍ତୁଳି କିମ୍ବା ଆମ୍ବ ଗଛ ମୂଳରେ ଏହି ଗୋଲମରିଚ ଚାରା ରୋପଣ କରାଯାଏ । ଏହି ଗଛ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ ଓ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ । ଏମିତିକି ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ । ଯେଉଁଠି ୧୦ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭୂତ ହେଉଥିବ ସେଠି ଏହି ଗୋଲମରିଚ ଚାଷ କରାଯାଇ ପାରିବ ।

ଗୋଲମରିଚର ସ୍ୱାଦ ରାଗ । ଏଥିପାଇଁ ଆମ ଓଡ଼ିଆରେ ପ୍ରସ୍ତୁତ ପାରମ୍ପରିକ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୁଏ । ବିଶେଷକରି କୌଣସି ପ୍ରସାଦ ପ୍ରସ୍ତୁତ ପାଇଁ ଗୋଲମରିଚର ଉପଯୋଗ କରାଯାଏ । କୌଣସି ପିଠା ହେଉ ଅବା ପଲାଉ କିମ୍ବା କୌଣସି ଆମିଷ ବ୍ୟଞ୍ଜନରେ ଗୋଲମରିଚର ବ୍ୟବହାର ତ ନିହାତି ହୋଇଥାଏ । ସେହିପରି ଅଦା, ତେଜପତ୍ର ଆଉ ଗୋଲମରିଚ ପକା ଚା’ର ସ୍ୱାଦକୁ କେହି କଣ ଭୁଲିପାରିବେ । ଖାଦ୍ୟରେ ନିଆରା ସ୍ୱାଦ ସୃଷ୍ଟି କରୁଥିବା ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପଯୋଗୀ । ଗୋଲମରିଚ ଓ ଉଷୁମ ପାଣିକୁ ଖାଲି ପେଟରେ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହା ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ ।

  • ଏହା କୋଷ୍ଠକାଠିନ୍ୟ ପାଇଁ ରାମବାଣ । ଗୋଲମରିଚ ପାଣି ପେଟକୁ ହାଲୁକା ଅନୁଭବ କରେଇବାରେ ଫଳପ୍ରଦ ହୋଇଥାଏ । ଏହା ଋତୁଜନିତ ସଂକ୍ରମଣରୁ ଶରୀରକୁ ସୁରକ୍ଷିତ ରଖିବା ପାଇଁ ମୁକ୍ତ କଣିକାରୁ ହେଉଥିବା କ୍ଷତିକୁ ରୋକିଥାଏ ।

  • ଗୋଲମରିଚ ପାଣି ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ଏବଂ ରସାୟନକୁ ବାହାର କରି ଦେଇଥାଏ । ଏହା ପାଚନ କ୍ରିୟାରେ ସୁଧାର ଆଣିଥାଏ । ଏଥି ସହିତଏହା ପେଟ ସମସ୍ୟାଗୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ ।

  • ଗୋଲମରିଚକୁ ଉଷୁମ ପାଣି ସହିତ ଖାଇବା ଦ୍ୱାରା ଶରୀରରେ ବଢୁଥିବା ଚର୍ବି ହ୍ରାସ ହୋଇଥାଏ ।

  • ଗରମ କ୍ଷୀରରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ମିଳିଥାଏ । ଏହା ବ୍ୟତୀତ, ବାରମ୍ବାର ଥଣ୍ଡା କିମ୍ବା କ୍ରମାଗତ ଭାବରେ ଛିଙ୍କ ଆସୁଥିଲେ, ପ୍ରତିଦିନ ଗୋଲମରିଚ ସଂଖ୍ୟାକୁ ଏକରୁ ପନ୍ଦର ପର୍ଯ୍ୟନ୍ତ ବୃଦ୍ଧି କରି ଖାଇବା ଆରମ୍ଭ କରନ୍ତୁ ଏବଂ ତା’ପରେ ପ୍ରତିଦିନ ପନ୍ଦରରୁ ଏକକୁ ହ୍ରାସ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇପାରିବେ ।