ଭାରତୀୟ ମସଲାର କାହାଣୀ: ଜିରାକୁ ନେଇ କିଛି କଥା

ପୂର୍ବ ଅଧ୍ୟାୟରେ ଆମେ ଭାରତୀୟ ମସଲା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କ୍ରମରେ ଆଜି ରହିଛି ଭାରତୀୟ ମସଲାର ଅନ୍ୟ ଏକ ପ୍ରମୁଖ ଉପାଦାନ ଜିରା । ଆସନ୍ତୁ ଆମେ ସେଇ ମସଲା ସମ୍ପର୍କରେ ଆଲୋଚନା କରିବା ।


ଭାରତୀୟ ମସଲାରେ ଜିରା ଏକ ପ୍ରଧାନ ଉପାଦାନ । ଗୋଲମରିଚ ପରେ ଜିରା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ମସଲା । ଜିରା ନିଜର ବାସ୍ନା ପାଇଁ ବେଶ୍ ଲୋକପ୍ରିୟ । ପଞ୍ଚଫୁଟଣର ପାଞ୍ଚଟି ଉପାଦାନ ଭିତରୁ ଏହା ହେଉଛି ଅନ୍ୟତମ । ବିଭିନ୍ନ ପ୍ରକାରର ତରକାରିରେ ଛୁଙ୍କ ଦେଲାବେଳେ ଗୋଟା ଜିରା ଓ ବ୍ୟଞ୍ଜନର ସ୍ୱାଦ ବଢ଼ାଇବା ପାଇଁ ଗୁଣ୍ଡଜିରାର ପ୍ରୟୋଗ ହୋଇଥାଏ । ଏହାର ବୈଜ୍ଞାନିକ ନାମ କ୍ୟୁମିନମ ସାଇମିନନ (cuminum cyminum) । ବହୁ ପୁରାତନ କାଳରୁ ଏହାର ବ୍ୟବହାର ହେଉଥିବାର ଜଣାଯାଇଛି । ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟରେ ଜିରା ସମ୍ପର୍କରେ ଉଲ୍ଲେଖ ରହିଛି । ନେପାଳ, ଭାରତ, ପାକିସ୍ତାନ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଶ୍ରୀଲଙ୍କା, କ୍ୟୁବା, ଉତ୍ତର ମେକ୍ସିକୋ, ମଧ୍ୟ ଏସିଆ ଇତ୍ୟାଦି ଅଞ୍ଚଳରେ ଏହା ଏକ ପ୍ରସିଦ୍ଧ ମସଲା । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ମଧ୍ୟ ଲୋକେ ଏହାର ବ୍ୟବହାର କରିଥାନ୍ତି ।

ଭାରତ ଓ ଚୀନରେ ଏହା ଅଧିକ ପରିମାଣରେ ଉତ୍ପାଦନ ହୁଏ । ଭାରତର ପଶ୍ଚିମବଙ୍ଗ, ଆସାମ ଓ ଓଡିଶାକୁ ଛାଡିଦେଲେ ଭାରତର ଅନ୍ୟ ସବୁ ପ୍ରାନ୍ତରେ ଜିରା ଚାଷ ହୁଏ । ବିଶେଷ କରି ପଞ୍ଜାବ ଓ ଉତ୍ତରପ୍ରଦେଶରେ ବହୁଳ ପରିମାଣରେ ଜିରା ଚାଷ ହେବା ସହ ଏଠିକାର ଜିରା ଅଧିକ ଲୋକପ୍ରିୟ ।

ଉର୍ବର ଦୋରସା ମାଟିରେ ଜିରା ଗଛ ଭଲ ରୂପେ ବଢିପାରେ । ଜିରା ଗଛ ଅତ୍ୟଧିକ ତାପମାତ୍ରା ଓ ଆଦ୍ରତା ସହିପାରେ ନାହିଁ । ଜିରାକୁ ଧାଡି ଧାଡି କରି ବୁଣାଯାଇ ପାରେ ନାହିଁ । ଏହାକୁ ଛିଞ୍ଚାଡି ବୁଣାଯାଏ । ଭାରତରେ ପ୍ରାୟ ଦୁଇଥର ଜିରା ଚାଷ କରାଯାଏ । ଦକ୍ଷିଣ - ପଶ୍ଚିମ ମୌସମୀ ବାୟୁ ବହିବା ପୂର୍ବରୁ ଥରେ ଓ ଅନ୍ୟଟି ହେଉଛି ଉତ୍ତର - ପୂର୍ବ ମୌସୁମୀ ବାୟୁ ବହିବା ପରେ । କହିବାକୁ ଗଲେ ଏହା ପ୍ରଥମରେ ଅପ୍ରେଲ ଶେଷ ବା ମେ ମାସ ବେଳକୁ ଚାଷ କରାଯାଏ ଆଉ ଥରେ ଅକ୍ଟୋବର ମାସ ବେଳକୁ ଚାଷ କରାଯାଏ ।

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ଏହାର ଫଳ ଭିତରେ ଥିବା ମଞ୍ଜିକୁ ଶୁଖାଇ ବ୍ୟବହାର କରାଯାଏ । ଏହାକୁ ଗୁଣ୍ଡ ଓ ଗୋଟା ଉଭୟ ପ୍ରକାରେ ବ୍ୟବହାର କରାଯାଏ । ଜିରାଗଛ ଦେଖିବାକୁ ଅତି ଛୋଟ । ଏହାର ଉଚ୍ଚତା ଏକ ଫୁଟ ମଧ୍ୟରେ ରହେ । ଏହାର ପତ୍ରଗୁଡିକ ସରୁ ସରୁ ନୀଳାଭ ସବୁଜ ରଙ୍ଗର । ଜିରାର ଫୁଲଗୁଡିକ ନାଲିମିଶା ଧଳା ବା ଗୋଲାପୀ ରଙ୍ଗର । ଜିରାର ବାସ୍ନା ତା ଭିତରେ ଥିବା ଏସେନ୍ସିଆଲ ଅଏଲ କାରଣରୁ ହୋଇଥାଏ । ଏହାର ମୁଖ୍ୟ ରାସାୟନିକ ତତ୍ତ୍ୱ ହେଉଛି କ୍ୟୁମିନାଲଡିହାଇଡ ।

ଓଡିଆଙ୍କ ହାଣ୍ଡିଶାଳରେ ଜିରାର ଆଧିପତ୍ୟ ଅଧିକ । ଡାଲି ହେଉ କି ସନ୍ତୁଳା ବା ଅନ୍ୟ କିଛି ବ୍ୟଞ୍ଜନରେ ତଡକା ଲଗାଇବାରେ ଜିରାର ଉପଯୋଗ ହୋଇଥାଏ । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏଥିରେ ଫାଇବର, ଆଇରନ, କ୍ୟାଲସିୟମ, ପୋଟାସିୟମ, ଜିଙ୍କ୍, ଭିଟାମିନ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ ଜିରା କେତେ ଉପକାରୀ ।

ଜିରା ମେଦବହୁଳତା ଏବଂ ଡାଇବେଟିସର ଲକ୍ଷଣକୁ ହ୍ରାସ କରିବାରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥାଏ । ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ରକ୍ତହୀନତା ସମସ୍ୟା ଦୂର କରିବାରେ ଜିରା ମଧ୍ୟ ସାହାଯ୍ୟ କରିଥାଏ । ଏହାବାଦ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜିରା । କଳା ଲୁଣ ସହିତ ଜିରା ସେବନ କରିବା ଦ୍ବାରା ଏହି ସମସ୍ୟା କମ୍ ହୋଇଥାଏ । ଜିରା ସହିତ କଳା ଲୁଣ ମିଶାଇ ଦାନ୍ତରେ ମସାଜ କରିବା ଦ୍ବାରା, ଦାନ୍ତ ଜନିତ ସମସ୍ୟା କମ୍ ହେବା ସହିତ, ମୁହଁରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଥାଏ । ସେହିଭଳି ଜିରା ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଜିରା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବେ ଜିରା ପାଣି ପିଇବା ଦ୍ବାରା ମଧୁମେହ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଜିରା ପାଣି ପେଟର ଅନ୍ତନଳୀକୁ ସୁସ୍ଥ ରଖେ । ଏହା ହଜମକ୍ରିୟାକୁ ଭଲ ଏବଂ ଶକ୍ତିଶାଳୀ କରିଥାଏ ।