ନଡ଼ିଆକୁ ଶ୍ରୀଫଳ କୁହାଯାଏ । ନଡ଼ିଆର ଅନ୍ୟନାମ ନାରିକେଳ । ସମୂଦ୍ରକୂଳିଆ ଲୁଣି ପବନ ଅଞ୍ଚଳରେ ନଡ଼ିଆ ଗଛ ଭଲ ବଢ଼ିଥାଏ । କଞ୍ଚା ନଡ଼ିଆକୁ ପଇଡ଼ କହନ୍ତି । ପଇଡ଼ ପାଣି, ପଇଡ଼ ନାଳି ବହୁତ ସ୍ବାଦିଷ୍ଟ । ନଡିଆରୁ ଆମେ ସୁମିଷ୍ଟ ପାନୀୟ ଓ ସୁଷମ ଖାଦ୍ୟ ପାଇଥାଉ । ନଡିଆ ଗଛର ଚେରଠାରୁ ଆରମ୍ଭ କରି ଗଛର ଅଗ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଆମ କାମରେ ଲାଗେ । ନଡିଆ ଗଛର ମୁଖ୍ୟ ଅବଦାନ ନଡିଆ ଯେଉଁଥିରୁ କି ଆମେ ନଡିଆ ରସରୁ ତେଲ, ପିଡିଆ,ଏବଂ ନଡିଆ କତା ଓ ତହିଁରୁ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସାଜସରଂଜାମ ପ୍ରସ୍ତୁତ କରୁ । ନଡିଆ ଗଛର ଗଣ୍ଡିକୁ ଖୁଣ୍ଟ ରୂପରେ ଏବଂ ବାହୁଙ୍ଗାକୁ ଛପର ରୂପରେ ବ୍ୟବହାର କରାଯାଏ । ନଡିଆ ଗଛର ରସରୁ ଗୁଡ, ଚିନି, ଖଣ୍ଡସାର ଓ ଭିନେଗାର ପ୍ରସ୍ତୁତ କରାଯାଏ ଏବଂ ଏହାକୁ ମାଦକ ପାନୀୟ ରୂପେ ବ୍ୟବହାର କରାଯାଏ । ଶେଷରେ ନଡିଆର ସଢେଇ ଓ ଶୁଖିଲା ବାହୁଙ୍ଗାକୁ ଜାଳ ରୂପେ ବ୍ୟବହାର କରାଯାଏ । ନଡିଆ ଏକମାତ୍ର ଗଛ ଯେ କି ବନ୍ୟା, ମରୁଡି ଓ କେତେକାଂଶରେ ବାତ୍ୟା ସହିପାରେ । ନଡିଆରୁ କମ ପରିଶ୍ରମରେ ଯେତେ ଆୟ ମିଳେ ସାଧାରଣତଃ ଅନ୍ୟ ଫଳଚାଷରୁ ମିଳେନି । ଦକ୍ଷିଣ ଭାରତରେ ନଡ଼ିଆର ଉପଯୋଗ ବହୁ ଅଧିକ ସେଥିପାଇଁ ସେଠାରେ ଏହାକୁ ସବୁଜ ସୁନା ବୋଲି କୁହାଯାଏ । ଭାରତରେ ନାରିକେଳ ଦିବସ ମଧ୍ୟ ପାଳନ କରାଯାଏ । ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖକୁ ବିଶ୍ୱ ନଡିଆ ଦିବସ ଭାବେ ପାଳନ କରାଯାଏ ।

କୁହାଯାଏ ସ୍ୱର୍ଗରୁ ପର୍ଶୁରାମ ନଡ଼ିଆକୁ ଆଣିଥିଲେ ଓ ଏହାକୁ କେରଳରେ ପୋତିଥିଲେ । ଯେକୌଣସି ଶୁଭ କାର୍ଯ୍ୟ ହେଉ ବା ପୂଜା ପାର୍ବଣ ସବୁଠି ନଡ଼ିଆଟିଏ ନିଶ୍ଚୟ ଲୋଡ଼ା । ଏହା ଏକ ପବିତ୍ର ଫଳ । ବାହାରୁ କଠିନ ହେଲେ ବି ଏହା ଭିତରେ ଶୀତଳତା ଓ କୋମଳତା ଭରି ରହିଛି । ଶୁଭ କଳସ ସ୍ଥାପନା ହେଉ କି ଭୋଗ କିମ୍ବା ପ୍ରସାଦରେ ନଡ଼ିଆ ବ୍ୟବହାର ତ ନିଶ୍ଚୟ ହୋଇଥାଏ । ତେବେ ନଡ଼ିଆରେ ଆମ ଓଡ଼ିଆ ଗୃହିଣୀମାନେ ବଢିଆ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ନଡ଼ିଆ ପୁରଦିଆ ପିଠା ଆଉ ନଡ଼ିଆ ଡାଲମାର ସ୍ୱାଦ ବେଶ୍ ନିଆରା । ନଡ଼ିଆଦିଆ ଶାଗ ଭଜା ତ ସବୁ ଓଡ଼ିଆଙ୍କ ପ୍ରିୟ । ତେବେ ଆସନ୍ତୁ ନଡ଼ିଆରେ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ ସମ୍ପର୍କରେ କଥା ହେବା ।

ନଡ଼ିଆ ଚଟଣି: ଘରେ ଘରେ ବହୁଳ ଲୋକପ୍ରିୟ ଚଟଣି ହେଉଛି ନଡ଼ିଆ ଚଟଣି । ଏଥିପାଇଁ ଦରକାର କଞ୍ଚା ନ‌ଡିଆ (କୋରା କିମ୍ବା ଛୋଟ ଛୋଟ ଟୁକୁଡାରେ କଟା ହୋଇଥିବା), ଭୃସଙ୍ଗ ପତ୍ର, ଲଙ୍କା, ଜିରା, ଅଦା ଛୋଟ ଖଣ୍ଡେ, ତେନ୍ତୁଳି ଓ ସ୍ୱାଦନୁସାରେ ଲୁଣ । ନଡ଼ିଆ କୋରା, ଭୃସଙ୍ଗ ପତ୍ର, ଲୁଣ, କଂଚାଲଙ୍କା, ଜିରା ଦେଇ ଵାଟନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଂକର ନଡ଼ିଆ ଚଟଣି ।

ନଡ଼ିଆ ବୁଟଡାଲି ଚଟଣି: ଚକୁଳି ହେଉ କି ଇଡ଼ଲି କିମ୍ବା ଭାତ, ସବୁଥିରେ ଏହି ବ୍ୟଞ୍ଜନଟି ଖାଇବାକୁ ଭଲ ଲାଗେ । ଏଥିପାଇଁ ନଡ଼ିଆ କୋରା, ତେନ୍ତୁଳି, କଂଚାଲଙ୍କା, ଅଦା ଖଣ୍ଡେ, ଭୃସଙ୍ଗ ପତ୍ର, ଲୁଣ, ଜିରା, ସୋରିଷ, ଭଜା ବୁଟ ଡାଲି କିଛି ଆବଶ୍ୟକ । ଚଟଣି କରିବା ପୂର୍ବରୁ ଭଜା ବୁଟ ଡାଲିକୁ ଭିଜେଇ ରଖନ୍ତୁ । ବୁଟ ଡାଲି, ନଡ଼ିଆ, ଅଦା, ଲୁଣ, ତେନ୍ତୁଳି, ଜିରା, କଂଚାଲଙ୍କା ଦେଇ ଭଲ ରୂପେ ବାଟି ଦିଅନ୍ତୁ । ଏବେ ଗୋଟେ ପାତ୍ରକୁ ଗରମ କରି ସେଥିରେ ଟିକେ ତେଲ ଦେଇ ଶୁଖିଲାଲଙ୍କା, ସୋରିଷ, ଭୃସଙ୍ଗ ପତ୍ର ଓ ଟିକେ ହେଙ୍ଗୁ ଦେଇ ତଡକା ପ୍ରସ୍ତୁତ କରନ୍ତୁ । ଏହାକୁ ଚଟଣି ଉପରେ ଦେଇ ଭଲ ରୂପେ ଘଣ୍ଟି ଦିଅନ୍ତୁ ।

ନଡ଼ିଆ ବରା ତରକାରୀ: ଏହା ଏକ ଲୋକପ୍ରିୟ ତଥା ପାରମ୍ପରିକ ବ୍ୟଞ୍ଜନ । ଏଥିପାଇଁ କିଛି ଅରୁଆ ଚାଉଳକୁ ୩ ରୁ ୪ ଘଣ୍ଟା ବତୁରାଇ ରଖନ୍ତୁ । ନଡ଼ିଆ ଖଣ୍ଡକୁ ପ୍ରଥମେ ବାଟି ରଖନ୍ତୁ । ବତୁରା ହୋଇଥିବା ଅରୁଆ ଚାଉଳରେ ଛୋଟ ଖଣ୍ଡେ ଅଦା, ଜିରା, ଲୁଣ, କଞ୍ଚାଲଙ୍କା ଦେଇ ବାଟି ଦିଅନ୍ତୁ । ଏହାପରେ ଏଥିରେ ନଡ଼ିଆ ବଟା ପକାଇ ଭଲଭାବରେ ଘାଣ୍ଟନ୍ତୁ । ଏଥିରେ ଆବଶ୍ୟକ ପରିମାଣର ଲୁଣ ଦେଇ ଗୋଳାଇ ଦିଅନ୍ତୁ । ଏବେ ତାୱା ଗରମ କରି ସେଥିରେ ତେଲ ଦିଅନ୍ତୁ । ଚାଉଳ ଆଉ ନଡ଼ିଆ ମିଶ୍ରଣକୁ ହାତରେ ଭଲ ଭାବେ ଘାଣ୍ଟି ବରା କରି ତାୱାରେ ସେକନ୍ତୁ । ଆପଣ ଚାହିଁଲେ ସ୍ୟାଲୋ ଫ୍ରାଏ କରିପାରିବେ ।

ଏହାପରେ ଆପଣ ଆଉ ଏକ କଡେଇ ବସେଇ ସେଥିରେ ତେଲ, ତେଜପତ୍ର, ଶୁଖିଲା ଲଙ୍କା, ଜିରା, ଡ଼ାଲଚିନି ଖଣ୍ଡେ ଓ ଅଳେଇଚ ଦିଅନ୍ତୁ । ଏହାର ବାସ୍ନା ଆସିଲେ ସେଥିରେ ପିଆଜ ପକାନ୍ତୁ, ତାପରେ ସେଥିରେ ରସୁଣ ଓ ଅଦା ଛେଚା ଦିଅନ୍ତୁ । ଏହା ଟିକେ ହୋଇଆସିଲେ ସେଥିରେ କଟା ଟମାଟୋ ଓ ସିଝା ଆଳୁକୁ ଛୋଟ ଛୋଟ କରି କାଟିକି ଦିଅନ୍ତୁ । ଏହା ଉପରେ ହଳଦୀ ଓ ଲୁଣ ଦେଇ କଷନ୍ତୁ । ଏହା କଷି ହୋଇଗଲେ ଏଥିରେ ପାଣି ଦିଅନ୍ତୁ । ପାଣି ଟିକେ ଫୁଟି ଆସିଲେ ଏଥିରେ ବରା ଗୁଡିକ ପକାଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏଥିରେ ଗରମ ମସଲା ଦେଇ ଘୋଡ଼ାଇ ଦିଅନ୍ତୁ । ପାଞ୍ଚ ମିନିଟ ପରେ ଘୋଡଣି ଖୋଲି ସେଥିରେ କଟା ଧନିଆପତ୍ର ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ନଡ଼ିଆ ବରା ତରକାରୀ ।

ନଡ଼ିଆ ଲଡୁ: ମା ତାରିଣୀଙ୍କର ପ୍ରିୟ ହେଉଛି ନଡ଼ିଆ । ଘଟଗାଁବାସୀ ମା ତାରିଣୀଙ୍କର ନଡ଼ିଆ ଲଡୁ ବହୁ ପ୍ରସିଦ୍ଧ । ନଡ଼ିଆ ଲଡୁ ପ୍ରସ୍ତୁତ କରିବା ବହୁତ ସହଜ । ପ୍ରଥମେ ନଡ଼ିଆକୁ ଭଲଭାବେ କୋରି ଦିଅନ୍ତୁ । କଡେଇରେ ଘିଅ ଗରମ କରି ସେଥିରେ ନଡ଼ିଆକୁ ଭଲରୂପେ ଭାଜନ୍ତୁ । ଭଲରୂପେ ଭାଜି ହୋଇଗଲେ ଏଥିରେ ଚିନି ଦିଅନ୍ତୁ । ଏଥିରେ ଗୁଜୁରାତି ଗୁଣ୍ଡ ଆଉ କ୍ଷୀର ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ କ୍ଷୀର ବଦଳରେ ଅମୁଲ୍ କିମ୍ବା ମିଲ୍କମେଡ୍ ଦେଇପାରିବେ । ନଡ଼ିଆ ଭଲରୂପେ ଭାଜି ହୋଇ ଚିନି ଟିକେ ଅଠାଳିଆ ହେବା ଯାଏଁ ନଡ଼ିଆକୁ ଭଲରୂପେ କଷନ୍ତୁ । ନଡ଼ିଆର ରଙ୍ଗ ପରିବର୍ତ୍ତନ ହୋଇଗଲେ ଏବେ ତାକୁ ଚୁଲ୍ଲାରୁ କାଢି ଆଣନ୍ତୁ । ଉଷୁମ ଉଷୁମ ଅବସ୍ଥାରେ ନଡ଼ିଆ କୋରାକୁ ଛୋଟ ଛୋଟ ଲଡୁ ଆକାରର ଗଢି ସଜାଇ ରଖନ୍ତୁ ।