ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେହିପରି ଏହି ଧର୍ମରେ ବୃକ୍ଷ ପୂଜା ବହୁ ପ୍ରାଚୀନ । ବିଭିନ୍ନ ପର୍ବଗୁଡିକ ସହ ବିଭନ୍ନ ବୃକ୍ଷର ସମ୍ପୃକ୍ତି ରହିଛି । କାର୍ତ୍ତିକକୁ ଧର୍ମ ମାସ ବୋଲି କୁହାଯାଏ । ଏହି ମାସରେ ପୂଜା, ବ୍ରତକୁ ବେଶୀ ଧ୍ୟାନ ଦିଆଯାଏ । କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହି ଦିନ ଅଁଳା ବୃକ୍ଷକୁ ପୂଜା କରାଯାଏ । ମହିଳାମାନେ ଏହି ପୂଜା କରି ସନ୍ତାନ ପ୍ରାପ୍ତ କରିଥାନ୍ତି । ସନ୍ତାନଙ୍କର ମଙ୍ଗଳ କାମନା ପାଇଁ ଏହି ପୂଜା କରାଯାଏ । ଏହିଦିନ ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ଅନୁଷ୍ଠିତ ହୁଏ ।

ଅଁଳା ନବମୀ ଦିନ ସର୍ବ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ । ଏହା ପଛରେ ଏକ କାରଣ ରହିଛି । ଏକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ । ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା । ସେତେବେଳେ ସେ ଦୁହିଁଙ୍କ ପ୍ରିୟ ବେଲ ଓ ତୁଳସୀକୁ ମନେପକାଇଲେ । ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ । ଶିବଙ୍କ ପୂଜାରେ ତୁଳସୀ ଲାଗେନି । କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି । ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି । ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ । ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ । ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ । ସେହିଦିନଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ ।

କୁହାଯାଏ ଯେ ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ପରମପିତା ବ୍ରହ୍ମା ତପସ୍ୟା କରୁଥିଲେ । ସେ ନିଜ ତପସ୍ୟାରେ ମଗ୍ନ ଥିଲେ । ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଆସିଲା । ସେଇ ଲୁହରୁ ଅଁଳା ବୃକ୍ଷର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ବାସ ରହିଛି ।

ଓଡ଼ିଶାରେ ଏହି ଦିନ ଶ୍ରୀରାଧାପାଦ ଦର୍ଶନ କରାଯାଇଥାଏ । କହିବାକୁ ଗଲେ ଏହି ଦିନ ଶ୍ରୀରାଧାଙ୍କର ଓଡ଼ିଆଣୀ ବେଶ ଅନୁଷ୍ଠିତ ହୁଏ । ପୁରୀ ନିକଟ ସାକ୍ଷୀଗୋପାଳରେ ଏହି ପର୍ବ ଖୁବ ଧୁମଧାମରେ ପାଳିତ ହୁଏ ।