ବାଣୀକ୍ଷେତ୍ର ଜଗତସିଂହପୁର

ଶସ୍ୟ ଶ୍ୟାମଳା ଜଗତସିଂହପୁର ଜିଲ୍ଲାଟି ଓଡ଼ିଶାର ବାଣୀକ୍ଷେତ୍ର ରୂପେ ପରିଚିତ । ସଂସ୍କୃତି, ରାଜନୀତି, ସାହିତ୍ୟରେ ଏଇ ଜିଲ୍ଲାଟି ବେଶ୍ ପ୍ରସିଦ୍ଧ ।


ଓଡିଶା ମାନଚିତ୍ରରେ ଥିବା ଛୋଟ ଜିଲ୍ଲାଟି ହେଉଛି ଜଗତସିଂହପୁର ଜିଲ୍ଲା । ଶସ୍ୟ ଶ୍ୟାମଳା ଏଇ ଜିଲ୍ଲାଟି ଓଡ଼ିଶାର ବାଣୀକ୍ଷେତ୍ର ରୂପେ ପରିଚିତ । ସଂସ୍କୃତି, ରାଜନୀତି, ସାହିତ୍ୟରେ ଏଇ ଜିଲ୍ଲାଟି ବେଶ ପ୍ରସିଦ୍ଧ । ଓଡ଼ିଶାର ଏହି ଛୋଟ ଜିଲ୍ଲାଟିରେ ରହିଛି ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠ, ବାବା ଗୋରେଖନାଥ ପୀଠ, ସବୁଠୁ ଶାନ୍ତ ବେଳାଭୂମି ଶିଆଳି, ପାରାଦୀପ ବନ୍ଦର । ଯଦିଓ ଜଗତସିଂହପୁରରେ ପର୍ଯ୍ୟଟନ ସ୍ଥଳ ସଂଖ୍ୟା ସୀମିତ, ତଥାପି ପ୍ରତିଟି ପର୍ଯ୍ୟଟନ ସ୍ଥଳରେ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ଯର ଝଲକ ଫୁଟି ଉଠିଛି । ଆସନ୍ତୁ ଏହି ଶୀତ ଋତୁରେ ବୁଲି ଆସିବା ଜଗତସିଂହପୁର ଜିଲ୍ଲା ।

ଓଡ଼ିଶା ପୂର୍ବ ଉପକୂଳର ଏହି ସହର ଏକଦା ହରିଦ୍ରାବସନ, ପରବର୍ତ୍ତୀ ସମୟରେ ହରିହରପୁର ଓ ସମ୍ପ୍ରତି ଜଗତସିଂହପୁର ନାମରେ ପରିଚିତ । ଇଷ୍ଟ ଇଣ୍ଡିଆ ଶାସନ ସମୟରେ ହରିପୁର ଅସ୍ତ୍ରାଗାର ରୂପେ ରହିଥିଲା । ଜୟ ସିଂଙ୍କ ନାମାନୁସାରେ ଏହାର ନାମ ଜଗତସିଂହପୁରକୁ ପରିବର୍ତ୍ତିତ ହେଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖରୁ ଏହି ଜିଲ୍ଲାଟି ନୂତନ ଜିଲ୍ଲା ରୂପେ ପରିଚିତି ପାଇଲା । ପୂର୍ବରୁ ଏହା କଟକ ଜିଲ୍ଲା ସହ ରହିଥିଲା । ଏହି ଜିଲ୍ଲାର ଉତ୍ତରରେ କେନ୍ଦ୍ରାପଡା, ଦକ୍ଷିଣରେ ପୁରୀ ଓ ପଶ୍ଚିମରେ କଟକ ଜିଲ୍ଲା ରହିଥିବାବେଳେ ପୂର୍ବରେ ବଙ୍ଗୋପସାଗର ରହିଛି ।

ଓଡ଼ିଆ ସାହିତ୍ୟକୁ ଏ ଅଞ୍ଚଳର ଦାନ ଅନନ୍ୟ । ଆଦିକବି ସାରଳା ଦାସ ମା' ଶାରଳାଙ୍କ ପୀଠ ନିକଟସ୍ଥ ତେନ୍ତୁଳିପଦାଠାରେ ଜନ୍ମ ଗ୍ରହଣ କରିଥିଲେ । ମା ଶାରଳାଙ୍କ କୃପାଲାଭ କରି ରଚନା କରିଥିଲେ ବିଶାଳ ସାହିତ୍ୟ କୃତି ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ । ଏହି ଗ୍ରନ୍ଥ ଆଜି ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ଏହି ମାଟିରେ ଜନ୍ମଗ୍ରହଣ କରିଛନ୍ତି ପଦ୍ମଶ୍ରୀ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଚୌଧୁରୀ ପ୍ରମୁଖ । ସେହିପରି ଓଡିଶା ରାଜନୀତିରେ ମଧ୍ୟ ଏଇ ଜିଲ୍ଲାର ଅବଦାନ ବହୁ ଅଧିକ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଅଞ୍ଚଳର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏଠାରେ ଥିବା ଅଳକାଶ୍ରମକୁ ଓଡ଼ିଶାର ସାବରମତୀ ଆଶ୍ରମ କୁହାଯାଉଥିଲା । ଏହା ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ।

ଏହି ମାଟିର ଯାତ୍ରା ଅନୁଷ୍ଠାନ ଓ ଯାତ୍ରାକାର ଓଡ଼ିଆ ଯାତ୍ରା କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିପାରିଛନ୍ତି । ଅନ୍ୟାନ୍ୟ କଳା ବିଭବ ଭାବେ ଲୋକକଳା ପାଲା, ଘୋଡ଼ାନାଚ, ଘଣ୍ଟପାଟୁଆ, ଧୁଡୁକି ଆଦି ଅନେକ ଲୋକପ୍ରିୟତା ଅର୍ଜନ କରିଛି ।

ମା' ଶାରଳା ବାଣୀଦେବୀ ନାମରେ ବିଦିତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଏବଂ ଜଗତସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ । ଆସନ୍ତୁ ନଜର ପକାଇବା ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଉପରେ ।

ମା ଶାରଳା ମନ୍ଦିର: ଜଗତସିଂହପୁର ସହରଠାରୁ ଏହା ମାତ୍ର ୧୫ କିମି ଦୂର । ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା) ରେ ଅବସ୍ଥିତ । ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେ ନାହିଁ ।

ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବହୁ ପୁରାତନ କାଳରୁ ଝଙ୍କଡ ପୀଠ ଏକ ଶକ୍ତି ସ୍ଥଳ ଭାବେ ଧାର୍ମିକ ଜଗତରେ ଖ୍ୟାତ, ବିଶ୍ବାସ ରହିଛି ଯେ ମା ଦୁର୍ଗା ଓ ମା ସରସ୍ବତୀଙ୍କ ମିଶ୍ରିତ ରୂପେ ହେଉଛନ୍ତି ମା ଶାରଳା । ଶାରଳା ସଂସ୍କୃତି ହେଉଛି ହିନ୍ଦୁ ଧର୍ମର ତିନୋଟି ମୋୖଳିକ ଉପାସନା ପଦ୍ଧତି ବୈଦିକ ତାନ୍ତ୍ରିକ ଓ ବୈଷ୍ଣବ ମାଟିର ମିଶ୍ରଣ । ଓଡିଶାର ୮ଟି ଶକ୍ତି ପୀଠ ମଧ୍ୟରୁ ଝଙ୍କଡ ପୀଠ ଅନ୍ୟତମ । ଝଙ୍କଡ ପୀଠରେ ମୁଖ୍ୟ ଠାକୁରାଣୀ ମା ଶାରଳା ପଥରରେ ଖୋଦିତ ଅଷ୍ଟଭୂଜା ମୂର୍ତ୍ତି ।

ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ ଉତ୍ସବ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । ମହାବିଷୁବ ପଣା ସଂକ୍ରାନ୍ତିରେ ଏଠାରେ ଝାମୁଯାତ୍ରା ହୁଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ବୈଦିକ, ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ ରୂପେ ମା ଶାରଳା ଏଠାରେ ବିଦ୍ୟମାନ ।

ବାବା ଗୋରେଖନାଥ: ଏହି ପ୍ରସିଦ୍ଧ ପୀଠଟି ରଘୁନାଥପୁର ବ୍ଲକର କେରେକେରା ଗ୍ରାମଠାରେ ଅବସ୍ଥିତ । ଏହା ଜଗତସିଂହପୁର ସହରଠାରୁ ୨୪ କିମି ଦୂରରେ ଅବସ୍ଥିତ । ବାବା ଗୋରେଖନାଥ ଭାରି ପ୍ରତ୍ୟକ୍ଷ । ସର୍ପାଘାତ ରୋଗୀ ଏଠାରୁ ଜୀବନ ପାଇଥାନ୍ତି । ସେହିପରି ନିଃସନ୍ତାନ ମହିଳା ସନ୍ତାନ ପାଇଁ ଏଠାରେ ମାନସିକ କରିଥାନ୍ତି । ଏହି ପୀଠ ନିକଟରେ ରେଳଷ୍ଟେସନ ଅଛି ।

ଚାନ୍ଦପୁର: ମହିଳୋ ଗାଁର ଉପାନ୍ତରେ ଗ୍ରାମୀଣ ପରିବେଶ ମଧ୍ୟରେ ଭଗବାନ ରଘୁନାଥ ଜୀଉ ଓ ଭଗବାନ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ପ୍ରାୟ ୩୦ ବର୍ଷ ତଳୁ ଏହାକୁ ସ୍ଥାପନା କରାଯାଇଛି । ଗୋଟିଏ ମନ୍ଦିର ପରିସର ମଧ୍ୟରେ ଶ୍ରୀରାମ ଭଗବାନ ରଘୁନାଥ ଜୀଉଙ୍କ ନାମରେ ଏବଂ ଭଗବାନ ଶିବ ଚନ୍ଦ୍ରଶେଖରଙ୍କ ନାମରେ ପୂଜା ପାଇବାର ବିରଳ ଦୃଶ୍ୟ ଏଠାରେ ଦେଖିବାକୁ ମିଳେ ।

ଗଡ଼କୁଜଙ୍ଗ: କୁଞ୍ଜବିହାରୀଙ୍କ ଲାଗି ଗଡ଼ କୁଞ୍ଜଙ୍ଗ ପ୍ରସିଦ୍ଧ । ଏହିସ୍ଥାନଟି ସୁଭଦ୍ରା କ୍ଷେତ୍ର ଭାବେ ମଧ୍ୟ ପରିଚିତ । ଜଗତସିଂହପୁର ଠାରୁ ଏହା ୫୪କିମି ଦୂର । ଗଡ଼କୁଜଙ୍ଗ ପହଞ୍ଚିବା ଲାଗି କଟକ ଓ ଜଗତସିଂହପୁରଠାରୁ ବସ୍ ସେବା ରହିଛି ।

ଷଣ୍ଢକୁଦ: ଜଗତସିଂହପୁର ଜିଲ୍ଲାରେ ପର୍ଯ୍ୟଟମାନଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଷଣ୍ଢକୁଦ । ଏଠାକାର ଝାଉଁ ଜଙ୍ଗଲ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରୁଥିବାବେଳେ, ନିକଟରେ ଝିଲମିଲ ହେଉଥିବା ସ୍ୱର୍ଣ୍ଣିମ ବେଳାଭୂମିର ସୌନ୍ଦର୍ଯ୍ୟ ପର୍ଯ୍ୟଟକକୁ ମୁଗ୍ଧ କରିଥାଏ ।

ପାରାଦୀପ: ସମୁଦ୍ରର ମନୋରମ ଦୃଶ୍ୟ ଆକର୍ଷଣୀୟ ବେଳାଭୂମି ଓ ମାରେନ୍ ଡ୍ରାଇଭ (ତଟପଥ ) ନଦୀ ନାଳର ଅନୁପମ ସୌନ୍ଦର୍ଯ୍ୟ ମୁହାଣର ସୁନ୍ଦରତା ତଥା ମହାନଦୀ ମୁହାଣର ଚିର ସବୁଜ ଜଙ୍ଗଲ ବଳୟ ଯୋଗୁ ପାରାଦୀପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ସମୁଦ୍ରରେ ଛୋଟ ନୌକା ଓ ବଡ ବଡ ମାଲବାହୀ ଜାହାଜର ଯାତାୟତର ଦୃଶ୍ୟ ପର୍ଯ୍ୟଟକଙ୍କୁ ଉତଫୁଲିତ କରିଦେଇଥାଏ । ଏତଦ ବ୍ୟତୀତ ସମୁଦ୍ର ବକ୍ଷରେ ଭଳିକି ଭଳି ପକ୍ଷୀଙ୍କ ଜଳକ୍ରୀଡା ସହ ଦଳଦଳ ପକ୍ଷୀଙ୍କ ଉଡି ବୁଲିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆମୋଦିତ କରିଥାଏ । ବାଣିଜ୍ୟକ କାରବାର ଦୃଷ୍ଟିରୁ ପାରାଦୀପ ଭାରତର ଅନ୍ୟତମ ଶ୍ରେଷ୍ଠ ବନ୍ଦର । ଏହି ସହରର ଅନ୍ୟତମ ଆକର୍ଷଣ ହେଉଛି ନେହେରୁ ବଙ୍ଗଳା ମୁହାଣ । ଜଗତସିଂହପୁରଠାରୁ ୬୩ କିମି ଦୂର ହେଉଛି ପାରାଦୀପ । ପାରାଦୀପ ସହିତ ରେଳ ଓ ସଡକ ପଥର ଉତ୍ତମ ବ୍ୟବସ୍ଥା ରହିଛି ।

ଶିଆଳି ବେଳାଭୂମି: ଓଡ଼ିଆ ରାଜ୍ୟରେ ସବୁଠୁ ଶାନ୍ତ ବେଳାଭୂମି ହେଉଛି ଶିଆଳି । ଶିଆଳି ବେଳାଭୂମି ଉପକୂଳବର୍ତ୍ତୀ ଓଡିଶାର ଏକ ସୁରମ୍ୟ ବେଳାଭୂମି । ଅବଶ୍ୟ ଏଠାକୁ କଚ୍ଚା ରାସ୍ତା ଦେଇ ଯିବାକୁ ପଡେ । ଏଠାରେ ଦୁଲ୍ଲଭ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାଏ ।

ଜଗତସିଂହପୁରର ନାଉଗାଁ ଗାରୋଇ ଆଶ୍ରମ ଜଗନ୍ନାଥ ମନ୍ଦିର, ବିରିଡ଼ିର ପଞ୍ଚସଖା ଧାନ ପୀଠ ଧାନକୁଦ, ନାଇଲୋର ଯଶୋବନ୍ତ ପୀଠ, ରଘୁନାଥପୁରର ଧଳତଙ୍ଗଗଡ଼ ଜଙ୍ଗଲ, ବିରିଡ଼ି ବାଲିଆସ୍ଥିତ ଭଗବତୀ ପୀଠ ଆଦି ପର୍ଯ୍ୟଟନ ସ୍ଥଳରେ ପ୍ରତ୍ୟେହ ବହୁ ଜନ ସମାଗମ ହୁଏ । ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୬୨ କିଲୋମିଟର ଦୂରରେ ଅବସ୍ଥିତ ଏହି ଜିଲ୍ଲା । ଉଭୟ କଟକ ଓ ପାରଦୀପରୁ ଜଗତସିଂହପୁର ବସ୍ ଯୋଗାଯୋଗ ରହିଛି । ଟ୍ରେକର ଓ ଅଟୋରିକ୍ସାରେ ଜଗତସିଂହପୁରରେ ସହଜରେ ପହଞ୍ଚିହେବ ।