ଆମ ବାଡ଼ି ବଗିଚାରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ ସଜନା ଶାଗ । ସଜନା ଛୁଇଁ ଯେମିତି ଖାଇବାକୁ ସ୍ୱାଦିଷ୍ଟ ଠିକ୍ ସେମିତି ସଜନା ଶାଗ । ଏଥିରେ ପୁଷ୍ଟିସାର, ଲୌହ କ୍ୟାଲସିୟମ ଓ ଭିଟାମିନ ପ୍ରଚୁର ପରିମାଣରେ ଥାଏ । ଏହା କଟୁ ତିକ୍ତ ମିଶ୍ରିତ ମଧୁର ରସ । ଏହା ବହୁ ରୋଗ ଉପଶମକାରୀ । ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ । ଯେମିତିକି - ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ । ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ । ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ । ସଜନା କେବଳ ଉପକାରୀ ଯେ ତାହା ନୁହେଁ ଏଥିରେ ପ୍ରସ୍ତୁତ ବ୍ୟଞ୍ଜନ ବେଶ ସୁଆଦିଆ । ସଜନା ଛୁଇଁ ଭଜା ହେଉ କି ତରକାରୀ ପାଟିକୁ ବେଶ୍ ସୁଆଦିଆ ଲାଗେ । ମୁଗ ଓ ନଡିଆ କୋରା ଦେଇ ଭଜା ହୋଇଥିବା ସଜନା ଶାଗ ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ । ସଜନା ଶାଗକୁ ନେଇ ଆମ ଗାଁ ଗହଳରେ ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ଆସନ୍ତୁ ସେଇ ବ୍ୟଞ୍ଜନ ସମ୍ପର୍କରେ କିଛି କଥା ହେବା ।

ସଜନା ଶାଗ ମୁଗ: ଗାଁ ଗହଳରେ କିଛି ନଥିଲେ ସଜନା ପତ୍ର ଦୁଇଟି ଆଣି ସେଥିରେ କିଛି ନା କିଛି ବ୍ୟଞ୍ଜନ ପ୍ରସ୍ତୁତ ହୋଇଯାଏ । ସଜନା ଶାଗ ମୁଗ ପାଇଁ ସଜନା ପତ୍ର, ଆଳୁ, ବାଇଗଣ, ସାରୁ, ମୁଗ ଡାଲି, ଫୁଟଣ, ଶୁଖିଲା ଲଙ୍କା, ରସୁଣ, ନଡ଼ିଆ କୋରା, ସୋରିଷ ତେଲ, ବିରି ବଡି ଓ ଆବଶ୍ୟକ ପରିମାଣର ଲୁଣ ଓ ହଳଦୀଗୁଣ୍ଡ ଆବଶ୍ୟକ । ପ୍ରଥମେ କଡେଇରେ ସୋରିଷ ତେଲ ଗରମ କରନ୍ତୁ । ସେଥିରେ ଶୁଖିଲା ଲଙ୍କା ଓ ପଂଚଫୁଟଣ ଦିଅନ୍ତୁ, ତା’ପରେ ରସୁଣକୁ ଟିକେ ଛେଚିକି ପକାନ୍ତୁ, ଏବଂ କିଛି ପାଣି ଦିଅନ୍ତୁ । ପାଣି ଟିକେ ଫୁଟି ଆସିଲେ ସେଥିରେ ମୁଗଡାଲିକୁ ଧୋଇକି ପକାନ୍ତୁ । ତା’ପରେ ଏଥିରେ ଆଳୁ, ବାଇଗଣ, ସାରୁକୁ ଛୋଟ ଛୋଟ କରି କାଟି ପକାନ୍ତୁ । ଆବଶ୍ୟକ ମୁତାବକ ଲୁଣ ଓ ହଳଦୀ ଦେଇ ଘୋଡ଼ଣୀ ଦେଇ ପରିବା ଓ ମୁଗଡାଲିକୁ ସିଝିବା ପାଇଁ ଅପେକ୍ଷା କରନ୍ତୁ । ପରିବା ଓ ଡାଲି ସିଝିଗଲେ ସେଥିରେ ସଜନା ପତ୍ରକୁ ଦିଅନ୍ତୁ । ସଜନା ପତ୍ର ନରମ ହୋଇ ଆସିଲେ ସେଥିରେ ନଡ଼ିଆ କୋରା ଆଉ ଭଜା ବିରି ବଡ଼ି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଂକର ସଜନା ଶାଗ ମୁଗ ।

ସଜନା ଶାଗ ତରକାରୀ: ଏହି ବ୍ୟଞ୍ଜନ ପାଇଁ ବାଇଗଣ, ଆଳୁ, ସାରୁ, ଟମାଟୋ, ବିରି ବଡି, ରସୁଣ, ଜିରା ଓ ସୋରିଷର ବାଟଣ, ପଂଚଫୁଟଣ, ଲଙ୍କା, ସୋରିଷ ତେଲ ଆବଶ୍ୟକ । ଏଥିପାଇଁ ପ୍ରଥମେ ସମସ୍ତ ପରିବାକୁ ଛୋଟ ଛୋଟ କରି କାଟି ରଖନ୍ତୁ । କଡେଇ ଗରମ କରି ସେଥିରେ ସୋରିଷ ତେଲ ଦିଅନ୍ତୁ । ତେଲ ଗରମ ହୋଇସାରିବା ପରେ ସେଥିରେ ପଂଚଫୁଟଣ ଓ ଶୁଖିଲା ଲଙ୍କା ଦିଅନ୍ତୁ । ଏହାପରେ ଏଥିରେ ସୋରିଷ ବଟା ଦେଇ ଟିକେ କଷନ୍ତୁ । ଟିକେ କଷି ହୋଇଗଲେ ଏଥିରେ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ଏଥିରେ କଟା ହୋଇଥିବା ପରିବାକୁ ପକାନ୍ତୁ ଏବଂ ଆବଶ୍ୟକ ପରିମାଣର ଲୁଣ ଦିଅନ୍ତୁ । ଏହାପରେ ଏହାକୁ ଘୋଡାଇ ଦିଅନ୍ତୁ । ଏହା ସିଝିଆସିଲେ ଏଥିରେ ସଜନା ପତ୍ରକୁ କାଟି ପକାନ୍ତୁ । ସଜନା ପତ୍ର ନରମ ହୋଇ ଆସିଲେ ଏଥିରେ ବିରି ବଡ଼ିକୁ ଭାଜିକି ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ସଜନା ଶାଗ ତରକାରୀ ।

ସଜନା ଶାଗ ଡାଲମା: ଏହି ବ୍ୟଞ୍ଜନ ପାଇଁ ଆଳୁ, ସାରୁ, କଖାରୁକୁ କାଟି ରଖନ୍ତୁ । ଭଜା ମୁଗଡାଲିକୁ ଧୋଇକି ପାଣି ଦେଇ ଚୁଲାରେ ବସାନ୍ତୁ । ଏବେ ଏଥିରେ କଟା ଯାଇଥିବା ପରିବାକୁ ପକାନ୍ତୁ, ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଓ ଛୋଟ ଟମାଟୋ ଦେଇ ସିଝାନ୍ତୁ । ପରିବା ଆଉ ଡାଲି ସିଝିଆସିଲେ ସଜନା ପତ୍ର ପକାନ୍ତୁ । ଏବେ କଡେଇରେ ସୋରିଷ ତେଲ ଗରମ କରନ୍ତୁ ଓ ପଂଚଫୁଟଣ ଓ ଶୁଖିଲା ଲଙ୍କା ଦିଅନ୍ତୁ । ଏବେ ଏଥିରେ ରସୁଣ ଛେଚା ପକାଇ ଡାଲମା ଛୁଙ୍କ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସଜନା ଶାଗ ଡାଲମା । ଏହାର ବାସ୍ନା ଓ ସୁଆଦ ପୂରା ନିଆରା ।

ସଜନା ଶାଗ ଭଜା ତ ସମସ୍ତଂକର ପସନ୍ଦ । ନଡ଼ିଆ, କଖାରୁ ଦେଇ ସଜନା ଶାଗ ଭଜା ଯାଏ । ସଜନା ଶାଗରେ ଜହ୍ନି ଦେଇ କେହି କେହି ଭାଜିଥାନ୍ତି । ଆମ ବାଡ଼ି ବଗିଚାରେ ଉଠିଥିବା ଏହି ଗଛଟି ବହୁ ଉପକାରୀ । ଗାଁ ଗହଳରେ ବିଭିନ୍ନ ପ୍ରକାର ଶାଗ ସହିତ ସଜନା ଶାଗକୁ ମିଶାଇ ଭଜା ଯାଏ । ସଜନା ପତ୍ରରେ କେବଳ ଦେଶୀ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୁଏ ତାହା ନୁହେଁ, ଏଥିରେ ସୁପ, କଟଲେଟ ପରି ବିଦେଶୀ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୁଏ । ଏହି ଶାଗକୁ ନିୟମିତ ଖାଇଲେ ଗର୍ଭବତୀମାନଙ୍କର ସୁପ୍ରସବ ହେବା ସହିତ ସୁସ୍ଥ ଶିଶୁ ଜନ୍ମ ନେଇଥାନ୍ତି । ଏହା ଶରୀର ପାଇଁ ବେଶ୍ ଉପକାରୀ ।