କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପଞ୍ଚୁକ ବା ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ପଞ୍ଚୁକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା - ଅତ୍ୟନ୍ତ ପୂଣ୍ୟମୟ ତିଥି । ଏହି ପଞ୍ଚୁକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନକରନ୍ତି I ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି I ଏହିମାସରେ ଆମିଷ ନ ଖାଇବାର ଧର୍ମ ସମ୍ମତ କାରଣ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି - ଏହିମାସରେ ମାଛମାନଙ୍କୁ ରୋଗ ହୋଇଥାଏ । କାର୍ତ୍ତିକ ମାସଯାକ ପ୍ରାତଃସ୍ନାନ କରି ଲୋକମାନେ ବିଶେଷକରି ବିଧବାମାନେ ରାଇଦାମୋଦର ବ୍ରତ ପାଳନ କରନ୍ତି । ଅନେକ ଅଁଳା ନବମୀ ବା ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ୍ୟ କରନ୍ତି । ବିଶେଷକରି ଏହି ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରାଯାଏ ।

ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନେ ଆକର୍ଷଣୀୟ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏକାଦଶୀ ଦିନ ଶ୍ରୀଜୀଉମାନେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶରେ ସଜ୍ଜିତ ହୁଅନ୍ତି । ସେହିପରି ଦ୍ଵାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ, ପୂର୍ଣ୍ଣମୀରେ ରାଜରାଜେଶ୍ଵର ବେଶ ବା ସୁନାବେଶ ହୁଅନ୍ତି । ଯେଉଁ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅ ଦିନ ପଡେ, ସେଇଦିନ ଶ୍ରୀ ଜୀଉଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ।

କାର୍ତ୍ତିକ ମାସ ତ୍ରୟୋଦଶ ତିଥିରେ ଓଡିଶାର ସମସ୍ତ ଶୈବପୀଠରେ ବଡ଼ ଓଷା ପାଳନ କରାଯାଏ । ବିଶେଷକରି ଧବଳେଶ୍ୱର ପୀଠରେ ଏହି ପର୍ବ ବେଶ୍ ଧୁମଧାମରେ ପାଳିତ ହୁଏ । କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବାପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ । ଏହିଦିନ ପ୍ରଭୁ ଧବଳେଶ୍ୱରଙ୍କର ବଡ ସିଂହାର ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ - ଉତ୍କଳ ଦେଶରେ କ୍ରତୁ ନାମରେ ଜଣେ ପରମ ଧାର୍ମିକ ରାଜା ଥିଲେ । ଥରେ ସେ ଶିକାର କରିବାକୁ ଯାଇଥିବାବେଳେ ଏକ ମନ୍ଦିର ନିକଟରେ ପହଂଚିଥିଲେ । ସେଇ ମନ୍ଦିରଟି ଏକ ଭଗ୍ନ ଶିବ ମନ୍ଦିର ଥିଲା । ସେହି ମନ୍ଦିରରେ ନାଗପୁରର ରାଜକୁମାରୀ ହରିପ୍ରିୟା ପୂଜା କରୁଥିଲେ । ସେ କ୍ରତୁଙ୍କୁ ବିବାହ କରିବା ପାଇଁ ଇଚ୍ଛା କରୁଥିଲେ । ବିବାହ ପରେ ରାଜା କ୍ରତୁ ନିଜର ଧର୍ମ ଭୁଲିଗଲେ । ଭୋଗବିଳାସରେ ମାତି ରହିଲେ । ଫଳରେ ରାଜ୍ୟର ଅରାଜକତା ଦେଖାଦେଲା, ଶତ୍ରୁ ଭୟ ଦେଖାଦେଲା । ରାଜା ନିଜର ରାଜ୍ୟ ହରାଇ ଶେଷରେ ରାଣୀଙ୍କୁ ଧରି ବଣକୁ ଆସିଲେ । ସେହି ବଣରେ ଜଣେ ସନ୍ନ୍ୟାସୀ ରହୁଥିଲେ । ଥରେ ସେ କେତକୀ ଫୁଲ ନେଇ ମହାଦେବଙ୍କ ପୂଜା କରିବାକୁ ଯାଉଥିଲେ । ରାଜା ସେ ଫୁଲ ଛଡ଼ାଇ ଆଣି ରାଣୀଙ୍କୁ ଦେଲେ । ଫଳରେ ତାଙ୍କ ଉପରେ ମହାଦେବଙ୍କ କୋପ ପଡିଲା । ରାଜା କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ । ରାଣୀ ଜଣେ ସତୀ ନାରୀ ଥିଲେ, ସେ ସର୍ବଦା ଈଶ୍ବରଙ୍କ ଆରାଧନା କରୁଥିଲେ । ସେ ଜଣେ ସନ୍ନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ପାଇଁ ଉପାୟ ପଚାରିଲେ । ସନ୍ନ୍ୟାସୀ ଜଣକ ଏହା ରାଜାଙ୍କ କୃତକର୍ମ ବୋଲି କହିବା ସହ ମହାଦେବଙ୍କ ଆରାଧନା ପାଇଁ କହିଲେ । ସନ୍ନ୍ୟାସୀଙ୍କ ପରାମର୍ଶ କ୍ରମେ ରାଣୀ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କର ନିକଟରେ ନିଷ୍ଠାର ସହ ବଡ଼ ଓଷା ବ୍ରତ ପାଳନ କଲେ । ଶିବ ରାଣୀଙ୍କ ବ୍ରତରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଦେଲେ । ରାଜା କ୍ରତୁ ସୁସ୍ଥ ହେବା ସହ ରାଣୀଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତ କରାଇ ସୁଖରେ ରାଜ୍ୟ ଭୋଗ କଲେ ।

ବଡ ଓଷା ଅବସରରେ ଏଠାରେ ଗଜଭୋଗ ପୂଜା କରାଯାଇଥାଏ । ଅରୁଆ ଚାଉଳ ଚୁନାରେ ତିଆରି ହୋଇଥିବା ପିଠାକୁ ଏହି ଭୋଗରେ ଅର୍ପଣ କରାଯାଏ । ଏହାକୁ ଗଜଭୋଗ କୁହାଯାଏ । ଦେଖିବାକୁ ପୂରା ଧଳା ରଙ୍ଗର । ଅରୁଆ ଚାଉଳ ଚୂନାରେ ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜୁରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି । ଏହି ଦିନ ଠାକୁରଙ୍କ ପାଖେ ତରଣ ଭୋଗ ମଧ୍ୟ ହୁଏ । କାର୍ତ୍ତିକ ମାସର ଶେଷ ପର୍ବ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯାଏ । ଏହା ପ୍ରାୟ ରାତ୍ର ତିନି ଘଟିକାରେ କରାଯାଏ । ବଡ ଓଷାରେ ବ୍ରତଧାରୀମାନେ ନିର୍ଜଳା ଉପବାସ କରିଥାନ୍ତି । ବଡ ଓଷା ପରଦିନ ଅର୍ଥାତ ପୂର୍ଣ୍ଣମୀ ଦିନ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପନ କରନ୍ତି ।