ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା

ପୌଷମାସ ଶୁକ୍ଳପକ୍ଷ ଦଶମୀ ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ଭାବେ ପାଳନ କରିଥାନ୍ତି । ସୂର୍ଯ୍ୟ ଉପାସନା ବିଧି ସହ ଓଡ଼ିଶାରେ ଘରେ ଘରେ ପାଳିତ ହେଉଥିବା ଶାମ୍ବ ଦଶମୀକୁ ଶମ୍ବର ଦଶମୀ ବୋଲି କୁହାଯାଏ ।


ଆଦିମ କାଳରୁ ସୂର୍ଯ୍ୟଦେବ ଭାରତୀୟ ଆର୍ଯ୍ୟମାନଙ୍କର ପ୍ରଧାନ ଉପାସ୍ୟ ରୂପେ ରହିଛନ୍ତି । ଭାରତୀୟ ଧର୍ମ ଇତିହାସରେ ସୂର୍ଯ୍ୟ ନାନା ଭାବରେ ଉପାସିତ । ସୂର୍ଯ୍ୟ ପୂଜା ହିନ୍ଦୁ ଧର୍ମରେ ଏକ ପ୍ରମୁଖ ପୂଜା । ସକାଳ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଏକ ନିତିଦିନିଆ ଚଳଣି । ଓଡ଼ିଆ ପରମ୍ପରାରେ ବାର ମାସରେ ତେର ପର୍ବ । ସମସ୍ତ ପର୍ବଗୁଡିକର ବିଶେଷତ୍ୱ ନିଆରା । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା । ପୌଷମାସ ଶୁକ୍ଳପକ୍ଷ ଦଶମୀ ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ଭାବେ ପାଳନ କରିଥାନ୍ତି । ସୂର୍ଯ୍ୟ ଉପାସନା ବିଧି ସହ ଓଡ଼ିଶାରେ ଘରେ ଘରେ ପାଳିତ ହେଉଥିବା ଶାମ୍ବ ଦଶମୀକୁ ଶମ୍ବର ଦଶମୀ ବୋଲି କୁହାଯାଏ ।

ଶାମ୍ବ ଦଶମୀ ପୂଜାର ଧର୍ମ ଦର୍ଶନ ଓ ନିଗୂଢ ତତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପର୍ବର ବିଶେଷତ୍ୱ ହେଉଛି ଆକାଶରେ ସୂର୍ଯ୍ୟଙ୍କର ତିନି ସ୍ଥିତିକୁ ଲକ୍ଷ୍ୟ କରି ତିନି ପ୍ରକାରର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ଏହି ପୂଜାରେ (ବାଳ ସୂର୍ଯ୍ୟ)ଙ୍କୁ ପୂଜା କରାଯାଇ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବଢ଼ାଯାଏ । ଏହାକୁ ବଢାକୁଢା ବା ବାଳଭୋଗ ବୋଲି କୁହାଯାଏ । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜା ନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ (ଏକପ୍ରକାର ଘାଣ୍ଟ) ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପରେ ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ ଧୂପ ଦିଆଯାଏ । ଏହି ଧୂପରେ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ପିଠା ଓ ମିଠାରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଏହି ପର୍ବର ଅନ୍ୟତମ ଆକର୍ଷଣ ହେଉଛି ବାଇଗଣ ପତ୍ର ।| ସାତୋଟି ବାଇଗଣ ପତ୍ରରେ ସମସ୍ତ ନୈବେଦ୍ୟ ବଢ଼ାଯାଏ । ଘରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ବଢ଼ାଯାଏ । ତେବେ ଏହି ପୂଜାର ବିଶେଷ କରି ଉଦିଆ ଚାଉଳ ବଢ଼ାଯାଏ । ଅରୁଆ ଚାଉଳ, ନଡ଼ିଆ, ଗୁଡ, ଛେନା, କଦଳୀକୁ ମିଶାଇ ଏକପ୍ରକାର ଭୋଗ ପ୍ରସ୍ତୁତ କରାଯାଇଥାଏ । କେହି କେହି କେବଳ ସକାଳ ବା ବ୍ରାହ୍ମମୁହୂର୍ତ୍ତରେ ହିଁ ସୂର୍ଯ୍ୟଙ୍କ ପୂଜା କରିବା ସହ ନୈବେଦ୍ୟ ବାଢ଼ିଥାନ୍ତି ।

ଏହିଦିନ ଗୃହିଣୀମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଶୁଚିମନ୍ତ ହୋଇ ଛାତ ଉପର କିମ୍ବା ଖୋଲା ସ୍ଥାନକୁ ପରିସ୍କାର କରି ଚିତା ପକାଇ ଥାନ୍ତି । କଳସ ସ୍ଥାପନ କରି ସାତଟି ବାଇଗଣ ପତ୍ର ବା କଦଳୀ ପତ୍ରରେ ପୂର୍ବରୁ ଯାଚିଥିବା ଭୋଗ ସବୁ ବାଢ଼ି ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତି । ଗାଁଗହଳରେ ଏହି ପୂଜା ସାରିବା ପରେ ପିଲାମାନଙ୍କ ମଧ୍ୟରେ ଏହି ଭୋଗ ବଣ୍ଟାଯାଏ । ଏହି ପର୍ବରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ ସମସ୍ତ ଚର୍ମରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

ସୂର୍ଯ୍ୟ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୁଷ୍ଠରୋଗରେ ପୀଡିତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ସେ ସୂର୍ଯ୍ୟଙ୍କ ଉପାସନା କରି ଆରୋଗ୍ୟ ପ୍ରାପ୍ତ ହୋଇଥିଲେ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଭୟଙ୍କର କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଚନ୍ଦ୍ରଭାଗା ଜଳରେ ସ୍ନାନ କରିବା ସମୟରେ ଶାମ୍ବ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଅଲୌକିକ ରୂପକୁ ଦେଖିପାରି ସେଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଇଚ୍ଛା ପ୍ରକଟ କରିଥିଲେ । କୋଣାର୍କଠାରେ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ମନ୍ଦିରଟି ସୂର୍ଯ୍ୟଙ୍କ ରଥ ସଦୃଶ । ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ଏକ ଉତ୍କୃଷ୍ଟ ପ୍ରତିବେଦନ । ପବିତ୍ର ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟ ଉପାସନା କଲେ ପରିବାରରେ ସୁଖଶାନ୍ତି ସହିତ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ବିଶ୍ବାସ ରହିଛି ।

କୋଣାର୍କ ସମେତ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ସୂର୍ଯ୍ୟ ମନ୍ଦିର ରହିଛି I କୋଣାର୍କରେ ଶାମ୍ବ ଦଶମୀ ତିଥିଠାରୁ ସୂର୍ଯ୍ୟ ରଥଯାତ୍ରା ଆରମ୍ଭ ହୁଏ । ଏହା ମାଘ ମାସ ଶୁଳ୍କ ସପ୍ତମୀ ତିଥି ଯାଏ ଚାଲେ । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ, ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରନ୍ତି । ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି ।

ଓଡ଼ିଶାରେ ଶାମ୍ବ ଦଶମୀରେ ଯେପରି ସୂର୍ଯ୍ୟଙ୍କର ପୂଜା ହୁଏ, ଠିକ ସେମିତି ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ଛଟ ପୂଜାରେ ସୂର୍ଯ୍ୟଦେବ ଓ ତାଙ୍କ ଭଗ୍ନୀ ଛଟି ମାତାଙ୍କୁ ପୂଜା କରାଯାଏ । ଏହି ପର୍ବ ଚାରିଦିନ ଧରି ପାଳନ କରାଯାଏ । ଏଥିରେ ଉଦିତ ସୂର୍ଯ୍ୟ ଓ ଅସ୍ତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଓ ବନ୍ଦାପନା କରାଯାଏ । ଏହା କାର୍ତ୍ତିକ ମାସରେ ପାଳିତ ହୁଏ । କେବଳ ଆମ ଭାରତବର୍ଷର ସଂସ୍କୃତିରେ ନୁହେଁ, ବରଂ ସୂର୍ଯ୍ୟ ଉପାସନା ବିଶ୍ୱର ପ୍ରାୟ ସମସ୍ତ ସଂସ୍କୃତିରେ ଭିନ୍ନ ଭିନ୍ନ ଭାବେ ଚାଲିଆସୁଅଛି । କିନ୍ତୁ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଟେକିବାର ପରମ୍ପରା ଆମ ଭାରତବର୍ଷରେ ଟିକେ ନିଆରା । ତେବେ ଓଡ଼ିଆ ସଂସ୍କୃତିରେ ଏହି ପରମ୍ପରା ଏବଂ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ଉପାସନା କରିବାର ବିଧି ହେଉଛି ସ୍ୱତନ୍ତ୍ର ।

Report an Error