ଶ୍ରୀକ୍ଷେତ୍ର, ପୁରୀ

ଐତିହ୍ୟ, ସଂସ୍କୃତିର ସହର ପୁରୀ । ମହାପ୍ରଭୁ ଶ୍ରୀଜଗନାଥଙ୍କ ମନ୍ଦିର, ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର, ସୁନେଲି ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ଆଉ ଘଂଚ ଝାଉଁବଣ ପୁରୀର ଅନ୍ୟତମ ଆକର୍ଷଣ । ଓଡ଼ିଶାର ପରିଚୟ ମହାପ୍ରଭୁ ବିଶ୍ୱଦେବତା ଶ୍ରୀଜଗନ୍ନାଥ ଧାମ ପୁରୀରେ ରହିଛି ବହୁ ପ୍ରାଚୀନ ମନ୍ଦିର, ମଠ, ପୁଷ୍କରିଣୀ, ସଂସ୍କୃତି । ଉପକୂଳ ଜିଲ୍ଲା ପୁରୀରେ ସମୁଦ୍ରର ସୌନ୍ଦର୍ଯ୍ୟ ସତରେ ଅତୁଳନୀୟ । ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାବେଳେ ଏବେ ଏହାକୁ ଐତିହ୍ୟ ସହର କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଭାରତର ପୂର୍ବ ଦିଗରେ ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ଜିଲ୍ଲା ଆମ ଓଡ଼ିଆ ଜାତିର ଗର୍ଵ ଓ ଗରିମାକୁ ବହନ କରୁଛି । ଏଠାରେ ରହିଛି ଓଡ଼ିଆ ଜାତିର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ । ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର । ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ । ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ । ପଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ସ୍କନ୍ଦ ପୁରାଣର ୧୨ ଅଧ୍ୟାୟରେ ପୁରୀ ଶଙ୍ଖାକାର ହୋଇଥିବାରୁ ଶଙ୍ଖକ୍ଷେତ୍ର ନାମରେ ମାନିଛନ୍ତି ଓ ସେହି କ୍ଷେତ୍ରରେ ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ଥିବାର ବର୍ଣ୍ଣନା କରିଛନ୍ତି । ଦେବୀଭାଗବତ, କାଳୀକାପୁରାଣ ନୀଳତନ୍ତ୍ର ଏହିଠାରେ ସତୀଙ୍କର ପାଦ ପଡ଼ିଥିବାରୁ ଏହାକୁ ପାଦା ପୀଠ ବା ଉଡ଼ୀୟାନ ପୀଠ ନାମଦେଇ ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି । ସ୍କନ୍ଦପୁରାଣ, ବାମଦେବ ସଂହିତା, କପିଳ ସଂହିତା, ଏଠାରେ ନୀଳପର୍ବତ ନାମକ ପବିତ୍ର ପର୍ବତର ଗୁହାରେ ପ୍ରଭୁ ପ୍ରଥମେ ବିରାଜିତ ଥିବାରୁ ଏହି କ୍ଷେତ୍ରକୁ 'ନୀଳାଦ୍ରି' ନାମ ଦେଇଛନ୍ତି।

ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକମାନେ ପୁରୀ ଓ ଜଗନ୍ନାଥ ମନ୍ଦିରକୁ ୧୮ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ଭାରତ ସରକାରଙ୍କର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ ।

ରାଜଧାନୀଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ ପୁରୀରେ ରହିଛି ବହୁ ପ୍ରାଚୀନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ । ପ୍ରାଚୀନ ମନ୍ଦିର, ପରମ୍ପରା, ସାହିଯାତ, ସୁନେଲି ସମୁଦ୍ର ବେଳାଭୂମି ଆଉ ବିସ୍ତୀର୍ଣ୍ଣ ଝାଉଁବଣର ଏକ ଅପରୂପ ସମାହାର ହେଉଛି ପୁରୀ ଜିଲ୍ଲା । ଆସନ୍ତୁ ପୁରୀ ଜିଲ୍ଲାର ମନ୍ଦିର ଆଉ ପର୍ଯ୍ୟଟନ ସ୍ଥଳୀ ଉପରେ ନଜର ପକାଇବା ।

ଭୁବନେଶ୍ୱରରୁ ପୁରୀକୁ ଯିବାବେଳେ ମଝିରେ ପଡେ ପିପିଲି । ପୁରୀ ଜିଲ୍ଲାର ଏକ ଛୋଟ ବିଜ୍ଞାପିତ ଅଂଚଳ ହେଉଛି ପିପିଲି । ଛୋଟ ସହର ହେଲେ ମଧ୍ୟ ଏହାର ଚାନ୍ଦୁଆ କାମ ବିଶ୍ୱବିଖ୍ୟାତ । ପିପିଲି ଠାରୁ ଆଉ କିଛି ବାଟ ଆଗେଇ ଚାଲିଲେ ନଜରକୁ ଆସେ ଧାନ କ୍ଷେତ, ନଡ଼ିଆ ଗଛ ଓ ସବୁଜ ବନାନୀରେ ଭରପୁର ସାକ୍ଷୀଗୋପାଳ । ରାସ୍ତାର ଗୋଟିଏ ପାର୍ଶ୍ଵରେ ଗଗନଚୁମ୍ବି ନଡ଼ିଆ ଗଛଗୁଡିକ ଅତୀବ ଆକର୍ଷଣୀୟ ଲାଗନ୍ତି । ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ସାକ୍ଷୀଗୋପାଳ ପଡେ । ଏହା ଭୁବନେଶ୍ୱରରୁ ୪୦ କିଲୋମିଟର ପୂର୍ବ ଓ ପୁରୀଠାରୁ ୧୭ କିଲୋମିଟର ପଶ୍ଚିମରେ ଅବସ୍ଥିତ । ଅନେକ ଐତିହାସିକ ଘଟଣାବଳୀର ମୂକସାକ୍ଷୀ ବହନ କରିଥିବା ସାକ୍ଷୀଗୋପାଳରେ ଅଛି ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ।

ପୁରୀଠାରୁ ୧୯ କିଲୋମିଟର ଓ ଭୁବନେଶ୍ୱରଠାରୁ ୪୫ କିଲୋମିଟର ଦୂରରେ ରହିଛି ଏକ ପ୍ରସିଦ୍ଧ ଶାକ୍ତ ପୀଠ । ବିରଗୋବିନ୍ଦପୁର ଦକ୍ଷିଣକାଳୀ ମନ୍ଦିର । ଏଠାରେ ମା ଭାରି ପ୍ରତ୍ୟକ୍ଷ । ଏହାର ନିକଟରେ ରହିଛି ଶିଳ୍ପୀ ଗ୍ରାମ ରଘୁରାଜପୁର । ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧି ହାସଲ କରିଥିବା ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମହାନ ଓଡିଶୀ ଗୁରୁ କେଳୁଚରଣ ମହାପାତ୍ର ।