ଐତିହ୍ୟ, ସଂସ୍କୃତିର ସହର: ପୁରୀ - ୧

ପୁରୀରେ ଶ୍ରୀମନ୍ଦିରକୁ ଛାଡିଦେଲେ ଏଠି ରହିଛି ଆହୁରି ଅନେକ ପ୍ରାଚୀନ ମନ୍ଦିର, ମଠ ପରି ଅନେକ ଦର୍ଶନୀୟ ସ୍ଥାନ । ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।


ଫଟାେ - ନରେନ୍ଦ୍ର ପୁଷ୍କରିଣୀ, ଗୁଣ୍ଡିଚା ମନ୍ଦିର

ପୂର୍ବ ପ୍ରକାଶିତ ଉତ୍ତାରୁ

ଗୁଣ୍ଡିଚା ମନ୍ଦିର: ଚତୁର୍ଦ୍ଧା ମୂରତିଙ୍କର ଜନ୍ମବେଦି ରୂପେ ପରିଚିତ ଏହି ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିଲା । ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି ।

ଲୋକନାଥ ମନ୍ଦିର: ପୁରୀଠାରୁ ମାତ୍ର ୨.୫ କିଲୋମିଟର ଦୂରରେ ଲୋକନାଥ ମନ୍ଦିର ଅବସ୍ଥିତ । ଲୋକନାଥଙ୍କ ବିଜେ ପ୍ରତିମା 'ଭଣ୍ଡାର ଲୋକନାଥ' ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି । ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ, ପଙ୍କୋଦ୍ଧାର ଏକାଦଶୀ ଦିନ ବାହାର କରାଯାଇଥାଏ । ବର୍ଷକରେ ଏହି ଗୋଟିଏ ଦିନରେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ମାଉସୀ ମା' ମନ୍ଦିର: ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୀ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ପ୍ରବାହିତ ହେଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଶ୍ରୀଜୀଉମାନେ ବାହୁଡ଼ାଯାତ୍ରାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।

ଆଲାମଚଣ୍ଡୀ ମନ୍ଦିର: ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ଅବସ୍ଥିତ ଏହି ମନ୍ଦିରଟି । ମକର ସଂକ୍ରାନ୍ତି ଓ ସାତପୁରି ଅମାବାସ୍ୟା ଦିନ ଏହି ମନ୍ଦିରର ଠାକୁରାଣୀଙ୍କ ନିକଟକୁ ଘଣ୍ଟ, ଛତା, କାହାଳୀ ଯାଇ ତାଡ଼ମାନଙ୍କୁ ଅଣାଯାଏ ।

ଦକ୍ଷିଣକାଳୀ ମନ୍ଦିର: ⁠ଶ୍ରୀମନ୍ଦିରର ପୂର୍ବ ଦିଗରେ କାଳିକା ଦେବୀ ସାହିରେ ଦକ୍ଷିଣକାଳୀ ମନ୍ଦିର ଅବସ୍ଥିତ । ସାତପୁରି ଅମାବାସ୍ୟା ଦିନ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଏହି ମନ୍ଦିରକୁ ଆସେ ।

ନାରାୟଣୀ ମନ୍ଦିର: ⁠ଏହି ମନ୍ଦିର ଦୋଳମଣ୍ଡପ ସାହିରେ ଅବସ୍ଥିତ । ଆଶ୍ୱିନ ମାସ ଷୋଳପୂଜାରେ ଦୁର୍ଗା ଓ ମାଧବଙ୍କ ରୁଦ୍ଧା ମୂର୍ତ୍ତିି ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ବିଜେ କରନ୍ତି ।

ଚର୍ଚ୍ଚିକା ମନ୍ଦିର: ⁠ଏହା ବଡଦାଣ୍ଡ କଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ । ବଢେ଼ଇ ଓ ଭୋଇ ସେବକମାନେ ଠାକୁରାଣୀଙ୍କୁ ରଥନିର୍ମାଣ ବେଳେ ପୂଜାର୍ଚ୍ଚନା କରନ୍ତି ।

ଶ୍ୟାମାକାଳୀ ଠାକୁର: ⁠ଏହା ପୁରୁଣା ବାଲିସାହି ନଅର ଅଞ୍ଚଳରେ ଅବସ୍ଥିତ । ପୁରୀ ରାଜାଙ୍କ ଆରାଧ୍ୟା ଠାକୁରାଣୀ । ଏହି ଅଞ୍ଚଳରେ ମଧ୍ୟ ପ୍ରସିଦ୍ଧ ଅଷ୍ଟଶମ୍ଭୁ ବିଦ୍ୟମାନ ।

ଶିରୁଳି ମହାବୀର: ପୁରୀ ମନ୍ଦିର ଠାରୁ ୨୭ କିମି ଦୂରରେ ଶିରୁଳି ମହାବୀରଙ୍କ ମନ୍ଦିର ଅବସ୍ଥିତ । ପଶ୍ଚିମ ଦିଗରେ ଦିଗପାଳ ରୂପେ ଏଠାରେ ମହାବୀର ପୂଜା ପାଉଛନ୍ତି ।

ପୁରୀଠାରେ ରହିଛି ପଞ୍ଚତୀର୍ଥ । ବ୍ରହ୍ମ ପୁରାଣ ଅନୁସାରେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ଜଗନ୍ନାଥ ଓ ବଳରାମଙ୍କୁ ରତ୍ନବେଦୀରେ ଦର୍ଶନ, ସମୁଦ୍ରରେ ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ । ଏହାକୁ ପଞ୍ଚତୀର୍ଥ କୁହାଯାଏ । ହଳଧରକୃତ ସ୍ମୃତି ଦର୍ପଣ ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ହେଉଛି ପଞ୍ଚତୀର୍ଥ ।

ପଞ୍ଚତୀର୍ଥର ପ୍ରଥମ ତୀର୍ଥ ହେଉଛି ମାର୍କଣ୍ଡେୟ ପୁଷ୍କରଣୀ । ଏହି ପୁଷ୍କରିଣୀର ଉତ୍ତର ୩୫୦ ଫୁଟ, ପୂର୍ବ ୫୦୫ ଫୁଟ, ଦକ୍ଷିଣ ୩୮୫ ଫୁଟ ଓ ପଶ୍ଚିମ ୫୪୨ ଫୁଟ ଲମ୍ବ ଅଟେ । ମାର୍କଣ୍ଡେୟ ମୁନି ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରି ମୃତ୍ୟୁଞ୍ଜୟ ହୋଇଥିବାରୁ ତାଙ୍କରି ନାମାନୁସାରେ ଏହି ପୁଷ୍କରିଣୀଟି ନାମିତ ବୋଲି କିମ୍ବଦନ୍ତୀ ରହିଛି । ଏହି ପୁଷ୍କରିଣୀ ତୀରରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ମୂର୍ତ୍ତୀ ରହିଛି । ମାଦଳା ପାଞ୍ଜି ଅନୁସାରେ କୋଶଳକେଶରୀ ରାଜା ମାର୍କଣ୍ଡେଶ୍ୱର ମନ୍ଦିର ଓ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱସ୍ଥ ପଥର ପାଚେରୀ ନିର୍ମାଣ କରାଇଥିଲେ ।

ଦ୍ଵିତୀୟ ତୀର୍ଥ ହେଉଛି ଶ୍ୱେତଗଙ୍ଗା । ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ଅବସ୍ଥିତ । ରାଜା ଶ୍ବେତଙ୍କ ଦୃଢ଼ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗଂ ବିଷ୍ଣୁ ଶ୍ୱେତଗଙ୍ଗା ତୀର୍ଥର ପବିତ୍ରତମ ସ୍ଥାନ ପ୍ରଦାନ କରିଥିଲେ । ଏଇ ପରମ ତୀର୍ଥରେ ଆବରଣରେ ଶ୍ୱେତମାଧବ, ମତ୍ସ୍ୟ ମାଧବ, ଗଙ୍ଗାମାତା ମଠ ଓ ମୁକ୍ତିଶିଳା ମଧ୍ୟ ରହିଛି । ଏହି ଶ୍ୱେତଗଙ୍ଗା ତୀର୍ଥ ଜଳରେ ପାଦ ଧୌତ କଲେ ସେହି ପାପ କ୍ଷାଳିତ ହୋଇଥାଏ । ଶ୍ୱେତଗଙ୍ଗାରେ ସ୍ନାନ କରି ତଟଦେଶରେ ବିରାଜିତ ଶ୍ଵେତମାଧବ ଓ ମତ୍ସ୍ୟମାଧବଙ୍କୁ ଦର୍ଶନ କଲେ, ବ୍ରହ୍ମହତ୍ୟା, ଗୋହତ୍ୟାଦି ମହାପାପରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି ।

ତୃତୀୟ ତୀର୍ଥ ହେଉଛି ରୋହିଣୀ କୁଣ୍ଡ । ଏହା ମନ୍ଦିର ଭିତରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ । ଏହା ଗୁପ୍ତଗଙ୍ଗା ନାମରେ ନାମିତ ।

ଶ୍ରୀକ୍ଷେତ୍ରର ଚତୁର୍ଥ ତୀର୍ଥ ହେଉଛି - ମହୋଦଧି ବା ସମୁଦ୍ର । ସେହିପରି ପଞ୍ଚତୀର୍ଥର ପଞ୍ଚମ ତୀର୍ଥ ହେଉଛି - ଇନ୍ଦ୍ରଦ୍ୟୁମ୍ନ ସରୋବର । ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସରୋବର ନିର୍ମାଣ କରିଥିଲେ । ଏହି ମନ୍ଦିରର ପବିତ୍ରତା ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି ।

ଏତଦବ୍ୟତୀତ ପୁରୀରେ ଆହୁରି ଛୋଟ ବଡ ପୁଷ୍କରିଣୀ ରହିଛି । ତେବେ ପୁରୀ ମନ୍ଦିରଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ନରେନ୍ଦ୍ର ପୁଷ୍କରିଣୀ ଓଡ଼ିଶାର ସମସ୍ତ ଜଳାଶୟ ମଧ୍ୟରେ ବଡ଼ ଏବଂ ପୁରୀ ସ‌ହରର ଅନ୍ୟତମ ଆକର୍ଷଣ । ଏହି ପୁଷ୍କରିଣୀ ପ୍ରମୁଖତଃ ଚନ୍ଦନ ସରୋବର ନାମରେ ଖ୍ୟାତ । ଏଠାରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ । ଏହି ପୁଷ୍କରିଣୀର ଲମ୍ବ ୮୩୪ ଫୁଟ ଏବଂ ଏହାର ଓସାର ୮୭୩ ଫୁଟ ଏବଂ ଏହା ପ୍ରାୟ ୮ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଏ । ଗଧୋଇବା ପାଇଁ ଏହି ପୁଷ୍କରିଣୀରେ ୧୬ଗୋଟି ତୁଠ ବା ଘାଟ ରହିଛି ।

କୋଣାର୍କ: ପୁରୀଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଅବସ୍ଥିତ କୋଣାର୍କ ହେଉଛି ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଏହାର ଭାସ୍କର୍ଯ୍ୟ ବିଶ୍ୱପ୍ରସିଦ୍ଧ । ଏହା କଳିଙ୍ଗ ସ୍ଥାପତ୍ୟର ଉତ୍କୃଷ୍ଟ ପ୍ରତିବେଦନ । ଏହା ଏକ ସୂର୍ଯ୍ୟ ମନ୍ଦିର । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି । ଏହି ଚକଗୁଡ଼ିକ ହେଉଛି ମନ୍ଦିରର ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ । ଏହାର କଳା ସ୍ଥାପତ୍ୟ ବିଶ୍ୱବିଖ୍ୟାତ । ଖଜୁରାହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ ସୁକ୍ଷ୍ମ ଚିତ୍ରକଳାର ବହୁଳ ପ୍ରଦର୍ଶନ ହୋଇଛି । କୋଣାର୍କରେ ସତେଯେପରି ପଥର କଥା କୁହେ | ମନ୍ଦିରରେ ଖୋଦିତ ହୋଇଥିବା ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ ।

କାକଟପୁରା ମା ମଙ୍ଗଳା: ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରଟି ହେଉଛି ପୁରାତନ ଓ ପ୍ରସିଦ୍ଧ ଶକ୍ତି ପୀଠ । ସ୍ୱତନ୍ତ୍ର କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ଶକ୍ତି ଉପାସକଙ୍କ ପାଇଁ ଏକ ପ୍ରମୁଖ ସ୍ଥଳୀ ।

ରାମଚଣ୍ଡୀ: କୋଣାର୍କ ମନ୍ଦିରଠାରୁ ପ୍ରାୟ ଛଅ-ସାତ କି.ମି. ଦୂରରେ ସମୁଦ୍ରକୂଳରେ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ରାମଚଣ୍ଡୀଙ୍କ ମନ୍ଦିରର ମାତ୍ର ଅଳ୍ପଦୂରରେ କୁଶଭଦ୍ରା ନଦୀ ବଙ୍ଗୋପସାଗରରେ ମିଶିଛି । ଦେବୀଙ୍କ ମୂର୍ତ୍ତିଟି ପ୍ରାୟ ଅଢେଇଫୁଟ ଉଚ୍ଚ । ଦେବୀ ଦଶଭୂଜା ଓ ସିଂହାସନାରୁଢା । ସେ ମହିଷାସୁରକୁ ଶୂଳବିଦ୍ଧ କରିଥିବା ଦେଖାଯାଏ । ଏହି ମନ୍ଦିର ବେଢାରେ ଏକ ଶିବଲିଙ୍ଗ ମଧ୍ୟ ପୂଜା ପାଉଛନ୍ତି ।

ଶ୍ରୀଅଲାରନାଥ: ପୁରୀଠାରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିରଟି ଏକ ବିଷ୍ଣୁ ମନ୍ଦିର । ସ୍ନାନ ଯାତ୍ରା ପରେ ଶ୍ରୀଜୀଉମାନେ ଅଣସର ଘରେ ରହିବାବେଳେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥାଏ । ଏଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି ।

ପୁରୀର ମଠ ପରମ୍ପରା ବହୁ ପ୍ରାଚୀନ । ବହୁ ମଠ ଆଶ୍ରମ ନିଶ୍ଚିହ୍ନ ହୋଇଯିବା ପରେ ୩୭୩ ମଠ ଓ ଆଶ୍ରମ ଆଜି ମଧ୍ୟ ରହିଛି । ଏହି ମଠଗୁଡ଼ିକ ମଧ୍ୟରୁ କେତେକ ମଠରେ ବର୍ଷସାରା ପ୍ରତିଦିନ ସେବା ରହିଛି । କେତେକ ମଠର ସାମୟିକ ସେବା ରହିଥିବା ଜଣାଯାଏ । ମହାପ୍ରଭୁଙ୍କୁ ନବକଳେବର ଲୀଳା ସହିତ ୧୬ଟି ମଠ ସମ୍ପୃକ୍ତ ରହିଥିବା ଇତିହାସରୁ ଜଣାଯାଏ । ମାତ୍ର ସେଥିରୁ କେତେକ ମଠ ସେବା ସହିତ ଆଉ ସାମିଲ ନାହାନ୍ତି । ଏବେ ପୁରୀକୁ ବିଶ୍ୱପ୍ରସିଦ୍ଧ ଐତିହ୍ୟ କରିଡର କରିବା ପାଇଁ ବହୁ ମଠକୁ ଉଚ୍ଛେଦ କରାଯାଇଛି । ତେବେ ପୁରୀର କେତେକ ମଠ ଶ୍ରୀମନ୍ଦିରର ପରମ୍ପରା ସହ ଜଡିତ । ପୁରୀରେ ଥିବା ପ୍ରସିଦ୍ଧ ମଠଗୁଡ଼ିକ ମଧ୍ୟରେ - ଏମାର ମଠ, ଓଡ଼ିଆ ମଠ, ବଡ଼ଛତା ମଠ, ଜଗନ୍ନାଥବଲ୍ଲଭ ମଠ, ସିଦ୍ଧ ବକୁଳ ମଠ,ରାଘବ ଦାସ ମଠ ପ୍ରମୁଖ ।

ପୁରୀ ବେଳାଭୂମି: ବଙ୍ଗୋପସାଗର ଉପକୂଳରେ ଥିବା ଏହି ବେଳାଭୂମି ଭାରତର ଅନ୍ୟତମ ଲୋକପ୍ରିୟ ବେଳାଭୂମି ଅଟେ । ଏହା ଗୋଲଡେନ ବିଚ ଭାବେ ବେଶ ଲୋକପ୍ରିୟ । ପୁରୀ ବେଳାଭୂମି ପୁରୀ ସହରରେ ଚକ୍ରତୀର୍ଥ ରୋଡ଼ ଧାରରେ ଅବସ୍ଥିତ । ୨୦୨୦ ମସିହାରେ ଏହି ବେଳାଭୂମିକୁ ବ୍ଲୁ ଫ୍ଲାଗ ମିଳିଛି ।

ବେଳାଭୂମି ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ । ସମୁଦ୍ର କୂଳରେ ବସି ଲହଡି ଗଣିବାର ମଜା ବେଶ୍ ନିଆରା । ସମୁଦ୍ର ମନସ୍କଙ୍କ ପାଇଁ ପୁରୀ ବିକଳ୍ପ ଅନୁଭୂତି ଦେବ । ଏଠାରେ ପୁରୀ ବେଳାଭୂମିକୁ ଛାଡିଦେଲେ ଅଛି ଚନ୍ଦ୍ରଭାଗା, ପୁଣି ସାତପଡ଼ା । ସମୁଦ୍ର ଆଉ ବେଳାଭୂମିକୁ ଭଲ ପାଉଥିବା ମଣିଷକୁ ଏଠି ନିଆରା ଅନୁଭୂତି ମିଳିବ । ଘଞ୍ଚ ଝାଉଁବଣ ଆଉ ସମୁଦ୍ରର ବେଳାଭୂମି ମନରେ ମାଦକତା ସୃଷ୍ଟି କରେ ଏଠି ।

ସାତପଡ଼ାରେ ନୌବିହାର ସହ ଡ଼ଲଫିନଙ୍କସହ ଲୁଚକାଳି ଖେଳ ଆଉ ସାତପଡ଼ାରେ ରହିଥିବା ଛୋଟ ଟାପୁ ଏକ ଦ୍ବୀପର ଅନୁଭବ ଦିଏ । ଏଠି ସମୁଦ୍ର ଆଉ ଚିଲିକାର ଅପୂର୍ବ ମିଳନର ଦୃଶ୍ୟ ଦେଖିପାରିବେ ।

ସେହିପରି ଚନ୍ଦ୍ରଭାଗା ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିରର ତିନି କିଲୋମିଟର ପୂର୍ବରେ ଅବସ୍ଥିତ । ଏହା ପୁରୀ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏସିଆର ପ୍ରଥମ ବେଳାଭୂମି ଭାବରେ ଚନ୍ଦ୍ରଭାଗା ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥିଲା । ଏଠିକାର ଶାନ୍ତ ଆଉ ପରିଷ୍କାର ବେଳାଭୂମି ସତରେ ଆକର୍ଷଣୀୟ ।

ଜାହାନିଆ: ଏହା ପୁରୀଜିଲ୍ଲାର ଅସ୍ତରଙ୍ଗ ଗାଁରେ ଅବସ୍ଥିତ । ଏହା ପୁରୀଠାରୁ ୫୦ କି.ମି. ଦୂରରେ ଓ ରାଜଧାନୀଠାରୁ ୫୯ କି.ମି. ଦୂରରେ ଅବସ୍ଥିତ । ପୁରୀ ଜିଲ୍ଲାରେ ଅବସ୍ଥିତ ଏହି ସ୍ଥାନ ସଡ଼କ ପଥଦ୍ୱାରା ଭୁବନେଶ୍ୱର, କଟକ, ପୁରୀ ଆଦି ସହର ସହ ଯୁକ୍ତ । ଏଠାରେ ଥିବା ପୀର ଜାହାନିଆଁ ପୀଠଟି ସର୍ବଧର୍ମ ସମନ୍ଵୟର ନିଦର୍ଶନ ବହନ କରେ । ଏଠାରେ ଥିବା ସୁଦୀର୍ଘ ବେଳାଭୂମି ଓ ଝାଉଁ ଜଙ୍ଗଲର ସବୁଜିମା ଭିତରେ ବଣଭୋଜି କରିବା ପାଇଁ ଭିଡ଼ ଜମେ । ଏଠାରେ ଥିବା ଗଙ୍ଗାଦେବୀ ମୁହାଁଣ ମଧ୍ଯ ପିକନିକ ପାଇଁ ବେଶ ବଢିଆ । ବେଳାଭୂମି, ଝାଉଁ ଜଙ୍ଗଲ ସହ ଏଠି ଅଲିଭ୍ ରିଡ୍‌ଲେ କଇଁଛଙ୍କୁ ମଧ୍ୟ ଦେଖିବାକୁ ମିଳେ । ଶୀତଦିନେ ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଏହାର ଅନତି ଦୂରରେ ରହିଛି ଗଙ୍ଗାଦେବୀ ମନ୍ଦିର । ଏହା ନିକଟରେ ଦେବୀ ନଦୀର ଶାଖାନଦୀ ବହିଯାଇଛି । ଗଙ୍ଗା ଦେବୀଠାରୁ ପ୍ରାୟ ୧ଘଣ୍ଟାର ବୋଟ୍‌ଯାତ୍ରା ପରେ ଲୁଣା ହେନ୍ତାଳ ଜଙ୍ଗଲକୁ ଯାଇହୁଏ । ଏଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ମିଳେ । ପୁଣି ଏହାର ମୁହାଁଣ ନିକଟରେ ନାଲି ରଙ୍ଗର କଙ୍କଡ଼ା ସହ ନଦୀ ଓ ସାଗରର ମିଳନ ଶୋଭାରାଜି ପର୍ଯ୍ୟଟକଙ୍କ ବେଶ ଆକୃଷ୍ଟ କରେ ।

ଆପଣ ଯଦି ଡ୍ରାଇଭ୍ କରିବାକୁ ଭଲ ପାଅନ୍ତି ତେବେ ପୁରୀ - କୋଣାର୍କ ସାମୁଦ୍ରିକ ଡ୍ରାଇଭ୍ (ମେରାଇନ ଡ୍ରାଇଭ) ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ରହିବ । ଗୋଟିଏ ପାର୍ଶ୍ୱରେ ସମୁଦ୍ର ଏବଂ ଅନ୍ୟ ପଟେ ଉପକୂଳ ଜଙ୍ଗଲର ସୌନ୍ଦର୍ଯ୍ୟ ଆପଣଙ୍କ ପାଇଁ ଏକ ନିଆରା ଅନୁଭବ ଆଣିଦେବ । ଏହି ମେରାଇନ୍ ଡ୍ରାଇଭରେ ଅନେକ ବେଳାଭୂମି ରିସର୍ଟ ଅଛି । ଆପଣ ସାମୁଦ୍ରିକ ଡ୍ରାଇଭ୍ ରାସ୍ତାରେ ହୋଟେଲରୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ମାଛ ତରକାରୀ ଖାଇପାରିବେ । ଶୀତଦିନିଆ ଭ୍ରମଣ ପାଇଁ ପୁରୀ ନିଶ୍ଚୟ ଏକ ଭଲ ବିକଳ୍ପ ହେବ ଏଥିରେ ସନ୍ଦେହ ନାହିଁ ।

ଐତିହ୍ୟ, ସଂସ୍କୃତିର ସହର: ପୁରୀ