ସ୍ମୃତିର ପରଦାରେ ‘ଟିକେ ହସ ଟିକେ ଲୁହ’

୧୯୮୧ ମସିହାରେ ପରଦାକୁ ଆସିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ହସ ଟିକେ ଲୁହ’ । ଲୋକପ୍ରିୟ ଓଡ଼ିଆ ଲେଖିକା ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ଏହି ସିନେମାର ନିଦ୍ଦେର୍ଶନା ଦେଇଥିଲେ ସୁଶୀଳ ମୁଖାର୍ଜୀ ।


ଲୋକପ୍ରିୟ ଲେଖକ / ଲେଖିକାଙ୍କ ଉପନ୍ୟାସମାନ ଚଳଚ୍ଚିତ୍ର ରୂପେ ରୂପାୟନ ହୋଇ ଓଡ଼ିଆ ସିନେ ଜଗତରେ କ୍ଲାସିକ ସିନେମା ରୂପେ ପରିଚିତି ପାଇଛନ୍ତି । ଆମେ ପୂର୍ବରୁ ଏପରି ବହୁ ଲୋକପ୍ରିୟ ଲେଖକ ଲେଖିକାଙ୍କ ଉପନ୍ୟାସକୁ ଆଲୋଚନା କରିଛୁ, ସେହି କ୍ରମରେ ରହିଛି ଲେଖିକା ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ ।

୧୯୮୧ ମସିହାରେ ପରଦାକୁ ଆସିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ହସ ଟିକେ ଲୁହ’ । ଲୋକପ୍ରିୟ ଓଡ଼ିଆ ଲେଖିକା ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ଏହି ସିନେମାର ନିଦ୍ଦେର୍ଶନା ଦେଇଥିଲେ ସୁଶୀଳ ମୁଖାର୍ଜୀ । ଏହି ସିନେମାର ମୁଖ୍ୟ ଭୂମିକାରେ ଅଜିତ ଦାସ, ମହାଶ୍ୱେତା ରାୟ, ଝରଣା ଦାସ, ନିହାରିକା ସାହୁ, ବିଜୟ ମହାନ୍ତି, ହିମାଂଶୁ ଦାସ, ଅସିତ, ଦୀନବନ୍ଧୁ, ହେମନ୍ତ ଦାସ, ନିରଞ୍ଜନ, ଗୀତା, ରିତା, ସୁଜାତା, ବନ୍ଦନା ପ୍ରମୁଖ ଅଭିନୟ କରିଥିଲେ ।

ବିଜୟିନୀ ଦାସଙ୍କ କାହାଣୀର ଏହି ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଡା ବସନ୍ତ ମହାପାତ୍ର । ସିନେମାରେ ଗୀତ ରଚନା କରିଥିଲେ - ରଜନୀକାନ୍ତ ନାୟକ, ନରୋତ୍ତମ ସାହୁ, କୁମାରୀ ବନାନୀ ମହାପାତ୍ର ପ୍ରମୁଖ । ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣ ଖୁଣ୍ଟିଆ ।

ଏହି ସିନେମାର ଥିବା ‘ଲଳିତା ଗୋ ଶ୍ୟାମକୁ କହିଦେ ଫେରିଯାଉ…’ ଗୀତରେ ଭିକାରି ବଳ କଣ୍ଠଦାନ କରିଥିଲେ । ‘ମୁଁ ଜାଣେନା ତୁମେ ଜାଣନା ଭଲ ପାଇବା ମାନେ…’ ରେ ଦେବାଶିଷ ମହାପାତ୍ର ଓ ଆରତୀ ମୁଖାର୍ଜୀ କଣ୍ଠଦାନ କରିଥିଲେ । ସେହିପରି ‘ଜୀବନର ମାନେ….’ ଗୀତରେ ପ୍ରଣବ ପଟ୍ଟନାୟକ ଓ ‘ତୁ ମୋର ମଧୁମାଳତୀ…’. ଗୀତରେ ଦେବାଶିଷ ମହାପାତ୍ର କଣ୍ଠଦାନ କରିଥିଲେ । ସୂଚନାଯୋଗ୍ୟ ‘ଟିକେ ହସ ଟିକେ ଲୁହ’ ସିନେମାର ‘ଲଳିତା ଗୋ ଶ୍ୟାମକୁ କହିଦେ ଫେରିଯାଉ…’ ଗୀତ ଲାଗି ଭଜନ ସମ୍ରାଟ ଭିକାରି ବଳଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ଏହି ସିନେମାରେ ରାଜନ କିନ୍ନାଗୀ ଚିତ୍ରଗ୍ରହଣ କରିଥିବାବେଳେ କଳା ନିର୍ଦ୍ଦେଶନା ଦେଇଥିଲେ ବୁଢା ମହାରଣା । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ମାଧୋ କିଶନ, ବାବା ହରମନ, ନିରଞ୍ଜନ ନାୟକ ପ୍ରମୁଖ । ଏହି ସିନେମାର ପ୍ରଯୋଜନା ଭାର ଗ୍ରହଣ କରିଥିଲେ ସ୍ଵର୍ଣ୍ଣଚୂଡ଼ ଫିଲ୍ମସ’ । ଏହି ସିନେମାଟି ସେପ୍ଟେମ୍ବର ୨ ରେ କଟକର ହିନ୍ଦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ବିଜୟିନୀ ଦାସ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକା । ୧୯୯୧ ମସିହାରେ ଉପନ୍ୟାସ "ଦେବଦାସୀ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।

Report an Error