ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’

ଓଡ଼ିଆ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ ପରିଚିତି କରାଇବାରେ ଏହି ଫିଲ୍ମଟିର ଭୂମିକା ଅନନ୍ୟ । ଫିଲ୍ମଟି ମୁକ୍ତିଲାଭ କରି ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦାପୂର୍ଣ୍ଣ ରୌପ୍ୟପଦକ ଲାଭ କରିଥିଲା ।


ଫଟାେ - ୱିକିପିଡିଆ

୧୯୬୦ ମସିହାରେ ମୁକ୍ତିଲାଭ କରିଥିଲା ‘ଶ୍ରୀଲୋକନାଥ’ । ଓଡ଼ିଆ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ ପରିଚିତି କରାଇବାରେ ଏହି ଫିଲ୍ମଟିର ଭୂମିକା ଅନନ୍ୟ । ଫିଲ୍ମଟି ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦାପୂର୍ଣ୍ଣ ରୌପ୍ୟପଦକ ଲାଭ କରିଥିଲା । ରୂପରାଗ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ରହିଥିଲା ପ୍ରଫୁଲ୍ଲ ସେନଗୁପ୍ତଙ୍କ ଉପରେ । ଏହି ସିନେମା ଜରିଆରେ ଅକ୍ଷୟ ମହାନ୍ତି (କାଶ୍ୟପ) ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅଶ୍ବିନୀ କୁମାର ଘୋଷଙ୍କ ରଚିତ ଏହି କାହାଣୀର ଚିତ୍ରନାଟ୍ୟ ଦେଇଥିଲେ ପ୍ରେମେନ୍ଦ୍ର ମିଶ୍ର । ଏହି ସିନେମାରେ ସାମୁଏଲ ସାହୁ (ବାବି), ଦୁଃଖୀରାମ ସ୍ଵାଇଁ, ଅକ୍ଷୟ ମହାନ୍ତି (କାଶ୍ୟପ), ଇନ୍ଦ୍ରଜିତ ଘୋଷ, ନିତ୍ୟାନନ୍ଦ ମିଶ୍ର, କମଳ କୁମାରି ମହାପାତ୍ର, ମଣିମାଳା, ନିର୍ମଳା, ସୌମେନ୍ଦ୍ର, ଉର୍ବଶୀ, କାନନଵାଳା, ଇନ୍ଦୁ, ବୃନ୍ଦାବନ ଓ ଶିଶୁକଳାକାର ଝୁନୁ ଓ ଇନ୍ଦ୍ରଜିତ ପ୍ରମୁଖ ଅଭିନୟ କରିଥିଲେ ।

ସମ୍ପୂର୍ଣ୍ଣ ପାରିବାରିକ କାହାଣୀର କଥାବସ୍ତୁକୁ ନେଇ ଏଇ ସିନେମାଟି ପ୍ରସ୍ତୁତ ହୋଇଥିଲା । ସିନେମାଟିର ପ୍ରଥମାର୍ଦ୍ଧରେ ଡାକ୍ତର ଅଜୟ କୁମାର ପଟ୍ଟନାୟକ, ତାଙ୍କ ସ୍ତ୍ରୀ ବାସନ୍ତୀ, ଦିଅର ବିଜୟଙ୍କ ଜୀବନଙ୍କୁ ନେଇ ଗତିଶୀଳ ହୋଇଛି । ଡାକ୍ତର ଅଜୟ କୁମାର ପଟ୍ଟନାୟକ ଭଗବାନଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବାବେଳେ ତାଙ୍କ ପତ୍ନୀ ବାସନ୍ତୀ କିନ୍ତୁ ଈଶ୍ୱରଙ୍କୁ ବହୁତ ବିଶ୍ୱାସ କରନ୍ତି । ମାତ୍ର ଦୁହେଁ ନିଃସନ୍ତାନ । ବାସନ୍ତୀ ତାଙ୍କ ଦିଅର ବିଜୟକୁ ବହୁତ ସ୍ନେହ କରନ୍ତି । ତାଙ୍କ ପଡ଼ୋଶୀରେ ରହୁଥିବା ଝିଅ ଲକ୍ଷ୍ମୀ ବିଜୟଙ୍କୁ ଭଲ ପାଉଥାଏ । ପୁତ୍ର ଆଶାରେ ବିଜୟ ପୁରୀର ଶ୍ରୀ ଲୋକନାଥ ମନ୍ଦିର ପରିଦର୍ଶନ କରନ୍ତି । ଏପଟେ ବାସନ୍ତୀ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦିଅନ୍ତି । ଖୁସିରେ ପିଲାଟିର ନାମ "ଲୋକନାଥ" ରଖାଯାଏ । ଲୋକନାଥ ହେବା ପରେ ବିଜୟ ନିଜକୁ ଅବହେଳିତ ମନେ କରି ଘର ଛାଡି ଚାଲିଯାଇ କୋଉଠି ଗୋଟେ ଶିକ୍ଷକତା କରନ୍ତି । ଅପରପକ୍ଷେ ବିଜୟକୁ ପ୍ରେମ କରୁଥିବା ଲକ୍ଷ୍ମୀ ପୁରୀର ଜଣେ ଜମିଦାରଙ୍କୁ ବିବାହ କରେ । ଏହା ଭିତରେ କାହାଣୀରେ ତିନି ବର୍ଷ ବିତିଛି । ଶିଶୁ ଲୋକନାଥଙ୍କୁ ସାପ କାମୁଡ଼ି ଦେଇଛି । ଶିଶୁକୁ ମୃତ ଭାବି ତାକୁ ପୋତି ଦିଆଯାଇଛି । ଏକମାତ୍ର ପୁତ୍ରକୁ ହରାଇ ମାନସିକ ରୋଗରେ ପୀଡିତ ହୁଅନ୍ତି ବାସନ୍ତୀ । ଘଟଣାକ୍ରମରେ ବିଜୟ ମଧ୍ୟ ଏକ ଦୁର୍ଘଟଣାରେ ଅଧା ପାଗଳ ହୋଇଯାଏ ।

ଅପରପକ୍ଷେ ଲକ୍ଷ୍ମୀ ଏବଂ ସୂର୍ଯ୍ୟଙ୍କର ଏକ ଝିଅ ହୋଇଛି । ସେ ବଡ ହୋଇଛି, ସେ ସୂର୍ଯ୍ୟଙ୍କ ବନ୍ଧୁ ପ୍ରକାଶଙ୍କ ପୁଅ ଅଶୋକଙ୍କୁ ଭଲ ପାଇଛି । ଦିନେ ଅଶୋକ ଗାଡି ଚଳାଉଥିବାବେଳେ ଜଣେ ଲୋକଙ୍କୁ ଉଦ୍ଧାର କରି ଘରକୁ ନିଅନ୍ତି । ସେଠି ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କୁ ବିଜୟ ବୋଲି ଚିହ୍ନିପାରନ୍ତି । ବିଜୟ ମଧ୍ୟ ନିଜର ସ୍ମୃତିଶକ୍ତିକୁ ଆଂଶିକ ଭାବେ ମନେ ପକାନ୍ତି । ଏପଟେ ବାସନ୍ତୀ ମଧ୍ୟ ଅଶୋକକୁ ନିଜର ପୁତ୍ର ପରି ସ୍ନେହ କରନ୍ତି । ଶେଷରେ ଅଶୋକ ଯେ ବାସନ୍ତୀଙ୍କର ପୁତ୍ର ଲୋକନାଥ ବୋଲି ଜଣାପଡେ । ପରିଶେଷରେ ସମସ୍ତେ ପୁନର୍ମିଳିତ ହୁଅନ୍ତି । ସମସ୍ତେ ଶ୍ରୀଲୋକନାଥଙ୍କ ଦର୍ଶନରେ ଯାଆନ୍ତି । ଶେଷରେ ଡାକ୍ତର ଅଜୟ କୁମାର ପଟ୍ଟନାୟକ ଈଶ୍ୱରଙ୍କ ଶକ୍ତିକୁ ଅନୁଭବ କରି ତାଙ୍କ ଶରଣାପନ୍ନ ହୁଅନ୍ତି ।

ଏହି ସିନେମାରେ କାର୍ତ୍ତୀକ ଘୋଷ, ନରସିଂହ ମହାପାତ୍ରଙ୍କ ରଚିତ ଗୀତଗୁଡିକୁ ସଂଗୀତରେ ସ୍ଵରବଦ୍ଧ କରିଥିଲେ ସଂଗୀତର କିମ୍ବଦନ୍ତୀ ପୁରୁଷ ବାଳକୃଷ୍ଣ ଦାଶ । ଏଥିରେ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ, ନିର୍ମଳ ମିଶ୍ର, ସନ୍ଧ୍ୟା ମୁଖାର୍ଜୀ । ଏହି ସିନେମାରେ ରହିଥିବା ଗୀତଗୁଡିକ ମଧ୍ୟରେ ରହିଛି - ‘ଚାହେଁନା ଚାହେଁନା ମିଛ ଏ ବନ୍ଧନ’, ‘ତୁ କି' ପରଦେଶୀ ନିଜ ଦେଶେ’, ‘ଆଜି ଆକାଶେ କି ରଙ୍ଗ ଲାଗିଲା’ ଓ ‘ଫୁଲ ରସିଆରେ…’ ପ୍ରମୁଖ । ସିନେମାର ସଂଳାପ ରଚନା କରିଥିଲେ ବିପିନ ବିହାରୀ ମହାନ୍ତି । ଚଳଚ୍ଚିତ୍ରଟି ୧୪ ଅପ୍ରେଲ, ୧୯୬୦ରେ କଟକର କ୍ୟାପିଟାଲ ସିନେମା ହଲରେ ମୁକ୍ତିଲାଭ କରିଥିବାବେଳେ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ରୌପ୍ୟ କମଳ ପୁରସ୍କାର ଲାଭ କରିଥିଲା ।