ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: "ଅଭିମାନ"

୧୯୭୭ରେ ପରଦାକୁ ଆସିଥିବା ‘ଅଭିମାନ’ ଥିଲା ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା । ସାଧୁ ମେହେରଙ୍କ ପ୍ରଥମ ନିର୍ଦ୍ଦେଶିତ ଏହି ସିନେମାଟିର ପ୍ରଯୋଜନା ଭାର ରହିଥିଲା ଗଣେଶ ଚନ୍ଦ୍ର ଜୀଉଙ୍କ କାନ୍ଧରେ ।


ଫଟାେ - ୟୁଟ୍ଯୁୁବ୍

ସତୁରି ଦଶକରେ ଓଡ଼ିଆ ସିନେଜଗତରେ ପଦାର୍ପଣ କରିଥିଲେ ବିଜୟ ମହାନ୍ତି, ଅଜିତ ଦାସ, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ ଓ ଉତ୍ତମ ମହାନ୍ତିଙ୍କ ପରି ଓଡ଼ିଆ ସିନେଜଗତର ଉଜ୍ଜ୍ୱଳ ତାରକା । ୧୯୭୭ରେ ପରଦାକୁ ଆସିଥିବା ‘ଅଭିମାନ’ ଥିଲା ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା । ଏହି ସିନେମା ଜରିଆରେ ଉତ୍ତମ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଥିଲେ । ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଏହି ସିନେମାଟିର ପ୍ରଯୋଜନା ଭାର ରହିଥିଲା ଗଣେଶ ଚନ୍ଦ୍ର ଜୀଉଙ୍କ କାନ୍ଧରେ । ଏହି ସିନେମାରେ ଉତ୍ତମ ମହାନ୍ତିଙ୍କ ବ୍ୟତୀତ ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ, ଜ୍ୟୋତ୍ସ୍ନା ଦାସ, ସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ରିତା ଚାନ୍ଦ, ଗଡ଼ି, ସାଧୁ ମେହେର, ପ୍ରମୋଦ ମହାନ୍ତି, ନିହାରିକା ସାହୁ, ସାମୁଏଲ ସାହୁ ପ୍ରମୁଖ ଅଭିନୟ କରିଥିଲେ । ସାଧୁ ମେହେରଙ୍କ ନିର୍ଦ୍ଦେଶନାର ଏହା ପ୍ରଥମ ଫିଲ୍ମ ଥିଲା ।

ମଜାର କଥା ହେଉଛି ଏହି ସିନେମାଟି ବାରିପଦାରେ ପ୍ରସ୍ତୁତି ହେବା ସମୟରେ ଉତ୍ତମ ମହାନ୍ତି ଏହା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏଥିପାଇଁ ହେବାକୁ ଥିବା ଅଡିସନରେ ସେ ଭାଗ ନେଇ ସିଲେକ୍ଟ ହୋଇଥିଲେ । ପ୍ରଥମ ଫିଲ୍ମଟି ସୁପରହିଟ ହେବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ଏହା ପରେ ସେ ଓଡିଶାବାସୀଙ୍କୁ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ଦେଇ ଲୋକପ୍ରିୟ ଅଭିନେତା ପାଲଟିଥିଲେ । ଏହି ସିନେମାର ମୁଖ୍ୟ ନାୟିକା ଭାବେ ଅବତୀର୍ଣ୍ଣ ହୋଇଥିବା ରିତା ଚାନ୍ଦଙ୍କର ମଧ୍ୟ ଏହା ପ୍ରଥମ ଫିଲ୍ମ ରହିଥିଲା ।

ସିନେମାରେ କାହାଣୀ ଓ ସଂଳାପ ଆନନ୍ଦ ଶଙ୍କର ଦାସ ରଚନା କରିଥିବାବେଳେ ଏହାର ଚିତ୍ରନାଟ୍ୟ ଭାର ସାଧୁ ମେହେରଙ୍କ ହସ୍ତରେ ରହିଥିଲା । ଏହି ସିନେମାରେ ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଓ ଜିତେନ୍ଦ୍ର ପଟ୍ଟନାୟକ । ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକଙ୍କ ସ୍ୱର ସଂଯୋଜନାରେ ସଜ୍ଜିତ ଗୀତଗୁଡିକୁ ଅକ୍ଷୟ ମହାନ୍ତି, ସ୍ୱରୂପ ଚକ୍ରବର୍ତ୍ତୀ, ଉଷା ମଙ୍ଗେସ୍କର, ଘନଶ୍ୟାମ ପଣ୍ଡା ପ୍ରମୁଖ ଗାଇଥିଲେ । ସିନେମାରେ ଗୀତଗୁଡିକ ବେଶ୍ ଉଚ୍ଚକୋଟୀର ରହିଥିଲା । ଏଥିରେ ‘ଚୁପି ଚୁପି ଗୋରି…’ ଶୀର୍ଷକରେ ଏକ ବାହାଘର ଗୀତ ରହିଥିଲା, ଯାହା ଆଜିବି ବେଶ୍ ଲୋକପ୍ରିୟ । ଏଥିରେ ଉଷା ମଙ୍ଗେଶକର କଣ୍ଠଦାନ କରିଥିଲେ । ପୁଣି ଏଇ ଗୀତରେ ଉପେନ୍ଦ୍ରଭଞ୍ଜଙ୍କ ‘ବୈଦେହୀଶ ବିଳାସର ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ଛନ୍ଦର’ ମଧ୍ୟ ଉପଯୋଗ ହୋଇଥିଲା । ଗୀତଟି ଆଜି ମଧ୍ୟ ଓଡ଼ିଆ ସଂଗୀତରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଛି । ସିନେମାରେ ରହିଥିବା ଅନ୍ୟ ଗୀତ ଗୁଡିକ ମଧ୍ୟରେ ‘କାହିଁ ଗଲେ ବନ୍ଧୁରେ…’, ‘ଭସା ମେଘ ମୁଁ ଯେ ଭାସିଯଏ ଦୂରେ…’, ‘ଚିକି ମିକି ଚିକି ମିକି…’, ‘ଏ ତ ଗୁମସୁମ ରାତି ମୋର’ ଆଦି ରହିଥିଲା । ୧୯୭୭ ମସିହା ୨୩ ଅପ୍ରେଲରେ ମୁକ୍ତିଲାଭ କରି ଫିଲ୍ମଟି ସୁପରହିଟ ରହିଥିଲା । ଚିତ୍ରନାଟ୍ୟ ପାଇଁ ଏହି ସିନେମାଟି ରାଷ୍ଟ୍ରପତି ପୁରସ୍କାର ମଧ୍ଯ ପ୍ରାପ୍ତ କରିଥିଲା ।