ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଆଧାରିତ ପୌରାଣିକ ଓଡ଼ିଆ କଥାଚିତ୍ର ‘ଶ୍ରୀଜଗନ୍ନାଥ’ କୁ ନେଇ କିଛି କଥା


୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର ହେଉଛି ‘ଶ୍ରୀଜଗନ୍ନାଥ’। ମୁକ୍ତିଲାଭ ଅନୁସାରେ ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର । ଯଦିଓ ୧୯୫୦ରେ ଅନ୍ୟ ଏକ କଥାଚିତ୍ର ‘ସପ୍ତଶଯ୍ୟା’ ମଧ୍ୟ ମୁକ୍ତିଲାଭ କରିଥିଲା । ତେବେ ‘ଶ୍ରୀଜଗନ୍ନାଥ’ କଥାଚିତ୍ରଟି ବର୍ଷର ପ୍ରଥମ ଭାଗରେ ମୁକ୍ତିଲାଭ କରିଥିଲା । ରୂପଭାରତୀ ଲିମିଟେଡ଼ ଦ୍ୱାରା ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ଥିଲା ଚିତ୍ତରଞ୍ଜନ ମିତ୍ରଙ୍କ ହାତରେ । ସେହିପରି ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ ସୁରେନ୍ଦ୍ର କୁମାର ଦାସ । ଏହି ସିନେମାରେ ଗୋପାଳ ଚନ୍ଦ୍ର ଘୋଷ, ଗ୍ଲୋରିଆ ମହାନ୍ତି, ଚପଳା ନାୟକ, ରାମଚନ୍ଦ୍ର ମାଣିଆ, ଖଗେନ୍ଦ୍ର ନାଥ ମିତ୍ର, ସାମୁଏଲ ସାହୁ, ଭୀମ ସିଂହ, ସୀତା ଦେବୀ, ରଣଜିତ ରାୟ, ରାଇ ଗୌର ଘୋଷ, ନିରଞ୍ଜନ, ଭୋଳାନାଥ, ବିମ୍ବାଧର ପଣ୍ଡା, ସାବିତ୍ରୀ ଚୌଧୁରୀ, ମଧୁସୂଦନ, ଅନୋରିଆ ରାଉତ, ଜାନକୀ ଚୌଧୁରୀ, ନିମାଇଁ ଚରଣ ହରିଚନ୍ଦନ, ହରପ୍ରିୟା, ସୁରେଖା, ଶିବାନୀ, ଲକ୍ଷ୍ମୀପ୍ରିୟା, ଗୀତା, ଚମ୍ପା, କାର୍ତ୍ତିକ ଘୋଷ ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମାରେ ଲୋକପ୍ରିୟ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପାର୍ବତୀ ଘୋଷ ଶିଶୁକଳାକାର ରୂପେ ନଜର ଆସିଥିଲେ ।

ସିନେମାରେ ଅଶ୍ଵିନୀ କୁମାର ଘୋଷଙ୍କ କାହାଣୀକୁ ଚିତ୍ରନାଟ୍ୟ ଦେଇଥିଲେ ଗୋପାଳ ଛୋଟରାୟ । ସିନେମାର ସଂଳାପ ରଚନା କରିଥିଲେ ଚିତ୍ତରଞ୍ଜନ ମିତ୍ର । ବିନାୟକ ମିଶ୍ର, ସୁରେନ୍ଦ୍ର କୁମାର ଦାସ, କୃଷ୍ଣ ପ୍ରସାଦ ବସୁ, ନିକୁଞ୍ଜ କିଶୋର ଦାସଙ୍କ ରଚିତ ଗୀତଗୁଡିକୁ ସଂଗୀତରେ ସଜାଇଥିଲେ ରଣଜିତ ରାୟ ଓ ବାଳକୃଷ୍ଣ ଦାଶ । ସିନେମାଟିରେ ମୋଟ ୧୦ଟି ଗୀତ ରହିଥିଲା । ଏଇ କଥାଚିତ୍ରରେ ‘ଜୟ ହେ ଜୟ ହେ…‘ ଶୀର୍ଷକର ଏକ ପାରମ୍ପରିକ ଗୀତଟି ସମବେତ କଣ୍ଠରେ ରହିଥିଲା । ଅନ୍ୟ ଗୀତଗୁଡିକ ମଧ୍ୟରେ ‘ନୀଳସିନ୍ଧୁ ତୀରେ ….’, ‘ଚକାଡୋଳା କିମ୍ପା ଡକା…’, ‘ତୁମେ ଲେଉଟିଲ ନାହିଁ …’, ‘ଜୟଯାତ୍ରା ପଥେ …. ‘, ‘ପିୟାସୀରେ ନୀର ଖୋଜୁ…’, ‘ରୂପର ହାଟେ…’, ଆଜ୍ ବନେ ମଉସୁମ…., ‘ପାହାଡ଼ ଫାଟେ…’, ‘କଥାଟିଏ କହୁଁ …..’ ଆଦି ରହିଥିଲା । ଏହି ଗୀତଗୁଡିକରେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, କଲ୍ୟାଣୀ ଦାସ, ଛବି ରାଏ, ଅଶ୍ବିନୀ ଘୋଷ, କାର୍ତ୍ତିକ ଘୋଷ, ଜଗନ୍ନାଥ ଦାସ, ସୂର୍ଯ୍ୟମଣି ଦେଇ ପ୍ରମୁଖ କଣ୍ଠଦାନ କରିଥିଲେ । ଏଥିରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ରଂଜିତ ରାୟ ଓ କାର୍ତ୍ତିକ କୁମାର ଘୋଷ ।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଆଧାରିତ ଏହି କଥାଚିତ୍ରଟିରେ ସାମ୍ୟ, ମୈତ୍ରୀ ତଥା ଭେଦାଭେଦ ଦୂରୀକରଣ ଲାଗି ଏଥିରେ ଓଡ଼ିଆ, ବଙ୍ଗାଳି, ତେଲୁଗୁ, ମାରୱାଡି, ଖ୍ରୀଷ୍ଟିଆନ ମୁସଲମାନ ଜାତିର ଲୋକେ ରହିଥିଲେ । ତେବେ ଏହି କଥାଚିତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଚରିତ୍ର ଲାଗି ଶ୍ରୀ ନରସିଂହ ରାଜା ମନୋନୀତ ହୋଇଥିଲେ, ମାତ୍ର ନିଜର କୌଣସି ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ଏହି ଅଭିନୟରୁ ଓହରିଯାଇଥିଲେ । ଶେଷରେ ଏହି ଚରିତ୍ରରେ ଅଭିନୟ କରିଥିଲେ କଟକର ବିଶିଷ୍ଟ ମଂଚଅଭିନେତା ଖଗେନ୍ଦ୍ର ନାଥ ମିତ୍ର ।

ସିନେମାରେ ଚିତ୍ରଗ୍ରହଣ କରିଥିଲେ ପ୍ରବୋଧ ଦାସ । ଏହାର ଆଉଟଡୋର ଶୁଟିଂ କଟକର ନରାଜଠାରେ ହୋଇଥିବାବେଳେ ଏହାର ଇନଡୋର ଶୁଟିଂ ରାଧା ଫିଲ୍ମସରେ ହୋଇଥିଲା । ସିନେମାର ଶୁଭମହୁରତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ କରକମଳରେ ହୋଇଥିଲା । ୧୯୫୦ ମସିହା ଫେବୃଆରୀ ୧ ତାରିଖ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା ଏହି ସିନେମା । ସେତେବେଳେ ସମୟରେ ଏହି ସିନେମା ପାଇଁ ପ୍ରାୟ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ସିନେମାଟି କ୍ୟାପିଟାଲ ସିନେମା ପ୍ରେକ୍ଷାଳୟରେ ଦଶ ସପ୍ତାହ ଧରି ପ୍ରଦର୍ଶିତ ହାେଇଥିଲା । ଏହି ସିନେମାରେ ନୂତନ ପ୍ରକାରର ଆଲୋକ ଓ ପ୍ରଚାର ପତ୍ରର ବ୍ୟବହାର ହୋଇଥିଲା ।

ଶ୍ରୀଜଗନ୍ନାଥ ସିନେମାଟି ମୁକ୍ତିଲାଭ ପରେ ପରବର୍ତ୍ତୀ ସମୟରେ ଜଗନ୍ନାଥ ସଂସ୍କୃତିକୁ ନେଇ ପ୍ରସ୍ତୁତ ‘ପତିତପାବନ’, ‘ନୀଳମାଧଵ’ ପ୍ରେକ୍ଷାଳୟକୁ ଆସିଥିଲା, ମାତ୍ର ୧୯୭୯ରେ ପୁଣିଥରେ ସମ ଶୀର୍ଷକ ଥିବା ଆଉ ଏକ ଓଡ଼ିଆ କଥାଚିତ୍ର ‘ଶ୍ରୀଜଗନ୍ନାଥ’ ମୁକ୍ତିଲାଭ କରିଥିଲା । ସିନେମାଟି ରଙ୍ଗୀନ ହୋଇଥିବାବେଳେ ଏଥିରେ ଅଭିନୟ କରିଥିଲେ ଚକ୍ରପାଣି, ଝରଣା ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ପୀର ମିଶ୍ର, ମାମିନା, ମୁନିଶ୍ରୀ, ନିତ୍ୟାନନ୍ଦ ମିଶ୍ର, କେଦାର ଗୁରୁ, ବିରେନ୍ଦ୍ର ମହାନ୍ତି, ଧୀରେନ ଦାସ, ସରୋଜ ଦାସ, ଲୁନା ମହାପାତ୍ର ପ୍ରମୁଖ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରାନ୍ତି କୁମାର । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ଭାସ୍କର କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ନୀଳକନ୍ଦରରେ ନୀଳମାଧବଙ୍କ ଠାବ, ଲଳିତା ସ‌ହ ବିଦ୍ୟାପତିଙ୍କର ଭେଟ, ବିଶ୍ୱାବସୁଙ୍କ ଦ୍ୱାରା ବିଦ୍ୟାପତିଙ୍କର ନୀଳମାଧବ ଦର୍ଶନ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଆଦି ବିଷୟକୁ ନେଇ ଏହି କଥାଚିତ୍ରଟି ନିର୍ମିତ ହୋଇଥିଲା ।

ବିନୋଦିନୀ ଦେବୀ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଏସ୍. ଜାନକୀ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।