ମକର ସଂକ୍ରାନ୍ତିକୁ ନେଇ କିଛି କଥା

ଭାରତବର୍ଷରେ ଏହି ପର୍ବଟି ଭିନ୍ନ ଭିନ୍ନ ନାମରେ ଓ ଭିନ୍ନ ଶୈଳୀରେ ପାଳନ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।


ଭାରତବର୍ଷରେ ପାଳିତ ହେଉଥିବା ପର୍ବ ମଧ୍ୟରେ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି । ଏହି ପର୍ବକୁ ଭାରତରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହା ପୋଙ୍ଗଲ ରୂପେ ପରିଚିତ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁର ତାମିଲ ଭାଷାଭାଷୀଙ୍କର ଏକ ମୁଖ୍ୟ ପର୍ବ ପୋଙ୍ଗଲ ରୂପେ ଜଣାଶୁଣା । ତାମିଲ ସମ୍ପ୍ରଦାୟଙ୍କ ନବବର୍ଷ ରୂପେ ଏହା ପରିଚିତ । ଏହିଦିନ ତାମିଲ ସେହିପରି ଛତିଶଗଡ଼, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡରେ ଏହାକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଗୁଜୁରାଟ ଓ ଉତ୍ତରଖଣ୍ଡରେ ଏହି ପର୍ବକୁ ଉତ୍ତରାୟଣ ବୋଲି କୁହାଯାଏ । ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାରରେ ଏହି ପର୍ବକୁ ଖିଚିଡି, ଆସାମରେ ଭୌଗାଲି ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି, କର୍ଣ୍ଣାଟକରେ ମକର ସଂକ୍ରମଣ ବୋଲି କୁହାଯାଏ । ମହାରାଷ୍ଟ୍ରରେ ଏହି ପର୍ବ ତିଲ ଗୁଡ଼ ରୂପେ ତିନି ଦିନ ଧରି ପାଳନ କରାଯାଏ । ମକର ସଂକ୍ରାନ୍ତିର ପୂର୍ବଦିନକୁ ପଞ୍ଜାବରେ ଲୋଡି ରୂପେ ପାଳନ କରାଯାଏ ।

ଭାରତବର୍ଷରେ ଏହି ପର୍ବକୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରିଥାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ‘ମକରଠାରୁ ଦିନ ବକର ହୁଏ’ ବୋଲି ଓଡ଼ିଆରେ ଏକ ପ୍ରବାଦ ଅଛି । ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ଏହି ଦିନଠାରୁ ସୂର୍ଯ୍ୟଙ୍କର ତେଜ ମଧ୍ୟ ପ୍ରଖର ହୁଏ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହି ଦିନ ପୂଜାର୍ଚ୍ଚନା କରନ୍ତି । ମକର ସଂକ୍ରାନ୍ତିରେ ସ୍ନାନ ଓ ଦାନକୁ ବିଶେଷ ମହତ୍ତ୍ୱ ଦିଆଯାଏ । ଏହି ଦିନ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା ହୁଏ ।

ଏହି ଦିନ ଓଡ଼ିଶାରେ ‘ମକର ଚାଉଳ’ ଭୋଗ ହେବାର ପରମ୍ପରା ରହିଛି । ସାଧାରଣତଃ ମକର ସଂକ୍ରାନ୍ତି ବେଳକୁ ନୂଆ ଧାନ ଆସି ସାରିଥାଏ । ଅରୁଆ ଚାଉଳ, ଘିଅ, କ୍ଷୀର, ନଡ଼ିଆ, କଦଳୀ, ଗୁଡ଼କୁ ମିଶାଇ ଏକ ସ୍ଵତନ୍ତ୍ର ଭୋଗ ପ୍ରସ୍ତୁତ ହୁଏ । ଏହି ଦିନ ରାଶିରେ ପ୍ରସ୍ତୁତ ଲଡୁ ମଧ୍ୟ ଭୋଗ ହୁଏ । କେତେକ ଅଞ୍ଚଳରେ ଦେବାଦେବୀଙ୍କ ପାଖରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ଏହି ଅବସରରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା'ନ୍ତି ।

ଓଡ଼ିଶାର ଆଦିବାସୀ ମାନଂକର ଏହା ଏକ ବଡ ପର୍ବ । ବିଶେଷ କରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକର ଯାତ୍ରା ଏକ ପ୍ରଧାନ ପର୍ବ । ସେମାନଙ୍କ ପାଇଁ ମକରଯାତ୍ରା ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ । ଏହି ଅଞ୍ଚଳରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପର୍ବ ରୂପେ ପାଳନ କରିଥା'ନ୍ତି । ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା'ନ୍ତି । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି । ଏହି ଦିନ ଓଡ଼ିଶାର ଘରେ ଘରେ ମକର ଚାଉଳ ଭୋଗ ହେବା ସହ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୁଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମକର ଯାତ୍ରା ଅନୁଷ୍ଠିତ ହୁଏ । ଏହି ଦିନ ଘଟଗାଁ ମା ତାରିଣୀଙ୍କର ସୁନା ବେଶ ଅନୁଷ୍ଠିତ ହୁଏ ।

ଶ୍ରୀମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତିରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ମକର ଚୌରାସି ବେଶରେ ଦର୍ଶନ ଦିଅନ୍ତି । ଏହି ଦିନରେ ମହାପ୍ରଭୁଙ୍କ ଠାରେ ଖିଲିପାନ ଲାଗି ହେବାର ପରମ୍ପରା ରହିଛି । ଏହି ଦିନ ମହାପ୍ରଭୁଙ୍କ ଦର୍ଶନ କରି ବେଢ଼ା ବିଶେଷ କରି କଳ୍ପବଟ ପ୍ରଦିକ୍ଷଣ କରିବା ଦ୍ୱାରା ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡାଇବା ମଧ୍ୟ ଏକ ପରମ୍ପରା । ଏଥିପାଇଁ କେହି କେହି ଏହି ପର୍ବକୁ ଗୁଡ଼ିଉଡ଼ା ପର୍ବ ବୋଲି କୁହନ୍ତି । ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶେଷ କରି ଗୁଜୁରାଟରେ ଏହା ବିଶେଷ ଭାବେ ପାଳିତ ହୋଇଥାଏ । ଭିନ୍ନ ଭିନ୍ନ ନାମରେ ପରିଚିତ ମକର ପର୍ବ ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ ।