
ଆମର ଅତି ପରିଚିତ ନିତିଦିନିଆ ମସଲା ହେଉଛି ସୋରିଷ । ଆମ ରୋଷେଇରେ ବ୍ୟବହୃତ ହେଉଥିବା ପଞ୍ଚଫୁଟଣରେ ସୋରିଷ ମୁଖ୍ୟ ଉପାଦାନ । ସୋରିଷ ଦିଆ ମାଛ ତରକାରୀ ହେଉ କି ବେସର ବ୍ୟଞ୍ଜନ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ବ୍ୟଞ୍ଜନରେ ମଧ୍ୟ ସୋରିଷ ବ୍ୟବହାର ହୁଏ । କେବଳ ସୋରିଷ ମଞ୍ଜିକୁ ମସଲା ଭାବେ ବ୍ୟବହାର କରାଯାଏ ତାହା ନୁହେଁ, ସୋରିଷ ଶାଗ ବି ବେଶ୍ ସୁଆଦିଆ ଆଉ ସୋରିଷ ତେଲ ଆମ ଖାଦ୍ୟରେ ଏକ ପ୍ରମୁଖ ଉପାଦାନ ।
ଶୀତଦିନରେ ସୋରିଷ ଫୁଲର କ୍ଷେତ ସମସ୍ତଙ୍କ ମନକୁ ଟାଣେ । ସୋରିଷ ଫୁଲକୁ ନେଇ ରଚିତ ବହୁ ଗପ, କବିତା ଓ ଗୀତ । ତେବେ ଆଜି ଆସନ୍ତୁ ଜାଣିବା ସୋରିଷ ସମ୍ପର୍କରେ କିଛି ।
ସୋରିଷ ହେଉଛି ଭାରତର ମୁଖ୍ୟ ତୈଳବୀଜ ଫସଲ । ଚିନାବାଦାମ ପରେ ସୋରିଷର ସ୍ଥାନ ଦ୍ଵିତୀୟ । ଭାରତର ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମ ଓଡିଶା ଏବଂ ଆସାମ ରାଜ୍ୟର ଲୋକମାନଙ୍କର ପ୍ରାୟ ୫୦% ସ୍ନେହସାର ଆବଶ୍ୟକତା ଉଭୟ ଚିନାବାଦାମ ଓ ସୋରିଷ ଫସଲରୁ ମିଳେ । ସୋରିଷ Brassica ଏବଂ Sinapis ପ୍ରଜାତିର ଏକ ମସଲାଜାତୀୟ ଗଛ ।
ପୃଥିବୀର ଅଧିକ ସୋରିଷ ଓ ରାଇସୋରିଷ ଉତ୍ପାଦନ କରୁଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଭାରତରେ ସୋରିଷ ଓ ରାଇସୋରିଷ ୧.୬୨ ନିୟୁତ ଟନ ଉତ୍ପାଦନ ହୋଇଥାଏ । ଏହା ମୋଟ ତୈଳବୀଜ ଉତ୍ପାଦନ ୧୮% ଭାଗ । ସୋରିଷର ୩୭-୪୯% ତେଲଥାଏ ।
ଭାରତରେ ପ୍ରାୟ ସାତ ପ୍ରକାରର ସୋରିଷ ଦେଖାଯାଏ । ନାଲି ସୋରିଷ, ଖଇରା ସୋରିଷ, ତୋରିଆ ସୋରିଷ, ରାଇ ସୋରିଷ, ପଞ୍ଜାବ ରାଇ, ବନାରସୀ ରାଇ ଓ ଧଳା ସୋରିଷ । ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ । ଗଛରେ ଛୁଇଁ ଗୁଡିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ସୋରିଷକୁ କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ । ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ । ସୋରିଷ ମଞ୍ଜିଗୁଡ଼ିକ ଛୋଟ ଏବଂ ଗୋଲାକୃତି । ମଞ୍ଜିଗୁଡ଼ିକର ବ୍ୟାସ ୧ରୁ ୨ ମିଲିମିଟର ହୋଇଥାଏ ଏବଂ ମଞ୍ଜିଗୁଡ଼ିକର ରଙ୍ଗ ଇସତ୍ ହଳଦିଆରୁ କଳା ଯାଏ ହୋଇଥାଏ । ସୋରିଷର ପ୍ରଜାତି ଅନୁସାରେ ଏହାର ରଙ୍ଗର ପରିବର୍ତ୍ତନ ଦେଖାଯାଏ । ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶୀତ ଋତୁରେ ହୋଇଥାଏ । ଏହି ଚାଷ ସ୍ୱଚ୍ଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ ।
ସୋରିଷ ମଞ୍ଜିକୁ ମସଲା ରୂପରେ ବ୍ୟବହାର କରାଯାଏ ଏବଂ ଏହାକୁ ଘଣାରେ ପେଡ଼େଇ ତେଲ ବାହାର କରି ମଧ୍ୟ ବ୍ୟବହାର କରାଯାଏ । ସୋରିଷ ତେଲ ଭାରତର ସବୁଆଡ଼େ ରୋଷେଇରେ ବ୍ୟବହାର ହୋଇଥାଏ । ସୋରିଷ ଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।
କେବଳ ସୋରିଷକୁ ମସଲା ବା ସୋରିଷ ତେଲକୁ ରୋଷେଇରେ ବ୍ୟବହାର କରାଯାଏ ନାହିଁ । ଏହି ତେଲରୁ କେଶତେଲ, ସାବୁନ ଏବଂ ଔଷଧ ମଧ୍ୟ ତିଆରି କରାଯାଏ । ପିଡିଆ ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ସବୁଜ ପତ୍ର ଓ କାଣ୍ଡ ଗୋ ଖାଦ୍ୟରୂପେ ବ୍ୟବହାର ହୁଏ । କଅଁଳ ପତ୍ର ଶାଗଭଳି କରି ମଧ୍ୟ ଲୋକେ ଖାଆନ୍ତି । କାରଣ ଏଥିରୁ ଯଥେଷ୍ଟ ଗନ୍ଧକ ମିଳିଥାଏ । ଏହି ତେଲ ଚମଡା ଶିଳ୍ପରେ ମଧ୍ୟ ବ୍ୟବହାର କରାଯାଏ ।
ଅନେକ ଶାରୀରିକ ସମସ୍ୟା ରହିଛି ଯାହା ପାଇଁ ସୋରିଷ ତେଲ ଔଷଧ ପରି କାମ କରେ । ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା ।
ଟିକେ ଥଣ୍ଡା କିମ୍ବା କାଶ ହେଲେ ଆପଣମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍ କରିପାରିବେ । ସୋରିଷ ତେଲ ପାଦରେ ମାଲିସ କଲେ ଥଣ୍ଡା ଭଲ ହେବା ସହ ଦେହ ଦରଜ ବି କମ୍ ହୋଇଥାଏ । ଗାଧୋଇବା ପୂର୍ବରୁ ନାଭିରେ ତେଲ୍ ଲଗାଇ ଗାଧେଇଲେ ଅନେକ ପ୍ରକାରର ସୁଫଳ ମିଳିଥାଏ । ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ ଏପରି କରିବା ଦ୍ବାରା।
କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ସୋରିଷ ତେଲ୍ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ । ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ।