ଆସନ୍ତୁ ଏଥର ବୁଲିଯିବା ବଲାଙ୍ଗୀର ଜିଲ୍ଲା

ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଜଙ୍ଗଲୀ ଫୁଲର ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ପ୍ରାଚୀନ ମନ୍ଦିର ଓ ଦର୍ଶନୀୟ ସ୍ଥାନକୁ ନେଇ ସୁସମୃଦ୍ଧ ବଲାଙ୍ଗୀର । ଆସନ୍ତୁ ନଜର ପକାଇବା ଏହି ସଂସ୍କୃତି ସମ୍ପନ୍ନ ଜିଲ୍ଲା ଉପରେ ।


ହରିଶଙ୍କର, ଫଟାେ - ୱିକିପିଡିଆ

ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଜଙ୍ଗଲୀ ଫୁଲର ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ପ୍ରାଚୀନ ମନ୍ଦିର ଓ ଦର୍ଶନୀୟ ସ୍ଥାନକୁ ନେଇ ସୁସମୃଦ୍ଧ ବଲାଙ୍ଗୀର । ଆସନ୍ତୁ ନଜର ପକାଇବା ଏହି ସଂସ୍କୃତି ସମ୍ପନ୍ନ ଜିଲ୍ଲା ଉପରେ ଆଉ ଦେଖିଆସିବା ତାର ପ୍ରାକୃତିକ ଦୃଶ୍ୟରାଜି, ଦର୍ଶନୀୟ ସ୍ଥାନ ସବୁ । ରାଜଧାନୀଠାରୁ ୩୨୫ କିମି ଦୂରରେ ଅବସ୍ଥିତ ଏହି ଜିଲ୍ଲାଟି ସାଂସ୍କୃତିକ ବିଭବ, ପ୍ରାଚୀନ ପୂଣ୍ୟ କୀର୍ତ୍ତି, ସମୁଜ୍ଜଳ ସାହିତ୍ୟିକ ଭାବଧାରା, ଧାର୍ମିକ ପରମ୍ପରା, ସାମାଜିକ ସୌହାର୍ଦ୍ଦ୍ୟ ଓ ରାଜନୈତିକ ଉତ୍କର୍ଷତା ପାଇଁ ପ୍ରସିଦ୍ଧ ।

ଗନ୍ଧମାର୍ଦ୍ଧନ ପର୍ବତର ଉତ୍ତର ପଶ୍ଚିମରେ ତଥା ତେଲ ନଦୀର ଦକ୍ଷିଣ ପାର୍ଶ୍ଵରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବଲାଙ୍ଗୀର ଜିଲ୍ଲା ଅବସ୍ଥିତ । ବଲାଙ୍ଗୀର ଜିଲ୍ଲା ପୂର୍ବରୁ ପାଟଣା ରାଜ୍ୟର ଏକ ଅଂଶ ଥିଲା । ୧୯୪୯ ନଭେମ୍ବର ପହିଲାରେ ପାଟଣା ଓ ସୋନପୂର ମୂଳ ଜିଲ୍ଲାରୁ ବିଚ୍ଛିନ୍ନ ହୋଇ ବଲାଙ୍ଗୀର ଜିଲ୍ଲାର ସୃଷ୍ଟି ହେଲା । ଏହି ଜିଲ୍ଲାର ଇତିହାସକୁ ଅବଲୋକନ କଲେ ଦେଖାଯାଏ ଯେ, ଦ୍ଵାଦଶ ଶତାବ୍ଦୀବେଳକୁ ଆଷ୍ଠ ମଲ୍ଲିକମାନଙ୍କ ତତ୍ତ୍ଵାବଧାନରେ ଏକ ସୁନ୍ଦର ସାଧାରଣତନ୍ତ୍ର ରାଜ୍ୟ ରୂପେ ପାଟଣା ଖ୍ୟାତି ଲାଭ କରିଥିଲା । ପରବର୍ତ୍ତୀ ସମୟରେ ଉତ୍ତର ଭାରତରୁ ଚୌହାନ ବଂଶର ଆଗମନ ପରେ ଏଠାରେ ରାଜତନ୍ତ୍ର ଶାସନର ମୂଳଦୁଆ ପଡିଲା । ଚୌହାନ ଶାସକମାନେ ଥିଲେ ଅତ୍ୟନ୍ତ ଶକ୍ତିଶାଳୀ । ପଶ୍ଚିମ ଓଡିଶାର ଅଠରଟି ଗଡକୁ ନେଇ ଚତୁର୍ଦଶ ଶତାବ୍ଦୀରେ ଶ୍ରୀ ରମାଇଁ ଦେଓ ପାଟଣା ରାଜ୍ୟର ସ୍ଥାପନ କରିଥିଲେ । ଏହି ବଂଶର ଦ୍ଵାଦଶତମ ରାଜା ଶ୍ରୀ ନରସିଂହ ଦେଓ ( ୧୫୪୯ - ୧୫୫୭) ତାଙ୍କର ସାନ ଭାଇ ବଳରାମ ଦେଓଙ୍କୁ ବଲାଙ୍ଗୀର ତଥା ସାଲେଭଟା ଅଞ୍ଚଳ ଦାନ କଲେ । ବଲରାମ ଦେଓ ବଲାଙ୍ଗୀରର ଉତ୍ତରକୁ ଅବସ୍ଥିତ ଜୁହ୍ନାଡିହଠାରେ ବଳରାମଗଡ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ । କାଳ କ୍ରମେ ତାହା ଅପଭ୍ରଂଶ ହୋଇ ବଲାଙ୍ଗୀର ହୋଇଯାଇଛି । ୧୯୪୮ ମସିହା ଜାନୁୟାରୀ ପହିଲାରେ ଓଡିଶା ସହିତ ପାଟଣା ରାଜ୍ୟର ମିଶ୍ରଣ ଘଟିଲା ଓ ଚୌହାନ ଶାସନର ବିଲୟ ଘଟିଲା । ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ ଥିଲେ ଏହି ବଂଶର ଶେଷ ଶାସକ । ବର୍ତ୍ତମାନର ବଲାଙ୍ଗୀର ଜିଲ୍ଲା ତିନି ଗୋଟି ଉପଖଣ୍ଡ ଯଥା ବଲାଙ୍ଗୀର, ପାଟଣାଗଡ ଓ ଟିଟିଲାଗଡକୁ ନେଇ ଗଠିତ । ଏହି ଜିଲ୍ଲାର ପୂର୍ବରେ ସୁବର୍ଣ୍ଣପୁର, ପଶ୍ଚିମରେ ନୂଆପଡା, ଉତ୍ତରରେ ବରଗଡ଼ ଓ ଦକ୍ଷିଣରେ କଳାହାଣ୍ଡି ଜିଲ୍ଲା ଅବସ୍ଥିତ । ୬୫୭୫ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଜିଲ୍ଲା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ।

ରାମାୟଣରେ ବର୍ଣ୍ଣିତ ଗନ୍ଧମାର୍ଦ୍ଧନ ପର୍ବତର ଉତ୍ତର ପଶ୍ଚିମରେ ତଥା ତେଲ ନଦୀର ଦକ୍ଷିଣ ପାର୍ଶ୍ଵରେ ବଲାଙ୍ଗୀର ଜିଲ୍ଲା ଅବସ୍ଥିତ । ଅନେକ ଗୁଡିଏ ପାହାଡ ଝରଣା ଦ୍ଵାରା ପରିବେଷ୍ଟିତ ଏବଂ ଅରଣ୍ୟାନୀ ଘେରା ଏହି ଜିଲ୍ଲା ଏକଦା ବହୁ ବନ୍ୟା ପ୍ରାଣୀ ଯଥା ବାଘ, ଗୟଳ, କୁଟୁରା, ସମ୍ବର, ହରିଣଙ୍କ ବିଚରଣ ସ୍ଥଳୀ ଥିଲା । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠ ଓ ମନ୍ଦିର ମଧ୍ୟରେ ଚଉଷଠି ଯୋଗିନୀ ମନ୍ଦିର, ସଇଁତଳା ଚଣ୍ଡୀ ମନ୍ଦିର, ପାଟେନେଶ୍ଵରୀ ମନ୍ଦିର, ହରିଶଙ୍କର, ଯୋଗୀଶର୍ଡା ଆଦି ସ୍ଥାନଗୁଡିକ ଦର୍ଶନୀୟ ସ୍ଥାନ ଭାବେ ପରିଚିତ ।

ବଲାଙ୍ଗୀର - ପାଟଣା ପୂର୍ବତନ ଦେଶୀୟ ରାଜ୍ୟର ଐତିହାସିକ ଗୁରୁତ୍ଵ, ସାଂସ୍କୃତିକ ବିଭବ, ପ୍ରାଚୀନ ପୂଣ୍ୟ କୀର୍ତ୍ତି, ସମୁଜ୍ଜଳ ସାହିତ୍ୟିକ ଭାବଧାରା, ଧାର୍ମିକ ପରମ୍ପରା, ସାମାଜିକ ସୌହାର୍ଦ୍ଦ୍ୟ ଓ ରାଜନୈତିକ ଉତ୍କର୍ଷତା ପାଇଁ ଇତିହାସରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପୂର୍ବତନ ପାଟଣା ଗଡ଼ଜାତ ରାଜ୍ୟ ତଥା ଆଧୁନିକ ବଲାଙ୍ଗୀର ଜିଲ୍ଲା ମାତୃଶକ୍ତି ଉପାସନାର ଏକ ମହନୀୟ ପରମ୍ପରା ପ୍ରାଚୀନ ସମୟରୁ ଆରମ୍ଭ କରି ଆସିଛି । ଶକ୍ତି ଉପାସନା ଓ ତନ୍ତ୍ର ବିଦ୍ୟା ପାଇଁ ପାଟଣା ଗଡ଼ଜାତ ରାଜ୍ୟ ତତ୍କାଳୀନ ସମୟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା ।

ଏହି ପବିତ୍ର ସ୍ଥଳୀ ତାନ୍ତ୍ରିକ ସଂସ୍କୃତିର ମୂଳପୀଠ ଥିଲା ତଥା ସପ୍ତମାତୃକା ଓ ତନ୍ତ୍ରଯାନ ପ୍ରଥାର ଗୂଢ ଓ ଉତ୍କୃଷ୍ଟ ଜ୍ଞାନର ଅଧିକାରୀ ଥିଲା । ଭାରତର ଚାରୋଟି ଯୋଗିନୀ ପୀଠ ମଧ୍ୟରୁ ରାଣୀପୁର ଝରିଆଲର ଚୋଉଷଠି ଯୋଗିନୀ ମନ୍ଦିର ଅନ୍ୟତମ । ରାଣୀପୁର ଝରିଆଲକୁ ସୋମତୀର୍ଥ ନାମରେ ମଧ୍ୟ ଅଭିହିତ କରାଯାଇଛି ।

ରାଣୀପୁର - ଝରିଆଲ:

ରାଣୀପୁର - ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ବଲାଙ୍ଗୀର ଜିଲ୍ଲା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍‌ଡିଭିଜନ୍ ଅନ୍ତର୍ଗତ ବଙ୍ଗମୁଣ୍ଡା ବ୍ଲକ୍‌ରେ ରାଣୀପୁର ଝରିଆଲ ଅବସ୍ଥିତ । ଏହା ଏକ ପ୍ରଖ୍ୟାତ ଶକ୍ତି ଓ ତନ୍ତ୍ରପୀଠ ରୂପେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛି । ବଲାଙ୍ଗୀର ଜିଲ୍ଲା ଶକ୍ତି ପରମ୍ପରାର ଗୌରବ ଗାରିମାମୟ ସ୍ଵର୍ଣ୍ଣାଭ ଅଧାୟ ରାଣୀପୁର - ଝରିଆଲରୁ ଆରମ୍ଭ । ଓଡ଼ିଶାର ଶକ୍ତି ଉପାସନାରେ ଚଉଷଠି ଯୋଗିନୀ ଉପାସନା ଅଷ୍ଟମ ନବମ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବିଶ୍ଵାସ କରାଯାଏ । ବଲାଙ୍ଗୀର ସ୍ଥିତ ରାଣୀପୁର - ଝରିଆଲର ଚଉଷଠି ଯୋଗିନୀ ଉପାସନା ଅଷ୍ଟମ - ନବମ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବିଶ୍ଵାସ କରାଯାଏ । ରାଣୀପୁର - ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ଭାରତର ଅନ୍ୟ ତିନୋଟି ଯୋଗିନୀ ମନ୍ଦିର ପରି ଛାତ ବିହୀନ ଓ ବୃତ୍ତାକାର ।

ଭୀମ ଡୁଙ୍ଗୁରୀ:

ଏହା ଏକ ବଣ ପାହାଡରେ ଘେରା ମନୋରମ ସ୍ଥାନ । ପୁରାତନ ପ୍ରାକୃତିକ ଗୁମ୍ଫା ଯାହା ପାହାଡର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ରହିଛି । ବସନ୍ତ ଋତୁରେ ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ପ୍ରତିବର୍ଷ ଏଠାରେ କାର୍ତ୍ତିକ ପୂର୍ଣିମା ଅବସରରେ ସ୍ଥାନୀୟ ଲୋକେମାନେ ଗିରିଗୋବର୍ଦ୍ଧନ ପୂଜା କରିଥାନ୍ତି । ଏହି ସମୟରେ ଏଠାରେ ମେଳା ଓ ମହୋତ୍ସବର ଆୟୋଜନ କରାଯାଏ । ବାଲାଙ୍ଗୀର ସହରରୁ ଏହି ସ୍ଥାନକୁ ଆପଣ ସହଜରେ ଯାଇପାରିବେ ।

କୁମୁଡା ପାହାଡ:

ପ୍ରାକୃତିକ ବୈଭବରେ ଭରା ଏକ ମନୋରମ ପର୍ଯ୍ୟଟନ ସ୍ଥଳ ହେଉଛି କୁମୁଡା ପାହାଡ । ଏଠାରେ ପ୍ରଭୁ ଧବଳେଶ୍ବର ଏକ ବିରାଟ ଗୁମ୍ଫା ଭିତରେ ପୂଜା ପାଇଥାନ୍ତି । ଏହି ଗୁମ୍ଫାର ଦୈର୍ଘ୍ୟ ୮୦ ଫୁଟ ଓ ପ୍ରସ୍ଥ ୪୦ ଫୁଟ । ଏହାକୁ ଲାଗି ଅନ୍ୟ ତିନୋଟି ଗୁମ୍ଫା ରହିଛି । ଧବଳେଶ୍ଵର ମନ୍ଦିରଟି ପାହାଡର ପାଦଦେଶରୁ ୪୦ ଫୁଟ ଉଚ୍ଚରେ ଅବସ୍ଥିତ । ଶ୍ରାବଣ ମାସ ଓ ଶିବରାତ୍ରୀ ସମୟରେ ହଜାର ହଜାର ଭକ୍ତ ବାବାଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି । ଏହି ପାହାଡର ଉପରି ଭାଗରେ ଥିବା ଛୋଟ ଜଙ୍ଗଲ ମନ୍ଦିରର ଶୋଭାକୁ ଆହୁରି ଦ୍ଵିଗୁଣିତ କରିଥାଏ । ପାହାଡ ନିକଟରେ ଥିବା ବିରାଟ ଜଳାଶୟରେ ପର୍ଯ୍ୟଟକମାନେ ଜଳକ୍ରୀଡା କରି ଭରପୂର ମଜା ନେଇପାରିବେ । ଏହା ଟିଟିଲାଗଡଠାରୁ ମାତ୍ର ୦.୫ କି.ମି ଦୂରରେ ଅବସ୍ଥିତ ।

ତୁରେକେଲା:

ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜଙ୍ଗଲ ମଧ୍ୟରେ ପକ୍ଷୀଙ୍କର କଳରବ ପର୍ଯ୍ୟଟନଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ । ବଲାଙ୍ଗୀରଠାରୁ ୯୮ କିମି ଦୂରରେ ତୁରେକେଲା ଅବସ୍ଥିତ । ଏହା ପିକନିକ ପାଇଁ ଏକ ଉତ୍ତମ ସ୍ଥାନ, ଏଠାରେ ବାଘ, ହରିଣ ଭାଲୁ, ବିଲୁଆ, ହାତୀ, ବନ୍ୟ ପକ୍ଷୀ, ମାଙ୍କଡ ଓ ଗଧିଆ ପ୍ରଭୁତି ବନ୍ୟାପ୍ରାଣୀ ଦେଖାଯାଆନ୍ତି । ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ଏଠାରେ ଥିବା ବିଭିନ୍ନ ପ୍ରକାର ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ, ପ୍ରଜାପତି ଓ ପକ୍ଷୀଙ୍କର ଚଳପ୍ରଚଳକୁ ପର୍ଯ୍ୟଟକ ଉପଭୋଗ କରିଥାଆନ୍ତି।

ହରିଶଙ୍କର:

ବଲାଙ୍ଗୀର ଠାରୁ ୮୧ କି.ମି ଦୂରରେ ହରିଶଙ୍କର ଅବସ୍ଥିତ । ଗନ୍ଧମାର୍ଦ୍ଦନ ପାହାଡର ଦକ୍ଷିଣ କୋଣରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହରିଶଙ୍କର ଅବସ୍ଥିତ । ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଅସାଧାରଣ ରମଣୀୟ ତଥା ମନୋରମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ । ଏଠାରେ ଏକ ଚିରସ୍ରୋତ ଝରଣା ତାର ଅବାରିତ ଜଳରାଶିର କୁଳୁକୁଳୁ ନାଦରେ ପାହାଡର ବିଭିନ୍ନ ସୋପାନରେ ବହି ଜଳପ୍ରପାତର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଛି । ଏହା ପର୍ଯ୍ୟଟକଙ୍କୁ ଏକ ଶୀତଳ ଓ ଆରାମଦାୟକ ସ୍ଥଳ ଯୋଗାଇଥାଏ । ଝରଣା ବକ୍ଷରେ ଖସଡା ପଥର ଦେଇ ବହିଯାଉଥିବା ଶୀତଳ ଜଳରାଶି ସ୍ଵର୍ଗୀୟ ସୁଖର ଅନୁଭବ ଦେଇଥାନ୍ତି । ବିଶ୍ଵାସ କରାଯାଏ ଯେ ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ହରିଶଙ୍କରଙ୍କୁ ପୂଜା କଲେ, ସମସ୍ତ ପ୍ରକାରର ପାପରୁ ମୁକ୍ତି ମିଳିଥାଏ । ଏହାର ପାଦଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି ଯାହା ଏହି ପର୍ଯ୍ୟଟନ ସ୍ଥଳର ଶୋଭାକୁ ବହୁଗଣିତ କରିଥାଏ । ବୈଶାଖ ପୂର୍ଣ୍ଣିମା ଦିନ ଏଠାରେ ଏକ ମେଳା ଅନୁଷ୍ଠିତ ହୋଇଥାଏ ।

ସଇଁତଳା ଚଣ୍ଡୀ ମନ୍ଦିର:

ବଲାଙ୍ଗୀର ଠାରୁ ଦକ୍ଷିଣକୁ ୩୮ କି.ମି ଦୂରରେ ମୁଖ୍ୟ ରାସ୍ତା ଉପରେ ସଇଁତଳା ଅବସ୍ଥିତ । ମହିଷାମର୍ଦ୍ଦିନୀ ରୂପେ ଏଠାରେ ଦେବୀ ଚଣ୍ଡୀ ପୂଜା ପାଇଥାନ୍ତି । ଏହି ରୂପ ହିଁ ଏଠାରେ ଅନ୍ୟତମ ଆକର୍ଷଣ । ଏହି ମନ୍ଦିରଟି ଏକ ଛୋଟ ପଥର ପାହାଡ ଉପରେ ଦଣ୍ଡାୟମାନ । ବିଷ୍ଣୁଙ୍କ ଦଶାବତାର ଓ ମନ୍ଦିରର କବାଟରେ ଖୋଦିତ କଳା ଭାସ୍କର୍ଯ୍ୟ ଉଲ୍ଲେଖନୀୟ ।

ପାଟଣେଶ୍ୱରୀ ମନ୍ଦିର:

ଜିଲ୍ଲାର ଅଧିଷ୍ଠତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର ବଲାଙ୍ଗୀର ସହରଠାରୁ ପଶ୍ଚିମକୁ ୪୦ କି.ମି ଦୂରରେ ପାଟଣାଗଡ଼ ଅବସ୍ଥିତ । ଯାହା ପ୍ରାଚୀନ ପାଟଣା ସାମ୍ରାଜ୍ୟର ରାଜଧାନୀ ରୂପେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ଆଧୁନିକ ପାଟଣାଗଡ଼,ପାଟଣେଶ୍ବରୀ ମନ୍ଦିର ପାଇଁ ଖ୍ୟାତି ଲାଭ କରିଅଛି । ପାଟଣେଶ୍ବରୀ ମନ୍ଦିର ଚାଲୁକ୍ୟ ରୀତିରେ ଶକ୍ତି ପୀଠ ଭାବରେ ପୂଜା ପାଇ ଆସୁଅଛି । ଏଠାରେ ଥିବା ମନ୍ଦିରର କଳା ଭାସ୍କର୍ଯ୍ୟ ଅତ୍ୟନ୍ତ ମୋହନୀୟ ।

ଯୋଗୀଶର୍ଡା:

ବଲାଙ୍ଗୀର ଠାରୁ ୨୫ କିମି ଦୂର ଉତ୍ତର ପୂର୍ବ ଦିଗରେ ଯୋଗୀଶର୍ଡା ଅବସ୍ଥିତ । ଯୋଗେଶ୍ଵର ଶିବ ମନ୍ଦିର ପାଇଁ ଏହି ସ୍ଥାନ ଖ୍ୟାତି ଲାଭ କରିଛି ।ଏଠାରେ ଶିବରାତ୍ରୀ ଓ ଶୀତଳ ଷଷ୍ଠୀ ମହାସମାରୋହରେ ଏଠାରେ ପାଳନ କରାଯାଏ ।

ଗାଇଖାଇ:

ବଲାଙ୍ଗୀର ସହରରୁ ୩୦କିମି ଦୂରରେ ଅବସ୍ଥିତ ଏହି ସ୍ଥାନଟି ସତେ ଯେମିତି ନୈସର୍ଗିକ । ଏହାର ତିନି ପାର୍ଶ୍ୱରେ ସବୁଜ ରଙ୍ଗର ପାହାଡ ପରିବେଷ୍ଟିତ । ଏଠାରେ ଥିବା ଜଳ ଭଣ୍ଡାରର ଦୃଶ୍ୟ ଅତୀବ ଚମତ୍କାର ଏବଂ ଏଠାରେ ପ୍ରବାହିତ ଶୀତଳ ପବନ ପରିଦର୍ଶକମାନଙ୍କୁ ଆନମନା କରେ । ଗ୍ରୁପ କ୍ୟାମ୍ପିଂ ପାଇଁ ଏହି ସ୍ଥାନଟି ସର୍ବୋତ୍ତମ ।

ନୂଆଖାଇ ହେଉଛି ଏହି ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ପର୍ବ । ତେବେ ଏଠାରେ ପୁଅଜିଉଁନ୍ତିଆ, ପୁଷ୍ପୁନି, ଲକ୍ଷ୍ମୀ ପୂଜା, ଶିବରାତ୍ରି, ଶୀତଳଷଷ୍ଠୀ ଆଦି ପର୍ବ ଉତ୍ସାହର ସହିତ ପାଳନ କରାଯାଏ । ଏତତ ବ୍ୟତିତ ବଲାଙ୍ଗୀର ସଦର ମହକୁମାରେ ପ୍ରତି ବର୍ଷ ବଲାଙ୍ଗୀର ଲୋକଉତ୍ସବ, ଟିଟିଲାଗଡର କୁମୁଡା ଉତ୍ସବ, ବଡମାଳ ଗୋଲବାରୁଦ କାରଖାନା ପରିସରରେ ବଡମାଳ ଉତ୍ସବ, ଝରିଆଲ ତଥା ଭଇଁଷାରେ ଝରିଏଲ ମହୋତ୍ସବ, ଜରାଶିଙ୍ଘା ପାଟ ଖଣ୍ଡା ମହୋତ୍ସବ, ଭୀମ ଡ଼ୁଙ୍ଗୁରୀ ମହୋତ୍ସବ, କଣ୍ଟାବାଞ୍ଜି ଲୋକ ଉତ୍ସବ, ହରିଶଙ୍କର ନୃସିଂହ ଚତୁଦ୍ଦର୍ଶୀ ମେଳା, ଟିଟିଲାଗଡ ଶିବରାତ୍ରି ମେଳା, କୁସଙ୍ଗ ମକର ଉତ୍ସବ, ମଠଖାଇ ଉତ୍ସବ, ଦୁଲଦୁଲି କଳା ପରିଷଦ ପକ୍ଷରୁ ଲୋକକଳା ଉତ୍ସବ ପାଳନ କରାଯାଏ । ଏହି ସମସ୍ତ ପର୍ବ ବେଶ ମନୋରମ ଓ ଉପଭୋଗ୍ୟ ।