ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହିଦିନ ବ୍ରତଧାରୀମାନେ ନିଜ ବ୍ରତ ଉଦଯାପନ କରିଥାନ୍ତି । ଏହି କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା କୁହାଯାଏ । ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି - ‘ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ ମଣ୍ଡଲ ମଣ୍ଡିତଃ, ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।’ ଅର୍ଥାତ ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର ଶ୍ରୀକୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ହାତ ଛନ୍ଦି ଏକ ମଣ୍ଡଳ ତିଆରି କଲେ । ଏହାପରେ ହଜାର ହଜାର ଗୋପୀଙ୍କ ଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା । ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ । ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ । ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହେଉଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ । ସେହି ମଧୁର ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଆକାରରେ ବିଭିନ୍ନ ରାସକୁଞ୍ଜରେ ଗାନ କରାଯାଏ । ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ଚିତ୍ର ସ୍ଥାପନା କରାଯାଇଥାଏ । ପ୍ରତ୍ୟହ ସନ୍ଧ୍ୟାରେ ରାହାସ ବୋଲାଯାଇଥାଏ । ଗାଁ ଗହଳରେ ଏହି ଉପଲକ୍ଷେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମମାନ କରାଯାଇଥାଏ ।

ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ମାସଯାକର ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ଏହି ବ୍ରତକୁ ଉଦଯାପନ କରନ୍ତି । ଏହି ଦିନଟି ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟକାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।

ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହି ଦିନ ପ୍ରତ୍ୟୁଷରୁ ଆବାଳ - ବୃଦ୍ଧା - ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ଆ - କା - ମା - ବୈ, ପାନ ଗୁଆ ଖାଇ । ପାନ, ଗୁଆ ତୋର, ମାସିକ ଧରମ ମୋର ।’ ତେବେ ଏହି ଆ - କା - ମା - ବୈର ଅର୍ଥ ହେଉଛି - ଆ - ଆଷାଢ଼, କା - କାର୍ତ୍ତିକ, ମା - ମାଘ, ବୈ - ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ । ପୁନଶ୍ଚ ଏହି ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ ।

ଅପରପକ୍ଷରେ ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ଯାଉଥିଲେ କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ, ଏହି ସମୟର ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । ପୁଣି ଆଷାଢ଼ ମାସରେ ଫେରୁଥିଲେ । ସେଇ ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଥାଉ । ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବମାନ ଅନୁଷ୍ଠିତ ହୁଏ ।

ଆଗକାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଓଡିଶାର କଟକଠାରେ ମହାନଦୀ ପଠାର ବାଲିଯାତ୍ରା ପଡିଆରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୧୫ ଦିନ ବ୍ୟାପି ବାଲିଯାତ୍ରା ଅନୁଷ୍ଠିତ ହୁଏ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ସମ୍ପ୍ରତି କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ଏହି ଯାତ୍ରା ହେଉନାହିଁ ।