ଫଟୋ - କନ୍‌ହେଇର କଥାଘର

ଜୀବନକୁ ଉପଭୋଗ କରିବା ଦର୍ଶନ ମଣିଷକୁ ନୈତିକତାରୁ ଦୂରେଇ ଦିଏ । କୌଣସି ମୁହୂର୍ତ୍ତରେ ମୃତ୍ୟୁ ପହଂଚିପାରେ । ଭୟ କିନ୍ତୁ ଉପଭୋଗରୁ ନିଜକୁ ନୈତିକତାକୁ ଗୋଟେଇ ଆଣେ । ଏ ଦୁଇଟି ଚେତନା ଏକ ସମୟରେ ଭୋଗୁଥିଲେ କନ୍‌ହେଇ ଓ ତାଙ୍କ ଗଳ୍ପମାନଙ୍କର ନାୟକମାନେ ।

କନ୍‌ହେଇଲାଲଦାସ ନାମକ ଗାଳ୍ପିକଙ୍କ ପାଖରେ ତାଙ୍କ ଗଳ୍ପର ନାୟକ ‘ମୁଁ’, କନ୍‌ହେଇ କିମ୍ବା କୁନା ଅଲଗା ଲୋକ । ନିଜେ ନିଜଠାରୁ ସାମାନ୍ୟ ଦୂରତା ନଥିଲେ ନିଜକୁ ଗଳ୍ପର ଚରିତ୍ର କରିହବନି । ଏ ପ୍ରକ୍ରିୟା ବେଳେବେଳେ ଖୁବ୍ ସାଂଘାତିକ ଫଳ ଦିଏ ।

ମଣିଷ ଆପେ ଗଢ଼ି ହୋଇଯାଏନି । ତା’ପଛରେ ଅନେକ କାରଣ ଥାଏ । କିନ୍ତୁ ବଡ଼ ଦୁଃଖର କଥା ହେଉଛି ସେ କାରଣଗୁଡ଼ିକର ନିୟନ୍ତ୍ରଣ ଆମ ହାତରେ ନଥାଏ । ପ୍ରଖର ସ୍ରୋତରେ ଭାସିଯିବା ପରି ଅବସ୍ଥା । ମୋର ଆଦୌ ଇଚ୍ଛା ନୁହେଁ ସ୍ରୋତରେ ଭାସିଯିବାକୁ କିନ୍ତୁ ମୁଁ ସ୍ରୋତରେ ଭାସିଯିବାର ମଜା ବି ଉଠଉଛି । ମନେ ମନେ ମାପୁଛି କେତେ କିଲୋମିଟର ଭାସିଲାଣି । କନ୍‌ହେଇ ଆଦୌ ସୁଖୀ ନଥିଲେ ତାଙ୍କ ଜୀବନଯାପନକୁ ନେଇ ।

ଅଥଚ ତାଙ୍କ ହାତରେ ବା କ’ଣ ଥିଲା । ନିଜକୁ ସେଇ ସ୍ରୋତରେ ଭାସିଯିବାକୁ ଛାଡ଼ି ଦେଲା ପରେ ସେ ଆଉ ଏକ କର୍ମରେ ବ୍ୟସ୍ତ ଥିଲେ । ସେ କର୍ମଟି ହେଲା ସ୍ରୋତ ସାଙ୍ଗରେ ଗତି ରକ୍ଷା କରିବା ସହ ଆଖି ବନ୍ଦ କରି ମନେ ମନେ ଉଜାଣି ଭାସିବା ।

ତାଙ୍କର ସମସ୍ତ ଗଳ୍ପରେ ସେଇଆ ଘଟିଛି । ଗୋଟେ ବାସ୍ତବ ଘଟଣା ସହ ସମାନ୍ତରାଳରେ ଗାଳ୍ପିକ ଓ ଗଳ୍ପନାୟକ ମିଶି ସେମାନଙ୍କ ଇଚ୍ଛାରେ ଆଉକିଛି ଘଟଣା ଘଟେଇଛନ୍ତି ।

କନ୍‌ହେଇ ମିଥ୍‌ର ସାହାଯ୍ୟ ନେଇ ଦୁଇଟି ଗପ ଲେଖିଛନ୍ତି- ଗୋଟିଏ ‘ଉତ୍ତାନପାଦ’, ଅନ୍ୟଟି ଧୃତରାଷ୍ଟ୍ରର ଆଖି । ଧୃତରାଷ୍ଟ୍ରର ଆଖିରେ ପ୍ରୟୋଗପକ୍ଷ ସାମାନ୍ୟ ଅସ୍ପଷ୍ଟ । କିନ୍ତୁ ଉତ୍ତାନପାଦ ଏକ ସଫଳ ପ୍ରୟୋଗ । ଉତ୍ତାନପାଦ ମଣିଷ ପାଖରେ ସୁନୀତି ଓ ସୁରୁଚିର ଦ୍ୱନ୍ଦ୍ୱ । ସୁନୀତି ସହ ଅଛି ଧ୍ରୁବ । ସୁରୁଚି ସହ ଅଛି ଉତ୍ତମ । କିନ୍ତୁ ଉତ୍ତାନପାଦ ମଣିଷ ସୁରୁଚିର ମାୟାରେ ହିଁ ପଡେ଼ ।

କନ୍‌ହେଇଲାଲଦାସଙ୍କର ସବୁଠାରୁ ଅଧିକ ଥର ପ୍ରକାଶିତ, ଅଧିକ ଆଲୋଚିତ ଓ ଅଧିକ ସ୍ମରଣୀୟ ଗଳ୍ପ ହେଉଛି ‘ପ୍ରୟୋଜନୀୟ ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର’ । ଗପଟିରେ ଦୁଇଟି ଗଳ୍ପଯୁକ୍ତି ଅଛି ।

୧) ଗାଳ୍ପିକ ହେଉଛି ବ୍ରହ୍ମା, ମାନେ ସୃଷ୍ଟିକର୍ତ୍ତା । ୨) ଈଶ୍ୱରଙ୍କ ବିରୋଧରେ ବିଦ୍ରୋହ ।

ଗଳ୍ପ ନାୟକ ଈଶ୍ୱରଙ୍କୁ କୁହେ - ‘ତୁମେ ଗୋଟିଏ ମଣିଷ ହୁଅନ୍ତ କି ? ଠିକ୍ ମୋ ଭଳି ଗୋଟିଏ ମଣିଷ ହୁଅନ୍ତ କି ? ମଜା ବୁଝନ୍ତ । ତା’ ନାହିଁ, ଅଦୃଶ୍ୟରେ କେଉଁଠି ଲୁଚିଛ । ନାକରେ ସୋରିଷ ତେଲ ପକାଇ କେଉଁ ଏକ ସୁନ୍ଦରୀ ତରୁଣୀ କୋଳରେ ଶୋଇ ଘୁଙ୍ଗୁଡ଼ି ମାରୁଛ । କ’ଣ ନା ଈଶ୍ୱର... ଈଶ୍ୱର, ଯିଏ ଯାହା କହନ୍ତୁ ପଛକେ ମୁଁ ଜାଣେ ତୁମେ ମୃତ । ମୁଁ ଆଜି ତୁମକୁ ଜୀବନ୍ୟାସ ଦେବି । ତୁମକୁ ମଣିଷ କରି ଗଢ଼ିବି । ତା’ପରେ ଖୁବ୍ ଅସହାୟ କରି ନିଜ ହାତରେ ତୁମକୁ ଖୁନ୍ କରିବି । ତା’ହେଲେ ବୁଝିବ ମଣିଷର ଦୁଃଖ କେତେ, ଯନ୍ତ୍ରଣା କେତେ । ମଣିଷ କେତେ ନିଃସଙ୍ଗ ଆଉ କେତେ ଅସହାୟ । (ପୃ - ୨୬୧)

ଗଳ୍ପର ପରିଣତି ସେଇଆ ହୋଇଛି । ଗଳ୍ପନାୟକ ହତ୍ୟା କରିଛି ଈଶ୍ୱରଙ୍କୁ । କହ୍ନେଇ ଏ ଗଳ୍ପରେ ପ୍ରଥମ କରି କାହାଣୀ ଭାଗ ଛାଡ଼ିଦେଇ ଅନ୍ୟ କେଉଁ ଭାଗରେ ପରୀକ୍ଷା ନିରୀକ୍ଷା କରିନାହାଁନ୍ତି । ଅଧିକ ବ୍ୟକ୍ତିଗତ କଥା କହିବାକୁ ଯାଇ ଆଦୌ ଦୁର୍ବୋଧ୍ୟ ମନେ ହୋଇ ନାହାଁନ୍ତି । ସରଳ ସାବଲୀଳ ଭାବରେ ଗପଟି ସରିଛି । ସେଇଥିପାଇଁ ଗଳ୍ପଟି ଏତେ ଆଲୋଚିତ, ଏତେ ସଫଳ ।

ତାଙ୍କର ‘ଏକ ବ୍ୟବଚ୍ଛେଦର ଧାରା ବିବରଣୀ’, ‘କର୍ଫ୍ୟୁ’ ଦୁଇଟି ଖୁବ୍ ଭଲ ଗପ । ‘ଏକ ବ୍ୟବଚ୍ଛେଦର ଧାରା ବିବରଣୀ’ର ଏକ ଅଜବ ବ୍ୟବଚ୍ଛେଦର କଥା ରହିଛି । ଅପରେସନ୍ ରେ ହୃଦୟରୁ ସବୁ ବାଜେ ଜିନିଷ ଯଥା - ସୂର୍ଯୋଦୟ, ସୂର୍ଯ୍ୟାସ୍ତ, ଦୁଃଖ, ଅସହାୟତା, ବ୍ୟର୍ଥତା, ନିଃସଙ୍ଗତା, ସ୍ୱପ୍ନ, ଫୁଲ, ଚନ୍ଦ୍ର, ନକ୍ଷତ୍ର, ଆକାଶ ବାହାର କରାଯାଇଛି । ତା’ପରେ ଖୁବ୍ ହାଲ୍‌କା ଲାଗିଛି । ‘ତୁ ହଠାତ୍ ମନେକଲୁ ତୁ ଖୁବ୍ ହାଲୁକା ହୋଇଯାଇଛୁ । ତୁ ଭଲମନ୍ଦର ପାର୍ଥକ୍ୟ ଭୁଲିଯାଇଛୁ । ପୃଥିବୀର ସୁଖ ଦୁଃଖ ଯନ୍ତ୍ରଣା ଅସହାୟତା ନିଃସଙ୍ଗତାର ଅର୍ଥ ଭୁଲିଯାଇଛୁ । ତୁ ଦେଖିଲୁ ଡ୍ରେସିଂ ଟେବୁଲ୍ ସାମ୍ନାରେ ଛିଡ଼ାହୋଇ ଡାକ୍ତରାଣୀ ସାୟା ପିନ୍ଧୁଛନ୍ତି । ତୁ ଉଠିପଡ଼ିଲୁ । ତାଙ୍କୁ ଭିଡ଼ି ଆଣିଲୁ । ଡ୍ରେସିଂ ଟେବୁଲ୍ ଉପରେ ପକାଇଦେଲୁ ଓ ତୋ ଜୀବନର ପ୍ରଥମ ... ସେଇଠି ସେଇ ମୁହୂର୍ତ୍ତରେ ସମ୍ପାଦନ କଲୁ । (ପୃ ୨୮୩)

କନ୍‌ହେଇଙ୍କର ଦୁଇଟି ଉପନ୍ୟାସ ଅଛି ଆମ ହାତରେ । ଗୋଟିଏ ଆହତ ସ୍ୱପ୍ନ ଓ ଅନ୍ୟଟି ଦୁର୍ଘଟଣା । ‘ଆହତ ସ୍ୱପ୍ନ’ ଉପନ୍ୟାସ ଲେଖିବା ପାଇଁ ପ୍ରସ୍ତୁତିରେ ପ୍ରସ୍ତୁତିରେ ଶେଷ ହୋଇଛି । ପ୍ରଥମରୁ ସେ ଲେଖିଛନ୍ତି; ‘ଉପନ୍ୟାସ ଲେଖିବି ବୋଲି ଅନେକ ଥର ଅନେକ ପ୍ରକାର ଚିନ୍ତା କରି ଅଟକି ଯାଇଛି । ଭାବିଛି ଗଳ୍ପ ଲେଖିଦେଲି ବୋଲି ଉପନ୍ୟାସ ବି ଲେଖି ପକାଇବି ? ମୋର ମନେ ହୁଏ ଗଳ୍ପ ଯଦି କୁଟୀର ଶିଳ୍ପ, ଉପନ୍ୟାସ ଏକ ବିରାଟ କାରଖାନା ।’ (ପୃ-୩୧୨)

ଉପନ୍ୟାସ ସରେ । ସରିବା ସ୍ଥାନରୁ ଔପନ୍ୟାସିକ ଭାବନ୍ତି ଏଥର ଉପନ୍ୟାସ ଲେଖା ଆରମ୍ଭ କରାଯାଇପାରେ । ‘ଦୁର୍ଘଟଣା’ ଉପନ୍ୟାସରେ ନାୟକ ଅନେକ ଘଟଣାର ସନ୍ଧାନରେ ଥାଏ । ଅନେକ ସ୍ୱପ୍ନର କୋଲାଜ୍ ଏହି ଉପନ୍ୟାସଟି ।

କନ୍‌ହେଇଲାଲ ଦାସ ଗଳ୍ପର ନାମକରଣରେ ବେଶ୍ ପରୀକ୍ଷା ନିରୀକ୍ଷା କରିଛନ୍ତି । କେତୋଟି ଗଳ୍ପର ନାମକରଣ ଖୁବ୍ ଲମ୍ବା । ଯଥା; (୧) କେଶବତୀ କନ୍ୟାର ରକ୍ତ ମାଂସକୁ ନେଇ ହୃତପିଣ୍ଡହୀନ ଏକାନ୍ତ ବ୍ୟକ୍ତିଗତ ଆଦିମ ମୁହୂର୍ତ୍ତ, (୨) ମୁଁ, ପାଣିକଳ, ହାତଘଣ୍ଟା ଓ ଅସୀମାକୁ ନେଇ ଇତିହାସର ଆଉ ଏକ ଅଲେଖା ଅଧ୍ୟାୟ, (୩) ଅଫେରା ଚାରୋଟି ପାଦରେ ମୁକ୍ତ ରଙ୍ଗୀନ ଆକାଶ ପାଇଁ ବେଳାଭୂମିର ବେଲୁନବାଲା ଓ ଚଣାବିକାଳି ଝିଅ, (୪) ଚେରୀପା ଚେରୀପା ଚେରୀପା ଚେରୀପା ଚେରୀପା, (୫) ଏକ ବିଗ୍ରହହୀନ ମନ୍ଦିର ସାମ୍ନାରେ ମାଲବୋଝେଇ ଲରୀଟାର କିଛି ସମୟ ଅଟକି ଯାଇଥିବାର ଦୃଶ୍ୟ ।

କନ୍‌ହେଇଙ୍କ ଆଗରୁ ଓଡ଼ିଆ ଗଳ୍ପରେ ଏକାବେଳକେ ଏତେ ବାଗରେ କେହି ପରୀକ୍ଷା ନିରୀକ୍ଷା କରିନାହାଁନ୍ତି । ତଥାପି କନ୍‌ହେଇଙ୍କ ଗଳ୍ପରେ କାହାଣୀ ଅଂଶ ଦୁର୍ବଳ । ସେ ଆଦୌ କାହାଣୀ କହିବା ପାଇଁ ଗଳ୍ପ ଲେଖି ନାହାଁନ୍ତି । ନିଜକୁ ପ୍ରକାଶିବା ହିଁ ଯେମିତି ତାଙ୍କ ଲେଖକୀୟ କର୍ମ । କହ୍ନେଇଙ୍କ ଗଳ୍ପ ପଢ଼ିସାରିଲା ପରେ ସବୁ ଗୋଳମାଳ ହୋଇଯାଏ । ସବୁ ଗଳ୍ପ ଗୋଟିଏ ଗୋଟିଏ ଶିରୋନାମା ସତ୍ତ୍ୱେ ମିଶି ଏକାକାର ହୋଇଯାଏ । ମାତ୍ର ଗୋଟେ ଦୁଇଟି ଗଳ୍ପ ମନେ ରୁହେ । ଅନ୍ୟଗୁଡ଼ିକ ଛାପି ଛାପି ମନେ ରୁହନ୍ତି ପୁଣି ମନେରୁହନ୍ତିନି । କେବଳ ଅଣନିଃଶ୍ୱାସୀ ଆଉ ଛାତିରେ ଉଦାସ ଭାବଟେ ଲାଗି ରୁହେ । ବାସ୍ ସେତିକି ।

‘କନ୍‌ହେଇ କଥାଘର’ରେ ସମ୍ପାଦକ ଦ୍ୱୟ ପ୍ରଥମ ସଂସ୍କରଣରେ ଉଲ୍ଲେଖ କରିଛନ୍ତି - କନ୍‌ହେଇଙ୍କ ଗଳ୍ପ ଫାଇଲ୍ ହଜିଯାଇଛି । କନ୍‌ହେଇଙ୍କ ମୃତ୍ୟୁପରେ ଗପ ଫାଇଲ ଚୁମ୍ବକର ସମ୍ପାଦିକା ଶୈଳବାଳା ମହାନ୍ତିଙ୍କ ପାଖରେ ଥିଲା । କିନ୍ତୁ ଶୈଳବାଳା ମହାନ୍ତିଙ୍କ ବିୟୋଗ ପରେ କନ୍‌ହେଇଙ୍କ ଜଣେ ବନ୍ଧୁ ଫାଇଲ ମାଗିନେଇ ଆଉ ଫେରାଇ ନାହାନ୍ତି । ତା’ମାନେ ଆହୁରି କିଛି ଗଳ୍ପ ଆମମାନଙ୍କ ଆଖି ଆଢ଼ୁଆଳରୁ ଚାଲିଯାଇଛି । ଅବଶ୍ୟ ସେସବୁ ଥିଲେ କନ୍‌ହେଇଙ୍କୁ ଆହୁରି ଅଧିକ କରି ଜାଣିହୋଇଥାନ୍ତା । ଅଧିକା କିଛି ଗପ ପଢିବାର ସୁଯୋଗ ମିଳିଥା’ନ୍ତା ।

କନ୍‌ହେଇଙ୍କ ଦିନଲିପିର ଭାଷା - ଭାବ - ଅନୁଭବ - ଚରିତ୍ରମାନେ ଅବିକଳ ଯେମିତି ତାଙ୍କ ଗଳ୍ପମାନଙ୍କରେ ଆତଯାତ ହେଉଛନ୍ତି । ତେଣୁ ଦିନଲିପି ପଢ଼ିଲା ପରେ କନ୍‌ହେଇଙ୍କ ଗଳ୍ପ ବେଶୀ ବୁଝିହେବ । କାରଣ ତାଙ୍କର ପ୍ରତ୍ୟକ୍ଷ ଅନୁଭବ ଅନୁଭୂତି ହିଁ ତାଙ୍କ ଗଳ୍ପସାହିତ୍ୟର ଭିତ୍ତିଭୂମି ।

କନ୍‌ହେଇଙ୍କ ଗଳ୍ପମାନସକୁ ନେଇ କିଛି ଆଲୋଚନା କରିବା ଯେତେ ସହଜ ଭାବିଥିଲି କର୍ମଟି ସେତେ ସହଜ ମନେହେଲାନି । ଅନେକ ସମୟରେ ମୁଗ୍ଧ ପାଠକୀୟ ମତାମତ ଭିତରୁ ମୁଁ ମୁକୁଳି ପାରିଲିନି । ତଥାପି ପାଠକୀୟ ମତାମତ ବି ପୁଣି ଥରେ କାହାକୁ କାହାକୁ କନ୍‌ହେଇଙ୍କୁ ମନେପକେଇବାକୁ କିମ୍ବା କାହା କାହା ଭିତରେ କନ୍‌ହେଇଙ୍କୁ ପୁଣି ଥରେ ପଢ଼ିବାକୁ ଇଚ୍ଛାଟିଏ ଉଦ୍ରେକ କରାଇବ । ସେତିକି ହେଲେ ବି ଖୁବ୍ ।