ଫଟୋ - କନ୍‌ହେଇର କଥାଘର

ମୁଁ ବାସ୍ତବରେ ଯାହା ପାଏନି ସେସବୁ ମୁଁ ସ୍ୱପ୍ନରେ ପାଇପାରିବି । ସେ ସ୍ୱପ୍ନ ସବୁ ପୁଣି ମୋ ଇଚ୍ଛାଧୀନ । ତଥାପି ଇଚ୍ଛାନୁସାରେ ସବୁବେଳେ ଘଟଣା ଘଟେନି । କିଛି ଘଟଣା ଘଟୁ ନଥିବା ଓ ଘଟଣା ଘଟାଇବାର ଇଚ୍ଛାକୁ ନେଇ କନ୍‌ହେଇଙ୍କର ଗୋଟିଏ ଚମତ୍କାର ଗଳ୍ପ ‘ଘଟଣା’ । ‘ଘଟଣାହୀନ ହୋଇ ବଞ୍ଚିବା ମୁସ୍କିଲ୍ । ଖାଇସାରି ହାକୁଟି ମାରିବା ଯଦି ଗୋଟିଏ ଘଟଣା ହୁଅନ୍ତା । ପରିସ୍ରା କରି ପେଣ୍ଟ୍ ବୋତାମ ଲଗାଇ ଇଉରିନାଲ୍ରୁ ବାହାରି ଆସିବା ଯଦି ଘଟଣା ହୁଅନ୍ତା, ଆଉ ଏସବୁ ଘଟଣାକୁ ନେଇ ଯଦି ବଞ୍ଚି ହୁଅନ୍ତା ତା’ହେଲେ କିଛି ଅସୁବିଧା ନଥିଲା ।’ (ପୃ-୨୨୯)

ସେଇଥିପାଇଁ ଗଳ୍ପନାୟକ ଖରାବେଳେ ପାର୍କରେ ଖେଳୁଥିବା ସାନଝିଅ ସାଙ୍ଗରେ କିଛି ଘଟଣା ଘଟାଇବାକୁ ଇଚ୍ଛା କରେ । ଓ ଶେଷରେ ପ୍ୟାଣ୍ଟ ବୋତାମ୍ ଖୋଲି କୁନ୍ଥେଇ କୁନ୍ଥେଇ ପାର୍କରେ ଗୋଲାପ ଫୁଲ ଉପରେ ପରିସ୍ରା କରି ପାର୍କରୁ ବାହାରେ । (ଏକ ବ୍ୟବଚ୍ଛେଦର ଧାରା ବିବରଣୀ...)

କନ୍‌ହେଇଙ୍କର ଗଳ୍ପ କାହାଣୀ ପ୍ରଧାନ ନୁହେଁ । କାହାଣୀ ଭାଗ ଗୌଣ । ସ୍ୱପ୍ନରେ ଦୌଡ଼ିଲା ପରି ତାଙ୍କ ଗଳ୍ପ । ଭୀଷଣ ଜୋରରେ ଦୌଡୁଥିବ ଅଥଚ ଦୌଡ଼ା ସରୁ ନ ଥିବ । କନ୍‌ହେଇଙ୍କ ଗପ ଖୁବ୍ ଜୋର୍‌ରେ ପଢ଼ି ହୋଇଯାଏ । ଅଣନିଶ୍ୱାସୀ ଲାଗେ । ଗପରେ ବ୍ରିଦିଙ୍ଗ୍ ସ୍ପେସ୍ ଆଦୌ ନଥାଏ ।

କ୍ଷୁଦ୍ରଗଳ୍ପ ଗଠନରୀତିର ନିୟମକୁ ସେ ମାନିନାହାଁନ୍ତି । ଓଡ଼ିଶା କ୍ଷୁଦ୍ରଗଳ୍ପ ପାଇଁ ସେ ଯେଉଁ ସାହସିକ ଶକ୍ତିପରୀକ୍ଷା କରିଥିଲେ ତା’ର ସୁଫଳ ଥିଲା ସୁଦୂରପ୍ରସାରୀ । ସବୁ ଭାଙ୍ଗି ପୁଣି କିଛି ନୂଆ କରିବାର କଳା ସେ ଜାଣିଥିଲେ । ସୌଭାଗ୍ୟ ମିଶ୍ରଙ୍କ ଭାଷାରେ - ପୁଣି ‘ସେ ଭାଷାକୁ ନେଇ ପରୀକ୍ଷା କରିଛି, ଶୈଳୀ ବଦଳାଇ ଦେବାକୁ ଚେଷ୍ଟା କରିଛି, ବେଳେବେଳେ ଲକ୍ଷ୍ୟହୀନ ଭାବରେ ପଡ଼ିଛି । କିନ୍ତୁ ଏ ସମସ୍ତ ଚେଷ୍ଟା ଅପଚେଷ୍ଟା ଭିତରେ ମୁଁ ଲକ୍ଷ୍ୟ କରିଛି ଏକ ଘନିଷ୍ଠକୋମଳତା, ମଣିଷ ଜୀବନ ପ୍ରତି ଏକ ସ୍ନେହୀ ଆକର୍ଷଣ । ଏଇ ଗୁଣଟି ଯୋଗୁଁ ବୋଧେ କନ୍‌ହେଇର ଲେଖା ଏତେ ଜନପ୍ରିୟ ।’ (ସ୍ୱର୍ଗତ କନ୍‌ହେଇଲାଲ ଦାସ: ଏକ ସ୍ମୃତିଚାରଣ, ସୌଭାଗ୍ୟ କୁମାର ମିଶ୍ର, କନ୍‌ହେଇନାମା, ପୃ - ୨୭)

କନ୍‌ହେଇଙ୍କ ଗଳ୍ପରେ ଅଛି ଏକ ଅନବରତ ଅନ୍ୱେଷଣର କଥା । ଅଥଚ କ’ଣ ପାଇଁ କାହା ପାଇଁ ସେ ଅନ୍ୱେଷଣ, ଆଦୌ ବୁଝାପଡେ଼ନି । ଖୁବ୍ ଅସ୍ପଷ୍ଟ ସେ କଥାଟି ।

‘ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ’ ଗଳ୍ପରେ ସେ ପ୍ରଥମରୁ କହି ରଖୁଛନ୍ତି -‘ଜୀବନରେ ଅନେକ ଭଲ ମୁହୂର୍ତ୍ତ ଆସିଲେ ବି ଗୋଟିଏ ଦୁଇଟି ମୁହୂର୍ତ୍ତ କେବଳ ପ୍ରକୃତ ଭାବେ ଭଲ ପାଇବାର, ଅନ୍ୟଗୁଡ଼ିକ ସେଇ ଭଲ ପାଇବାର ପ୍ରସ୍ତୁତି ଓ ଫଳାଫଳ' ।

ଏଇ ଛୋଟିଆ କଥାଟିର ବ୍ୟାପ୍ତି ତାଙ୍କର ସମଗ୍ର ଗଳ୍ପ ସାହିତ୍ୟରେ ରହିଛି । ତାଙ୍କର ସବୁ ଗଳ୍ପ ଯେ‌ମ୍‌ତି‌ ସେଇ ପ୍ରକୃତ ଭାବେ ଭଲପାଇବା ଓ ଭଲପାଇବାର ପ୍ରସ୍ତୁତି କିମ୍ବା ଭଲପାଇବାର ଫଳାଫଳକୁ ନେଇ ରଚିତ ।

‘ସେଇ ଅନିବାର୍ଯ୍ୟ ରକ୍ତଚକ୍ଷୁ’ ଗଳ୍ପରେ ଗଳ୍ପନାୟକ ଶୁକ୍ରବାରକୁ ଭୟ କରେ । ସବୁକିଛି ଅଶୁଭ କଥା ତା’ ପାଇଁ ଶୁକ୍ରବାରରେ ହିଁ ଘଟେ । ‘କୁକୁର ମୁଁ ଓ ଚନ୍ଦ୍ର’ ଗଳ୍ପରେ ଗଳ୍ପନାୟକ ସ୍ୱୀକାର କରେ ଯେ ମଣିଷ କୁକୁରଠାରୁ ହୀନ । ମଣିଷର ଅଜବ ଚରିତ୍ର - କିଛି ବି କରିପାରେ ସେ, କିଛି ବି । ଆଶ୍ରୟଦାତାର ପିଠିରେ ଛୁରୀ ଭୁସିପାରେ । ବନ୍ଧୁର ପ୍ରେମିକାକୁ ଅସହାୟ ଅବସ୍ଥାରେ ରମଣ ବି କରିପାରେ ।

କନ୍‌ହେଇ ଝିଅମାନଙ୍କ ମନସ୍ଥିତି, ଚରିତ୍ର ଓ ମନୋଭାବ ଉପରେ କିଛି ମତ ଦେଇଛନ୍ତି । ଯେମିତି ‘ଗଳ୍ପର ଗଳ୍ପ’ରେ -

  1. ‘ଅନେକ ସ୍କୁଲ୍ ଝିଅ କଲେଜ ପିଲାଙ୍କ ପାଖରେ ଟ୍ୟୁସନ୍ ହୁଅନ୍ତି । ଆଉ ସେଇମାନେ ହିଁ ପ୍ରେମ କରନ୍ତି ବେଶୀ' ।

  2. ‘ଝିଅମାନେ ପୁଅମାନଙ୍କ ଅପେକ୍ଷା କଥା କୁହନ୍ତି ବେଶୀ' ।

  3. ‘ନାରୀ ବୋଧହୁଏ ଚାହେଁ ଯେଉଁ ପୁରୁଷ ଦ୍ୱାରା ପେଷିତ ହୋଇ ଗୋଟିଏ ଆଶ୍ରୟହୀନ ଲତା ପରି ଅସହାୟ ହୋଇପଡ଼ିବ, ସେଇ ପୁରୁଷ ହିଁ ତା’ର ପ୍ରେମାର୍ଘ୍ୟ ନିବେଦନର ଯୋଗ୍ୟ ଅଟନ୍ତି' । କିମ୍ବା

  4. ନାରୀ ସମ୍ଭୋଗ ଚାହେଁ, ନାରୀ କେବଳ ପ୍ରାଚୁର୍ଯ୍ୟ ଚାହେଁ, ସୁଖ ଚାହେଁ । ସୂକ୍ଷ୍ମ ଭାବପ୍ରବଣତା କେବଳ ସୁଖ ପାଇଁ ସେମାନେ ଦେଖନ୍ତି । (ଆହତ ସ୍ୱପ୍ନ ପୃ-୩୭୮)

କେବଳ ନାରୀ ନୁହେଁ ଜୀବନ - ମୃତ୍ୟୁ - ସଂପର୍କ - ପ୍ରେମ ଆଦିକୁ ନେଇ କହ୍ନେଇଙ୍କର ନିଜସ୍ୱ ମତାମତ ରହିଛି ।

କନ୍‌ହେଇ ଯୁବାବୟସରେ ମୃତ୍ୟୁମୁଖରେ ପଡ଼ିଲେ । ତେଣୁ ସେ ବେଶୀଭାଗ ଜୀବନ ଭୋଗି ପାରିନଥିଲେ । ଗୋଟେ ଯୁବକର ବ୍ୟକ୍ତିଗତ ସମସ୍ୟା ହିଁ ତେଣୁ କନ୍‌ହେଇଙ୍କ ଗଳ୍ପର ସମସ୍ୟା । ତାଙ୍କ ‘ପ୍ରୟୋଜନୀୟ ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର’ ଗଳ୍ପରେ ଈଶ୍ୱରଙ୍କ ସମସ୍ୟା ମଧ୍ୟ ପ୍ରେମ, ଚାକିରି ଓ ନିଃସଙ୍ଗତାକୁ ନେଇ । ତେଣୁ ବେଶୀ କିଛି ଚମତ୍କାର ଚରିତ୍ର, ବେଶୀ କିଛି ସାମାଜିକ ଦାୟବଦ୍ଧତା ଆମେ ତାଙ୍କ ଗଳ୍ପରେ ପାଇବାନି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ ତାଙ୍କ ସୃଜନ ପ୍ରତିଭାକୁ ଦେଖି । ଆଜି କିଛି ପ୍ରତିଷ୍ଠିତ ଗାଳ୍ପିକ ସ୍ୱୀକାର ହୁଏତ କରିବେନି ଯେ ସେମାନେ କନ୍‌ହେଇ ଆରମ୍ଭ କରିଥିବା ପରୀକ୍ଷା ନିରୀକ୍ଷାକୁ ନେଇ ଛିଡ଼ା ହୋଇଛନ୍ତି ।

ହଁ, ଏଥର ଆଉ କିଛି ଗଳ୍ପମାନଙ୍କ ପାଖକୁ ଯିବା । ଜନ୍ମରୁ ମଣିଷ ଗୋଟେ ସିଡ଼ି ଅନବରତ ଚଢ଼ି ଚାଲେ । ସିଡ଼ିର ଗୋଟେ ଗୋଟେ ଫଳିରେ ଗୋଟେ ଗୋଟେ ବୟସ । ଶେଷ ଫଳିରେ ପହଞ୍ଚିଲା ପରେ - ‘ସେ ଆକାଶକୁ ଲମ୍ଫପ୍ରଦାନ କରେ । ଦେହ ଆଉ ମନର ସବୁ ଗଣ୍ଠି ହୁଗୁଳା ହୋଇଗଲା । ସବୁ ଚିନ୍ତା ବନ୍ଧନ ତୁଟିଗଲା । ସେ ଅନୁଭବ କଲେ ତାଙ୍କ ପାଦତଳେ ଆଉ ଭୂମି ନାହିଁ । କେବଳ ତଳ ବଗିଚାରେ ଅନେକ ଫୁଲ ଫଳର ଆକାଶ, ଉପରେ ଅନେକ ନକ୍ଷତ୍ରର ଆକାଶ, ତାଙ୍କ ନିଜ ଭିତରେ ଅନେକ ଶବ୍ଦର ଆକାଶ...’ (ସେ ସିଡ଼ିରେ ଚଢ଼ିଲେ ପୃ-୬୧)

ଜୀବନକାଳକୁ ଗୋଟେ ସିଡ଼ି ଚଢ଼ା କର୍ମ ସହ ତୁଳନା ଖୁବ୍ ସଂପ୍ରେଷଣକ୍ଷମ ଏଠାରେ । କନ୍‌ହେଇଙ୍କର କେତୋଟି ଶ୍ରେଷ୍ଠଗଳ୍ପ ମଧ୍ୟରେ ‘ଏକ କେଶବତୀ କନ୍ୟାର ରକ୍ତମାଂସକୁ ନେଇ ହୃତ୍‌ପିଣ୍ଡହୀନ ଏକାନ୍ତ ବ୍ୟକ୍ତିଗତ ଆଦିମ ମୁହୂର୍ତ୍ତ’ ଗଳ୍ପଟି ଅନ୍ୟତମ । କନ୍‌ହେଇଙ୍କ ପ୍ରାୟ ଅନ୍ୟଗଳ୍ପ ପରି ଏ ଗଳ୍ପଟି ମଧ୍ୟ ତାଙ୍କ ଭିତରେ ହିଁ ସଂଗଠିତ ହୋଇଛି । କନ୍‌ହେଇଙ୍କ ଗଳ୍ପର ଚରିତ୍ରମାନେ ଖୁବ୍ ଆଜ୍ଞାଧୀନ । ସେମାନେ ଗାଳ୍ପିକର ଇଚ୍ଛାକୁ ଖୁବ୍ ସମ୍ମାନ ଦେଇଛନ୍ତି, ଖୁବ୍ ମାନିଛନ୍ତି ।

କନ୍‌ହେଇ କେବଳ ପ୍ରେମ ଓ ମୃତ୍ୟୁର ଗପ ଲେଖିନାହାଁନ୍ତି । ତାଙ୍କର କିଛି ଗଳ୍ପରେ ସମାଜ ଦ୍ୱାରା ଉପେକ୍ଷିତ ନିସ୍ପେଷିତ ଗଳ୍ପନାୟକ ବିଦ୍ରୋହ କରିବାକୁ ବି ଇଚ୍ଛା କରିଛି । - ‘ଉତ୍ତମଶା, ତା’ପରେ ମୋତେ ଇଚ୍ଛା ହେଉଥିଲା, ଯେକୌଣସି ଲୋକର ପକେଟ୍‌ରେ ହାତ ପୂରେଇ ଦିଅନ୍ତି । ଘଣ୍ଟାରେ ଷାଠିଏ କିଲୋମିଟର ବେଗରେ ଛୁଟି ଯାଉଥିବା କାର୍‌କୁ ଅଟକାଇ ତା’ ଭିତରେ ଆଭିଜାତ୍ୟ ସୁନ୍ଦରୀକୁ ଧର୍ଷଣ କରନ୍ତି । ତୋ ବାପା ଭଳି ଯେ କୌଣସି ଚଷମା ଲଗା ବୃଦ୍ଧର ତଣ୍ଟି ବ୍ଲେଡ୍‌ରେ କାଟି ପକାନ୍ତି ।’ (ନୂଆ ଠିକଣା ପୃ-୭୬)

ଘଟଣା ଓ ପରିବେଶାନୁସାରେ କନ୍‌ହେଇଙ୍କର ବ୍ୟକ୍ତିଗତ ଦର୍ଶନ ଅନେକ ସମୟରେ ବଦଳିଛି । ବଦଳିବା ସାଙ୍ଗରେ ତାଙ୍କ ଗଳ୍ପ ବି ପ୍ରଭାବିତ ହୋଇଛି । ତେଣୁ ଗୋଟିଏ ଘଟଣାକୁ ନେଇ ଭିନ୍ନ ସମୟ ତାଙ୍କ ଦୃଷ୍ଟିକୋଣରେ ଭିନ୍ନତା ଆଣିଛି । କିନ୍ତୁ ମୃତ୍ୟୁ ଓ ପ୍ରେମ ପ୍ରତି ତାଙ୍କ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସିନି । ପ୍ରେମ ଓ ମୃତ୍ୟୁ ଖୁବ୍ ପାଖାପାଖି ହାତଧରି ଚାଲିଛନ୍ତି କନ୍‌ହେଇଙ୍କର । ମୃତ୍ୟୁ ଓ ଜୀବନ ପ୍ରତି ତାଙ୍କ ଦୃଷ୍ଟିକୋଣ ଦେଖନ୍ତୁ -

'ମୋତେ ମନେହେଲା ପୃଥିବୀର ସବୁଟା ମିଛ । ‘ରାମନାମ ସତ୍ୟ ହୈ’ ବି ମିଛ । ଶରୀରଟା ହିଁ ସତ୍ୟ । ଶରୀରର ସ୍ଥିତି ବିନା ପୃଥିବୀର ସବୁ ଶୂନ୍ୟ, କିଛି ମାନେ ହୁଏନା । ସୂକ୍ଷ୍ମ ଭାବପ୍ରବଣତା ନିରର୍ଥକ । ଦେହର ଦାହ, ପ୍ରାପ୍ତି, ଉପଭୋଗ ଇତ୍ୟାଦି ସ୍ଥୂଳ ଉପଲବ୍ଧି ହିଁ ପ୍ରକୃତ ବସ୍ତୁ । ମନ, ହୃଦୟ, ବିବେକର ସୂକ୍ଷ୍ମ ଆକାଂକ୍ଷା, ନାନ୍ଦନିକତା, ତନ୍ମୟତା ଅର୍ଥହୀନ । ଚରିତ୍ର, ନ୍ୟାୟ, ପୁଣ୍ୟ ଇତ୍ୟାଦି ଶବ୍ଦ ମୃତ୍ୟୁ ପାଇଁ ନିରର୍ଥକ । ମୃତ୍ୟୁ ଅବଶ୍ୟମ୍ଭାବୀ । ମଣିଷର ସବୁ ନ୍ୟାୟ, ଧର୍ମବୋଧ, ପବିତ୍ରତା ସତ୍ତ୍ୱେ ଯଦି ଅତର୍କିତ ମୃତ୍ୟୁ ଆସେ, ତା’ହେଲେ ଜୀବନକୁ ଉପଭୋଗ କରି, ଅଭିଳାଷରେ ପୂର୍ଣ୍ଣତା ଆଣି ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଉଚିତ୍' । (ନୂତନ ଉତ୍ସବ ପୃ-୯୭)

ଏମ୍‌ତି ଏକ ଚାର୍ବାକୀୟ ଦର୍ଶନ ତେବେ କ’ଣ କନ୍‌ହେଇଙ୍କୁ ସତରେ ନିୟନ୍ତ୍ରିତ କରୁଥିଲା ? ଅବଶ୍ୟମ୍ଭାବୀ ମୃତ୍ୟୁ ପାଇଁ କ’ଣ ସେ ତେବେ ଜୀବନକୁ ତିଳ ତିଳ କରି ଉପଭୋଗ କରିବାକୁ ଚାହୁଁଥିଲେ ?