ଫଟୋ - କନ୍‌ହେଇର କଥାଘର

କନ୍‌ହେଇ ଆସିଥିଲେ ଗୋଟିଏ ଗରିବ ପରିବାରରୁ । ସେଠି ଥିଲେ ତାଙ୍କର ବିଧବା ମା’ ଓ ଭାଇଭଉଣୀ । ଦାରିଦ୍ର୍ୟକୁ ସେ ଦେଖିଥିଲେ ଖୁବ୍ ପାଖରୁ । ଅତି ନିକଟରୁ ।

“କନ୍‌ହେଇ ଥିଲା ତାଙ୍କ ବଂଶର ଏକମାତ୍ର ଓ ଚାକିରିଆ ପୁଅ । ଘରେ ବୁଢ଼ୀ ମା’ । ତା’ର ଥିଲା ଅନେକ ପାରିବାରିକ ହତାଶା ଓ ଅସହାୟତା । ତେଣୁ ସେ ଗାଁକୁ ଯିବା ବନ୍ଦ କରି ଦେଇଥିଲା ଏବଂ ଆର୍ଥିକ ଅବସ୍ଥା ବି ତା’ର ଖୁବ୍ ଭଲ ନଥିଲା । ସେ ସନ୍ଧ୍ୟା ଓଳିର ଜଳଖିଆ ବନ୍ଦ କରି ଦେଇଥିଲା, ସିଗାରେଟ୍ ବନ୍ଦ କରିଦେଇଥିଲା ଏବଂ ବେଳେବେଳେ ଦୁଃଖରେ କହୁଥିଲା - ମୋର ଛିଡ଼ା ହେବା ପାଇଁ ନିଜର ବୋଲି ଜାଗା ଟିକକ ବି ନାହିଁ । ଯାହା ଥିଲା ସବୁ ଯାଇଛି ।” (କନ୍‌ହେଇ ସ୍ମରଣେ - ଜଗଦୀଶ ମହାନ୍ତି - କନ୍‌ହେଇନାମା - ପୃ - ୩୯)

ନିଜର ବ୍ୟକ୍ତିଗତ ଦୁଃଖ, ଶୋକ ଓ ଅପ୍ରାପ୍ତିକୁ ନେଇ କନ୍‌ହେଇଙ୍କ ଗଳ୍ପ । କନ୍‌ହେଇଙ୍କୁ ଖୁବ୍ ପାଖରୁ ଜାଣିଥିବା ଲୋକମାନେ କୁହନ୍ତି - କନ୍‌ହେଇ କିନ୍ତୁ ଖୁବ୍ ଖୁସ୍ ମିଜାଜର ପିଲା ଥିଲେ । ସବୁବେଳେ ହସୁଥିଲେ । ଉପରେ ହସ ଚହଟାଉ ଥିଲେ ବି ଛାତି ଭିତରେ ତାଙ୍କର ଅନେକ ପ୍ରକାର ଦୁଃଖ ଥିଲା । ସେ ଦୁଃଖମାନଙ୍କୁ ନେଇ ସେ ଗପ ଲେଖୁଥିଲେ । “ଯେତେବେଳେ ଗାଁରୁ ଚିଠି ଆସେ । ପଇସା ଅଭାବରୁ ଚୁଲି ଜଳୁନାହିଁ କିମ୍ବା ମା’ଙ୍କର ଇଞ୍ଜେକସନ୍ ଦରକାର ଅଥବା ମୋ ପ୍ରେମିକାର ବାପା ହଠାତ୍ କେଉଁ ଏକ ଅଭିଜାତ ଘରକୁ ତାଙ୍କ ଝିଅର ଫଟୋ ଓ ଜାତକ ପଠେଇ ଦେଇଛନ୍ତି; ମୁଁ ଚୁପଚାପ୍ ବସି କାନ ଡେରି ଶୁଣେ ମୋ ଭିତରେ ମହାଦେଶରେ କେମିତି ଗୋଟିଏ ପ୍ରକାର କାରଖାନା ଚାଲିଛି ।” (ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ)

“ନୂଆ ଠିକଣା” ଗଳ୍ପରେ ଗଳ୍ପନାୟକକୁ ଚାକିରି ମିଳେନା । ପ୍ରେମିକାର ବାପା ପ୍ରଶ୍ନ କରେ କେତେ ଦରମା ପାଉଛ ? ଗଳ୍ପନାୟକ ମନେପକାଏ - “ମୋ ମା’ ଗାଧୋଇ ଆସି ତୋରାଣି ପିଏ । ମୋ ଭଉଣୀ ଅନ୍ୟଘରେ ଅଇଁଠା ବାସନ ମାଜେ । ସବା ସାନ ଭଉଣୀ ଅନ୍ୟର କଲମ ଚୋରି କରି ମାଡ଼ ଖାଏ ।” (ନୂଆ ଠିକଣା)

କନ୍‌ହେଇଙ୍କର ହୁଏତ ଗୋଟେ ବଦ୍ଧମୂଳ ଧାରଣା ଥିଲା ତାଙ୍କୁ ଠିକ୍‌ରେ କେହି ବୁଝିପାରୁନାହାଁନ୍ତି । ବେଶୀ କରି ତାଙ୍କ ପ୍ରେମିକାମାନଙ୍କ ଉପରେ ଅଭିଯୋଗ । ସତରେ ତାଙ୍କୁ କେହି ବୁଝିପାରିଲେନି । କନ୍‌ହେଇ ସିଧାସଳଖ କିଛି କହୁ ନଥିଲେ । ତାଙ୍କ ଗଳ୍ପ ସବୁ ଲାଗେ ଯେମିତି ଗଳ୍ପ ଲେଖା ପୂର୍ବର ପ୍ରସ୍ତୁତି କିମ୍ବା ଗଳ୍ପ ଲେଖା ପରର ପ୍ରତିକ୍ରିୟା ।

ଗୋଟେ ଅଧା ଅନ୍ଧାର ଅଧା ଆଲୋକ ପଡ଼ିଥିବା ଛବି ପରି କନ୍‌ହେଇଙ୍କ ଗଳ୍ପ । ପାଠକକୁ ଆଲୋକିତ ଅଂଶର ରେଫେରେନ୍ସରେ ଅନ୍ଧକାର ଅଂଶକୁ ଠାବ କରିବାକୁ ହୁଏ ।

ମଣିଷକୁ ଯଦି ପ୍ରଶ୍ନ କରାଯାଏ, ସେ ସବୁଠାରୁ କାହାକୁ ଅଧିକ ଭୟ କରେ - ତେବେ ତା’ର ଉତ୍ତର ହେଉଛି ସେ ନିଜେ । ସେଇଥିପାଇଁ ନିର୍ଜନତାକୁ ଡରେ ମଣିଷ । ନିର୍ଜନତାକୁ ଭୟ କରେ ବୋଲି ନିଃସଙ୍ଗତା ଏକଲାପଣ ପୀଡ଼ା ଦିଏ । ମୁଁ ଯାହା ଚାହିଁଛି ତାହା ଘଟୁନି । ମୁଁ ଯାହା ଚାହୁଁଛି ତାହା ମିଳୁନି । ମୁଁ ଯାହା ହେବାକୁ ଚାହିଁଥିଲି ତାହା ହୋଇପାରିଲିନି । ମୋତେ କେହି ବୁଝିପାରିଲେନି । ଏସବୁ ‘ମୁଁ’କୁ ନେଇ ଅନୁଭବ । ଏ ଅନୁଭବ କନ୍‌ହେଇଙ୍କର ତୀବ୍ର ଥିଲା ।

ଜାନୁଆରୀ ୩, ୧୯୭୩ ବୁଧବାର ଦିନଲିପିରେ କନ୍‌ହେଇ ଲେଖିଛନ୍ତି; “ମୁଁ ଚାହେଁ, ମୁଁ ଯେପରି କାହାରି ପାଇଁ ଜୀବନସାରା ଦୁଃଖ ପାଏ । ସେଥିରେ ମୋର ପରିତୃପ୍ତି । ମୁଁ ଜାଣେ, ମୋତେ ସମସ୍ତେ ପ୍ରଥମେ ପ୍ରଥମେ ଖୁବ୍ ଭଲ ପାଆନ୍ତି, କିନ୍ତୁ ପରେ କାହିଁକି କେଜାଣି ଅଭିମାନରେ ହେଉ ବା ଯନ୍ତ୍ରଣାରେ ହେଉ, ମୋ’ଠାରୁ ଦୂରେଇ ଯାଆନ୍ତି ।” (ପୃ-୪୮୯)

କନ୍‌ହେଇଙ୍କର ଗଳ୍ପର ଅନେକ କିଛି ଅନ୍ଧକାରର ବୃତ୍ତ ଭିତରେ ଲୁଚି କରି ଥାଆନ୍ତି । ସେଇଥିପାଇଁ ଅନେକ ଗଳ୍ପର ପାଠକ ଅସଲ କଥାକୁ ଜାଣି ନ ପାରିବାର ଭୟ ଥାଏ । ଯାହାବି ହେଉ କନ୍‌ହେଇଙ୍କ କିଛି ଗଳ୍ପ ଭୀଷଣ ଭାବରେ ପାଠକର ମାନସିକତାକୁ ଜଖମ କରିବା ସହ ଅସୁସ୍ଥ କରିପକାନ୍ତି । ‘ବଳଙ୍ଗ ଦାମୋଦର ନଦୀର କେତୋଟି ମୁହୂର୍ତ୍ତ’ ଗଳ୍ପରେ ହଠାତ୍ ଶେଷକୁ ଜଣାପଡେ଼ ଗଳ୍ପନାୟକ ଜବରଦସ୍ତ ଯେଉଁ କିଶୋରୀକୁ ଚୁମ୍ବନ ଦେଇଛି, ସେ ହେଉଛି ଗଳ୍ପନାୟକର ପୁରାତନ ପ୍ରେମିକାର ଝିଅ । କିମ୍ବା ‘ଏକ ବ୍ୟବଚ୍ଛେଦର ଧାରା ବିବରଣୀ’ ଗଳ୍ପରେ ବ୍ୟବଚ୍ଛେଦର ଧାରା ବିବରଣୀ କିମ୍ବା ‘ଅନ୍ଧକାର ବୃତ୍ତ’ ଗଳ୍ପରେ ଗଳ୍ପନାୟକର ମାନସିକତା କିମ୍ବା ‘ନୂତନ ଉତ୍ସବ’ ଗଳ୍ପରେ ଗଳ୍ପନାୟକର କାଣ୍ଡ କାରଖାନା ଆଦି ।

ମଣିଷ ଦୁଃଖ ଭୋଗେ ଅନ୍ୟମାନଙ୍କ ପାଇଁ । ତୁଳନାରୁ ଆସେ ଦୁଃଖ । ଅଧିକାର କରି ନ ପାରିଲେ ମିଳେ ଦୁଃଖ । ପ୍ରେମ ଜନିତ ସମସ୍ତ ଦୁଃଖ ପ୍ରାୟ ଅଧିକାରକୁ ନେଇ । ପ୍ରେମିକ ପ୍ରେମିକା ପରସ୍ପରକୁ ଅଧିକାର କରିବାକୁ ଚାହାଁନ୍ତି । ଜଣେ ଅନ୍ୟଜଣକ ତା’ପରି ହେଉ ବୋଲି ଚେଷ୍ଟାକରେ । ଚେଷ୍ଟା ଅସଫଳ ହୁଏ ଓ ଦୁଃଖ ମିଳେ । କନ୍‌ହେଇଙ୍କ ଗଳ୍ପ ଓ ଉପନ୍ୟାସରେ ଏଇ ଦୁଇପ୍ରକାର ଦୁଃଖ ଦେଖିବାକୁ ମିଳେ ।

ଏକ ବିରାଟ ଅନ୍ଧକାର ବୃତ୍ତ ଭିତରେ ଘୂରୁ ଘୂରୁ କନ୍‌ହେଇ ସେଇ ଅନ୍ଧକାର ଭିତରେ ହଜିଗଲେ । ତାଙ୍କ ଗଳ୍ପ ପଢ଼ିଲେ ହଠାତ୍ ପାଠକକୁ ସେଇ ବୃତ୍ତର ଏକ ଅଜଣା କେନ୍ଦ୍ରବିନ୍ଦୁ ଚାରିପାଖରେ ଘୂରିବାକୁ ହୁଏ । ଅନ୍ଧକାର ବୃତ୍ତରେ ଘୂରିବୁଲିଲେ ହିଁ ନିଜ ଭିତରକୁ ଆଲୋକିତ କରାଯାଇପାରିବ ଓ ଆବିଷ୍କାର କରାଯାଇପାରିବ କନ୍‌ହେଇଙ୍କ ଚରିତ୍ରମାନଙ୍କ ସହ ଆମମାନଙ୍କର ଶତକଡ଼ା କେତେ ସାମଞ୍ଜସ୍ୟ ଅଛି ।

ଜୀବନ ଯନ୍ତ୍ରଣା ଯାହା ଯେମିତି...

ମଣିଷ ମାତ୍ରେ ଯନ୍ତ୍ରଣାଖୋର୍ । କନ୍‌ହେଇ ଯନ୍ତ୍ରଣାଖୋର୍ ଥିଲେ । ଇଚ୍ଛାକୃତ ଥିଲା ଯେମିତି ତାଙ୍କର ଏକଲାପଣ - ‘ମୁଁ ଖୁବ୍ ନିଃସଙ୍ଗ ହେଲେ ସିଗାରେଟ୍ ଟାଣେ । ଆଜି ସକାଳେ ନିଦ ଭାଙ୍ଗିଗଲା ପରେ ମନେହେଲା ମୁଁ ପୃଥିବୀରେ ଭୀଷଣ ଅସହାୟ ଆଉ ନିଃସଙ୍ଗ ।’ (ଗୋଟିଏ ଘରପୋଡ଼ିର ଦୃଶ୍ୟ)

ମଣିଷ ଜୀବନ ଅପୂର୍ଣ୍ଣ ଓ ଗତିଶୀଳ । ମଣିଷ ଜୀବନକୁ ବଂଚିବା ସହ ଖୁବ୍ ଜୋର୍ ରେ ଭବିଷ୍ୟତ ଆଡ଼କୁ ଆଗେଇ ଚାଲେ । କନ୍‌ହେଇଙ୍କ ଗଳ୍ପନାୟକ ଭବିଷ୍ୟତ ଆଡ଼କୁ ଧାବମାନ ସତସତିକା ମଣିଷ ନୁହେଁ । ଏକ ଅଜବ ମଣିଷ - ଆବଷ୍ଟ୍ରାକ୍ଟ ମ୍ୟାନ୍ । ସବୁକଥା ସମସ୍ତଙ୍କୁ କୁହାଯାଏନି । ନିଜ ପାଖରେ ମଧ୍ୟ ମଣିଷ ସତ୍ୟଶୀଳ ହୋଇପାରେନି । ଏସବୁ ଆତ୍ମପ୍ରତାରଣାର କଥା । କିନ୍ତୁ ନିଜକୁ ଲୁଚେଇଥିବା ସତ୍ୟମାନେ ଗାଳ୍ପିକ ପାଖରେ ଗଳ୍ପ ମାଧ୍ୟମରେ ନିଗିଡ଼ି ଆସନ୍ତି ।

ଅନ୍ୟ ବାଗରେ ହେଉପଛେ ସତ୍ୟ ପ୍ରକାଶ ପାଇଲା ଭାବି ଗାଳ୍ପିକ ଖୁସି ହୁଏ ଓ ଅନ୍ୟ ଏକପ୍ରକାର ଆତ୍ମ - ପ୍ରତାରଣାର ଶିକାର ହୁଏ । କନ୍‌ହେଇ ତାଙ୍କର ଏକ ଗଳ୍ପରେ ସମୟକୁ ସ୍ୱୀକାର କରିନାହାଁନ୍ତି । ଡାଲିଙ୍କର ଗୋଟେ ଛବି ‘ମେଲ୍ଟିଙ୍ଗ୍ ଟାଇମ୍’ ପରି ଗଳ୍ପନାୟକ ଦେଖେ; ‘ଘଣ୍ଟାର ଡାଏଲ୍ ତରଳି ଥପ୍ ଥପ୍ ହୋଇ ଚିଠି ଉପରର ଅକ୍ଷର ଲିଭାଇବାରେ ଲାଗିଛି । ’କିମ୍ବା‘ ପ୍ରେମପତ୍ର ଲେଖିଲାବେଳେ ମୁଁ ସମୟକୁ ଅସ୍ୱୀକାର କରେ । ମୁଁ ଚାହେଁ ସମୟହୀନତା ।’

ସମୟ ବ୍ୟସ୍ତ ବିବ୍ରତ କରେ । ସମୟ ସଚେତନତା ମଣିଷକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ସଚେତନ କରାଏ । କନ୍‌ହେଇଙ୍କ ‘ଝର୍କା ପାଖରେ ସାରାଦିନ’ରେ ଗଳ୍ପ - ନାୟକ ପ୍ରତୀକ୍ଷା କରେ । ଝର୍କା ଦେଇ ଦେଖିବା ଅର୍ଥ ହେଲା ନିଜ ଭିତରୁ ବାହାରକୁ ଦେଖିବା । ସେଇ ଦେଖିବା କାମଟି ଗଳ୍ପନାୟକକୁ ସମୟ ସଚେତନ କରାଏ । ସମୟ ସଚେତନତା ପରେ ଆସେ ପୂର୍ଣ୍ଣ ଓ ଅପୂର୍ଣ୍ଣ ସଚେତନତା । ଅପୂର୍ଣ୍ଣତାର ଥିବା ଅଭାବ, ଶୂନ୍ୟତା କେତେ ପୂର୍ଣ୍ଣତା ଆସିଛିର ହିସାବ କରେ । ‘ମଧ୍ୟାହ୍ନର ଆକାଶ’ରେ ଗଳ୍ପ - ନାୟିକା ‘ନିଶା’ ଗାଧୁଆ ଘରେ ସାୱାର ତଳେ ହିସାବ କରି ଇଚ୍ଛା କରେ - ଏଯାଏଁ ସେ ବିରକ୍ତ ହୋଇ ଆସିଥିବା କୁନା ଭାଇଟା ଏବେ ଆସନ୍ତା କି ! ‘ବୁଲୁ ଅପେକ୍ଷା କୁନାଭାଇ ଯଥେଷ୍ଟ ସୁପୁରୁଷ । ଅନ୍ତତଃ କିଛି ହେଲେ ଛଳନା ନାହିଁ ।’ (ପୃ-୧୨୯)

ଛଳନା ଯନ୍ତ୍ରଣା ଦିଏ । ଛଳନାମାନେ ଗୋଟେ ମୁଖା । ମୁଖା ପିନ୍ଧା ପରି ମୁଖା ଖୋଲିବା ବି ଯନ୍ତ୍ରଣାଦାୟକ କର୍ମ । କନ୍‌ହେଇ ତାଙ୍କ ଦିନଲିପିରେ ଡିସେମ୍ବର ୯, ୧୯୭୩ ରବିବାରରେ ଲେଖିଛନ୍ତି - ‘ମଣିଷକୁ ଠକି ମିଛ କହି କ’ଣ ବଞ୍ଚିବାରେ ସୁଖ ନାହିଁ ? କେତେଦିନ ବା ବଞ୍ଚେ ମଣିଷ ? ସେଇ କେତେଦିନ ଅନ୍ୟକୁ ମିଛ କହି ହେଉ ବା ଠକି କରି ହେଉ ବଞ୍ଚିଲେ ଭଲ ।’ (ପୃ-୫୦୪)

ଅନ୍ୟକୁ ଠକିବା, ମିଛ କହିବାର ମୁଖା ପିନ୍ଧିବା ସହଜ ହୋଇପାରେ କିନ୍ତୁ ମୁଁ ଠକ ଓ ମିଛୁଆ ଭାବିବା ଖୁବ୍ କଷ୍ଟକର । କନ୍‌ହେଇଙ୍କର ବ୍ୟକ୍ତିଗତ ଦିନଲିପିରେ ଏକଥା ଲେଖାଥିଲେ ମଧ୍ୟ ସେ ତାଙ୍କ ଗଳ୍ପରେ କିନ୍ତୁ ସତ୍ୟଶୀଳ ଅଛନ୍ତି । ସତ୍ୟଶୀଳ ରହିବାର କାରଣ ସେ ତାଙ୍କ ଇଚ୍ଛାରେ ସେଠାରେ ଘଟଣା ଘଟାଇପାରିବେ । ଅର୍ଥାତ୍ ତାଙ୍କର ବାସ୍ତବ ଜୀବନରୁ ସେ ପଳାୟନ କରିବେ ଗୋଟେ ଭାବପ୍ରବଣତାର ଜଗତକୁ । ‘ବନ୍ଦ ଗାଧୁଆଘର’, ‘ମଧ୍ୟାହ୍ନର ଆକାଶ’ର ନାୟିକା ‘ନିଶା’ ସତ କହେ । କାରଣ ସେଠି ସେ ଏକୁଟିଆ । ଜାନୁଆରୀ ୧୬, ୧୯୭୩ ମଙ୍ଗଳବାର ଦିନଲିପିରେ କନ୍‌ହେଇ ଲେଖିଛନ୍ତି - ‘ମୁଁ ଜାଣେ ମୁଁ ଦରିଦ୍ର । କିନ୍ତୁ ଦାରିଦ୍ର୍ୟ କଥା ମୁଁ ମନେ କରିପାରେନି କାହିଁକି ? ବୋଧହୁଏ ସାହିତ୍ୟ ମୋତେ ଦାରିଦ୍ର୍ୟରୁ ଅସମ୍ଭବ ମୁକ୍ତି ଦେଇଛି । ମୁଁ ଜାଣେ, ମୋର ପାର୍ଥିବ ସମ୍ପତ୍ତି ବା ପଦାର୍ଥ କିଛି ନାହିଁ । ମୁଁ ସ୍ୱପ୍ନ ସମ୍ରାଟ । କିନ୍ତୁ ମୋ ପାଦତଳେ ମାଟି ଉପରେ ମୋର ବୋଲି ଚାଖଣ୍ଡେ ଜମି ନାହିଁ ।’ ପୃ - ୪୯୭

ସ୍ୱପ୍ନ ବିଳାସୀ କନ୍‌ହେଇଙ୍କ ଗଳ୍ପ ନାୟକ ‘ଆହତ ସ୍ୱପ୍ନ’ ଉପନ୍ୟାସର ଶେଷ ଭାଗରେ ପ୍ରେମିକା ଦେବୀକୁ କହୁଛି - ‘ମୁଁ ସତ୍ୟ ଚାହେଁନି । ବାସ୍ତବତାକୁ ମୁଁ ଘୃଣା କରେ । ତୁ ଭାବି ଦେଖ, ଠିକ୍ ଯାହା ଯେଉଁ ସମୟରେ ଯେଉଁ ରୂପରେ ଚାହିଁଲେ ସତ୍ୟ ଓ ବାସ୍ତବବସ୍ତୁ ମିଳିପାରେନା । କିନ୍ତୁ ଯେକୌଣସି ସ୍ଥାନରେ ଯେକୌଣସି ମୁହୂର୍ତ୍ତରେ ଯେ କୌଣସି ଅବସ୍ଥାରେ ଖୁବ୍ ଆରାମରେ ସ୍ୱପ୍ନବସ୍ତୁ ମିଳିପାରେ ।’ (ପୃ - ୩୯୦)

କନ୍‌ହେଇଙ୍କର ଗପ ପଢିଲେ ପାଠକକୁ ପ୍ରତେ ହୁଏ ଯେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ତାଙ୍କ ଗଳ୍ପ ନାୟକମାନଙ୍କ ଜୀବନ ମଧ୍ୟରେ ଫରକ୍ ଖୁବ୍ କମ୍ ଥିଲା ।