ଫଟୋ - କନ୍‌ହେଇର କଥାଘର

ବାଣୀବିହାରରେ ପଢୁଥିବାବେଳେ ସେଥର ପୁସ୍ତକମେଳା ପଡିଥାଏ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ । ମୁଁ ଓ ମୋର ଜଣେ ବନ୍ଧୁ ସନ୍ଧ୍ୟାରେ ମେଳା ବୁଲି ଯାଇଥାଉ । ବିଭିନ୍ନ ବହି ଷ୍ଟଲ୍ ବୁଲି ଦେଖୁ ଦେଖୁ ହଠାତ୍ ଖଣ୍ଡେ ବହି ଉପରେ ଆଖିପଡିଲା । ବହିର ମଲାଟ ନଥିଲା । କେବଳ ଧଳାକାଗଜ ମଡାହେଇଥିଲା । ଜ୍ୟାକେଟ୍ ହଜିଯାଇଥିଲା । ବହିଟିର ନାମ ଥିଲା “କନ୍‌ହେଇ କଥାଘର” । ପ୍ରକାଶକଙ୍କ ପାଖରେ “କନ୍‌ହେଇ କଥାଘର”ର ସେଇଟି ଶେଷ ବହି ଥିଲା ଓ ଆମେ ଦୁହେଁ ତାକୁ କିଣିବାକୁ ଚାହିଁଲୁ । କିନ୍ତୁ ଆମ ଦୁହିଁଙ୍କ ପାଖରେ ଆବଶ୍ୟକୀୟ ପଇସା ସେଦିନ ନଥିଲା । କଥା ହେଲା ପରଦିନ ପଇସା ଆଣି ବହିଟି କିଣାଯିବ । କିନ୍ତୁ ଏଇ ସମୟ ଭିତରେ ଆଉ କିଏ ବି ବହିଟି କିଣି ନେବାର ସମ୍ଭାବନା ମଧ୍ୟ ଥିଲା, ତେଣୁ ଅନ୍ୟ ଏକ ବହି ଥାକର ପଛରେ ତାକୁ ଲୁଚେଇ ଆମେ ସେଠୁ ବାହାରି ଆସିଲୁ । ପରଦିନ ମେଳା ଖୋଲୁ ଖୋଲୁ ମୁଁ ଆଗତୁରା ହାଜର ହେଇ ବହିଟି କିଣିନେଲି । ଦିନେ ଦୁଇ ଦିନରେ ପୂରା ବହି ପଢ଼ା ହେଇଗଲା । ବହି ସିନା ସରିଗଲା, ହେଲେ କନ୍‌ହେଇଲାଲ ପୂରା ମୁଣ୍ଡକୁ ମୋର ଆବୁରି ଚକାପାରି ବସିପଡିଲେ । ଲାଗିଲା କନ୍‌ହେଇଲାଲଙ୍କ ଦୁଃଖ, ପ୍ରେମ, ପ୍ରବଣତା, ଆତଙ୍କ, ଆଶଙ୍କା ଓ ସ୍ୱପ୍ନ ସବୁକିଛି ମୋ ଭିତରକୁ ପଶି ଆସିଲେ । ମୁଁ ତାଙ୍କ ପରି ଗପ ଲେଖିବାକୁ ଚେଷ୍ଟା କଲି । ମୋ ବ୍ୟକ୍ତିଗତ ଡାଏରୀ ତାଙ୍କ ଡାଏରୀ ପରି ଲେଖିଲି । ଅକାରଣରେ ମୋତେ ଦୁଃଖୀ ଦୁଃଖୀ ଲାଗିଲା ।

ବହିର ପ୍ରଚ୍ଛଦ କ’ଣ ଥିଲା ମୁଁ ଜାଣି ନଥିଲି । ଦିନେ ସେ ବହିର ଉପରେ ମଡ଼ା ଧଳାକାଗଜ ଉପରେ ପ୍ରଚ୍ଛଦ ଗୋଟେ ଆଙ୍କି ପକେଇଲି । ଅନେକ ଦିନ ବିତିଗଲା । ଥରେ “କଥା କଥା କବିତା କବିତା”ର ସଂପାଦକ ଅକ୍ଷୟ ବେହେରା କନ୍‌ହେଇଲାଲଙ୍କ ଉପରେ ଲେଖାଟେ ଲେଖିବାକୁ କହିଲେ । ଲେଖାଟେ ଲେଖିଲି । ଲେଖା ପତ୍ରିକାରେ ଛାପା ହେଲାବେଳକୁ ଅକ୍ଷୟ ଭାଇ ମୋ ପାଖରୁ “କନ୍‌ହେଇ କଥାଘର” ବହିଟି ମାଗିନେଲେ । ପତ୍ରିକା ବାହାରିଲା ଓ ପତ୍ରିକାରେ ମୋ ଲେଖା ସାଙ୍ଗରେ ମୋ ହାତ ଅଙ୍କା ପ୍ରଚ୍ଛଦ ବି ବାହାରିଗଲା । ପତ୍ରିକା ବଜାରକୁ ଆସିଲା ପରେ “କନ୍‌ହେଇ କଥାଘର”ର ନୂଆ ପ୍ରଚ୍ଛଦ ଦେଖି “କନ୍‌ହେଇ କଥାଘର”ର ସଂଯୋଜକ ଦ୍ୱୟ ସେମାନଙ୍କ ଅଜାଣତରେ ପ୍ରକାଶକ ବହିଟିର ପୁନଃମୁଦ୍ରଣ କରିଛନ୍ତି ବୋଲି ଭାବିନେଲେ । ସେମାନେ ଅକ୍ଷୟ ଭାଇଙ୍କୁ ପଚାରିଲେ ଓ ଅକ୍ଷୟ ଭାଇ ମୋତେ ପଚାରିଲେ । ସତକଥା ଜଣା ପଡିଲା ପରେ ପରସଂଖ୍ୟାରେ ଅକ୍ଷୟ ଭାଇ ପାଠକମାନଙ୍କ ଅବଗତି ପାଇଁ ଘଟଣାକ୍ରମ ବିଷୟରେ ସ୍ପଷ୍ଟୀକରଣ ଦେଲେ । ବହିଟି ଅନେକ ବର୍ଷ ଯାଏଁ ମୋ ପାଖରେ ଥିଲା । କିନ୍ତୁ କେତେବେଳେ ମୋର କେଉଁ ବନ୍ଧୁ ମାଗିନେଇଥିଲେ ଯେ ଆଉ ଫେରେଇଲେନି । ହାଏ ସବୁଦିନ ପାଇଁ ମୋ ପ୍ରିୟ ବହିଟି ହାତଛଡା ହେଇଗଲା ।

କନ୍‌ହେଇଲାଲ ଦାସ ଥିଲେ ଜଣେ ଭୀଷଣ ପ୍ରତିଭାଧାରୀ ଗାଳ୍ପିକ । ଗଳ୍ପର ଥିମ୍, ଗଳ୍ପର ଟ୍ରିଟ୍‌ମେଣ୍ଟ୍, ଗଳ୍ପର ନାମକରଣ, ଶୈଳୀ ସବୁଥିରେ ସେ ଅସମ୍ଭବ ଧରଣର ପରୀକ୍ଷା ଆରମ୍ଭ କରିଥିଲେ । ସେହି ପରୀକ୍ଷା ନିରୀକ୍ଷା ହେତୁ ତାଙ୍କର କିଛି ସମସାମୟିକ ଗାଳ୍ପିକ ବନ୍ଧୁ ପରବର୍ତ୍ତୀ ସମୟରେ ପାଦ ରଖିବାକୁ ଜାଗା ଖଣ୍ଡେଲେଖା ଯୋଗାଡ଼ କରିପାରିଥିଲେ ।

କନ୍‌ହେଇଲାଲ ଦାସ - ମାତ୍ର ଅଳ୍ପ ସମୟ ପାଇଁ ଧୂମକେତୁ ବେଗରେ ଦୃଶ୍ୟମାନ ହୋଇ ଓଡ଼ିଆ ଗଳ୍ପ ସାହିତ୍ୟର ଗତିପଥକୁ ଓଲଟପାଲଟ କରି ବିଦାୟ ନେଇଯାଇଥିବା ଗାଳ୍ପିକ । କନ୍‌ହେଇଙ୍କୁ ଜାଣିବା ପାଇଁ ଆମ ପାଖରେ ମାତ୍ର ଗୋଟିଏ ରାସ୍ତା । ସେଇଟି ହେଲା ‘କନ୍‌ହେଇ କଥାଘର’ । ବହିଟି କନ୍‌ହେଇଙ୍କ ବିୟୋଗର ଏଗାର ବର୍ଷ ପରେ ଅର୍ଥାତ୍ ୧୯୮୬ ମସିହାରେ ପ୍ରକାଶିତ ହେଲା । ପ୍ରକାଶକ ଥିଲେ ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ । ଭୁବନେଶ୍ୱର ସୂଚନା ଭବନଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ସେଦିନ କନ୍‌ହେଇଙ୍କ ମା ଉପସ୍ଥିତ ଥିଲେ । ଏକଥା ସତ ଯେ ଅସିତ୍ ମହାନ୍ତି ଓ ପ୍ରଦୀପ୍ତ ଶ୍ରୀଚନ୍ଦନଙ୍କ ସଂଯୋଜନାରେ ପ୍ରକାଶିତ ‘କନ୍‌ହେଇ କଥାଘର’ରେ କନ୍‌ହେଇଙ୍କର ସମସ୍ତ ରଚନା ସ୍ଥାନ ପାଇନି । ତଥାପି ସଂକଳନଟି ନଥିଲେ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ଏତେବେଳକୁ କନ୍‌ହେଇ ହୁଏତ ବିସ୍ମୃତ ହୋଇସାରନ୍ତେଣି । ପ୍ରଥମ ସଂସ୍କରଣ ପରେ ୨୦୧୪ ମସିହାରେ ଦ୍ୱିତୀୟ ଓ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଛି । ସେଥିରେ ଆହୁରି କିଛି ଫର୍ଦ୍ଦ ଯୋଡିଛନ୍ତି ଦୁଇ ସମ୍ପାଦକ । ପ୍ରଥମ ସଂସ୍କରଣରେ ସ୍ଥାନିତ ହେଇଥିଲା ଚଉରାଳିଶିଟି ଗପ, ଦୁଇଟି ମିନି ଗଳ୍ପ, ଦୁଇଟି ଉପନ୍ୟାସ, ଚାରୋଟି କବିତା, ଗୋଟିଏ ରମ୍ୟରଚନା ଓ କନ୍‌ହେଇଲାଲଙ୍କ ଡାଏରୀରୁ କିଛି ନିର୍ବାଚିତ ଅଂଶ । ଦ୍ୱିତୀୟ ଓ ପରିବର୍ଦ୍ଧିତ ସଂସ୍କରଣରେ ଯୋଡାଯାଇଛି ଆଉ ଚଉଦଟି ଗପ, ସେ ପାଇଥିବା କିଛି ଚିଠି । ଏହା ସହ କନ୍‌ହେଇଲାଲଙ୍କ ଜୀବନୀ କହ୍ନେଇ - କଥା ନାମରେ ସଂଯୋଗ କରାଯାଇଛି । ଆଗରୁ କନ୍‌ହେଇଲାଲ ସ୍ମୃତିରକ୍ଷା କମିଟି 'ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ' ନାମରେ ଏକ କ୍ଷୁଦ୍ର ସଂକଳନ ପ୍ରକାଶ କରିଥିଲେ । କବି ବ୍ରଜନାଥ ରଥଙ୍କ ସମ୍ପାଦନାରେ ‘କନ୍‌ହେଇନାମା’ ନାମରେ ଅନ୍ୟ ଏକ ସଂକଳନ ମଧ୍ୟ ପ୍ରକାଶିତ ହେଇଥିଲା ।

କନ୍‌ହେଇଲାଲଙ୍କର ଜନ୍ମ ୨୭ ଜୁନ, ୧୯୪୭ କଲିକତାରେ ହେଇଥିଲା । ତାଙ୍କ ବାପାଙ୍କ ନାମ ହେଲା କ୍ଷେତ୍ରମୋହନ ଦାସ ଓ ମାଆଙ୍କ ନାମ ଅନିଲାବାଳା ମାଇତି । ବାପା ମାଆଙ୍କର ବଡ ପୁଅ ଥିଲେ କହ୍ନେଇଲାଲ । ବାପା କଲିକତାରେ ଚାକିରି କରୁଥିଲେ । କନ୍‌ହେଇଙ୍କ ପିଲାଦିନର ପାଠପଢା କମର୍ଦ୍ଧା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଇଥିଲା । ତାପରେ ସେ ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ପାସ କଲେ । ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ପାଠପଢ଼ା ସାରି ପଶ୍ଚିମବଙ୍ଗ ପାନ୍ନାଗଡ଼ଠାରେ ପ୍ରତିରକ୍ଷା ବିଭାଗରେ ଚାକିରି ଜୀବନ ଆରମ୍ଭ କଲେ ଓ ପରେ ଭୁବନେଶ୍ୱର ଏକାଉଣ୍ଟାଣ୍ଟ ଜେନେରାଲ ଅଫିସରେ ଚାକିରି କରିଥିଲେ । ୨୭ ଜୁଲାଇ, ୧୯୭୫ରେ ମାତ୍ର ୨୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଇଥିଲା ।

କନ୍‌ହେଇଲାଲ ମୃତ୍ୟୁବରଣ କଲାବେଳକୁ ଯୁବକ । ଅର୍ଥାତ୍ ତାଙ୍କ ପ୍ରତିଭାର ପୂର୍ଣ୍ଣ ବିକଶିତ ରୂପଦର୍ଶନ ଓଡ଼ିଆ ସାହିତ୍ୟର ଭାଗ୍ୟରେ ନଥିଲା । ଆମେ ଉନ୍ମେଷ ପର୍ବର କହ୍ନେଇଙ୍କୁ ଭେଟୁ, ଉତ୍ତରଣର ନୁହେଁ । କନ୍‌ହେଇଲାଲଙ୍କ ରଚନା ପଢ଼ିଲେ ହଠାତ୍ ବୋହେମିଆନ୍ ଜୀବନ ପ୍ରତି ଲୋଭ ବଢ଼ିଯାଏ । ପ୍ରେମ ଓ ମୃତ୍ୟୁ - ଏହି ଦୁଇଟି କଥାକୁ ତାଙ୍କ ଗଳ୍ପରେ ବେଶ୍ ଅନୁଭବ କରିହୁଏ । ବିଶ୍ୱାସ କରିବାକୁ ଇଚ୍ଛାହୁଏ କେବଳ ପ୍ରେମ କରି କରି ଜୀବନକୁ ଶେଷ କରାଯାଇପାରେ । ଭିନ୍‌ସେଣ୍ଟ୍ ଭ୍ୟାନ୍‌ଗୋଗ୍‌ଙ୍କ ଜୀବନୀ ମନେ ପଡେ଼ । ସୃଜନଶୀଳ ପାଗଳାମି । କନ୍‌ହେଇ ଥିଲେ ଜଣେ ସୃଜନଶୀଳ ପାଗଳ । ହୁଏତ ନିଜ ଜୀବନକୁ ନେଇ ବି ସେ ଗୋଟେ ନୂଆ ଏକ୍ସପେରିମେଣ୍ଟ୍ କରୁଥିଲେ । ସମ୍ପର୍କ, ପ୍ରେମ, ଜୀବନ ସହ ମୁଁ ର ସମ୍ପର୍କ ହିଁ ଥିଲା ତାଙ୍କ ପରୀକ୍ଷାର ବିଷୟବସ୍ତୁ ।

ସେ ‘ମୁଁ’ ଆତ୍ମା ନୁହେଁ, କି ଶରୀର ନୁହେଁ । ଚେତନା, ବୁଦ୍ଧି, ଅନୁଭବର ଊର୍ଦ୍ଧ୍ବରେ ସେ ‘ମୁଁ’ର ଅବସ୍ଥାନ । କନ୍‌ହେଇଙ୍କ ଗପଗୁଡ଼ିକ ଖୁବ୍ ଆତ୍ମକୈନ୍ଦ୍ରିକ । ତାଙ୍କର ପ୍ରାୟ ଗଳ୍ପ ପ୍ରଥମ ପୁରୁଷରେ ରଚିତ । ଗୋଟେ ବିନ୍ଦୁ । ବିନ୍ଦୁକୁ କେନ୍ଦ୍ର କରି କେତୋଟି ବଳୟ । ବିନ୍ଦୁରେ ସ୍ୱୟଂ ଗାଳ୍ପିକ କନ୍‌ହେଇ । ବଳୟମାନଙ୍କରେ ଅଳ୍ପକିଛି ଚରିତ୍ର । ଚରିତ୍ର ବହୁଳତା ତାଙ୍କ ଗପରେ ନାହିଁ । ପ୍ରେମିକା, ପ୍ରେମିକାର ସାନଭଉଣୀ, ପ୍ରେମିକାର ବାନ୍ଧବୀ, କତିପୟ ବନ୍ଧୁ, ଆଉ କିଛି ବାହାର ଚରିତ୍ର । ମଣିଷ ଯେଉଁ ଜୀବନ ବଞ୍ଚେ ଓ ଯେଉଁ ଜୀବନ ବଞ୍ଚିବାକୁ ମଣିଷ ଚାହେଁ, ତା’ ଭିତରେ ଅନେକ ଫରକ୍ । ମଣିଷ ଜାଣିଛି ତା’ର ଜୀବନ ନଶ୍ୱର । ଅଥଚ ସେ ସେଥିପ୍ରତି ସବୁବେଳେ ଆଖି ବୁଜିଦିଏ । ଆଖି ବୁଜିଦେବାର କାରଣ ଆତ୍ମା । ଦେହ ଓ ଆତ୍ମାରେ ତିଆରି ମଣିଷ ନିଜର ସୁବିଧାନୁସାରେ ଯେଉଁଥିରୁ ଗୋଟେକୁ ଜାବୁଡ଼ି ଧରେ । କନ୍‌ହେଇ ତାଙ୍କର ପରିବେଶ ପରିସ୍ଥିତିରେ ଠିକ୍ ଏଇ କାମ କରିଛନ୍ତି ଓ ନିଜର ଗଳ୍ପନାୟକମାନଙ୍କୁ ସେମିତି କରିବାକୁ ବାଧ୍ୟ ବି କରେଇଛନ୍ତି ।

ପ୍ରେମ, ‘ମୁଁ’ର ଇଗୋ ଓ କିଛି ସମ୍ପର୍କ ହିଁ କନ୍‌ହେଇଙ୍କ ଗଳ୍ପର ସାର କଥା । ପ୍ରେମିକମାନେ ପ୍ରେମିକା ଭିତରେ ରାଧାକୁ ଖୋଜିବା ଦ୍ୱାରା ପ୍ରେମ ଅସଫଳ ହେବାକୁ ବାଧ୍ୟ । ପ୍ରେମ - ଅସଫଳତା ହିଁ ମୁଁ ର ଇଗୋକୁ କ୍ଷତାକ୍ତ କରେ । ତା’ପରେ ଆରମ୍ଭ ହୁଏ ଏକୁଟିଆପଣ । ଇଗୋର ପରାଜୟରୁ ମୃତ୍ୟୁମନସ୍କତା ଆସେ । ମୃତ୍ୟୁ ଲୋଡ଼ିବା ପଛରେ ଥାଏ ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାଇବାର ସ୍ୟାଡିଷ୍ଟିକ୍ ଆନନ୍ଦ । ପ୍ରେମୀମାନେ ପରସ୍ପରକୁ ମୃତ୍ୟୁଭୟ ଦେଖାନ୍ତି ସେଇଥିପାଇଁ ।

କନ୍‌ହେଇଙ୍କ କିଛି ଗଳ୍ପକୁ ସୁନ୍ଦର ପିଆଜ ସହ ତୁଳନା କରାଯାଇପାରେ । ଅଣନିଶ୍ୱାସୀ ହୋଇ ଚୋପା ଛଡେ଼ଇ ଛଡେ଼ଇ ନୟାନ୍ତ ହେଲାପରେ ଗପ ସରିଯାଉଛି । ପାଠକ ହାତରେ ଏବେ କିଛି ନାହିଁ । ପରିଶେଷରେ ମିଳୁଛି ଆବରଣ ମୁକ୍ତ କରିବାର ଆନନ୍ଦ କିମ୍ବା କ୍ଲାନ୍ତି । କେତେବେଳେ ଦୁଇଟିଯାକ ।