ଫଟୋ- ୱିକି ମିଡିଆ

ରଙ୍ଗମଞ୍ଚ ଏକ ଜୈବିକ କଳା । ଜୀବିତ ବ୍ୟବସ୍ଥାକୁ କୌଣସି ସମୟରେ ଆବଦ୍ଧ କିମ୍ବା ବନ୍ଦୀ କରି ରଖାଯିବା ସମ୍ଭବ ନୁହେଁ । ସମୟ ଏକ ନିରନ୍ତର ପରିବର୍ତ୍ତନ ହେଉଥିବା ସ୍ଥିତି, ଯେଉଁଥିରେ ପୁନର୍ଜନ୍ମ ହୋଇପାରେ କିନ୍ତୁ ପୁନରାବୃତ୍ତି ସମ୍ଭବ ନୁହେଁ । ଏହି କାରଣ ଯୋଗୁଁ ସମାଜରେ ପ୍ରଯୁକ୍ତିବିଦ୍ୟାର ତମାମ୍ ଆବିଷ୍କାର ସତ୍ତ୍ୱେ, ତଥାକଥିତ ସମସ୍ତ ପ୍ରକାରର ବିକାଶ ସତ୍ତ୍ୱେ ରଙ୍ଗମଞ୍ଚ ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଭାବେ ରହିଆସିଛି । ଆଗାମୀ ସମୟରେ ମଧ୍ୟ ଆମ ଜୀବନରେ, ସମାଜରେ ଏହାର ମହତ୍ତ୍ୱ ରହିବ ।

ସତ୍ୟର ଆଭାସ ଓ ସତ୍ୟର ଅନୁଭବ ଏ ଦୁଇଟି ସମ୍ପୂର୍ଣ୍ଣ ଅଲଗା କଥା । ଆପଣ କାହା ସହିତ ଫୋନ୍‌ରେ, ଚାଟ୍ ମାଧ୍ୟମରେ, ସାମାଜିକ ଗଣମାଧ୍ୟମ ଜରିଆରେ, ଭର୍ଚୁଆଲ୍ ଜରିଆରେ ବାର୍ତ୍ତାଳାପ କରି ପାରନ୍ତି । କିନ୍ତୁ ଆମ୍ନା - ସାମ୍ନାରେ ବାର୍ତ୍ତାଳାପ ଅତିରିକ୍ତ ବ୍ୟକ୍ତିର ଭାବ - ଭଙ୍ଗୀ ଜରିଆରେ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ପ୍ରେଷିତ ହୋଇଥାଏ । ଯାହା ଭର୍ଚୁଆଲ୍ ମାଧ୍ୟମରେ ମିଳେନାହିଁ । ଫେସ୍‌ବୁକ୍‌, ୟୁଟ୍ୟୁବ୍ ଅବା ଅନ୍ୟ ଡିଜିଟାଲ୍ ମାଧ୍ୟମ, ଆମକୁ ସର୍ବଦା ବାସ୍ତବତାରୁ ଦୁର କରି ଏକ ଅବାସ୍ତବ ଦୁନିଆକୁ ଠେଲି ଦେଇଛି । ବାସ୍ତବିକ ଜୀବନରୁ ଅଲଗା ଏକ ଅବାସ୍ତବ ଦୁନିଆରେ ଆମକୁ କିଛି ଆନନ୍ଦର ଆଭାସ ତ ମିଳିଥାଏ ହେଲେ ସମ୍ପୂର୍ଣ୍ଣ ଆନନ୍ଦର ଅନୁଭବ ଦିଏ ନାହିଁ । ଏହା ହିଁ ସତ୍ୟ ।

ଯେହେତୁ ରଙ୍ଗମଞ୍ଚ ଏକ ଜୈବିକ କଳା, ଫଳରେ ଏହା ଜୀବନରୁ ସଂପ୍ରେଷିତ ହୋଇ ଆମ ସମୟ ଓ ସମାଜର ବାସ୍ତବିକତା ପରିପୋଷିତ ହୋଇଥାଏ । ଯଦିଓ ସିନେମାର ଆବିଷ୍କାର ପରେ ରଙ୍ଗମଞ୍ଚର ପ୍ରାସଙ୍ଗିକତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ଓ ଆଜି ମଧ୍ୟ ଉଠି ଆସିଛି । କିନ୍ତୁ ଏହା ସତ୍ୟ ଯେ ସିନେମା କଦାଚିତ୍ ରଙ୍ଗମଞ୍ଚକୁ ଅପଦସ୍ତ କରି ପାରିନାହିଁ । ଠିକ୍ ସେହିପରି ଆଜି ଟିଭି, ଇଣ୍ଟର୍‌ନେଟ୍‌, ମେଟାବର୍ସ ଆଦି ଅନେକ ମାଧ୍ୟମ ରଙ୍ଗମଞ୍ଚକୁ କୌଣସି ନା କୌଣସି ମାଧ୍ୟମରେ ପ୍ରଭାବିତ କରୁଛନ୍ତି ଓ ଆଗକୁ ପ୍ରଭାବିତ କରିବେ ।

ରଙ୍ଗମଞ୍ଚ ସାମ୍ନାରେ ଚ୍ୟାଲେଞ୍ଜ ବହୁତ୍ ରହିଛି । ରଙ୍ଗମଞ୍ଚର ଦୃଶ୍ୟାତ୍ମକ ସମ୍ବେଦନଶୀଳତାକୁ, ରଙ୍ଗମଞ୍ଚର ସ୍ଥାନକୁ, ଟ୍ରିଟ୍‌ମେଣ୍ଟ୍‌କୁ, ଏହାର ପ୍ରାସଙ୍ଗିକତାକୁ କୌଣସି ସମୟରେ ଓ କେହି ବି ଆଘାତ ପହଞ୍ଚାଇ ପାରିବେ ନାହିଁ । ସାଧାରଣତଃ କୁହାଯାଇଥାଏ କି ରଙ୍ଗମଞ୍ଚ ପାଇଁ ଦର୍ଶକ ନାହାନ୍ତି । ଏହା ଅର୍ଦ୍ଧସତ୍ୟ । ସତ୍ୟ ହେଉଛି ଦର୍ଶକଙ୍କ ପାଇଁ ରଙ୍ଗମଞ୍ଚର ଅଭାବ ରହିଛି । କୁହାଯାଉଛି କି ରଙ୍ଗମଞ୍ଚର ବ୍ୟବସାୟୀକରଣ ଆବଶ୍ୟକ । ମୋ ମତରେ ରଙ୍ଗମଞ୍ଚ କେବେ ବି କୌଣସି ସମୟରେ ବି ବ୍ୟବସାୟିକ ହୋଇନାହିଁ । ଆଚମ୍ବିତ କଥା ଏୟା ଯେ ଏବେ ଏହା ହେବାର ସମ୍ଭାବନା ବି ନାହିଁ ।

ରଙ୍ଗମଞ୍ଚ ମୂଳତଃ ଏକ ସାମାଜିକ କର୍ମ । ସମାଜ ହିଁ ଏହାକୁ ପ୍ରେଷିତ କରିଥାଏ । ସରକାରଙ୍କ ଦାୟିତ୍ୱ କି ସେମାନେ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ ତଥା ଭିତ୍ତିଭୂମିର ବିକାଶ ପାଇଁ ଉତ୍ତରଦାୟୀ ସେପରି କଳା, ସଂସ୍କୃତି ପାଇଁ ଉତ୍ତରଦାୟୀ ରହିବେ । କଳାକର୍ମର ସମ୍ଭାବନାକୁ ପ୍ରୋଷିତ କରିବେ । ପଲ୍ଲବିତ କରିବେ । ପଲ୍ଲବିତ କରିବାରେ ନିଜର ଯୋଗଦାନ ରଖିବେ । ଅପରପକ୍ଷରେ କେବଳ ସରକାରୀ ଅନୁଦାନ ନୁହେଁ ରଙ୍ଗକର୍ମୀମାନେ ସମାଜକୁ ନିଜ ସହିତ ସାମିଲ୍ କରନ୍ତୁ । ସମାଜର ଆବଶ୍ୟକତା କ’ଣ ରହିଛି । ସମାଜ କ’ଣ ଚାହୁଁଛି, ସେ ନେଇ ଯୋଜନା କରିବା ଦରକାର । ଫଳରେ ସମାଜ ନାଟକ ସହିତ ସାମିଲ୍ ହେବ । ନାଟକର ପୃଷ୍ଠପୋଷକତା କରିବେ ।

ରଙ୍ଗମଞ୍ଚରେ ଜନ ଭାଗିଦାରୀ ପାଇଁ ଆବଶ୍ୟକ କି ରଙ୍ଗମଞ୍ଚ କୌଣସି ସ୍ଥାନ କିମ୍ବା କୌଣସି ଅଞ୍ଚଳରେ ସୀମାବଦ୍ଧ ନରହୁ । ନିଜ ପରିଧିରେ ଲକ୍ଷ୍ଣଣରେଖା ନରହୁ । ଖୋଲିଯାଉ ସୀମା ଓ ସୀମାରେଖା । କେବଳ ସୌଖୀନ ମଣ୍ଡପ ନୁହେଁ, ମୁକ୍ତାକାଶ ରଙ୍ଗମଞ୍ଚକୁ ସ୍ୱାଗତ କରୁ । ନଗର, ସହର, ଜିଲ୍ଲା ଏପରିକି ଗାଁକୁ ଯାଉ । ଆମ ଦେଶର ବହୁ ରଙ୍ଗରେ ରଙ୍ଗିତ ମୌସୁମୀ, ଭୌଗୋଳିକ ପରିବେଶ, ଭାଷାର ବିବିଧତା, ପରମ୍ପରା ଆମକୁ ଏହା ଖୁରାକ ଯୋଗାଇବ । ଖାଲି ଚିହ୍ନିଲେ ହେଲା । ନିଜକୁ ପ୍ରସ୍ତୁତ କଲେ ହେଲା । କାଳେ କାଳେ ରଙ୍ଗମଞ୍ଚ ପାଇଁ ରଙ୍ଗର ଅଭାବ ରହିନାହିଁ ।

ହଜାର ବର୍ଷ ପୂର୍ବେ ବ୍ରହ୍ମ ହିଁ ସତ୍ୟ ଓ ଜଗତ ମିଥ୍ୟା ବୋଲି କୁହାଯାଇଆସୁଛି । ହୋଇପାରେ ସତକଥା । ହେଲେ ଏଇ ମିଥ୍ୟା ହିଁ ତ ଆମକୁ ଆନନ୍ଦ ଦେଇଆସୁଛି । ଦୁନିଆ ଏଇ ମିଥ୍ୟା ରୂପକ ଆବରଣକୁ ଘୋଡ଼େଇ ହୋଇ ବସିଛି । ପଞ୍ଚତତ୍ତ୍ୱକୁ ଖୋଜିଲେ ହିଁ ସତ୍ୟ ସହିତ ସାକ୍ଷାତ୍‌କାର ହୋଇଥାଏ । ଆମେ ଲଗାତାର ଦୌଡ଼ି ଚାଲିଛୁ, ବିନ୍ଦୁରେ ପରବର୍ତ୍ତିତ ହୋଇ ସାଗରରେ ମିଶିବା ପାଇଁ ଯାତ୍ରା କରି ଚାଲିଛୁ । ଏହି ସମୁଦ୍ର ହେବାର ଲାଳସା ହିଁ ଆମକୁ ପୂର୍ଣ୍ଣତାର ପଥ ଆଡ଼କୁ ବାଟ କଢ଼ାଇ ନେଇଥାଏ । ଯଥାର୍ଥରେ କୁହାଯାଇଥାଏ କି ପୂର୍ଣ୍ଣ ମଧ୍ୟରୁ ପୂର୍ଣ୍ଣତାକୁ କାଢି ନିଆଗଲା ପରେ ବି ପୂର୍ଣ୍ଣତା ଅବଶେଷ ରହିଯାଇଥାଏ । ପୂର୍ଣ୍ଣମେବାବଶିଷ୍ୟତେ ।

ଜୀବନକୁ କିପରି ଜୀଇଁବି ଏପରି ଏକ ପ୍ରଶ୍ନର ଉତ୍ତରରେ ଓଶୋ ଠାଏ କହିଥିଲେ, ‘ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଭାବ କି ସଂସାରରେ ରହିଛି, ଜୀବନକୁ ଜୀଇଁ ଚାଲିଛି, ଆଉ ସଂସାରରେ ରହିଲାବେଳେ ଭାବ କି ରଙ୍ଗମଞ୍ଚରେ ଅଛି, ଅଭିନୟ କରୁଛି ।’ ଅଭିନୟରେ ଦୁଃଖର ବୋଝ ନଥାଏ । ଏଥିରେ ଜୟ - ପରାଜୟର କୌଣସି କଥା ହିଁ ନଥାଏ । ରାଜା ହୁଅ କି ରଙ୍କ, କିଛି ଫରକ୍ ନଥାଏ । ଅଭିନୟର ସମାପ୍ତି ପରେ ବାସ୍ତବିକତା ସାମ୍ନାକୁ ଆସିଯାଇଥାଏ । ନିର୍ଦ୍ଧାରିତ ସମୟରେ ପଟ୍ଟ ପରିବର୍ତ୍ତନ ହୋଇଯାଇଥାଏ । ନଦୀ ବହି ଚାଲିଥାଏ, ଘାଟ - ଗାଁ, ସହର - ନଗର ବଦଳୁଥାଏ । ନଦୀର ଯାତ୍ରା ଜାରି ରହିଥାଏ । ଯଦିଓ ଜୀବନ ଏକାଙ୍ଗୀ ହେବା ଯୋଗୁଁ କେବେ କେବେ ନୀରସ ଲାଗିଥାଏ, କିନ୍ତୁ ଅଭିନୟରେ ବିବିଧତା ଯୋଗୁଁ ହଜାର ରଙ୍ଗ ହୋଇଥାଏ । ଏଥିପାଇଁ ଅଭିନୟ ଆକର୍ଷକ ଲାଗେ । ଜୀବନରେ ରହିକି ବି ଉପରକୁ ଉଠିବା, ପଦ୍ମପତ୍ର ପରି ପାଣିର ଉପରେ ରହିବା ହିଁ ଜୀବନକୁ ରସମୟ କରିଥାଏ । ଯଥାର୍ଥରେ ପଦ୍ମପତ୍ର ମିମ୍ବାଭସା ।