ରାତିର ରଙ୍ଗମଞ୍ଚ

ଏବେ ବଦଳି ସାରିଛି ଗାଁ । ଗାଁରେ ଏବେ ଆଉ ଦୋଳ ମେଳଣ ବେଳକୁ ଏ ନାଚ଼ ଫାଚ଼ ଆଉ ହେଉନି । ପାଲା, ଦାସକାଠିଆ, ଗୀତିନାଟ୍ୟ ଆଦି ଆଜି ଗାଁଠୁ ସହରରେ ବେଶୀ ହେଉଛି । ବାଉଁଶ ବତାର ଖଣ୍ଡାରେ ଆଉ ଗାଁ ପିଲାଏ ଯୁଦ୍ଧ କରୁନାହାଁନ୍ତି । ଏବେ ନୂଆ ସମୟ ।


ଚିତ୍ର - ରମାକାନ୍ତ ସାମନ୍ତରାୟ

କେତେ ବୟସ ହେଇଥିବ ମୋତେ ? ଏଇ ଧର ପାଞ୍ଚ କି ଛଅ । ସେଇ ପିଲାଦିନରୁ ମୁଁ ନାଚ଼ ବାଇଆ । ଧର ଯାତ୍ରା ବିକଳିଆ । ଅବଶ୍ୟ ସେତେବେଳେ ଆମମାନଙ୍କ ପାଇଁ ମନୋରଞ୍ଜନ କହିଲେ ଗାଁରେ ହେଉଥିବା ରାମଲୀଳା, ଦାସକାଠିଆ, ଗୀତିନାଟ୍ୟ କିମ୍ବା ନାଚ଼ ହିଁ ଥିଲା । ଅପେରାକୁ ଆମେ ନାଚ଼ କହୁଥିଲୁ । ଟିକେଟ ସେଲ୍ ଅପେରା ଗାଁ ଗହଳରେ ଏତେ ଲୋକପ୍ରିୟ ସେଯାଏଁ ହୋଇନଥାଏ । ନାଚ଼ କି ଗୀତିନାଟ୍ୟ ହେବାର ଅବସର ଆସୁଥିଲା ମୁଖ୍ୟତଃ ଦୋଳ ବେଳକୁ । ପ୍ରତି ଗାଁ ଓ ପଡ଼ାରେ ଅଲଗା ଅଲଗା ମେଳଣ ହୁଏ । ମେଳଣକୁ ବିଭିନ୍ନ ପ୍ରକାର ଦୋକାନ ବଜାର ସାଙ୍ଗରେ ନାଚ଼ ନିଶ୍ଚୟ ହେବ । ଅନ୍ୟ ସମୟରେ ବି କଦବା କ୍ୱଚ଼ିତ୍ ହେଉଥିଲା । ନହେଲେ ଦଶହରା, କାର୍ତ୍ତିକେଶ୍ୱର ପୂଜା, କାଳୀ ପୂଜା କିମ୍ବା ଗଜଲକ୍ଷ୍ମୀ ପୂଜା ବେଳକୁ ବି ନାଚ଼ ଦଳ ଓ ଗୀତିନାଟ୍ୟ ଦଳଙ୍କୁ ଡକାଯାଉଥିଲା । ସାହି ଖୁଦୁରୁକୁଣୀ ଉଝାଁ ପାଳିରେ ପ୍ରାୟତଃ ପାଲା ହେଉଥିଲା । ପଇସାବାଲା ଲୋକେ ସେମାନଙ୍କ ପିଲାର ଏକୋଇଶା ବେଳକୁ ନହେଲେ ଷୋଳପାଲାରେ ନିଶ୍ଚୟ ଠିଆପାଲା କରାଉଥିଲେ ।

ଦୋଳ ମେଳଣ କି ଅନ୍ୟ ଯାନିଯାତ୍ରା ବେଳକୁ ଯୋଉ ନାଚ଼ପାର୍ଟି ସବୁ ଆସନ୍ତି ଲୋକେ ସେ ନାଚ଼ ଦଳକୁ ପ୍ରାୟତଃ ମାଳେଇ ପାର୍ଟି ବୋଲି କୁହନ୍ତି । ଲୋକେ ଆପଣା ଭିତରେ ଚ଼ାନ୍ଦା ଭେଦା କରି କେବଳ ବିଧି ରକ୍ଷା ପାଇଁ ଭଲ ଅପେରା ଅପେକ୍ଷା ଅଳ୍ପ ଖର୍ଚ୍ଚରେ ମାଳେଇ ପାର୍ଟି ଆଣି ନଚେ଼ଇ କାମ ସାରି ଦେଉଥିଲେ । ମାଳେଇ ପାର୍ଟିରେ କାମ କରୁଥିବା ଅଭିନେତା ଓ ଅନ୍ୟମାନେ ପେଟ ପାଟଣା ପାଇଁ ଅଲଗା କିଛି କାମରେ ସାରା ବର୍ଷ ବ୍ୟସ୍ତ ଥାଆନ୍ତି । ପ୍ରାୟତଃ ଏଇ ଯାନିଯାତ୍ରା ବେଳକୁ ବଇନା ଧରି କେଇଟା ଗାଁ ବୁଲି ନାଚ଼ କରନ୍ତି । ଏଥିରେ ରୋଜଗାର ଅପେକ୍ଷା ନାଚ଼ କରିବାର ନିଶାର ମାତ୍ରା ଅଧିକ ଥାଏ । କେବେ କେବେ ସେମାନେ ଶଗଡ଼ ଉପରେ ବସି ଆସନ୍ତି ତ କେବେ ନାଚ଼ ପାଇଁ ଆବଶ୍ୟକୀୟ ଜିନିଷପତ୍ର ଥିବା କାଠ ବାକ୍ସମାନଙ୍କୁ ମୁଣ୍ଡେଇକରି ଆସି ପହଞ୍ଚିଯାଆନ୍ତି । ନାଚ଼ ହେବା ରାତିର ସଞ୍ଜ ପହରକୁ ଆମେ ସବୁ ପିଲାଏ ଘୋର ଉତ୍ତେଜନାରେ କାଟୁଥିଲୁ । ଘରୁ ମେଳଣ ପଡ଼ିଆ ଭିତରେ ପଚାଶ ଥର ଯିବା ଆସିବା କରୁଥିଲୁ । ରାତି ପାଇଁ ସଞ୍ଜ ଗଡ଼ିବା ଆଗରୁ ନାଚ଼ ପେଣ୍ଡାଲ୍ ଚ଼ାରିକତି ଆପଣା ଆପଣା ଛିଣ୍ଡା ଅଖା, ହେଁସ କି ମଶିଣା ପକେଇ ସ୍ଥାନ ସଂରକ୍ଷଣ କରୁଥିଲୁ । ଗାଁ ସ୍କୁଲ୍ ଘରେ ଡେରା ପକେଇଥିବା ଅଭିନେତାମାନଙ୍କୁ ଦୂରରୁ ଦେଖି ଅନୁମାନ ଲଗାଉଥିଲୁ କିଏ ରାଜା, କିଏ ରାଜକୁମାର ଆଉ କିଏ ସେନାପତି ହେବ । ବଡ଼ମାନଙ୍କ ହଜାର ହୁରୁଡ଼ା ପରେ ବି କୋଉ ଛଟକରେ ନାଟକ ଆଗରୁ ସେମାନଙ୍କ ପାଉଡର୍ ମାଖି ହେବା ଓ ବେଶ ପୋଷାକ ପିନ୍ଧି ସାଜସୁଜା ହେବାକୁ ବଡ଼ କୌତୂହଳରେ ଦେଖୁଥିଲୁ । ପୁଅମାନେ ଝିଅ ହେବା ପ୍ରକ୍ରିୟା ବିଷୟରେ କଥା ହେଉଥିଲୁ । ସେଯାଏଁ ଗାଁ ଗହଳରେ ପୁଅମାନେ ହିଁ ନାରୀ ଭୂମିକାରେ ଅଭିନୟ କରୁଥିଲେ ।

ଦିନରେ ମଳିମୁଣ୍ଡିଆ ଓ ନିହାତି ସାଧାରଣ ଲାଗୁଥିବା ମଣିଷମାନେ ରାତିର ମଶାଲ୍ କି ପେଟ୍ରୋମାକ୍ସ ଆଲୁଅରେ ନାଚ଼ ପେଣ୍ଡାଲ୍ ଉପରେ ବଡ଼ ମହିମାବନ୍ତ ଦିଶୁଥିଲେ । ରାଜା, ରାଣୀ, ରାଜକୁମାରୀ, ରାକ୍ଷସ, ଦେବତା ଓ ଦେବୀ ଆମମାନଙ୍କୁ ସାକ୍ଷାତ୍ ସତସତିକା ଲାଗୁଥିଲେ । ରାବଣ, କଂସ ଓ ହିରଣ୍ୟକଶିପୁମାନଙ୍କୁ ଦେଖି ଆମେ ଯେତିକି ଡରୁଥିଲୁ ଡଗର, ବିଦୂଷକ ଆଦିଙ୍କୁ ଦେଖି ସେତିକି ହସୁଥିଲୁ ଓ ହନୁମାନଙ୍କୁ ଦେଖି ସବୁଠୁ ବେଶୀ ଖୁସି ହେଉଥିଲୁ । ଦୁଃଖ ସିନ୍ ପଡିଲେ ବଡ଼ ବୋର୍ ହୋଇଯାଉଥିଲୁ । ଖଣ୍ଡା କି ଗଦା ଯୁଦ୍ଧ ସମୟ ମୋର ପ୍ରିୟ ସମୟ ଥିଲା । ସେଥିରେ ପୁଣି ସେନାପତି କିମ୍ବା ରାଜାଙ୍କ ଖୋଳ ପଶା ଚକ୍‌ଚକିଆ ଖଣ୍ଡାକୁ ମୋର ପ୍ରବଳ ଲୋଭ । ମୋର ପୁରାଣ ପାଠ ଜାଣ ଏଇ ନାଚ଼, ପାଲା, ଦାସକାଠିଆ ଓ ରାମଲୀଳାରୁ ହିଁ ହୋଇଥିଲା । ସେତେବେଳେ ନାଟକମାନଙ୍କର ବିଷୟବସ୍ତୁ ପ୍ରାୟତଃ ପୌରାଣିକ ଥିଲା । ପରେ କିଛି କିଛି କାଳ୍ପନିକ ନାଟକ ମଞ୍ଚସ୍ଥ ହେଲା । ସାମାଜିକ ନାଟକ ବହୁତ ପରେ ଆସିଲା । ଥରେ ଦୋଳ ବେଳକୁ ମୁଁ ମାମୁଁଘରେ ଥାଏ । ନାଚ଼ ଦଳଙ୍କ ଅଭାବରୁ ରାତି ଛାଡ଼ ଦିନରେ ବି ନାଚ଼ ହେଉଥାଏ ସେଥର । ଅନ୍ୟ ଏକ ପଡ଼ା ମେଳଣରେ ଅପରାହ୍ନରେ ଆରମ୍ଭ ହେଲା ନଳ ଦମୟନ୍ତୀ ନାଟକ । ଆଗରୁ ଖବର ପାଇ ଆମେ ସବୁ ଆମ ଅଖା ମଶିଣା ଧରି ହାଜିର ହୋଇସାରିଥାଉ । ରାତି ଆଲୁଅରେ ଅଭିନେତାମାନେ ଯେମିତି ଦିଶନ୍ତି ଦିନ ଆଲୁଅରେ କିନ୍ତୁ ବଡ଼ ଫିକା ଫିକା ଲାଗୁଥା’ନ୍ତି । ହଠାତ୍ ନାଟକ ମଝିରୁ ଅଟକିଗଲା । ନଳ, ଦମୟନ୍ତୀ ଓ ଶନି ଆଦି ଚ଼ରିତ୍ରରେ ଅଭିନୟ କରୁଥିବା ଅଭିନେତା ଓ ଅନ୍ୟମାନେ ସେଇ ରାଜକୀୟ ବେଶ ପୋଷାକରେ ପେଟି ମୁଣ୍ଡେଇ ଅନ୍ୟ ଏକ ପଡ଼ାକୁ ଚାଲିଲେ । ତାଙ୍କ ପଛେ ପଛେ ଆମେ ସବୁ ବି ଚାଲିଲୁ । ଅଧା ରହିଯାଇଥିବା ନଳ ଦମୟନ୍ତୀ ନାଟକ ସେଠି ଯାଇଁ ପୂରା ହେଲା ।

ପରେ ମୁଁ ସାମାନ୍ୟ ବଡ଼ ହେଲାପରେ ଯେତେବେଳେ ଆମ ଗାଁରେ ଟିକେଟ୍ ସେଲ୍ ଅପେରା ଆରମ୍ଭ ହେଲା ତା’ର ସମୀକରଣ ଏଇ ଦୋଳ ମେଳଣ ଅପେରା ଠାରୁ ଢେର୍ ଅଲଗା ଥିଲା । ଟିକେଟ୍ ସେଲ୍ ପାଇଁ ପୂରା ସାତ ଦିନ ସକାଶେ ଅପେରା ଦଳକୁ ଆଗରୁ ବଇନା ଦେଇ ବୁକ୍ କରାଯାଉଥିଲା । ଗାଁର କିଛି ଲୋକ ମିଶି କିଛି କିଛି ପଇସା ଦେଇ ନାଚ଼ କମିଟି ଗଢ଼ି ସେଥିରେ ମେମ୍ବର ହେଉଥିଲେ (ଲୋକେ ନେମ୍ବର ବୋଲି କହୁଥିଲେ) । ନାଚ଼ ଦଳ ସହ ଆଗରୁ ହିସାବ ଛିଡୁଥିଲା ସାତ ରାତି ପାଇଁ କେତେ ନେବେ । କମିଟି ମେମ୍ବର ଟିକେଟ୍ ବିକି କରି ଯାହା ପାଉଥିଲେ ସେତିକିରେ କେବେ ଲାଭ ହେଉଥିଲା ତ କେବେ କ୍ଷତି ବି ହେଉଥିଲା । ଅବଶ୍ୟ ପ୍ରତି ମେମ୍ବର ପ୍ରତି ରାତିରେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ମାଗଣା ଟିକେଟ ପାଉଥିଲେ । ସାତ ଦିନର ପ୍ରଥମ ଓ ଶେଷ ରାତି ପୌରାଣିକ ନାଟକ ହେଉଥିଲା । ଶେଷରାତିରେ ପ୍ରାୟତଃ ସଂପୂର୍ଣ୍ଣ ମହାଭାରତ ହିଁ ମଞ୍ଚସ୍ଥ ହେଉଥିଲା । ଗୋଟେ ରାତି ହେଉଥିଲା କାଳ୍ପନିକ ନାଟକ । ଗୋଟେ ରାତି ହେଉଥିଲା ଅନୁସନ୍ଧାନ ମୂଳକ ନାଟକ । ମାନେ ଅପେରା ଦଳର ସବୁଠାରୁ ହିଟ୍ ନାଟକ । ପ୍ରଥମ ରାତିରୁ ସେ ବିଷୟରେ ଘୋଷଣା କରାଯାଇ ଲୋକମାନଙ୍କ ମନରେ ଉତ୍କଣ୍ଠା ତିଆରି କରାଯାଉଥିଲା । ଅନ୍ୟ ତିନି ଦିନ ନିରୋଳା ସାମାଜିକ ନାଟକ । ସବୁଦିନ ଅପରାହ୍ନରେ ରିକ୍ସା କିମ୍ବା ଅଟୋରେ ମାଇକି ଲଗେଇ ଜଣେ କେହି ଆଖ ପାଖ ଗାଁ ଓ ହାଟରେ ବୁଲି ବୁଲି ସେ ରାତିର ନାଟକ ବିଷୟରେ ପ୍ରଚାର କରୁଥିଲା । ପ୍ରବଳ ମାତ୍ରାରେ ଇକୋ ଯନ୍ତ୍ରର ବ୍ୟବହାର, ବଡ଼ ଅଜବ ଓ କୃତ୍ରିମ ଶୈଳୀରେ କରାଯାଉଥିବା ଏହି ପ୍ରଚାରର ବିଷୟବସ୍ତୁ ଅନେକ ସମୟରେ ଏକାନ୍ତ ଏକାଗ୍ର ନହେଲେ ବୁଝାପଡୁନଥିଲା ।

ନାଚ଼ ଦିନ ସଞ୍ଜରୁ ମୁଁ ପ୍ରାଣ ପଣେ ଚେଷ୍ଟା କରେ ନଶୋଇବାକୁ । ମୋର ସବୁବେଳେ ଡର ଥାଏ କାଳେ ମୁଁ ଶୋଇପଡ଼ିବି ଓ ମୋତେ କେହି ଠିକ୍ ସମୟରେ ଡାକିବେନି ଅବା ଡାକିଲେ ବି ମୋର ନିଦ ଭାଙ୍ଗିବନି । ଦିନସାରା ସେଇ ଅପେରା ଦଳଙ୍କ ଚାରିପାଖ ଘିରି ଘିରି ହୋଇ ଏତେ ଥକ୍କା ଥାଏ ଯେ ନଶୋଇବାର ହଜାର ଚ଼େଷ୍ଟା ପରେ ବି ଆଖି ପଡ଼ିଯାଏ । କାହା ଡାକରେ ନିଦ ଭାଙ୍ଗିଲା ବେଳକୁ ଘରେ ସମସ୍ତେ ସଜବାଜ ହେଉଥାନ୍ତି । କିଏ କହୁଥାଏ ଜଲ୍‌ଦି ଚ଼ାଲ ନହେଲେ ବସିବାକୁ ଜାଗା ମିଳିବନି । ଆଉ କିଏ କହୁଥାଏ ଚ଼ାଲ ଚ଼ାଲ ସେକେଣ୍ଡ କନ୍‌ସର୍ଟ (ଆମେ କନ୍‌ସେଟ୍ କହୁଥିଲୁ) ଆରମ୍ଭ ହେଇଗଲାଣି ।

ସେତେବେଳର ବିଧି ଅନୁସାରେ ପ୍ରଥମେ ତିନିଟା କନ୍‌ସର୍ଟ ରହିବ । ଯାହାକୁ ସେମାନେ ଯନ୍ତ୍ର ସଂଗୀତ କହୁଥିଲେ । ଯନ୍ତ୍ର ସଂଗୀତ ପରିବେଷଣର ଅସଲ ଉଦ୍ଦେଶ୍ୟ ହେଲା, ଆଉ ଅଳ୍ପ ସମୟ ପରେ ନାଟକ ଆରମ୍ଭ ହେବ । ପ୍ରିୟ ଦର୍ଶକ ବନ୍ଧୁମାନେ ଏଥର କାଳ ବିଳମ୍ବ ନକରି ଶିଘ୍ର ଆସିଯାଅ । ଆମମାନଙ୍କୁ ବିରକ୍ତ ଲାଗୁଥିବା ଯନ୍ତ୍ର ସଂଗୀତ ପରେ ଆରମ୍ଭ ହେବ ନୃତ୍ୟନାଟିକା । କୌଣସି ଏକ ପୌରାଣିକ ବିଷୟ ଭିତ୍ତିକ କ୍ଷୁଦ୍ର ନାଟିକା । ତାପରେ ଯାଇଁ ଆରମ୍ଭ ହେବ ଅସଲ ନାଟକ । ଅସଲ ନାଟକ ଆରମ୍ଭ ହେଲା ବେଳକୁ ପେଣ୍ଡାଲ୍ ପାଖକୁ ଲାଗି ବସିଥିବା ଆମ ସାନ ସାନ ଦର୍ଶକ ପିଲାଙ୍କ ଭିତରୁ କେଇଜଣ ଢୋଳେଇ ଢୋଳେଇ ଆପଣା ଯାଗାରେ କୁକୁର ମଲାପରି ଶୋଇସାରିଥା’ନ୍ତି । କେତେଜଣଙ୍କର ନିଦ ପରଦିନ ସକାଳୁ ଯାଇଁ ଭାଙ୍ଗେ ତ କିଏ କିଏ ମଝିରେ ମଝିରେ ଉଠିପଡ଼ି ପୁଣି ଶୋଇପଡ଼ନ୍ତି । ପେଣ୍ଡାଲ୍ ଉପରେ କିଛି ଗୋଟେ ବିଶେଷ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଞ୍ଚସ୍ଥ ହେଲାବେଳକୁ ପଛରୁ ଅନବରତ ଭାସିଆସୁଥିବା ବିଡ଼ି ଗନ୍ଧ ଓ ଆମ ପିଲାଙ୍କ ଗହଳି ଭିତରେ ନିୟମିତ ବ୍ୟବଧାନରେ ଚ଼ହଟି ଯାଉଥିବା ଉତ୍କଟ ଅପାନ ବାୟୁର ଦୁର୍ଗନ୍ଧ ବାର ବାର ରସଭଙ୍ଗ କରିପକାଏ । ବିଭିନ୍ନ କାରଣରୁ ଡେରିରେ ଆରମ୍ଭ ହେଇଥିବା ନାଟକ ସକାଳ ହେଲାବେଳକୁ ସରିନଥାଏ (ଲୋକେ ବହି ସରିନି ବୋଲି କୁହନ୍ତି) । ସିନ୍ଦୂରା ଫାଟିଲା ବେଳକୁ ସ୍ତ୍ରୀ ଲୋକମାନେ ତାଙ୍କ ବସିବା ଯାଗାରୁ ଉଠିପଡ଼ନ୍ତି । ସେମାନଙ୍କୁ ଜଲ୍‌ଦି ଘରକୁ ଫେରିବାକୁ ହେବ । ବାସି ପାଇଟି ଭାବରେ ବାସନ ମଜା, ଚୁଲି ଲିପା ପୋଛା, ଅଗଣାରେ ଚଉକା ଦେବାଠୁଁ ଆରମ୍ଭ କରି ଆହୁରି କେତେ କ’ଣ ସକାଳ ପାଇଟି ସେମାନଙ୍କର । ଯେତିକି ନାଚ଼ ହେଲା, ହେଲା ଚାଲ ଏଥର ଘରକୁ ଫେର । ରାତି ଅନ୍ଧାରରେ ସିନା ନାଚ଼ ଦେଖା, ନହେଲେ ନୂଆ ଭୂଆସୁଣିମାନଙ୍କର ପୁଣି ସାରା ଗାଁରେ ଯେତେ ଦେଢ଼ଶୁର, ଶଶୁର । ମାଇକିରେ ଯେତେ ନିରବତା ରକ୍ଷା କରିବାର ଅନୁରୋଧ ହେଉପଛେ ହୋ ହୋ ହେଇ ମାଇପି ପାଖ ଖାଲି ହେଇଯାଏ । ଅନ୍ୟ ପଟରେ ବି ଅନେକ ବସିବା ଯାଗାରୁ ଉଠି ଠିଆ ହେଇ ପଡ଼ନ୍ତି । ପେଟ୍ରୋମାକ୍ସ ଲାଇଟ୍ ମହଳଣ ପଡିସାରିଥାଏ । ସକାଳ ଆଲୁଅରେ ତଥାପି ବୀରବାଦ୍ୟ ଭିତରେ ଲୋକମାନଙ୍କ ହୋ ହାଲ୍ଲା ଭିତରେ ରାବଣ ମରେ ନହେଲେ ଦୁର୍ଯ୍ୟୋଧନର ଜାନୁଭଙ୍ଗ ହୁଏ ଅବା ମହିଷା ମର୍ଦ୍ଦିନୀ ଦୁର୍ଗା ମହିଷାସୁରକୁ ବଦ୍ଧ କରନ୍ତି । ଶେଷଦୃଶ୍ୟ ମଞ୍ଚସ୍ଥ ହେଲା ପରେ ବହି ସରେ । ଲୋକେ ନାଟ ବିଷୟରେ କଥା ହେଇ ହେଇ ଘରକୁ ଫେରନ୍ତି ।

ମୁଁ ଘରକୁ ଫେରି ଶୋଇପଡେ ଯେ ଉଠେ ଖରାବେଳକୁ । ଗାଧେଇ ପାଧେଇ ପଖାଳ ବେଲାଏ ଖାଇ ଦୌଡ଼େ ମେଳଣ ପଡ଼ିଆକୁ । ନିଛାଟିଆ ଦିପହରେ କିନ୍ତୁ ବଡ଼ ଶ୍ରୀହୀନ ଦିଶୁଥାଏ ମେଳଣ ପଡ଼ିଆ । ଛିଣ୍ଡା ଅଖା ଓ ଛିଣ୍ଡା କାଗଜ ଉଡୁଥା’ନ୍ତି ଚାରିକତି । ବୁଲା ଷଣ୍ଢ ଗୋଟେ ପେଣ୍ଡାଲ୍ ଉପରେ ଶୋଇ ଆରାମରେ ପାକୁଳି କରୁଥାଏ । ରାତିର ସୁନ୍ଦର ନନ୍ଦନକାନନ ସକାଳକୁ କେବଳ ଚାରିଖଣ୍ଡ ବାଉଁଶ ଉପରେ କେଇଟା ଦରଶୁଖିଲା ନଡ଼ିଆ ବାହୁଙ୍ଗା ତଳେ ବିପର୍ଯ୍ୟସ୍ତ ଲାଗେ । ମୁଁ ଗଲା ରାତିରେ ଜଣେ ସୈନିକର ହାତରୁ ଖସି ଯାଇଥିବା ଖଣ୍ଡାକୁ ଖୋଜେ । ହଁ ଠିକ୍ ଏଇଠି ତ ଖସିଥିଲା । ଗଲା କୁଆଡ଼େ ? ଖଣ୍ଡା ମିଳେନି, କିନ୍ତୁ ପେଣ୍ଡାଲ୍ ଉପରୁ ମିଳେ କେଇଟା ମାଳି । ରାଜାଙ୍କ ମକୁଟରୁ ଖସିପଡ଼ିଛି ନା ରାଜକୁମାରୀର ବେକରୁ ? ସେତକ ପକେଟରେ ପୂରେଇ ମୁଁ ଧାଏଁ ସ୍କୁଲ ଘରକୁ । ନାଚ଼ ଦଳ ତାଙ୍କ କାଠବାକ୍ସ ଓ ଅନ୍ୟାନ୍ୟ ସାଜସଜ ଶଗଡ଼ରେ ଲଦୁଥା’ନ୍ତି । ଗଲା ରାତିରେ ରାଜକୁମାରୀ ହୋଇଥିବା ଟୋକା ବାଳ ମୁକୁଳା କରି ସ୍କୁଲ୍ ପିଣ୍ଢାରେ ବସି ଆରାମରେ ବିଡ଼ି ପିଉଥାଏ । ରାତିର କଂସ ରାଜା ଶଗଡ଼ ଉପରେ ଚଢ଼ି କାଠ ପେଟି ସାଇଜ୍ କରୁଥା’ନ୍ତି । କେତେଜଣଙ୍କୁ ମୁଁ ଚ଼ିହ୍ନି ପକାଏ ତ କାହାକୁ କାହାକୁ ଜାଣି ପାରେନି ଗଲା ରାତିର କୋଉ ଚ଼ରିତ୍ରରେ ସେ ମଞ୍ଚକୁ ଉଠିଥିଲେ । ସେଇଠି ବିଡ଼ା ବନ୍ଧା ହୋଇ ରଖାଯାଇଥାଏ ପୁଳାଏ ଖଣ୍ଡା, ବର୍ଚ୍ଛା ଓ ଠେଙ୍ଗା । ମୁଁ ମନେମନେ ଭାବେ ଅନ୍ତତଃପକ୍ଷେ ଗୋଟେ ଖଣ୍ଡା ଖସି ପଡ଼ନ୍ତାନି ମୋ ପାଇଁ । କିଛି ବି ଖସେନି । ଗୋଟି ଗୋଟି ସବୁକିଛି ସେମାନେ ଶଗଡ଼ରେ ଲଦି ସ୍କୁଲ୍ ହତାରୁ ଧିରେ ବାହାରି ଯାଆନ୍ତି । କାହିଁକି କେଜାଣି ମୋତେ ବଡ଼ କାନ୍ଦ କାନ୍ଦ ଲାଗେ । ମୋ ପାଖରେ ଠିଆ ମୋର ଅନ୍ୟ ସାଙ୍ଗମାନଙ୍କର ବି ସେଇ ଅବସ୍ଥା । ଆମେ ସବୁ ମନ ଖରାପ କରି ଫେରିଆସୁ । ତାପରେ ଆମ ବାଡ଼ି ଖଳା କି ଗୁହାଳ ଘରେ ଆମମାନଙ୍କର ଅପେରା ଆରମ୍ଭ ହୁଏ । ବାଉଁଶ ବତାର ଖଣ୍ଡାରେ ଯୁଦ୍ଧ ହୁଏ । କେବେ ରାମ ରାବଣ ଭିତରେ ତ କେବେ ରାମ ଓ କଂସ ଭିତରେ । ରାମାୟଣ ଓ ମହାଭାରତର ଚରିତ୍ରମାନେ ଏକାକାର ହୋଇଯାଆନ୍ତି ଆମ ଖରାବେଳିଆ ନାଟକରେ । ଯୁଦ୍ଧ ପରେ ପାଖରେ ଥିବା କଦଳୀ ଗଛ ପେଟରେ ଖଣ୍ଡା ପୂରେଇ ଆତତାୟୀମାନଙ୍କୁ ହତ୍ୟା କରାଯାଏ । ଯାହାର ଯେତିକି ଡାଏଲଗ୍ ମନେ ଥାଏ ସେ କୁହେ । ଇଟା ଗଦାର ସିଂହାସନ ଉପରେ ଦର ଲଙ୍ଗଳା ରାଜା ଯାହା ଆଦେଶ ଦିଅନ୍ତି ତାକୁ ମାନିବାକୁ କାହାର ବି ଇଚ୍ଛା ନଥାଏ । ସମସ୍ତଙ୍କର ହାତରେ ଖଣ୍ଡା ଓ ସମସ୍ତଙ୍କର ରାଜା ହେବାକୁ ମନ ଯେ !

ଏସବୁ କାହିଁ ପଇଁଚାଳିଶ ବର୍ଷ ତଳର କଥା । ଏବେ ବଦଳି ସାରିଛି ଗାଁ । ଗାଁରେ ଏବେ ଆଉ ଦୋଳ ମେଳଣ ବେଳକୁ ଏ ନାଚ଼ ଫାଚ଼ ଆଉ ହେଉନି । ପାଲା, ଦାସକାଠିଆ, ଗୀତିନାଟ୍ୟ ଆଦି ଆଜି ଗାଁଠୁ ସହରରେ ବେଶୀ ହେଉଛି । ବାଉଁଶ ବତାର ଖଣ୍ଡାରେ ଆଉ ଗାଁ ପିଲାଏ ଯୁଦ୍ଧ କରୁନାହାଁନ୍ତି । ଏବେ ନୂଆ ସମୟ । କେତେ କ’ଣ ନୂଆ କଥା । ସମୟ ବଦଳିଲେ ଘଟଣା, ପରିବେଶ ଓ ପରିସ୍ଥିତି ବି ବଦଳି ଯାଏ । ସେ ବଦଳିଯିବା ପ୍ରକ୍ରିୟାକୁ ଆମକୁ ଗ୍ରହଣ କରିବାକୁ ହେବ । ଆଜିର ନୂଆ କଥା କାଲିକୁ ପୁଣି ପୁରୁଣା ହେବ । ସେ କଥା ଆଉ କିଏ ଜଣେ ତା’ ସ୍ମୃତିକୁ ମନେପକେଇ ଲେଖିବ ।