ଆଉ ନାହାନ୍ତି କୋଶଳୀ ନାଟକର ଅନନ୍ୟ ନାୟକ ମଙ୍ଗଳୁ ଚରଣ ବିଶ୍ଵାଳ

ସମ୍ବଲପୁର ଜିଲାର ବାରଡୁମୁରି ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ଏଇ ଗାଁ ହିଁ ଥିଲା ତାଙ୍କ ଜନ୍ମ ଓ ମରଣର ସାଥି । ସବୁ ଲେଖକ ଯେତେବେଳେ ସହରମୁହାଁ ସେତେବେଳେ ମଙ୍ଗଳୁ ଚରଣ ବିଶ୍ଵାଳ ଆଜୀବନ ଗାଁରେ ରହିଲେ । ଗାଁ ଓ ଗାଉଁଲି ମଣିଷଙ୍କ କଥା ଲେଖିଲେ ।


ଫଟୋ - "ପହରା"

ଓଡିଆ ତଥା କୋଶଳୀ ସାହିତ୍ଯର ଅନନ୍ୟ ନାଟ୍ଯକାର, କବି, କଥାକାର ଓ ଖ୍ୟାତନାମା ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ବାଳଙ୍କର ୮୭ ବର୍ଷ ବୟସରେ ଆଜି ପରଲୋକ ଘଟିଛି । ସବ୍ୟସାଚୀ ମହାପାତ୍ରଙ୍କ ଚର୍ଚ୍ଚିତ ସିନେମା "ଭୁଖା"ର କାହାଣୀକାର ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ତେବେ "ଭୁଖା" ତାଙ୍କର ଅଗଣିତ ପ୍ରଭାବଶାଳୀ ନାଟକମାନଙ୍କ ମଧ୍ୟରୁ ଗୋଟିଏ ମାତ୍ର । ସାଧାରଣ ଶ୍ରମଜୀବୀ ଓ ସଙ୍ଘର୍ଷଶୀଳ ମଣିଷର ଜୀବନକୁ ନାଟକ ମାଧ୍ୟମରେ ଅତ୍ୟନ୍ତ ସଫଳତାର ସହିତ ଚିତ୍ରଣ କରିପାରିବାର ସୃଜନଶୀଳ ଦକ୍ଷତା ଶୀଯୁକ୍ତ ବିଶ୍ବାଳଙ୍କର ରହିଥିଲା । ସେ ଥିଲେ କୋଶଳୀ ନାଟକର ଚଳନ୍ତି କିମ୍ବଦନ୍ତୀ । "ଭୁଖା", "ଉଡଲା ପତର ବୁଡଲା ଡଙ୍ଗା", "ଉଳଗୁଲାନ", "ସୁନ୍ଦର ସାଏ", "ବରୁଆ" ଇତ୍ୟାଦି ନାଟକରେ ସାଧାରଣ ମଣିଷର ଜୀବନ ଓ ଇତିହାସବୋଧକୁ ଅତି ଚମତ୍କାର ଭାବରେ ସେ ରୂପାୟିତ କରିଥିଲେ ।

୧୯୫୧ ମସିହାରେ ତାଙ୍କର ପ୍ରଥମ ଓଡିଆ କବିତା ସଂକଳନ "ବସନ୍ତ ଆସିଲା ଫେରି" ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ୧୨ଟି କବିତା ସଂକଳନ, ୮ଟି ଗଳ୍ପ ସଂକଳନ, ୩ଟି ଉପନ୍ୟାସ, ୫ଟି ଶିଶୁ ସାହିତ୍ଯ ପୁସ୍ତକ, ୬ଟି ପ୍ରବନ୍ଧ ସଂକଳନ, ୨୦ରୁ ଅଧିକ ନାଟକ ଏବଂ ଅନୁବାଦ ପୁସ୍ତକ ପ୍ରକାଶିତ । ତାଙ୍କ ଆତ୍ମଜୀବନୀ "ହଜିଲା ଦିନ" ଓଡିଆ ସାହିତ୍ଯର ଏକ ଚମତ୍କାର ମାଇଲଖୁଣ୍ଟ । ସରଳ ଓ ସ୍ଵାଭାବିକ ଭାବରେ ଜୀବନକୁ କଥାରେ ରୂପାନ୍ତରିତ କରିପାରିବାର ଅପୂର୍ବ କଳା ତାଙ୍କୁ ଜଣାଥିଲା ।

ସମ୍ବଲପୁର ଜିଲାର ବାରଡୁମୁରି ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ଏଇ ଗାଁ ହିଁ ଥିଲା ତାଙ୍କ ଜନ୍ମ ଓ ମରଣର ସାଥି । ସବୁ ଲେଖକ ଯେତେବେଳେ ସହରମୁହାଁ ସେତେବେଳେ ମଙ୍ଗଳୁ ଚରଣ ବିଶ୍ଵାଳ ଆଜୀବନ ଗାଁରେ ରହିଲେ । ଗାଁ ଓ ଗାଉଁଲି ମଣିଷଙ୍କ କଥା ଲେଖିଲେ । ସମଗ୍ର ପଶ୍ଚିମ ଓଡିଶାରେ ତାଙ୍କୁ କିମ୍ବଦନ୍ତୀ ପୁରୁଷର ମର୍ଯ୍ଯାଦା ମିଳିଛି । ଓଡିଆ ସାହିତ୍ୟକୁ ସେ ଯେତିକି ଦେଇଛନ୍ତି, ତାର ପ୍ରତିଦାନରେ ତାଙ୍କୁ ସେତିକି ସ୍ଵୀକୃତି ମିଳିନାହିଁ । ଓଡିଶା ସାହିତ୍ଯ ଏକାଡେମୀ ଓ କେନ୍ଦ୍ର ସାହିତ୍ଯ ଏକାଡେମୀ ତାଙ୍କୁ ଜୀବନ ସାରା ଉପେକ୍ଷା କରି ଆସିଲେ ।

ଓଡିଆ ସାଧାରଣ ଜୀବନର ଏହି ଅସାଧାରଣ ରୂପକାରଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ।