ବିଶିଷ୍ଟ ଲେଖିକା ପୁଣ୍ୟପ୍ରଭା ଦେବୀଙ୍କ ବିୟୋଗ

ଓଡିଆ କଥା ସାହିତ୍ଯ ଏବଂ ଶିଶୁ ସାହିତ୍ଯ କ୍ଷେତ୍ରରେ ବିପୁଳ ଅବଦାନ ଦେଇଥିବା ପ୍ରଖ୍ୟାତ ଲେଖିକା ପୁଣ୍ୟପ୍ରଭା ଦେବୀଙ୍କର ଗତକାଲି ପରଲୋକ ଘଟିଛି । ଏହି ମହାନ ଲେଖିକାଙ୍କୁ "ବାଟୋଇ"ର ଗଭୀର ଶ୍ରଦ୍ଧାଞ୍ଜଳି ।


ଫଟୋ - ଫେସବୁକ ପ୍ରୋଫାଇଲ

ଓଡିଆ କଥାସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ଶକ୍ତିଶାଳୀ ଗଳ୍ପ ରଚନା ଓ ଶିଶୁ ସାହିତ୍ଯ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ପ୍ରଖ୍ୟାତ ଲେଖିକା ପୁଣ୍ୟପ୍ରଭା ଦେବୀଙ୍କର ଗତକାଲି ତାଙ୍କର ବିଶାଖାପାଟଣା ବାସଭବନରେ ପରଲୋକ ଘଟିଛି । ୭, ଅକ୍ଟୋବର, ୧୯୩୮ରେ ପୁଣ୍ୟପ୍ରଭା ଦେବୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ନିମାଇଁ ଚରଣ ଦାସ ଥିଲେ ଓଡିଆ ସାହିତ୍ଯର ବିଶିଷ୍ଟ ଲେଖକ ଓ ସଂଗ୍ରାହକ । ବଡ ଭଉଣୀ ସ୍ଵର୍ଗତା ବିଦ୍ୟୁତପ୍ରଭା ଦେବୀ ଥିଲେ ଓଡିଆ କବିତାର ଅତ୍ୟନ୍ତ ଶକ୍ତିଶାଳୀ କବି । ପରିବାର ଭିତରେ ସାହିତ୍ଯର ଏକ ସ୍ଵାଭାବିକ ବାତାବରଣ ପୁଣ୍ୟପ୍ରଭାଙ୍କୁ ଲେଖିକା ହେବାର ସୁଯୋଗ ଦେଇଥିଲା ।

ଶିଶୁ ସାହିତ୍ୟରୁ ନିଜର ଲେଖକୀୟ ଜୀବନ ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଗଳ୍ପ ଓ କବିତା ପୁସ୍ତକ ରଚନା କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକ ଗୁଡିକ "ସୁଦୂର ସୈକତ", "ଅସ୍ତରଙ୍ଗ", "ସ୍ମୃତି ଓ ସମାପ୍ତି", "ପୁନଶ୍ଚ ପୃଥିବୀ", "ଅବ୍ୟକ୍ତ", "ଅନାବନା", "ପିଲାଙ୍କ ରାମାୟଣ", "ଅଚଳ ଘଡି" ଇତ୍ୟାଦି ବେଶ ପରିଚିତ । ୨୦୧୦ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ତରଫରୁ "ବାଲ ସାହିତ୍ଯ ପୁରସ୍କାର" ପ୍ରଦାନ କରାଯାଇଥିଲା ।

ମୃତ୍ୟୁ ପର୍ଯନ୍ତ ସୋସିଆଲ ମିଡିଆରେ ପୂଣ୍ୟପ୍ରଭା ଦେବୀ ଥିଲେ ବେଶ ସକ୍ରିୟ । ନୂଆ ପିଢୀର ଲେଖକ ଲେଖିକାଙ୍କର ଅତି ପରିଚିତ ମା' ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଥିଲା । ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବା ଏହି ମହାନ ଲେଖିକାଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।