ଉତ୍ତର ପୁରୁଷ ଓ ଓଡିଶାର ନାଟ୍ୟଧାରା

ଆଜି ବି ରବୀନ୍ଦ୍ର ମଣ୍ଡପର ଦୀକ୍ଷିତ ଦର୍ଶକମଣ୍ଡଳୀ ସମ୍ମାନର ସହିତ ସ୍ମରଣ କରିଥାନ୍ତି ଅସୀମ ବସୁଙ୍କୁ । ଅସୀମ ଦା’ଙ୍କ ନେତୃତ୍ୱରେ ଗୌରିଶ୍ୟାମ ମହାପାତ୍ରଙ୍କ ସାଂଗଠନିକ ଦକ୍ଷତା ବଳରେ ଉତ୍ତର ପୁରୁଷ ଓଡ଼ିଶାର ପ୍ରତିଷ୍ଠିତ ନାଟକ ଦଳ ଭାବେ ଗୌରବ ଅର୍ଜନ କଲା ।


ଫଟୋ - ଚକ୍ରଧର ପାତ୍ର

କରୋନା ମହାମାରୀ ଭାରତୀୟ କଳା ସଂସ୍କୃତିକୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରିଛି । ଦୀର୍ଘ କାଳ ଧରି ବନ୍ଦ ରହିଛି ମଞ୍ଚ । ମଞ୍ଚକୁ ଆଦରି ମଞ୍ଚ ଉପରେ ନିର୍ଭରଶୀଳ ଅନେକ ହରାଇଛନ୍ତି ଦୈନିକ ରୋଜଗାର । ଏପରିକି ଅନେକ ଦୈନିକ ତେଲଲୁଣର ସଂସାର ଚଳାଇବା ପାଇଁ ହନ୍ତସନ୍ତ ହୋଇଛନ୍ତି । କରୋନା ମହାମାରୀ ଆରମ୍ଭରୁ ଅର୍ଥାତ୍ ୨୦୨୦ ମାର୍ଚ୍ଚ ପରଠାରୁ ବନ୍ଦ ମହାମାରୀର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ସହିତ ବନ୍ଦ ହୋଇଗଲା ମଞ୍ଚ । ମହାମାରୀର ପ୍ରଥମ ଲହର ସମାପ୍ତ ହେବା ଅନୁଭବ ହେବା ସହିତ ପୁଣି ଥରେ ସାମାନ୍ୟ କଟକଣା ସହିତ ଖୋଲିଲା ମଞ୍ଚ । ମାତ୍ର ଦେଶରେ ଦେଖାଗଲା କରୋନାର ଦ୍ୱିତୀୟ ଲହର । ପୁଣିଥରେ ତାଲା ପଡ଼ିଲା ରଙ୍ଗମଞ୍ଚରେ । ପାଖାପାଖି ଏକବର୍ଷ ପରେ ଆଶା ଦେଖିଥିବା ରଙ୍ଗକର୍ମୀମାନେ ନିରାଶ ହେଲେ । ରଙ୍ଗମଞ୍ଚକୁ ଭରସା କରି ପେଟପୋଷୁଥିବା କଳାକାରମାନେ ଅପେକ୍ଷାରତ ରହିଲେ ପୁଣି କେବେ ଖୋଲିବ ମଞ୍ଚ । ଉଠିବ ପରଦା । ଗୀତ, ସଙ୍ଗୀତ, ବାଦ୍ୟ ଓ ସଂଳାପର ଧ୍ୱନିରେ ଦୁଲୁକିବ ମଞ୍ ଚ? ୨୦୨୧ ଅକ୍ଟୋବର ବେଳକୁ କରୋନା ସଂକ୍ରମଣରେ ହ୍ରାସ ପାଇବା ପରେ ପରେ ସରକାର କଟକଣା ସହିତ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଲେ । ଆରମ୍ ଭହେଲା ନାଟକର ଋତୁ । ପ୍ରଥମେ ‘ମନନ’ର ବାର୍ଷିକ ନାଟ୍ୟୋତ୍ସବ । ପରେ ପରେ ଉତ୍ତର ପୁରୁଷ ଆୟୋଜିତ ବାର୍ଷିକ ପରିକ୍ରମାରେ ପରିବେଷିତ ହେଲା ତିନିଟି ନାଟକ ।

ଉତ୍ତର ପୁରୁଷ ସମ୍ପର୍କରେ

ସତୁରୀ ଦଶକରେ କିଛି ନାଟ୍ୟମନସ୍କ ବ୍ୟକ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ନାଟ୍ୟସଂସ୍ଥା ଉତ୍ତର ପୁରୁଷ । ଗୌରିଶ୍ୟାମ ମହାପାତ୍ର, ରାଇଚରଣ ଦାସ ଓ ଶରତ ମହାନ୍ତି । ବିଖ୍ୟାତ ନାଟ୍ୟକାର ବିଜୟ ମିଶ୍ରଙ୍କ ପରାମର୍ଶ କ୍ରମେ ଡକରା ପଡ଼ନ୍ତି ଅସୀମ ବସୁ । ଅସୀମ ବସୁ ଥିଲେ ଜଣେ ଚିତ୍ରଶିଳ୍ପୀ ତଥା ନାଟକକୁ ଭଲପାଉଥିବା ବ୍ୟକ୍ତି । ସେତେବେଳେ ସେ ଚିତ୍ରକଳା ତଥା ପ୍ରଜ୍ଞାପନ ମେଢ଼ ଓ ସରକାରଙ୍କ ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଆଦିର ନିର୍ମାଣରେ ବହୁତ ବ୍ୟସ୍ତ ଥାନ୍ତି । ଉତ୍ତର ପୁରୁଷର ନେତୃତ୍ୱ ନେବା ପାଇଁ ଥିଲା ତାଙ୍କ ନିକଟରେ ସମୟର ଅଭାବ । ହେଲେ ନାଟକ ମନସ୍କ ଅସୀମ ବସୁ ସେ ଆହ୍ୱାନକୁ ଆଡ଼େଇ ଯାଆନ୍ତେ କିପରି ? ମୂଳଦୁଆ ପଡ଼ିଲା ଉତ୍ତର ପୁରୁଷର । ଆରମ୍ଭ ହେଲା ଯୋଜନା । ରବୀନ୍ଦ୍ର ମଣ୍ଡପରେ ହେବ ନାଟକ । ବିଜୟ ମିଶ୍ର ଦେଲେ ନାଟକ । ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ । ଯାହା ବିଜୟ ମିଶ୍ର କହନ୍ତି, କି ଏ ନାଟକରେ ପାରମ୍ପରିକ କାହାଣୀ ନଥିଲା । ପରୀକ୍ଷାମୂଳକ ଥିଲା ନାଟକ । ବିଜୟ ମିଶ୍ର ନିଜେ ମଧ୍ୟ ଏ ନାଟକର ସଫଳତା ନେଇ ସନ୍ଦିହାନ ଥିଲେ । ଅସୀମ ବସୁ ମଧ୍ୟ ସନ୍ଦେହରେ ପଡ଼ିଲେ । କିପରି ହେବ ଏ ନାଟକ । ‘ମୁଁ ଏହାକୁ ଚିତ୍ର ପରି ସଜେଇବି । ଦୁଇଜଣ କଳାକାରକୁ ନେଇ ରଚିତ ଏହି କାହାଣୀର ପ୍ରତ୍ୟେକ ଦୃଶ୍ୟ ଦର୍ଶକଙ୍କୁ ଚିତ୍ର ପରି ଦୃଶ୍ୟମାନ ହେବ’ । ଏ ପ୍ରସ୍ତାବରେ ସହର୍ଷ ରାଜି ହେଲେ ବିଜୟ ମିଶ୍ର । ଆରମ୍ଭ ହେଲା ନାଟକର ଅଭ୍ୟାସ । ରାଇଚରଣ ଦାସ ଓ ସୁଲୋଚନା ଦାସ । ନାଟକର ନାୟକ ଓ ନାୟିକା । ଅପୂର୍ବ ଢଙ୍ଗରେ ନାଟକକୁ ସଜାଇଥିଲା ଅସୀମ ଦା । ପ୍ରତ୍ୟେକ ଦୃଶ୍ୟ ଗୁଡିକ ଲାଗୁଥିଲା ଚିତ୍ର ପ୍ରତିମା ପରି । ଯାହା ଏ ଲେଖକକୁ ନିଜେ କହିଥିଲେ ବିଜୟ ମିଶ୍ର । ଏଇ ନାଟକରୁ ହିଁ ଭୁବନେଶ୍ୱରର ନାଟକ ଜଗତରେ ଜଣେ ଚିତ୍ରଶିଳ୍ପୀର ନାଟକ ଜୀବନ ଆରମ୍ଭ ହେଲା । ଆରମ୍ଭ ହେଲା ଉତ୍ତର ପୁରୁଷର ନାଟକଯାତ୍ରା । ଅସୀମ ବସୁ ଓଡ଼ିଆ ନାଟକ ଜଗତର କିମ୍ବଦନ୍ତୀ ପୁରୁଷର ମାନ୍ୟତା ପାଇଲେ ।

ଆଜି ବି ରବୀନ୍ଦ୍ର ମଣ୍ଡପର ଦୀକ୍ଷିତ ଦର୍ଶକମଣ୍ଡଳୀ ସମ୍ମାନର ସହିତ ସ୍ମରଣ କରିଥାନ୍ତି ଅସୀମ ବସୁଙ୍କୁ । ଅସୀମ ଦା’ଙ୍କ ନେତୃତ୍ୱରେ ଗୌରିଶ୍ୟାମ ମହାପାତ୍ରଙ୍କ ସାଂଗଠନିକ ଦକ୍ଷତା ବଳରେ ଉତ୍ତର ପୁରୁଷ ଓଡ଼ିଶାର ପ୍ରତିଷ୍ଠିତ ନାଟକ ଦଳ ଭାବେ ଗୌରବ ଅର୍ଜନ କଲା । ଠିକ୍ ସମୟରେ ନାଟକ ପରିବେଷଣ, ନିଜ ସଂସ୍ଥାର କଳାକାରଙ୍କ ଦ୍ୱାରା ଅଭିନୟ ଓ ନିର୍ଦ୍ଦେଶନା ତଥା ବାର୍ଷିକ ନାଟକ ଉତ୍ସବରେ ଏକାଥରକେ ସଂସ୍ଥାର ୪ଟି ନାଟକ ନାଟକମହଲରେ ଦୃଷ୍ଟି ଆକର୍ଷଣ କଲା । ଦୀର୍ଘ ୫୨ ବର୍ଷର ଏହି ଯାତ୍ରାରେ ଅନେକ ଉତ୍ଥାନ-ପତନ ଆସିଛି । କିଛିକାଳ ନାଟକ ପରିବେଷଣ ହୋଇପାରିନାହିଁ । ସୁପ୍ତ ହୋଇଛି ସଂସ୍ଥା । ପୁଣିଥରେ ନୂଆ ନାଟ୍ୟକର୍ମୀଙ୍କ ଯୋଗଦାନ ଦଳକୁ ଆଶ୍ଚର୍ଯ୍ୟଜନକ ସଫଳତା ଦେଇଛି । ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକଙ୍କ ସମୟୋପଯୋଗୀ ପରାମର୍ଶ, ଉପସଭାପତି ଚିତ୍ତରଞ୍ଜନ ସ୍ୱାଇଁଙ୍କ ସାଂଗଠନିକ ଦକ୍ଷତା ବଳରେ ଆଗେଇ ଚାଲିଛି ଉତ୍ତର ପୁରୁଷ । ଆଜି ଯେତେବେଳେ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ନାଟ୍ୟଦଳମାନେ ସମସାମୟିକ ନାଟକ ପରିବେଷଣ କରିବା ଦିଗରେ ଅନବରତ ପ୍ରୟାସ ଜାରି ରଖିଛନ୍ତି, ସେହି ସମୟରେ ପଛେଇ ଯାଇନି ଉତ୍ତର ପୁରୁଷ । କିଛି ଯୁବ ନାଟ୍ୟପ୍ରେମୀ ଯେଉଁମାନଙ୍କ ନାଟ୍ୟମନସ୍କ ପ୍ରାଣରେ ଭରିରହିଛି ଅଦମ୍ୟ ଉତ୍ସାହ ଓ ଉଦ୍ଦୀପନା, ସେମାନେ ଆଗେଇ ଆସିଛନ୍ତି କିଛି ନୂଆ କରିବାରେ । ଅସୀମ ଦା’ଙ୍କ ଭାଷାରେ ଆମେ ସୌଖିନ୍ ନାଟଦଳ କି ସୌଖିନ ନାଟ୍ୟକର୍ମୀ ନୋହୁଁ, ଆମେ ଅଙ୍ଗୀକାରବଦ୍ଧ ନାଟ୍ୟଦଳ ହେବା ସହିତ ଅଙ୍ଗୀକାରବଦ୍ଧ ନାଟ୍ୟକର୍ମୀ । ଏବେ ଉତ୍ତର ପୁରୁଷ ପୁଣି ଥରେ ନିଜ ନାମର ସାର୍ଥକତା ପ୍ରମାଣିତ କରି ଅପେକ୍ଷାକୃତ ଏକ ଯୁବ ନେତୃତ୍ୱ ହାତରେ । ନୂଆ କିଛି, ଅଲଗା କିଛି ପରିବେଷଣ କରିବାର ଏକ ଝୁଙ୍କ୍ ନେଇ ।

ଉତ୍ତର ପୁରୁଷ ଆୟୋଜିତ ବାର୍ଷିକ ନାଟକ ପରିକ୍ରମା - ୨୦୨୨ରେ ପରିବେଷିତ ତିନୋଟି ନାଟକ ସମ୍ପର୍କରେ ସମ୍ୟକ୍ ସୂଚନା ନାଟକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ସିରିୟସ୍ ନାଟକ ‘ସବୁଠୁ ଉଦାସ୍ କବିତା’ । ସ୍ୱଦେଶ ଦୀପକ୍‌ଙ୍କ ମୂଳ ହିନ୍ଦୀ ‘ସବ୍‌ସେ ଉଦାସ୍ କବିତା’ର ନାଟ୍ୟରୂପ ଦେଇଥିଲେ ଆମ ସମୟର ଜଣେ ପ୍ରଖର କବି ଭାରତ ମାଝି । ନାଟକର ସଂଳାପ ଅତ୍ୟନ୍ତ ପ୍ରଭାବୀ ଥିଲା । ଚରିତ୍ରମାନେ ଏକ ସିରିୟସ୍ ନାଟକକୁ ପରିବେଷଣ କରିବା ସମୟରେ ଜରୁରୀ ଟେମ୍ପୋକୁ ଗତିଶୀଳ ରଖିପାରିଥିଲେ । ସେଟ୍ ସାମାନ୍ୟ ତଥା ପ୍ରତୀକାତ୍ମକ ଥିଲା । ଯାହା ପ୍ରତ୍ୟେକ ଦୃଶ୍ୟରେ ପରିବର୍ତ୍ତନ ହେଉଥିଲା । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶିତ ଅନ୍ୟ ସମସ୍ତ ନାଟକରେ ଏପରି ପରିବର୍ତ୍ତନଶୀଳ ସେଟ୍ ଦେଖିବାକୁ ମିଳିଥାଏ । ସଙ୍ଗୀତର ମଧୁରତା ତଥା ଆବଶ୍ୟକ ସ୍ଥଳରେ କରୁଣତା ନାଟକକୁ ଅତ୍ୟନ୍ତ ପ୍ରଭାବୀ କରିଥିଲା । ନାଟକ ଆରମ୍ଭ ହୋଇଥିଳା ୭ ମିନିଟ୍‌ର ଏକ ନୀରବ ଦୃଶ୍ୟରୁ । ପରେ ଏକ କବିତା । ଅନ୍ଧାର ମଞ୍ଚରେ ୫ଟି ଲଣ୍ଠନ ଆଲୋକରେ ନାୟିକାଙ୍କୁ ଦେଖାଇବା ଦୃଶ୍ୟ ତଥା ସାଇକ୍ଲୋମାରେ ମୃତ୍ୟୁ ଦୃଶ୍ୟ ଓ ଶେଷ ଦୃଶ୍ୟରେ ଫାଶୀ ତଥା ନାୟକର କବିତା ମାଧ୍ୟମରେ ନାୟିକାକୁ ଶେଷ ବିଦାୟ ଦେବା ପ୍ରେକ୍ଷାଳୟର ଦର୍ଶକଙ୍କୁ ବିଭୋର ଓ ବିସ୍ମିତ କରିଥିଲା । ଦେବଦତ୍ତ ପତିଙ୍କ ନିର୍ଦ୍ଦେଶନାରେ ଏହି ନାଟକର ସମସ୍ତ କଳାକାରମାନେ ନିଜ ନିଜ ଚରିତ୍ରକୁ ନ୍ୟାୟ ଦେଇଥିଲେ । କିଛି କିଛି ଦୃଶ୍ୟରେ କଳାକାରଙ୍କ ସଂଲିପ୍ତତାର ଅଭାବ ପରିଲକ୍ଷିତ ହୋଇଥିଲା ।

ଦ୍ୱିତୀୟ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ଏକ ମୌଳିକ ଓଡ଼ିଆ ନାଟକ ‘କବନ୍ଧ’ । ଦୀର୍ଘ ୪୦ ବର୍ଷ ତଳେ ରଚିତ ଓ ପରିବେଷିତ ଏହି ନାଟକ ପ୍ରତୀକାତ୍ମକ ଥିଲା । ଯାହାକୁ ସଂସ୍ଥାର ଯୁବ ନିର୍ଦ୍ଦେଶକ ଚକ୍ରଧର ପାତ୍ର କୋରିଓଗ୍ରାଫୀ ମାଧ୍ୟମରେ ପରିବେଷଣ କରିଥିଲେ । ନାଟକର ସଂଳାପ ଯଥେଷ୍ଟ ଉଚ୍ଚକୋଟୀର ଥିଲା । ଚରିତ୍ର ଚୟନରେ ନିର୍ଦ୍ଦେଶକଙ୍କ ଦକ୍ଷତା ବାରି ହୋଇପଡ଼ୁଥିଲା । ପୋଷାକ, ସଙ୍ଗୀତ ଓ ଆଲୋକ ତଥା କୋରସ୍ ଚରିତ୍ରଙ୍କ ଅଭିନୟ ଚମତ୍କାର ଥିଲା । ନାଟକର ସଂଳାପ ସହିତ ତାଳ ଦେଇ ଅଭିନେତାଙ୍କ ଅଭିନୟ ଓ ସଂଳାପ କ୍ଷେପଣ ପ୍ରଭାବୀ ରହିଥିଲା । ଯୁବ ଓ ଅନେକ ଅନଭିଜ୍ଞ ଅଭିନେତାଙ୍କୁ ନେଇ ଅଭିନୀତ ଏହି ନାଟକ ପ୍ରତୀକାତ୍ମକ ହେବା ସତ୍ତ୍ୱେ ଶେଷ ଯାଏ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।

ଶେଷ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ଏକ ସାମାଜିକ ତଥା ପାରିବାରିକ ନାଟକ ‘ଛାତ’ । ବିଶେଷ କରି ନାଟକ ବିଭାଗର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଚିତ ଏହି ନାଟକ ପ୍ରଚଳିତ ସମାଜର ଯୁବବର୍ଗ ଯେଉଁମାନେ ନିଜ ପିତାମାତାଙ୍କ ସେବା ପ୍ରତି ଉଦାସୀନ ସେମାନଙ୍କୁ ଏକ ଚାପୁଡ଼ା ସଦୃଶ ଥିଲା । ବୟସ୍କମାନେ ଅବହେଳାର ପାତ୍ର ନୁହନ୍ତି, ବାପା-ମାଆମାନେ ଘରର ମୂଳଦୁଆ । ସେମାନଙ୍କ ଆଶୀର୍ବାଦ ସୂଚକ ହାତ ଘରର ଛାତ । ସେମାନଙ୍କ ଅନୁପସ୍ଥିତିରେ କୌଣସି ଘର ସମ୍ପୂର୍ଣ୍ଣ ନୁହେଁ । ଏହା ଥିଲା ନାଟକର ବାର୍ତ୍ତା । ଯୁବ-ଅଭିଜ୍ଞ କଳାକାରଙ୍କୁ ନେଇ ଅପେକ୍ଷାକୃତ ଯୁବ ନିର୍ଦ୍ଦେଶକ ନିଶିକାନ୍ତ ନାୟକଙ୍କ ନିର୍ଦ୍ଦେଶନା ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଲୁହେଇଥିଲା ।